Unknown

 

 

 

 

 

 

 

 

 

ଛ’ମାଣ ଆଠଗୁଣ୍ଠ

ଫକୀରମୋହନ ସେନାପତି

 

ପ୍ରଥମ ପରିଚ୍ଛେଦ

ରାମଚନ୍ଦ୍ର ମଙ୍ଗରାଜ

 

ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ । ନଗଦ ଟଙ୍କା କାରବାରଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ । ଲୋକଟି ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ଟା ଏକାଦଶୀ, ୪୦ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏକଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ର ଜଳମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗା ଭଣ୍ଡାରୀ କଥା କହୁକହୁ କହି ପକାଇଥିଲା, ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ଵାଦଶୀ ପାରଣା ସକାଶେ ସାଆନ୍ତଙ୍କ ଶୋଇବାଘରେ ସେରେ ଦୁଧ, ଦିଶୁ ଖଇ, ନବାତ, ପାଚଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ଵାଦଶୀ ଦିନ ବଡ଼ି ସକାଳେ ତୁଚ୍ଛାବାସନ ମାଜେ । ଏ କଥା ଶୁଣି ଜଣକେତେ ମୁହଁ ଚାହାଁଚାହିଁ ହୋଇ ମୁରୁକି ହସିଥିଲେ । ଜଣେ କହି ପକାଇଲା, ଡୁବି ପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବ ନାହିଁ । ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମ୍ଭେମାନେ ଅନୁମାନ କରିନେଲୁ, ଏହା ନିନ୍ଦୁକର କଥା । ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁ । ଭାଣ୍ଡ ଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କଦ୍ଵାରା ଅନୁଷ୍ଠିତ ହୋଇଅଛି, ଏଥିର ଚାକ୍ଷୁଷ ସାକ୍ଷୀ କାହିଁ ? ଶୁଣିବା କଥା ବା ଅନୁମାନ କଥା ପ୍ରମାଣରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତର ହାକିମମାନଙ୍କର ତ ଏହି ରାୟ । ଆଉ ଗୋଟିଏ କଥା ଦେଖ, ବିଜ୍ଞାନଶାସ୍ତ୍ର କହେ, ଜଳୀୟ ପଦାର୍ଥ, ସବୁ ବାଷ୍ପାକାର ହୋଇ ଉଡ଼ିଯାଏ । ଦୁଧ ତ ଜଳୀୟ ପଦାର୍ଥ, ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ ପରା ! ପୁଣି ସେ ଘରେ ମୂଷା, ଚୁଚୁନ୍ଦୁରା, ଚୁଟିଆ ଥିଲେ, ଛାରପୋକ, ମଶାମାଛି ଅବା କେଉଁ ଘରେ ନ ଥାନ୍ତି ? ପେଟ ପାଟଣା ପାଇଁ ଜଗତର ସମସ୍ତ ପ୍ରାଣୀ ଧାଉଁଛନ୍ତି । ବିଶେଷରେ ସେମାନେ ମଙ୍ଗରାଜଙ୍କ ପରି ହରିଭକ୍ତି ବିଳାସଗ୍ରନ୍ଥ ମାହାତ୍ମ୍ୟ ଶୁଣି ନାହାନ୍ତି । ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି ସନ୍ଦେହ କରିବା ମହାପାପ ବୋଲି ବିଚାର କରୁଁ । ଆହୁରି ମଧ୍ୟ ପାର୍ଶ୍ଵବର୍ତ୍ତୀ ଘଟଣାମାନଙ୍କ ପ୍ରତି ନଜର ରଖିବା ନିମନ୍ତେ ପ୍ରମାଣ ଆଇନରେ ବିଚାରକମାନଙ୍କ ପ୍ରତି ବିଶେଷ ବିଧି ଅଛି । ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ, ମାଛ ଶୁକୁଆ କଥାଛାଡ଼ । ଦ୍ଵାଦଶୀ ଦିନ ବାହ୍ମଣ ଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି । ମଙ୍ଗରାଜେ ଭାରି ହୁସିଆର ଲୋକ । ଏହି ବାହ୍ମଣ ଭୋଜନରୂପ ମହତ୍‍କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ, ଏଥିସକାଶେ ଜଣେ କେଉଟକୁ ମାଣେ ଓ ଜଣେ ଗୁଡ଼ିଆକୁ ମାଣେ ଏପରି ଦୁଇ ମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ଵାଦଶୀ ଦିନ ଭୋରରୁ କେଉଟ ଦୁଇ ନଉତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୨୭ ଘର ବାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି-। ବେଳ ଛଅଘଡ଼ି ମଧ୍ୟରେ ବାହ୍ମଣଭୋଜନ ହୋଇଯାଏ । ମଙ୍ଗରାଜେ ସ୍ୱୟଂ ବାହ୍ମଣମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ାଗୁଡ଼ ଲଗାଇ ଦେଇ ମଙ୍ଗରାଜେ ଉଚ୍ଚ ପାଟି କରି ହାତ ଯୋଡ଼ି କହନ୍ତି, ‘‘ଗୋସେଇଁମାନେ କୁହନ୍ତୁ, ଆଉକିଛି ଲୋଡ଼ା କି ନାହିଁ । ଢେର ଜଳପାନ, ଢେର ଗୁଡ଼ ଅଛି, ମାତ୍ର ମୁଁ ଜାଣେ, ଆପଣମାନଙ୍କ ଆଖି ବଡ଼ ପେଟ ସାନ, ଆପଣମାନଙ୍କ ପେଟକୁ ବଳି ପଡ଼ିଲାଣି । ଏଥି ଉତ୍ତାରେ କୌଣସି ପେଟବିକିଳିଆ ବାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚ ସାତ ପୁଞ୍ଜାଚୂଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି । ତହିଁ ଉତ୍ତାରେ ଗୋସେଇଁମାନେ ‘ପୂର୍ଣ୍ଣ ହେଲା, ପୂର୍ଣ୍ଣ ହେଲା’ କହି ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି । ବାହ୍ମଣଭୋଜନ ଉତ୍ତାରେ ଯେଉଁ ଏକ ନଉତି ଚୂଡ଼ା ଓ ଅଧାଅଧି ଗୁଡ଼ ବଳି ପଡ଼େ, ତାହା ଭକ୍ତିପୂର୍ବକ ମଙ୍ଗରାଜେ ସେବା କରନ୍ତି । ପାଠକ ଆପଣ ବିଚାରିବେ, ନଉତିଏ ଚୂଡ଼ାରେ ସତେଇଶ ଜଣ ବାହ୍ମଣଙ୍କର ପେଟ କିପରି ପୂରିଲା? ହରିବୋଲ ଭାଇ, ହରିବୋଲ । ଏସବୁ କଥାର ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ । ଯୀଶୁଖ୍ରୀଷ୍ଟ ଦୁଇଖଣ୍ଡ ରୁଟିରେ ବାରଶତ ଲୋକ ଖୁଆଇଲେ, ପୁଣି ଚାରି ପାଛିଆ ବଳି ପଡ଼ିଲା । କାମ୍ୟକ ବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟ ଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କ ହସ୍ତ ମହିମା ପ୍ରତି ଯଦି ଆପଣଙ୍କର ବିଶ୍ୱାସ ନ ଥାଏ, ତେବେ ଆମ୍ଭମାନଙ୍କ ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ । ଏପରି ଶୁଣାଅଛି, ତାଙ୍କର ମାଉସୀ ପୁଅ ଭାଇ ଶ୍ୟାମ ମଲ୍ଲେ ସହରକୁ ଯାଇଥିଲେ । ପାପ ଛପା ରହେ ନାହିଁ । ସେ କୁସଙ୍ଗରେ ପଡ଼ି ପିଆଜମିଶା କୋବି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲା ନାହିଁ । ଆଜିଯାଏ ରୂଢ଼ ବଢ଼ି ରହିଥାଆନ୍ତା, ମଙ୍ଗରାଜେ ଖୁବ୍‌ କମ ଖରଚରେ ଅଥାତ୍ ଶ୍ୟାମଙ୍କ ଦେଢ଼ବାଟି ପୈତୃକ ଲାଖରାଜରୁ ୧୫ମାଣ ମାତ୍ର ନେଇ ଖଲାସ କରିଦେଲେ । ମଙ୍ଗରାଜେ ଦିନେ ଶ୍ୟାମକୁ ଡାକି ମୂରବୀ ପଣିଆ କରି କହିଲେ, ‘‘ଦେଖ ଶ୍ୟାମ, ଏଣିକି ହୁସିଆର ରହ, ମୁଁ ଥିଲି ବୋଲି ମୋ ମୁଲାଜାରେ ପାଞ୍ଚଜଣ ତୋତେ ଟେକିନେଲେ ସିନା, ନୋହିଲେ ତୁ ଏକାବେଳକେ କିରସ୍ତାନ ହୋଇଯାଇଥାନ୍ତୁ, ତୋ ସାତପୁରୁଷ ଅହିନରକରେ ପଡ଼ିଥାନ୍ତେ । ଆଉ ମୁଁ ବୋଲି ସିନା ତୋର ମାଣ ପାଞ୍ଚ ଟଙ୍କାରେ ନେଲି ଆଉ କେହି ଦୁଇ ଟଙ୍କାରେ ଛୁଅନ୍ତା ନାହିଁ । ଯେତେହେଲେ ତୁ ତ ଭାଇ, କଣ ତୋତେ ଫୋପାଡ଼ି ଦେବି ? ହେଲେ, ବିପଦ ଆପଦବେଳକୁ ମୁଁ–ଭଲବେଳେ କେହି ନୁହେଁ । ଏହି ସେଦିନ ଭୀମା ଗଉଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା ହେବାକୁ କହିଲି, ଘରେ ଲୁଚିଲୁ, ଦେଖାଦେଲୁ ନାହିଁ ।’’

 

ହାୟ! ହାୟ! ଯେଉଁ ନିନ୍ଦୁକମାନେ ଖୀଷ୍ଟଙ୍କୁ କ୍ରୁଶରେ ଚଢ଼ାଇଲେ, ପରମା ସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧର ମାନେ ଯେ ହରିବାସର ଉପବାସୀ, ପରୋପକାରୀ ମଙ୍ଗରାଜଙ୍କ ଅଖ୍ୟାତି ରଟନା କରିବେ, ଏହା କିଛି ବିଚିତ୍ର ନୁହେଁ । ନିନ୍ଦୁକମାନେ ଯେଉଁ କଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି, ମଙ୍ଗରାଜେ ଚାରି କୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ । ବାକି ଥିଲା ଭାଇ, ଓର ଖୋଜି ଖୋଜି ଏତେଦିନ ପାଇଲେ । ଶ୍ୟାମ ପିଆଜ ଖାଇ ବାହ୍ମଣ ଭୋଜନ କରାଇଲା, ମଙ୍ଗରାଜ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି ଆଣନ୍ତି – କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା । ଖାଇବାର ପ୍ରମାଣ କାହିଁ ? ‘‘ପଲାଣ୍ଡୁ ଗୁଞ୍ଜନଞ୍ଚୈବ’’– ମନରେ ଖାଇବାକୁ ସିନା ମନା, କିଣିଲେ ପତିତ ହେବ, ଏ ବିଧି କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳାମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସଂପୂର୍ଣ୍ଣ ନାରାଜ ।

•••

 

ଦ୍ୱିତୀୟ ପରିଚ୍ଛେଦ

ସ୍ୱନାମ ପୁରୁଷ ଧନ୍ୟଃ

 

ମଙ୍ଗରାଜେ ଗରିବ ପୁଅ ଥିଲେ । ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ । ପଇସା ଅଭାବକୁ ବାପର ଶୁଦ୍ଧ ହୋଇ ନାହିଁ । ଚାଳକୁ ନଡ଼ା ନ ଉଠିବାରୁ କାନ୍ଥ ପଡ଼ି ଯାଇଥିଲା । ଏହାଙ୍କ ବାଲ୍ୟଜୀବନ, ବିଦ୍ୟାଶିକ୍ଷା, କର୍ମକ୍ଷେତ୍ରରେ ପ୍ରବେଶ ପ୍ରଭୃତି ଘଟଣାମାନ ବିଚିତ୍ର ରକମର । ଜଗତର କୌଣସି ପ୍ରଧାନ ଲୋକଙ୍କ ଜୀବନଚରିତ ଅଲୌକିକ ଘଟଣାଶୂନ୍ୟ ନୁହେଁ । ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ କଲମ, ଢେର ସମୟ ଆବଶ୍ୟକ । ମାତ୍ର ପରିମିତବ୍ୟୟିତା ଯେ ଗୋଟିଏ ମହତ୍ ଗୁଣ, ଏ ବିଷୟରେ ଆମ୍ଭମାନଙ୍କର ଶିକ୍ଷାଗୁରୁ ମଙ୍ଗରାଜେ । ଅର୍ଥନୀତି ସମ୍ବନ୍ଧରେ ମହାପଣ୍ଡିତ ବେଞ୍ଜାମିନ ଫ୍ରାଙ୍କଲିନ ଯେଉଁ ଉପଦେଶ ଦେଇ ଯାଇଅଛନ୍ତି, ସେଥିର ମର୍ମ ଆମ୍ଭେମାନେ ଏହିପରି ବୁଝିଅଛୁ । କାଗଜ ବଜାରରୁ କିଣି ଆଣିବା ସହଜ, ବ୍ୟବହାର କରିବା ବଡ଼ କଠିନ । ଏଥକୁ ଆମ୍ଭେମାନେ ଠିକେ ଠିକେ ସବୁକଥା ଲେଖି ମଙ୍ଗରାଜୀ ଅର୍ଥନୀତିର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିବୁଁ । ମଙ୍ଗରାଜଙ୍କ ଜମିଦାରୀର ନାମ ଫତେପୁର ସରଷଣ୍ଢ, ସଦରଜମା ପାଞ୍ଚହଜାର, ଅଠେଇଶ ବାଟି ବାହେଲ ଲାଖରାଜ, ବାଜିଆପ୍ତି ପନ୍ଦର ବାଟି ସତାଇଶ ମାଣ, କିମ୍ପା ଜାଣ, ଏଥିର ଜଣେ ସାତମାଣିଆ ସରିକଦାର ଥିବାର ଜଜ ଅଦାଲତରେ ଅପିଲ ଦାୟର ଅଛି । ଲୋକେ କହନ୍ତି ଚାଳିଶ ପଞ୍ଚାଶ ହଜାର ଟଙ୍କା ମହାଜନୀରେ ଖେଳୁଅଛି । ବଡ଼ଲୋକ ଘର, କଥା ବଡ଼ ଶୁଭେ । ଆମ୍ଭେମାନେ ଅନୁମାନ କରୁଁ, ୧୫ ହଜାରରୁ ବେଶି ନୁହେଁ । ମିଥ୍ୟା କଥା କହିବା ଆମ୍ଭମାନଙ୍କର ଧର୍ମ ନୁହେଁ । ଇନକମ୍ ଟିକସ ଇଲାକା ପିଆଦାଠାରୁ ଶୁଣି ଏକଥା କହୁଅଛୁଁ । ଧାନ ମହାଜନୀ କାଗଜ ୨୦ ବରଷ ହେଲା ରଫା ହୋଇନାହିଁ, ଏଥକୁ ସଠିକ ହିସାବ ଦେବାକୁ ଅକ୍ଷମ । ଗଲା ଅଙ୍କ ସୁନିଆଁ ବାହାରେ ଧାନଘରିଆ ଯେଉଁ ପାଞ୍ଜି ଦାଖଲ କରିଥିଲା, ସେଥି ମଥୋଟରୁ ଆମ୍ଭେମାନେ ଜାଣିଅଛୁ ଯେ, ଦୁଇ ହଜାର ସାତ ଭରଣ ପନ୍ଦର ନଉତି ଛ ବିଶ୍ଵା ଦୁଇ କାଣି ଧାନ ଅମାରରେ ଜମା ଅଛି । ଘର ପାଞ୍ଚ ପରସ୍ତ । ତିନି ପରସ୍ତରେ ତିନି ପୁଅ, ଏକ ପରସ୍ତରେ ସାଆନ୍ତ ସାଆନ୍ତାଣି ଓ ସାନଝିଅ ମାଳତି ଥାନ୍ତି, ବାହାର ପରସ୍ତ କଚେରୀ । କଚେରୀ ଘର ପାଞ୍ଚ ଶେଣିଆ, ଶେଣିପଟାରେ ବାଘ, ହାତୀ, ବିରାଡ଼ି, ରାଧାକୃଷ୍ଣ, ମାଙ୍କଡ଼ ଖୋଳା ଯାଇଅଛି । କାନ୍ଥ ସବୁରେ ନୀଳ, ଶୁକ୍ଳ, ରକ୍ତ, ହରିତ, ପାଟଳ ବିବିଧ ରଙ୍ଗରେ ପଦ୍ମ, କହ୍ଲାର, କୁମୁଦ, ମାଳତି ପୁଷ୍ପମାଳା, ବାନରଯୁଥ, ରାକ୍ଷସ ଶ୍ରେଣୀ ସମ୍ବଳିତ ରାମ ରାବଣ ଯୁଦ୍ଧ ପ୍ରଭୃତି ପୌରାଣିକ ଘଟଣାମାନ ଅଙ୍କିତ ରହିଅଛି । ରାଜପୁତନାର କୌଣସି ସ୍ଥାନରେ ଗୋଟିଏ ଉଲଙ୍ଗ ସ୍ତ୍ରୀମୂର୍ତ୍ତ ଦେଖି ଟଡ୍ ସାହେବ ଅନୁମାନ କରିଅଛନ୍ତି, ଭାରତର ପୂର୍ବକାଳରେ ଅଙ୍ଗନାମାନେ ଉଲଙ୍ଗ ଥିଲେ । ହାୟ ! ହାୟ ! ଆମ୍ଭେମାନେ ମଙ୍ଗରାଜଙ୍କ କାନ୍ଥର ଚିତ୍ର ଦେଖାଇ ସାହେବଙ୍କ ମୂର୍ଖତା ଦୂର କରିପାରିଲୁ ନାହିଁ । ଭିତ୍ତି ଚିତ୍ରିତ ସଖିମଣ୍ଡଳୀ ପରିବେଷ୍ଟିତ ରାଧିକାଙ୍କର ଗେରୁରଙ୍ଗରେ ହାଣ୍ଡିକଳା ବୁଟାଦାର ଘାଗରା ଦେଖିଲେ ଅବଶ୍ୟ ସାହେବଙ୍କର ମୂର୍ଖତା ଓ ଭ୍ରାନ୍ତି ବିଦୂରିତ ହୋଇଥାନ୍ତା । ଏହି ସମସ୍ତ ଚିତ୍ର ଅଙ୍କିତ କରାଇବା ନିମନ୍ତେ ଅନ୍ୟଦେଶରୁ ଚିତ୍ରକାର ଲୋଡ଼ିବାକୁ ହୋଇନାହିଁ । ସମସ୍ତ କାର୍ଯ୍ୟ ଚମ୍ପାଙ୍କର ସ୍ୱହସ୍ତ ସମ୍ପାଦିତ ଅଟେ । ଚମ୍ପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ ସେପରି ପଶୁ କଲିକତା ଜୁଲଜିକେଲ ଉଦ୍ୟାନରେ (ଚିଡ଼ିଆଖାନା) ତୁମ୍ଭେ ଖୋଜି ପାଇବ ନାହିଁ ।

 

ମଙ୍ଗରାଜ ଉଆସ ଲଗାଲଗି ପଛରେ ଗୋଟିଏ ବଡ଼ ବଗିଚା, ବାଡ଼ିଦୁଆର ପାଖରେ ଭାରି ଗୋଟାଏ ପୋଖରୀ, ପୋଖରୀ ଚାରିପାଖରେ ନଡ଼ିଆ ଗଛ, ତା ପଛକୁ କଦଳୀ, ଆମ୍ବ, ପଣସ, ଓଆଉ ଗଛ । ବଗିଚା ପଘାର

ଚାରିପାଖ ସୁନାର ଖାଇ ବାଉଁଶ ବାଡ଼ ପ୍ରାଚୀର ପରି ବେଢ଼ି ରହିଅଛି । ମଙ୍ଗରାଜଙ୍କ ପରି ନିସ୍ୱାର୍ଥ ଲୋକ ଦୁନିଆରେ ଅଳ୍ପ ଦେଖିବ । ତାଙ୍କର ସବୁ କାର୍ଯ୍ୟ ପରୋପକାର ନିମନ୍ତେ । ସାଆନ୍ତଙ୍କର ଏହି ବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ । ବଗିଚାର ନଡ଼ିଆ, କଦଳୀ, ବାଇଗଣ, କଖାରୁ, ଖଡ଼ାଠାରୁ ଲଙ୍କାମରିଚ ପର୍ଯ୍ୟନ୍ତ ନ ଯାଉଥିଲେ ହାଟର ଏଡ଼େ ଜାରି ଦେଖନ୍ତି ନାହିଁ । ସାଆନ୍ତଙ୍କ ବଗିଚାର ପରିବା ବିକା ନ ସରିଲେ ଆଉ କାହାରି ବିକିବାର ଅଧିକାର ନାହିଁ । ସେ ତ ଠିକ କଥା । ଭଲ ଜିନିଷଗୁଡ଼ାକ ପଡ଼ିରହିବ, ଖରାପ ଜିନିଷ ଆଗେ ବିକ୍ରି ହେବ, ଏହା ତ ଉଚିତ ନୁହେଁ । ହାଟ ଯେ ନିଜ ଜମିଦାରୀ ମଧ୍ୟରେ, ଅନ୍ୟ ଲୋକର ହୋଇଥିଲେ ଅନ୍ୟ କଥା । ସୁନିଆ ଓ ପର୍ବପର୍ବାଣୀରେ ଯେ ସବୁ କଖାରୁ, ବାଇଗଣ, କଦଳୀ ଭେଟି ଆସେ, ସେ ସବୁ ସଳଖେ ସଳଖେ ହାଟକୁ ଯାଏ । ଚୀନ ଦେଶର ପ୍ରାଚୀର ତୟାର ହେଲା ଉତ୍ତାରେ ସମ୍ରାଟ ଦେଶର ସମସ୍ତ ଇତିହାସ ଲେଖକଙ୍କୁ ଧରିଆଣି ହତ୍ୟା କରିଥିଲେ, କାରଣ ପ୍ରାଚୀରରେ କେତେ ଟଙ୍କା ଖରଚ ହେଲା, କାଳେ ସେମାନେ ଲେଖି ପକାଇବେ । ଏଥକୁ ଆମ୍ଭେମାନେ ସମ୍ରାଟଙ୍କୁ ନିରହଙ୍କାରୀ ପୁରୁଷ ବୋଲି କହୁ । ମହତ ଲୋକମାନେ ମହତ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖରଚ ହେଲା, କହି ବୁଲନ୍ତି ନାହିଁ । ମଙ୍ଗରାଜଙ୍କୁ ପଚାର, ଆପଣଙ୍କ ନଅର ବନାରେ କେତେଟଙ୍କା ଲାଗିଲା? ଉତ୍ତର ‘ଢେର ଟଙ୍କା, ଢେର ଟଙ୍କା, ମୁଁ ତ ସେଥିରେ ମରିଗଲି ।’ ପାଠକ ନିରାଶ ହେବେ ନାହିଁ, ଅଧିର ହେବେ ନାହିଁ ।

 

ପ୍ରତ୍ନତତ୍ତ୍ଵବିଦ୍ୟାଳୟରେ ସବୁ ପୁରୁଣା କଥାର ଠିକଣା ଲାଗିଯାଏ । ନଅଶ ବରଶ ଉତ୍ତାରେ ଜଣେ ସାହେବ ଆସି ପୁରୀ ମନ୍ଦିର ତୟାରୀରେ କେତେ ଟଙ୍କା ଖରଚ ହେଲା, ତାହା ହିସାବ କରି ତାଲିକା ଦେଖାଇଲେ । ମଙ୍ଗରାଜଙ୍କର ଲେଉଟିଆ ଶାଗ ବିକ୍ରି ପର୍ଯ୍ୟନ୍ତ ପତ୍ର ରହିଅଛି, ଘର ତୟାରି ଖରଚର କି ହିସାବ ମିଳିବ ନାହିଁ ? ଦେଓୟାନ ଗଙ୍ଗାଗୋବିନ୍ଦ ସିଂହଙ୍କ ମାତୃକ୍ରିୟା ପରି କ୍ରିୟା ଭାରତ ବର୍ଷରେ ଆଜିଯାଏ କେହି କରିନାହିଁ, କରିବ ନାହିଁ । ବଙ୍ଗଳା ହତାର ସମୁଦାୟ ଜିଲ୍ଲାର କିଲଟର ସାହେବ ଡାଲି, ଚାଉଳ, ମଇଦା, ତେଲ, ଘିଅ, ନଡ଼ିଆ, କଦଳୀ କିଣି ପଠାଇବେ ବୋଲି ବଡ଼ଲାଟ ସାହେବ ସେମାନଙ୍କ ଉପରେ ଚିଠା ଜାରି କରିଥିଲେ । ନବଦ୍ଵୀପର ରାଜା ଶିବଚନ୍ଦ୍ର ସେହିପରି ମାତୃକ୍ରିୟା କରିବାକୁ ଇଛାକରି ଖରଚର ଡାବ ମାଗି ପଠାଇଲେ । ଦେଓୟାନ ଗଙ୍ଗାଗୋବିନ୍ଦ କେବଳ ଗଞ୍ଜେଇ, ଆପୁ, ଧୂଆଁପତ୍ର ଖରଚର ଡାବ ପଠାଇଦେଇ ତାହା ଅନୁପାତରେ ସମସ୍ତ ଖରଚର ଠିକଣା ଲଗାଇବାକୁ ସଙ୍କେତ କରି ଭାଷା ଲେଖିଥିଲେ । ଏହିସବୁ ଜିନିଷ ଖରିଦରେ ବାସ୍ତରି ହଜାର ଟଙ୍କା ଖରଚ ପଡ଼ିଥିଲା । ନଗଦାତ ଖରିଦ ଛାଡ଼ି ସମସ୍ତ ଜମିଦାରୀ ବେଠିରେ ଅନେକ ଜିନିଷ ଦେଇଥିଲେ । ଆମ୍ଭେମାନେ ଘର ତୟାରିର ଗୋଟିଏ ହିସାବ ଦେଉଅଛୁ । ବୁଦ୍ଧିମାନ ପାଠକମାନେ ତାକୁ ଧରି ମୋଟ ଖରଚ କଥା ବୁଝି ପାରିବେ । ଧାନଘର ପାଞ୍ଜିରୁ ଆମ୍ଭେମାନେ ଠିକ୍ ହିସାବ ପାଇଅଛୁଁ । ବଢ଼େଇ, କମାର ବେଠିଆଙ୍କ ପଛେ ପନ୍ଦର ଭରଣ ବାଇଶି ନଉତି ଧାନ ଖରଚ ପଡ଼ିଥିଲା ।

 

ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣା ଯାଇଅଛି, ସେ କେବଳ ପରର ବିକଳ ସହି ନ ପାରି ଧାନ ଟଙ୍କା କରଜ ଦିଅନ୍ତି, ନୋହିଲେ ସେଥିରେ ତାଙ୍କର ନିଜର ଲାଭ କିଛି ନାହିଁ । ଆମ୍ଭେମାନେ କହୁଁ, ବରଞ୍ଚ ଲୋକସାନ । ଧାନ ଦେଢ଼ିରୁ ବେଶି କରଜା ନାହିଁ, ଏଥିରେ ଲାଭ କଣ? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେବା ବେଳକୁ ନୂଆ କଞ୍ଚା । ଆଛା ପାଠକ, ଆପଣଙ୍କ ଓଦା ଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ । ଗଲା ଅଙ୍କ ପାଞ୍ଜିଆ ଯେ ସାଲତମାମି ଦାଖଲ କରିଥିଲା, ସେଥିରେ ମହାଜନୀ କରଜରେ ଆଠ ଟଙ୍କା ଛଅଅଣା ଦୁଇକଡ଼ା ଦୁଇକ୍ରାନ୍ତି ଛାଡ଼ ତଳେ ପଡ଼ିଥିବାର ଦେଖା ଯାଇଅଛି । ଏତେଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁପରି କୈଫିୟତ ଦେଇଥିଲେ, ସେଥିର ସାରମର୍ମ ଏହି ଭିକାରି ପଣ୍ଡା କରଜ ନେବାର ମୂଳ ପାଞ୍ଚଟଙ୍କା । ସେଥିରେ କଳନ୍ତର ଚକ୍ରବୃଦ୍ଧି ପ୍ରମାଣେ ବାରଟଙ୍କା ପାଞ୍ଚଅଣା ଏଗାର ଭଣ୍ଡା ଦୁଇକଡ଼ା, ଗାଏ ଦୁଇପଦକୁ ମୋଟ ଓ ଆଦାୟ ସତରଟଙ୍କା ପାଞ୍ଚ ଅଣା ଦୁଇପଇସା ବାଦେ ବାକି ଛାଡ଼ ଦେଢ଼ ଗଣ୍ଡା ।

•••

 

ତୃତୀୟ ପରିଚ୍ଛେଦ

 

ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି ।

ଅସ୍ୟାର୍ଥଃ

‘‘ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ,

ତହୁଁ ଅଧେ କଲେ ଚାଷ ।’’

 

ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ–

 

‘‘ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ,

ତହୁଁ ଅଧେ ବି. ଏଲ୍. ପାଶ’’

 

ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି, ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶିୟା ଓକିଲଙ୍କ ଘର, ବାଷଠି ଘର ଭଗ୍ନାଶଂର ସମଷ୍ଠି ମାତ୍ର । କଥା କଣ ଜାଣନ୍ତି, ‘ଭାଗ୍ୟଂ ଫଳତି ସର୍ବତ୍ର’ । ଏହି ଯେ ଅଦାଲତର ଓଳିରେ ଗଣ୍ତା ଗଣ୍ତା ଶାଲପାଗିଆ ବୁଲୁଛନ୍ତି, ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ ଜଣ ମିଳିବେ? ସାଆନ୍ତେ ଆପେ କହନ୍ତି, ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି, ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ – ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ’ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି ।

 

ଜମିସବୁ ଲାଖରାଜ, କିଛି ନିଷ୍ପୀ ବାଜ୍ୟାପ୍ତି ଅଧିକାଂଶ ଖରିଦା ବ୍ରହ୍ମୋତ୍ତର । ଚାଷ ବଳଦ ୧୫ ହଳ, ହଳିଆ ୧୨ ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ – ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ-। ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ–ବିଧାନ–ଶାସ୍ତ୍ରର ବିଧି । ଖରା ହେଉ, ବରଷା ହେଉ, ତୋଫାନ ହେଉ, ଝଡ଼ି ହେଉ ମଙ୍ଗରାଜେ ଏହି ବିଧି ଲଙ୍ଘନ କରିଥିବାର କେବେ କେହି ଦେଖିନାହିଁ-। ଶାସ୍ତ୍ରରେ ଲେଖାଅଛି–

 

‘‘ଯେତେକ ଦେଖ ନଦନଦୀ,

ସମସ୍ତେ ମିଳନ୍ତି ଜଳଧି ।

ଆପଣାଗୁଣ ପାସୋରନ୍ତି,

ଲବଣ ଗୁଣକୁ ଭଜନ୍ତି ।’’

 

ଠିକ କଥା । ସେହିପରି ସ୍ତ୍ରୀ, ଦାସ, ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ସାଆନ୍ତଙ୍କ ଘର ଦାସ ଦାସୀମାନଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଅଛୁଁ । ମଙ୍ଗରାଜ ବ୍ରାହ୍ମମୁହୂର୍ତ୍ତରେ ଉଠି ଦାନ୍ତ ଘଷି ପକାନ୍ତି । କଲିକତା ସହରରେ ଦୁଇଥର ତୋପ ପଡ଼େ । ପ୍ରାତଃକାଳ ତୋପ ରାତ୍ରି ଶେଷ ଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଠିଆହୋଇ ହଳିଆକୁ ଡାକିଦେଲେ ଗ୍ରାମର ଲୋଜେ ଆଖିବୁଜି ମଧ୍ୟ ଜାଣିପାରନ୍ତି, ରାତି ପାହିଲାଣି, ବୋହୂ ଭୁଆସୁଣିଏ ବାସିପାଇଟିରେ ଲାଗିଯାନ୍ତି । ମଫସଲରେ ଲୋକେ ଘଣ୍ଟାଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲେ ବଳଦ କାନ୍ଧରୁ ଜୁଆଳି ବାହାରେ । ଆଖପାଖୀ ଚାଷୀମାନେ ଦୂରରୁ ଅନାଇ ଦେଖନ୍ତି, ମଙ୍ଗରାଜଙ୍କ ବଡ଼ ତାଳପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆମାନଙ୍କୁ ପୁଅ ପରି ପାଳିଛନ୍ତି । ମା ବାପ ପିଲାମାନଙ୍କ ଖିଆପିଆ ନିଜେ ନ ଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡ଼ିହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକ ଦିଅନ୍ତି, ଆରେ ତୋରାଣି ଆଣ, ତୋରାଣୀ ଆଣ, ଏମାନଙ୍କ ତଣ୍ଟି ଶୁଖିଯାଉଛି । ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ, କେହି ହଳିଆ ଏତେଗୁଡ଼ାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ କ୍ଷୁଦ୍ର ଏକ ବକ୍ତୃତା କରି ତାହା ପିଆଇ ଦେଇ ତହିଁ ଉତ୍ତରେ ଭାତର ବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ । ସଜନାଶାଗ ହଜମୀ, ବଳକାରକ, ରୋଗନାଶକ, ମୁଖରୋଚକ, ରୋଗୀର ପଥ୍ୟ । ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ, ଆମ୍ଭେମାନେ ଜାଣୁ ନାହିଁ, କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ, କିନ୍ତୁ ସାଆନ୍ତଙ୍କ ମୁଖରୁ ‘ଯଥା ଶ୍ରୁତଂ ତଥା ଲିଖିତଂ-।’ ସେଥିସକାଶେ ବଗିଚାର ସଜନାଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ, ହଳିଆମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗୀକୃତ । ଏହି ଯେ ଫୁଲ ଦେଖୁଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ । ପୁଞ୍ଜାଏ ରାଇ ଯଦି ସେଥିରେ ମିଶେ, ତା କଥା ଛାଡ଼-। ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି, ସେଥିରେ ଭଲମନ୍ଦ ମିଶାମିଶି । ଦେଖ ପଣସ ଖୋସାଗୁଡ଼ିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡ଼ାକ ବଦହଜମୀ । କିନ୍ତୁ ଜ୍ଞାନୀଲୋକଙ୍କଠାରେ କିଛି ଅଖଞ୍ଜ ରହେ ନାହିଁ, ଭଲକୁ ଭଲ, ମନ୍ଦକୁ ମନ୍ଦ, ବାଛି ଦିଅନ୍ତି । ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ଚାକରମାନଙ୍କ ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁ ଯାଏ ।

•••

 

ଚତୁର୍ଥ ପରିଚ୍ଛେଦ

ଚାଷ ତଦାରଖ

‘ଅହଂ ନିଜଃ ପରୋବେତି ଗଣନା ଲଘୁଚେତସାଂ ।’

 

ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି–ଲଘୁଚେତାମାନେ ଆପଣା ଓ ପର ଏହିପରି ବୁଝନ୍ତି । ସାଆନ୍ତଙ୍କ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେହିପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥିରୁ ସବୁ ଜାଣିଯିବେ । ଭାତ ହାଣ୍ତିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼େ । ସରଦାର ହଳିଆ ଗୋବିନ୍ଦ ପୁହାଣ ସକାଳେ ଆସି ଜଣାଇଲା, ଆଜ୍ଞା, ଦେଢ଼ମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ହୁଁ କହି ତୁନି ହେଲେ । ହଳିଆ ହାତଯୋଡ଼ି ଦୁଆରେ ଛିଡ଼ାହେଲା ।

 

ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ତିଏ ତେଲଚିକିଟା ମଠାଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛାଭିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା । ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ତିଆ । ଗାଁର ସବୁ ଲୋକ ଉଠି ନାହାଁନ୍ତି । ଶିବୁ ପଣ୍ତିତଙ୍କ ସଙ୍ଗରେ ଭେଟ ହେଲା ।

 

ପଣ୍ତିତେ ନାଶ ସୁଙ୍ଘି ସୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରବର ହୋଇ ସାଢ଼େ ସାତହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାର ଧାରଣପୂର୍ବକ ‘ଅଞ୍ଜଳିବଦ୍ଧୋ ଭୂତ୍ଵା’ ସାଆନ୍ତଙ୍କର ‘କୀର୍ତ୍ତିମାୟୁର୍ଯଶଃଶ୍ରିୟଂ’ କାମନା କଲେ । ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ତେ ବାଟ ଚାଲିଗଲା ବାଦ୍ ପଣ୍ତିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ, ‘ଆଦ୍ୟ ପ୍ରାତରେବାନିଷ୍ଟଦର୍ଶନଂ ଜାତଂ ନ ଜାନେ କିମନଭିମତଂ ଦର୍ଶୟିଷ୍ୟତି ।’ ପଣ୍ତିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କଣ ପାଇବୁ ?

 

ଶ୍ୟାମ ଗୋଚ୍ଛାଇତ ଜାତିରେ ବାଉରୀ । ବିଲ ଗାଁ ତଳେ । ବିଲଗୁଡ଼ିକ ଆଗ ରୁଆ, ଶୁଆପକ୍ଷିଆ ବୁଲିଗଲାଣି । ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି । ସାନ୍ତେ ପାଖରେ ଛିଡ଼ାହୋଇ ଯାଇଁ କଅଁଳ ଭାଷାରେ କହିଲେ, ‘କିରେ ବାପ ଶ୍ୟାମ !’ ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖି ଚମକି ପଡ଼ିଲା-। ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟକରି କାଦୁଅରେ ଶୋଇପଡ଼ି ଓଳଗି ହେଲା । ‘ଆରେ ଉଠ୍, ଆରେ ଉଠ, ଆରେ ଉଠ୍’ ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ । ତହିଁ ଉତ୍ତାରେ ଶ୍ୟାମ ହାତଯୋଡ଼ି ଦଶହାତ ଦୂରରେ ଛିଡ଼ାହେଲା । ତାହା ବାଦ୍ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର ବେଳଯାଏ ଦୁଃଖସୁଖ କଥାବାର୍ତ୍ତା ହେଲା । ସବୁ କଥାଗୁଡ଼ା ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି । ସେଥିସକାଶେ ସାରାଂଶ ମାତ୍ର ଲେଖୁଅଛୁ, ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କର ଭାରି ନଜର । ଶ୍ୟାମ ବାପ ଅପର୍ତ୍ତିଆ ରୋଜ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲଚାଲ ଜଣାଉଥିଲା ଏବଂ କିପରି ଚାଷକଲେ ଧାନ ଖୁବ୍ ଫଳିବ, ଏସବୁକଥା ପଚାରୁଥିଲା ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ଉପରେ ସାଆନ୍ତଙ୍କ ନଜର ଅକସ୍ମାତ ପଡ଼ିଗଲା । ଚମକି ପଡ଼ିଲାପରି ମୁରବିପଣିଆ କରି କହିଲେ, ‘ଆରେ ଶାମା ତୁ କଣ କରିଛୁ ? ତୁ ଟା ତ ନିହାତି ଓଲୁ । ଚାଷ କିଛି ଜାଣି ନାହୁଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖି ନାହୁଁ । ଉପାଡ଼ ଉପାଡ୍ ଅଧେ ଉପାଡ଼ିପକା ।’ ଗୋବିନ୍ଦ ଭଲ କରି ଅନାଇ ସାଆନ୍ତଙ୍କର ପୋଷକତା କଲା-। ଶ୍ୟାମ ଥରିଥରି ହାତଯୋଡ଼ି, ‘ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି । ସାଆନ୍ତେ ବିରକ୍ତ ହୋଇ କହିଲେ, ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, ‘ଆରେ ଗୋବିନ୍ଦ, ଦେଖାଇ ଦେ ତ ।’ ଏହିକଥା ମୁହଁରୁ ନ ବାହାରୁଣୁ ଗୋବିନ୍ଦ ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମ ଡକାପଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇଲେଖା ସମ୍ବୋଧନ କରି କହିଲେ, ‘‘ତୁ ବିଲ କରି ଜାଣ ନ ଜାଣ, କରଜା ଧନର ମୂଳ କଳନ୍ତର ବିଶ୍ଵଏ ରଖିଲେ, ଜାଣିବୁ ।’’ ଶ୍ୟାମ ଭୟରେ କାଠ ପିତୁଳି ପରି ଛିଡ଼ା ହୋଇଥାଏ । ସାଆନ୍ତେ ‘‘ଆରେ ଗୋବିନ୍ଦ, ଥାଉ ଥାଉ, ସେ ଯାହା ଇଚ୍ଛା କରୁ ।’’ ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇ ଭାର ତଳି ଧରି ବାହାରି ଗଲେ ।

•••

 

ପଞ୍ଚମ ପରିଚ୍ଛେଦ

ମଙ୍ଗରାଜଙ୍କ କୁଟୁମ୍ବ

ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡ଼ି ତିନି ପୁଅ ହିସାବରେ ତିନି ବହୂ, ପୋଇଲୀ ପରିବାରୀ କୋଡ଼ିଏ କି ବାଇଶ, ଏହିପରି ତିରିଶ ଲଗାଲଗି । ପ୍ରତି ଜଣର କଥା ଲେଖିବାକୁ ଗଲେ ଢେର ଲେଖିବା ହେବ । ମାତ୍ର ଆପଣ ତ ଆମ୍ଭମାନଙ୍କ ସ୍ୱଭାବ ଜାଣନ୍ତି, ମିଛକଥା ଲେଖିବା, କଥା ବଢ଼େଇ ଲେଖିବା, ଅକାରଣ କଥା ଲେଖିବା ଆମ୍ଭମାନଙ୍କ ଧାତୁରେ ଚଳେ ନାହିଁ । ମଧ୍ୟ ‘‘ମା ଲିଖତ୍ ସତ୍ୟମପ୍ରିୟଂ’’ ଅର୍ଥାତ ସତ୍ୟ କଥାରୁ ମଧ୍ୟ ଅଧାଅଧି ଛାଡ଼ିଦେବାକୁ ହୁଏ । ଉଆସ ମଧ୍ୟରେ ସ୍ତ୍ରୀ ସଂଖ୍ୟା ବେଶି, ରାମା ଭଣ୍ଡାରିକୁ ଛାଡ଼ି ପୁରୁଷ ତୁଣ୍ଡ ପ୍ରାୟ ଶୁଭେ ନାହିଁ । ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି । ତିନି ପୁଅ ଯୁଆଣ ଚଉପଟ ଖେଳିବା, ଗୋବର ଚଢ଼େଇ ଧରିବା, ଲୋକଙ୍କ ସହିତ ଦଙ୍ଗାଫିସାଦ କରିବାରେ ସେମାନଙ୍କୁ ବେଳ ଅଣ୍ଟେ ନାହିଁ । ଗଞ୍ଜେଇ ପତ୍ର ଖାଇବାକୁ ମଧ୍ୟ କିଛି ବେଳ ଲୋଡ଼ା । ଗୋବିନ୍ଦପୁର ହାଟର ଗଞ୍ଜେଇଦୋକାନୀ ଜଣେ ଗହକି ଉପରେ ଖପା ହୋଇ କହିଲା, ‘‘ଆରେ ଯା ମ ! ମାଲ୍ ନ ନେ, ଏକା ସାଆନ୍ତଘର ବାବୁମାନଙ୍କ ପାଇଁ ମାଲ ନିଅଣ୍ଟ । ବାପ ପୁଅଙ୍କର ପ୍ରାୟ ଭେଟ ହୁଏ ନାହିଁ । ଜଣେ ମୁରବିଭଳିଆ ଲୋକ କହିଥିଲା, ‘‘ଆହେ ମଙ୍ଗରାଜେ, ପୁଅମାନଙ୍କୁ କ୍ୟାଁ ପାଖପୁରାଅ ନାହିଁ ?’’ ମଙ୍ଗରାଜେ ଉତ୍ତର ଦେଲେ, ‘‘ଆହା ତୁମ୍ଭେ କି ଶାସ୍ତ୍ର ଶୁଣି ନାହଁ ?’’

‘‘ଲାଳୟେତେ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍ ।

ପ୍ରାପ୍ତେ ତୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ରବଦାଚରତେ ।’’

ଅର୍ଥାତ୍ ‘‘ପୁଅମାନଙ୍କ ପାଟିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଲାଳବହେ, ଦଶବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ୍ ଅର୍ଥାତ ଖରାପ ଆଚରଣ କରିବ ।’’ ବାସ୍ତବରେ ଦେଖାଯାଉଛି ସାଆନ୍ତେ କାହାରି କାହାରି ସହିତ ସଙ୍ଗାତ ମିତ୍ର ବସି ମାଲିମକଦ୍ଦମା କରି ସେମାନଙ୍କ ଜମିଜମା ଛଡ଼ାଇ ନେଇ ବଦ୍‍ ଆଚରଣ କରନ୍ତି, ହେଲେ ସାଆନ୍ତେ ପୁତ୍ରମାନଙ୍କ ସମ୍ବନ୍ଧରେ ଯେଉଁ ଶାସ୍ତ୍ରୀୟ ପ୍ରମାଣ ପ୍ରୟୋଗ କଲେ, ତାହା ଠିକ୍‍ ବୋଲି ବୋଧ ହେଉନାହିଁ । ଶୁଣାଯାଏ, ପୁଅମାନେ ନିଶାପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼ । ଉଆସ ମଧ୍ୟରେ ସାଆନ୍ତାଣୀ ଗୋଟାଏ କୋଠରୀରେ ପଡ଼ିଥାନ୍ତି, କାହାରି ସହିତ କଥା ନାହିଁ । କେବଳ ଭାଟ, ଭିକାରୀ, ଭୋକୀ, ଶୋଷୀ ଆସିଲେ ତାହାଙ୍କୁ ଖୋଜନ୍ତି । ବୋହୂମାନଙ୍କ କଥା ଲେଖିବା ଅନୁଚିତ । ବଡ଼ଲୋକ ଘରର ବୋହୂ ଭୁଆସୁଣୀ କଥା ଦାଣ୍ତରେ ପକାଇଲେ ଲୋକେ ଆମ୍ଭମାନଙ୍କୁ କଣ କହିବେ ? ସେମାନେ ଯେପରି ଦିନ ପହରକେ ବିଛଣାରୁ ଉଠି ଦୁଇ ତିନି ଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି, ମର୍ଦ୍ଦନ ସ୍ନାନ ସାରି ଭୋଜନ କରି ଦିନବେଳେ ବେଳବୁଡ଼ ଯାଏ ଶୋଇପଡ଼ନ୍ତି, ସେ କଥାଗୁଡ଼ିକ ଲେଖିଲେ କଣ ହେବ ? ବେଳବୁଡ଼ସରିକି ପୁଣିଉଠି ପଖାଳ ଦିଶୁ ଦିଶୁ ସାରି ତାହା ବାଦ୍‍ ଗାଁ କଥାଶୁଣିବା, ପୋଇଲୀମାନଙ୍କ ମଧ୍ୟରେ କଳି ଲଗାଇ ଦେବା, କଳି ଭାଙ୍ଗିବା, ହସିବା, ବସିବାରେ ଅଧରାତି ହୋଇଯାଏ । ରୁକୁଣୀ, ମରୁଆ, ଚେମୀ, ନାକଫୋଡ଼ୀ, ଟେରୀ, ବିମଳୀ, ଶୁକୀ, ପାଟ, କୌଶୁଲୀକୁ ଛାଡ଼ି ଆହୁରି କେତେଗୁଡ଼ିଏ ପୋଇଲୀ ଅଛନ୍ତି । ସେମାନଙ୍କ ନାମ ଆମ୍ଭମାନଙ୍କୁ ଅଜଣା । କେହି ବାଳ ବିଧବା, କେହି ଯୁବତୀ ବିଧବା, କେହି ଆଜନ୍ମବିଧବା, କେହି ବା ସଧବା, ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ମଙ୍ଗରାଜଙ୍କ ଘରେ ଆଶ୍ରୟ ନେଇଅଛନ୍ତି । ମଧ୍ୟ କେତେ ଆସୁଛନ୍ତି କେତେ ଯାଉଛନ୍ତି, ତାହାର ଠିକଣା ନାହିଁ । ଅନେକଗୁଡ଼ିଏ ନିଷ୍କର୍ମା ପୋଇଲୀ ରୁଣ୍ତ ହେଲେ ପୃଥିବୀର କଳି ଜାତ ହୁଏ, ମଙ୍ଗରାଜ ଉଆସ ଏହି ସନାତନ ବିଧିକୁ ଲଙ୍ଘି ନ ଥିଲା । ରାତି ଅଧଯାଏ ଉଆସ ମଧ୍ୟରେ ମାଛହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭୁଥାଏ ।

•••

 

ଷଷ୍ଠ ପରିଚ୍ଛେଦ

ଚମ୍ପା

 

ଉଆସ ମଧ୍ୟରେ ଯେତେ ଲୋକ ଅଛନ୍ତି, ସେଥିମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ, ଓରଫ୍‌ ହରକଳା ସହିତ ମଙ୍ଗରାଜ ବଂଶର କି ସମ୍ପର୍କ, ଏ କଥା କାହାରିକୁ ଜଣାନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାରଦ୍ୱାରା ବୁଝିବାର କାହାରି ଶକ୍ତି ନାହିଁ । କେବଳ ଏତିକିମାତ୍ର କହିପାରୁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ । ଅଧିକ କଣ ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର ବେଶୀ । ବାହାରର ହଳିଆ, ମୂଲିଆ, କଚେରୀ କରଣଯାଏ ତାହାଠାରେ ହାତ ଯୋଡ଼ିଥାନ୍ତି । ଚମ୍ପାର ଗୋଟିଏ ନାମ ହରକଳା । ସତକଥା କହିବାକୁ ଗଲେ ଏହିନାମ ଧରି ତାହାକୁ କେହି ଡାକିବାର ଶୁଣିନାହୁଁ । ହରକଳା ଶବ୍ଦର ବ୍ୟୁତ୍ପତ୍ତି କଣ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ, ଏହା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ, ମାତ୍ର ଚମ୍ପା କାନରେ ଦିନେ କିଏ ପକାଇଲା ଲୋକମାନେ ତାହାକୁ ‘ହରକଳା’ ବୋଲନ୍ତି । ସେ ଶୁଣି ଭାରି ଖପା ହେଲା, କାନ୍ଦି କାନ୍ଦି ମଙ୍ଗରାଜଙ୍କଠାରେ ଗୁହାରି କଲା, ଖୁବ୍ ଧରପଗଡ଼ ହେଲା, ଦୁଇଦିନ ପର୍ଯ୍ୟନ୍ତ ଖୋଜତଲାସ ହେଲା, ମାତ୍ର ହରକଳା ନାମର କେଉଁଠାରୁ ଉତ୍ପତ୍ତି, କେତେଦୂର ବିସ୍ତୃତି, କିଛି ଠିକଣା ମିଳିଲା ନାହିଁ-। ଅବଶେଷରେ ସାଆନ୍ତ କହିଲେ, ‘‘ହେଉ ହେଉ ଦେଖାଯିବ । ଖବରଦାର । ଚମ୍ପାକୁ କେହି ହରକଳା କହିବ ନାହିଁ ।’’ ସେଦିନ ଗ୍ରାମର ଏ ମୁଣ୍ତଠାରୁ ସେ ମୁଣ୍ତଯାଏ ଆଖପାଖ ଦୁଇ ଚାରି ଗ୍ରାମରେ ସମସ୍ତଙ୍କୁ ସମସ୍ତେ ସାବଧାନ କରାଇଦେଲେ–ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ । ମାସେ, ଦୁଇମାସ, ଚାରିମାସ, ଛ’ମାସ ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନମିଳାପ ଲୋକ ଦେଖିଲେ ଚାରିଆଡ଼କୁ ଅନାଇ ମୁରୁକି ହସି ପରସ୍ପରକୁ ସାବଧାନ କରିଦିଅନ୍ତି,‘‘ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ ।’’ କ୍ରମଶଃ ସେହିକଥା ସଂକ୍ଷିପ୍ତସାରରୂପ ଧାରଣ କଲା, ଯଥା–ଖବରଦାର କେହି ଚମ୍ପାକୁ, ଖବରଦାର କେହି, ଖବରଦାର ଇତ୍ୟାଦି । ପିଲାଗୁଡ଼ାକ ହାତରେ ତାଳିଦେଇ ଦାଣ୍ତରେ ନାଚନ୍ତି–

 

‘ଖବରଦାର !

ଗୋବରା ଜେନା ଚଉକିଦାର ।’

 

ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କଣ ଧରିବେ ? ଯାଉ, ସେ ବାଜେ କଥାରୁ କଣ ହେବ ? ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ସମ୍ବନ୍ଧ ଥିବାରୁ ପାଠକମାନେ ତାହାର ନାମ ଅନେକଥର ଶୁଣିବାକୁ ପାଇବେ । ଏଥକୁ ତାହାର ରୂପ ଗୁଣ ସମ୍ବନ୍ଧରେ ସମସ୍ତ କଥା ଫେଡ଼ି କହିଦେବା ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ ହେଉଅଛି । ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କର ରୂପ ଗୁଣ ବର୍ଣ୍ଣନା କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ । ସୁତରାଂ, ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମ୍ଭମାନଙ୍କର ଆପତ୍ତି ନାହିଁ । ପୁଣି ଗ୍ରନ୍ଥକାରମାନଙ୍କର ଖସ୍‍ଲତ ଅଛି, ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ଼ ପାଇଲା ପରି ସବୁକଥା ପାସୋରିଯାଇ ତାହାର ରୂପ ବର୍ଣ୍ଣନା କରିବାକୁ ତରବର ହୋଇ ବସିଯାନ୍ତି । ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବା ବିଷୟରେ ଅକ୍ଷମ, ତାହା ନୁହେଁ । ଏହି ଦେଖ କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା ଏହିପରି ଯେ ସବୁ ଗଛ, ପତ୍ର, ଫଳ, ଫୁଲ ଅଛି, ଚମ୍ପାର ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇ ଦେଲେ ତ ରୂପବର୍ଣ୍ଣନା ଛିଡ଼ିଲା ! ମାତ୍ର, ଆଜିକାଲି ସେପରି ମରହଟ୍ଟୀ ବର୍ଣ୍ଣନା ଚଳିବ ନାହିଁ । ଇଂରାଜୀ ପଢ଼ୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରାଜୀ ଧରଣର ରୂପ ବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦର ସ୍ତ୍ରୀକୁ କହନ୍ତି ‘ଗଜେନ୍ଦ୍ରଗାମିନୀ’, ଇଂରାଜ କହିବେ, ‘‘ଛି ଛି ! ତାହା ତ ନୁହେଁ, ଘୋଡ଼ାପରି ଯେ ‘ଗେଲପ’ ଚାଲିପାରେ, ସେହି ସିନା ପରମ ସୁନ୍ଦରୀ । ଆମ୍ଭେମାନେ ଦେଖୁଅଛୁଁ, ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲି ଆସୁଅଛି, ସେଥିରେ ଖୁବ୍ ସମ୍ଭବ ନବ୍ୟସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ ‘ଗେଲପ’ ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପ୍ରସ୍ତାବ କରି ବସିବେ । ସେ କଥା ଯାହାହେଉ, ଆମ୍ଭେମାନେ କହୁଁ ସୁନ୍ଦରୀମାନଙ୍କ ଚାଲିର ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ୍‍ କରିପାରି ନାହାନ୍ତି । ବିଚାର କରନ୍ତୁ, ଘୋଡ଼ା ଆଉ ହାତୀମାନେ ଚାରି ଗୋଡ଼ରେ ଚାଲନ୍ତି, ମାତ୍ର ଆମ୍ଭମାନଙ୍କ ଚମ୍ପାର ଦୁଇଗୋଟି ଗୋଡ଼ରୁ ବେଶି ନାହିଁ । ସୁତରାଂ, ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ୱବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ ଚମ୍ପା ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି ଅକ୍ଷମ । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାରୁ ତାହାକୁ ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯ୍ୟାଦା ରକ୍ଷାପାଇଁ ଉପମାନ ଉପମେୟ ଠିକ୍ ରଖି କହିବାକୁ ଗଲେ, ମରାଳ କେତେବେଳେ ଖାଲି ଗୋଡ଼ରେ, କେତେବେଳେ ଡେଣା ମେଲାଇ ଖଣ୍ଡିଉଡ଼ା ଦେଲାପରି ଚାଲେ । ଆମ୍ଭମାନଙ୍କ ଚମ୍ପା ଗୋହିରୀ ମଝିରେ ମାଣିଆବନ୍ଦୀ ପଣତକାନୀ ଉଡ଼ାଇ, ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲାଯାଇପାରେ । ଚମ୍ପାର ବୟସ ଆମ୍ଭେମାନେ ଅନୁମାନ କରୁ ତିରିଶ ଲଗାଲଗି, ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସାଆନ୍ତାଣିଙ୍କ ମଙ୍ଗଳକୃତ୍ୟ ଦିନ ତାହାର ଏକୋଇଶା ହୋଇଥିଲା । ଏହି ହିସାବରେ ଚମ୍ପାର ବୟସ ଢେର କମ । ଏଠାରେ ଯୁବତୀର ରୂପ ବର୍ଣ୍ଣନା କରିବାକୁ ହେଲେ ଖୁବ୍‍ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ । ବିଲାତି ଜିନିସାତ୍ ସହିତ ରୁଚି ନାମଧେୟ ପଦାର୍ଥ ବିଶେଷ ଏ ଦେଶକୁ ନୂଆ ଆମଦାନୀ ହୋଇଅଛି । ତାହାପ୍ରତି ନଜର ରଖି ନ ଚଳିଲେ ତୁମର ପାଠ ସରିଲା । ତୁମେ ମୁର୍ଖ ଅସଭ୍ୟ ତଳେ ଗଲ । ସେଦିନ ଉପେନ୍ଦ୍ରଭଞ୍ଜଙ୍କ ଦୁର୍ଦ୍ଦଶାରୁ ଆମ୍ଭେମାନେ ଏହି ଶିକ୍ଷା ପାଇଅଛୁ । ବାପ ମା ପୂଣ୍ୟବଳରୁ ସେ ବିଚରା ଖସିଯାଇଅଛି, ନୋହିଲେ ଇସ୍ତକ ମହାପାତ୍ରଠାରୁ ମହାରାଜା ଯାଏଁ ଯେପରି ପିଛା ଧରିଥିଲେ, ତାହା କପାଳରେ ଯେ କଣ ଘଟିଥାନ୍ତା, ଠାକୁରଙ୍କୁ ଜଣା । ଏପରି ମହାରଥୀର ତ ଏହି ଦଶା, ଆମ୍ଭେମାନେ ବା କେତେ କଡ଼ାରେ ଗଣ୍ତାଏ । ‘ଗୁରୁବିପ୍ର ପ୍ରସାଦେନ’ ଆମ୍ଭେମାନେ ସୁରୁଚି କବିତା କଛି କଛି ରଚନା କରିବାକୁ କ୍ଷମ । ଆପଣମାନେ ମନେକରିବେ ଏଇଟା ମିଛୁଆ, କିଛି ଜାଣେ ନାହିଁ । ଆଛା, ନମୁନା ଦେଖିନ୍ତୁ –

 

‘‘ଅର୍ଦ୍ଧବକ୍ଷ ଉଲ୍ଲଙ୍ଗିନୀ, ମୁରୁକିହାସିନୀ

ବସ୍ତ୍ରଶୂନ୍ୟା, ରିକ୍ତହସ୍ତା, ତୁରଙ୍ଗଗାମିନୀ,

ମାର୍ଜାରନୟନା ତାମ୍ରକେଶା, ଅଣ୍ଟାଭିଡ଼ା,

ସ୍ୱାଧୀନଭର୍ତ୍ତୃକା, ପାଞ୍ଚଜଣ ଆଗେ ଛିଡ଼ା,

ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ,

ଆହା ଆହା ଅପରୂପ ସ୍ୱର୍ଗବିଦ୍ୟାଧରୀ !

 

ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ରଭଞ୍ଜ ଶୁଣିବେ ?

 

‘‘ଓଲଟ କଦଳୀ ପ୍ରାୟ ଜାନୁଁ,

ନିତମ୍ବ ଯୁଗଳ ଜିଣି ସାନୁ ।’’

 

ଆଉ ଲେଖିବାକୁ ସାହାସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବାକୁ ଜାଣୁ ସତ୍ୟ, ହେଲେ ଦିନ ଦୁଇ ପ୍ରରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରାଠାରୁ ବେଥୁନ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍. ଏମ୍. ରେ– ଓରେଫ କୁମାରୀ ଶଶିମୁଖୀ ରାୟ ପର୍ଯ୍ୟନ୍ତ ଦେଖିଲୁଁ । କେହି ସୁରୁଚିସମ୍ପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖି ପରି କରିପାରି ନାହାନ୍ତି । ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁଁ, ମିଛ କଥା ତ କଲମରୁ ବାହାରିବ ନାହିଁ, ଉପାୟ କଣ? କାଳିଦାସେ ରଘୁବଂଶ ଲେଖିଲାବେଳେ କଲମ ଅଚଳ ହେବାରୁ କହି ବସିଲେ –

 

‘‘ଅଥବା କୃତବାଗ୍‌ଦ୍ଵାରେ ବଂଶେଽସ୍ମିନ ପୂର୍ବସୁରିଭିଃ

ମଣୌ ବଜ୍ରସମୁତ୍‍କୀର୍ଣ୍ଣେ ସୂତ୍ରସ୍ୟେବସ୍ତି ମେ ଗତିଃ ।’’

 

ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସ ଚମ୍ପା ରୂପ ବର୍ଣ୍ଣନାର ନମୁନା ରଖିଯାଇ ଅଛନ୍ତି । ଦାସେ ବୋଇଲେ –

 

‘‘ତନ୍ମୀ ଶ୍ୟାମା ଶିଖିରିଦଶନା ପକ୍ୱବିମ୍ବାଧରୋଷ୍ଠୀ ।’’

 

ଅସ୍ୟାର୍ଥ–ତନୁ ବୋଲନ୍ତେ ଶରୀର, ଚମ୍ପାର ତନୁ ଥିବାର ସେ ତନ୍ୱୀ । ଶ୍ୟାମ ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ, ଚମ୍ପା ଶ୍ୟାମଳ ବର୍ଣ୍ଣା । ଶିଖିରିଦଶନା–ଶିଖରୀ ବୋଲନ୍ତେ ଦାନ୍ତ, ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ ଗୋଟାକ ଉପରେ ଗୋଟିଏ ଚଢ଼ିଯାଇ ପର୍ବତ ଶୃଙ୍ଗପରି ଟେକି ରହୁଥିବାରୁ ସେ ଶିଖରିଦଶନା । ଆଉ ପକ୍ୱବିମ୍ବାଧରୋଷ୍ଠୀ–ପକ୍ୱ ବୋଲନ୍ତେ ପାଚିଲା, ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ବୋଲନ୍ତେ ତଳଉପର ଓଠ ଅର୍ଥାତ୍ ପାନ ବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱବିମ୍ବାଧରୋଷ୍ଠୀ ଇତ୍ୟାଦି ।

 

ପୁଣି ଦାସେ ‘‘ମଧ୍ୟେ କ୍ଷାମା–ସ୍ତୋକନମ୍ରା–’’ ପ୍ରଭୃତି ଢେର କଥା କହିଅଛନ୍ତି । ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ ଅର୍ଥାତ୍ ଆମ୍ଭେମାନେ ଯେ ସବୁ ଅଙ୍ଗ ଦେଖି ନାହୁଁ, ସେ ସମସ୍ତ ଅଙ୍ଗ ବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦାସେ ‘ଯାହା ନ ଦେଖିଛୁଁ ଦୁଇ ନୟନେ, ତାହା ନ ଲେଖିବୁଁ ଗୁରୁବଚନେ’ ତେବେ ଦେଖା ସ୍ଥାନଗୁଡ଼ିକୁ ବର୍ଣ୍ଣନା କରିବାକୁ ଛାଡ଼ିବା ପାତ୍ର ଆମ୍ଭେମାନେ ନୋହୁଁ, ଯଥା–

 

‘‘କଜ୍ଜଳ ପୂରିତ ଲୋଚନ ଭାଲେ,

ଗୁଣ୍ଡିମିଶା ଖିଲୀ ଗୁଞ୍ଜିତ ଗାଲେ ।୧।

ତୈଳହରିଦ୍ରା ବୋଳିତ ଦେହେ,

କୁକ୍‌କୁରୀବ ଶୀଘ୍ରଂ ଧାବତି ଗେହେ ।୨।

ଷୋଳହାତୀଶାଢ଼ୀ ବିସ୍ତୃତ କଚ୍ଛେ,

ଥୋପଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।୩ ।

ଦୁମୁ ଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା,

ଚଳିତ ବା ଧାବତି ବିଷମ ସମସ୍ୟା ।୪।

କଙ୍କଣ ଚୁଡ଼ି ହସ୍ତେ ବିରାଜେ,

ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।

ସା ଯଦା ଗଚ୍ଛତି ଗୋହିରୀ ଦାଣ୍ତେ,

ହସ୍ତ ହଲାଇ ଚାଣ୍ତେ ଚାଣ୍ତେ ।୬।

ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ,

ଡରି ମରି ପଳାଇଯାନ୍ତି ଥୋକେ ।୭।

ଇତି ରୂପବର୍ଣ୍ଣନଂ ପଜ୍‌ଝଟୀ ଛନ୍ଦେ,

ଅତଃ ଗୁଣ ବର୍ଣ୍ଣ୍ୟତେ ବିବିଧପ୍ରବନ୍ଧେ ।୮।

•••

 

ସପ୍ତମ ପରିଚ୍ଛେଦ

ବୁଢ଼ୀ ମଙ୍ଗଳା

 

‘‘ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପେଣ ସଂସ୍ଥିତା,

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ

 

ମୃତ୍ତିକାଶ୍ୱଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ,

ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମୋଽସ୍ତୁତେ ’’

 

ଅସୁରଦୀଘିର ପଶ୍ଚିମକୋଣ ଗାଆଁ ଭିତରୁ ଦୀଘିକୁ ଯିବା ବାଟର ଡାହାଣ ହାତ ପାଖରେ ଗୋଟିଏ ଭାରି ବରଗଛ ଅଛି । ଗଛମୂଳର ଚିହ୍ନ ନାହିଁ, କୋଡ଼ିଏ ପଚିଶ ଗୋଟା ଓର ପଡ଼ି ଡାଳଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି ହୋଇ ଗଛଟି ପ୍ରାୟ ବାର ତେରଗୁଣ୍ଠ ଜମି ମାଡ଼ି ବସିଅଛି । ସାନ ସାନ ଡାଳ ଓ ପତ୍ରଗୁଡ଼ିକ ଏପରି ନିଘଞ୍ଚ ହୋଇଅଛି ଯେ, ଖରା ତେଜ ମୂଳକୁ ବାଜେ ନାହିଁ । ଗଛଟି ବହୁକାଳର । ପୁରୁଖା ପୁରୁଖା ଲୋକମାନେ କହନ୍ତି, ଏଇଟି ସତ୍ୟଯୁଗର ଠାକୁରାଣୀ ଗଛ । ସେମାନେ ପିଲାକାଳରୁ ଦେଖି ଆସୁଛନ୍ତି, ଏହା ବଢ଼ିବାକୁ ବା ଛିଣ୍ତିବାକୁ ନାହିଁ । ଗଲା ସାତଅଙ୍କ ତୁଳାମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା, ଗାଆଁର ସମସ୍ତ ସଜନାଗଛ ଓ କଦଳୀଗଛ ପ୍ରଭୃତି ଉପୁଡ଼ିଗଲା । ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲା ନାହିଁ । ଠାକୁରାଣୀଙ୍କ ମହିମା ।

ମଝିରେ ଚାରିଗୋଟି ଓର ଗଛପରି ଛିଡ଼ା ହୋଇଅଛି, ତାହା ମୂଳରେ ଗ୍ରାମ ଦେବତୀଙ୍କ ଆସ୍ଥାନ । ଠାକୁରାଣୀଙ୍କ ନାମ ବୁଢ଼ୀମଙ୍ଗଳା । ମଙ୍ଗଳାଙ୍କର ଅଢ଼େଇମାଣ ଦେବୋତ୍ତର ଜମି ଅଛି । ବାରଗୁଣ୍ଠ ଆଠବିଶ୍ୱା ବିଜେ ଆସ୍ଥାନ ତଳି, ବାକି ଦୁଇମାଣ ଜଳଜମି ଦେଉରୀ ଭୋଗକରେ ଓ ଠାକୁରାଣୀ ପୂଜାକରେ । ଗ୍ରାମରେ ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା । ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖା ଦିଅନ୍ତି, ସବୁ କଥା କହନ୍ତି । କାହାରି ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିଲେ ଆଗ ଫଳଟା ଠାକୁରାଣୀଙ୍କୁ ନ ଦେଲେ ସେ ଖାଏ ନାହିଁ ।

 

ମଣ୍ଡପଟି ପକ୍‍କାରେ ତୟାରି । ମଝିରେ ଠାକୁରାଣୀଙ୍କର ନିଜ ମୂର୍ତ୍ତି । ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ ଦଶ ପସୁରିରୁ ଊଣା ହେବ ନାହିଁ, ଦୁଇ ଚାରିଟା ହଳଦୀଶିଳ ମିଶିଲେ ଯେତେ ବଡ଼ ତହିଁରୁ ବଳିପଡ଼ିବ । ଗୋଟାଯାକ ଚାରିଆଙ୍ଗୁଳ ବହଳ ସିନ୍ଦୂର ବୋଳା । ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ ଚାରିଗୋଟି ସାନ ମୂର୍ତ୍ତି ଅଛନ୍ତି । ମଣ୍ତପ ଡାହାଣ ଭାଗରେ କିଛିଦୂରରେ ଭଙ୍ଗା ଦଦରା ମାଟିର ହାତୀ, ଘୋଡ଼ା ପଣେ କି ଦୁଇପଣ ଜମା ହୋଇଅଛି । ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡିଯାଏ । ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର ମଧ୍ୟ ଦେଖା ଓ ଶୁଣାଅଛି । ଏଥିସକାଶେ ଠାକୁରାଣୀଙ୍କ ଜାଗା କେଭେଁ ଖାଲି ଥାଏ ନାହିଁ । ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ । ଶୁଖିଲାପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି । ବିଭା, ପୁଆଣିଘର କାହାରି ପୁଅ ଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ । ଗାଁରେ ବାଡ଼ି ପଡ଼ିଲେ ପୂଜାର ଧୂମ୍ ଲାଗୁଥାଏ । କିରାଣିମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ । ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆରପରି ଠାକୁରାଣୀଙ୍କ ଆସ୍ଥାନ ଚମକି ଉଠେ । ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଳେ । ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦବିପଦ ଘଟେ ନାହିଁ । କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ, ମାତ୍ର ଭଲକରି ପୂଜା ଦେଲେ ଶଏ ପଞ୍ଚାଶ ଜଣରୁ ବେଶି ନେଇପାରେ ନାହିଁ ଛାଡ଼ି ପଳାଏ ।

 

ଆପଣ ସଭ୍ୟ ପାଠକ, ଏ କଥା ଶୁଣି ହସିବେ । ବିଜ୍ଞାନଶାସ୍ତ୍ର ଯୋଖିଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କଣ ? ଆଚ୍ଛା, ଆମ୍ଭେମାନେ ପଚାରୁଁ, ବଙ୍ଗଳା ଏପିଡେମିକ୍ ଫିଭର ଓ ବୋମ୍ବେ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି, ସେଥିରେ ବିଶେଷ ଡାବ ଦେଇପାରିବୁ ନାହିଁ । ମାତ୍ର ଆମ୍ଭେମାନେ ନିର୍ମାଲ୍ୟ ଛୁଇଁ କହିପାରୁ, ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମେ ବିବାହ ସମୟରେ ସେମାନେ ବନ୍ଧ୍ୟା ଥିଲେ । ପୂର୍ବେ ବୋଲିଅଛୁ, ଦୀଘିକୁ ଯିବାପାଇଁ ଠାକୁରାଣୀଙ୍କ ଆଗରେ ଗୋଟିଏ ବାଟ ଅଛି । ଗ୍ରାମର ମାଇକିନିଆମାନେ ସେହି ବାଟେ ଯିବାଆସିବା କରନ୍ତି । ଗୋଟିଏ ସ୍ତ୍ରୀ ବୟସ ଅନ୍ଦାଜ ତିରିଶ ହେବ, ପ୍ରତିଦିନ ସ୍ନାନ କରି ଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ, ପହଁରାରେ ଦେବୀଙ୍କ ଆଗଟି ପହଁରିଦେଇ ମାଠିଆରୁ ପୋଷେ ପାଣି ନେଇ ଠାକୁରାଣୀ ଗଛମୂଳରେ ଦିଏ ଓ ଭୂଇଁରେ ମୁଣ୍ତିଆ ମାରି ତୁନି ତୁନି କଣ ଜଣାଏ ଏବଂ ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳିଆଣି ଠାକୁରାଣୀ ସ୍ଥାନରେ ସଞ୍ଜ ଦିଏ ଏବଂ କଣ ପ୍ରାର୍ଥନା କରେ । ଏହିପରି କରୁଥିବାର ଛ’ମାସ ହେଲା ଲୋକମାନେ ଦେଖି ଆସୁଛନ୍ତି । ତାହା ମନର କଥା କେହି ଜାଣେ ନାହିଁ, କାରଣ ସେ ସ୍ତ୍ରୀଟି ବଡ଼ ଲାଜକୁଳୀ, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା କହେ ନାହିଁ ।

 

ଗ୍ରାମର ଗୋରୁଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛମୂଳେ ଖେଳନ୍ତି । ହଠାତ୍ ଖେଳ ଛାଡ଼ି ପାଞ୍ଚଣ ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ, ସେମାନଙ୍କ ଦେଖାଦେଖି ଗ୍ରାମର ୧୦।୧୫ ଜଣ ଲୋକ ରୁଣ୍ତ ହୋଇଗଲେଣି, କାଲି ତ ପୂଜା ହୋଇନାହିଁ, ଠାକୁରାଣୀଙ୍କଠାରେ ପୂଜାସରଞ୍ଜାମ କାହୁଁ ପଡ଼ିଲା ? ମନ୍ଦାର ଫୁଲ, ଶତବର୍ଗ ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଣି ପଡ଼ିଅଛି, ଠାକୁରାଣୀ ଦେହରେ ତଟକା ହଳଦୀ ଲାଗିଅଛି । ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା । ଭେଦା ହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି । ପୂଜା ସନ୍ଧ୍ୟା ସମୟରେ ହୁଏ, ମାନସିକ ପୂଜା ମଧ୍ୟ ସେହିପରି ହୁଏ । କାହିଁ, କାଲି ତ ବାଇଦ ବାଜି ନାହିଁ, ସଞ୍ଜବେଳେ ପୂଜା ହୋଇନାହିଁ, ଏସବୁ କାହୁଁ ଅଇଲା ? ଗୋଟାଏ ପିଲା ଡକାପାଡ଼ି କହିଲା, ଏଟା କଣ ଏଟା କଣ? ସମସ୍ତେ ଧାଇଁଯାଇ ଦେଖିଲେ, ଠାକୁରାଣୀ ପଛରେ ଭାରି ଗୋଟିଏ ବିଳ । ବିଳମୁହଁ ଠାକୁରାଣୀ ମଣ୍ତପଠାରୁ ତିନି ହାତ ଦୂରରେ । ତାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ । ଗାଁ ଯାକ ଏ କଥା ମେଳିଗଲା । ଲୋକମାନେ ଦେଖିବାକୁ ଧାଇଁଲେ, ମଙ୍ଗରାଜେ ମଧ୍ୟ ଶୁଣିପାରି ଧାଇଁ ଅଇଲେ । ନାନାକଥା ହୋଇ ଶେଷରେ ସ୍ଥିର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶାଭାଗ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳି ପକାଇଅଛି । ମଙ୍ଗରାଜେ କହିଲେ ‘‘ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଅଛି ।’’ ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହକୁ ଚାହିଁ ଚାହିଁ ଚାଲିଗଲେ । ବୋଧକରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁଆରଦିନ ଆଉ କେହି ବିଳ ଦେଖିଲେ ନାହିଁ-। ଏହି କଥାଟା ଗ୍ରାମରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା ଭଣ୍ତାରୁଣୀ କହିଲା, ‘‘ମୋର ବୟସ ସାତଗଣ୍ତା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମର ଯେତେ ବୁଢ଼ା ଦେଖୁଛ, ମୁଁ ସମସ୍ତଙ୍କୁ ବିଭା କରାଇଅଛି, ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି, ଗୋହିରୀ ମଝିରେ ଝୁଣାଗନ୍ଧ ଆସିଲା, ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଅଛନ୍ତି । ବାପ ରେ ! ସେ ବାଘଟା କେଡ଼େ ! ମୁଁ କେତେ ବାଘ ଦେଖିଛି, ଏତେବଡ଼ ବାଘ କାହିଁ ଦେଖିବାର ନାହିଁ । ତା’ର ଲମ୍ବଟା ସାତ କି ଆଠ ହାତ ହେବ-। ମୁଣ୍ତଟା ବଡ଼ପଣ୍ତା ମୁଣ୍ତପରି ତ୍ରିପଣ୍ତ କଳା । ବାଘଟି ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳି ପକାଇଲି ।’’ ଅଧରାତିବେଳେ ଦାଣ୍ତରେ ବାଘ ଚାଲିବା ଶବ୍ଦ ଶୁଣିବାର ଆହୁରି ମଧ୍ୟ ଚାରି ପାଞ୍ଚ ବୁଢ଼ା ମନୁଷ୍ୟ ସାକ୍ଷ୍ୟ ଦେଲେ । ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।

•••

 

ଅଷ୍ଟମ ପରିଚ୍ଛେଦ

ଜମିଦାର ସେଖ୍ ଦିଲଦାର୍ ମିଆଁ

 

ସେଖ୍‍ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ୍‍ କେରାମତ୍ ଅଲିଙ୍କୁ ସମସ୍ତେ ଆଲିମିଆଁ ବୋଲି ଡାକନ୍ତି, ଆମ୍ଭେମାନେ ସେହି ନାମ ଲେଖିବୁ । ଆଲିମିଆଁ ପ୍ରଥମେ ଘୋଡ଼ାର ସୌଦାଗର ଥିଲେ । ପଶ୍ଚିମ ହରିହର ଛତର ମେଳାରୁ ଘୋଡ଼ା କିଣିଆଣି ବଙ୍ଗଳା, ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା । ମେଦିନୀପୁର ଜିଲ୍ଲାର ବଡ଼ ସାହେବକୁ ଗୋଟିଏ ଘୋଡ଼ା ବିକିଥିଲେ, ସେ ଘୋଡ଼ାଟି ଭଲ ପଡ଼ିବାରୁ ସାହେବ ମଉସୁଫ ଭାରି ଖୁସି ହୋଇ ମିଆଁଙ୍କ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନି କରି ପଚାରିଲେ ଏବଂ ସୌଦାଗରୀରୁ ବିଶେଷ ଲାଭ ନ ଥିବାର ଶୁଣି ତାକୁ ଗୋଟିଏ ଚାକିର ଦେବାକୁ ଇଚ୍ଛାକରି ସେ (ଆଲିମିଆଁ) ଲେଖାପଢ଼ି ଜାଣନ୍ତି କି ନାହିଁ ପଚାରିଲେ । ମିଆଁ କହିଲେ, ‘‘ହଜୁର, ମୁଁ ପାରସି ଜାଣେ, କାଗଜ କଲମ ଦେଉନ୍ତୁ, ମୋ ନାମ ପୂରା ଲେଖିଦେବି । ‘‘ପୂର୍ବେ ପାର୍ସିବିଦ୍ୟାର ଭାରି ଆଦର ଥିଲା । ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି, କାଲି ଥିଲା ପାର୍ସି, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କଣ ତାଙ୍କୁ ଜଣା, ଏ କଥା ନିଶ୍ଚିତ, ଦେବନାଗରୀ କପାଳ ପଥର ତଳେ । ଇଂରାଜୀ ପଣ୍ତିତମାନେ କହନ୍ତି, ‘ସଂସ୍କୃତ ମୃତଭାଷା ।’ ଆମ୍ଭେମାନେ ସେ କଥା ଆଉ ଟିକିଏ ସଫାକରି ବୋଲୁଅଛୁ, ଏହା ଦରମଲା ଲୋକଙ୍କ ଭାଷା । ସେ କଥା ଥାଉ, ସାହେବ ମଉସୁଫଙ୍କ ମେହରବାନିରୁ ମିଆଁ ସାହେବ ଗୋଟିଏ ଚାକିରି ପାଇଲେ, ସେ ଚାକିରର ନାମ ଥାନା ଦାରୋଗାଇ-। ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ ସମ୍ପତ୍ତି ଅର୍ଜନ କରିଯାଇଥିଲେ । ଘର, ବାଗବଗିଚା, ଘର ଆସବାବମାନ ଛାଡ଼ି ଜମିଦାରୀ ତାଲୁକା ଚାରିଗୋଟା । ପୂର୍ବେ ଓଡ଼ିଶା ଜମିଦାରୀ ସବୁ କଲିକତାରେ ନିଲାମ ହେଉଥିଲା-। ମିଆଁ ଥରେ କଲିକତାକୁ ଗୋଟିଏ ଖୁଣିମାମଲା ଚଲାଣ ଘେନି ଯାଇ ତାଲୁକେ ଫତେପୁର ସରଷଣ୍ତ ନିଲାମରେ କିଣିଥିଲେ । ଆପଣମାନଙ୍କ ମନରେ ଆମ୍ଭମାନଙ୍କ କଥା ପ୍ରତି ସନ୍ଦେହ ହୋଇପାରେ । ଥାନା ଦରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍‌ସପେକ୍ଟର ତ ? ଏତେ ଟଙ୍କା କାହିଁ ଅର୍ଜିଲା ? ମାତ୍ର ଆପଣ ଆଖିବୁଜି ପଢ଼ିଯାନ୍ତୁ, ଆମ୍ଭମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏ କଥା ସମସ୍ତେ ଜାଣନ୍ତି, ଜଣେ ଦିପୋଟି ଗୋବିନ୍ଦ ପଣ୍ତା ବ୍ରାହ୍ମଣର ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ତେ କଲ୍ୟାଣ କରି କହିଥିଲେ, ‘‘ଦୋପଟି ବାବୁ, ତମ୍ଭେ ଦାରୋଗା ହୁଅ ।’’ ଆପଣା କଥାଟାର ହାଲ ବୁଝିଲେତ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯା’ନ୍ତି । କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକୁଥିଲେ, ଜଣେ ଶୁଣ୍ଢୀ ବିଳାପ କରି କହିଥିଲା, ‘ମୋତିଶୀଳ ତୁଛା ବୋତଲ ବିକି କ୍ରୋଡ଼ପତି, ମୁଁ ପୁରା ବୋତଲ ବିକି କାଙ୍ଗାଳୀ ।’ ଆମ୍ଭମାନଙ୍କର ଭୟ, କୌଣସି ବି.ଏ., ଏମ୍.ଏ. ପାଶିଆବାବୁ ଆଲିମିଆଁଙ୍କ କଥା ଶୁଣି ଶୁଣ୍ଢୀ ପରି ବିଳାପ କରିବେ, ହାୟ, ହାୟ, ମିଆଁ ଓଲଟା କଲମରେ ତୁଚ୍ଛା ନାମଟା ଲେଖି ଜମିଦାର, ଆମ୍ଭେ ସଳଖ କଲମରେ ଲମ୍ବା ଲମ୍ବା ଏତେ ଲେଖି ଖାଇବାକୁ ପାଉନାହୁଁ । କଥାଟା କଣ ବାବୁ ଜାଣନ୍ତି, ‘‘ଭାଗ୍ୟଂଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ।’’

 

ଆଲିମିଆଁଙ୍କ ଗୋଟିଏ ମାତ୍ର ପୁତ୍ର, ନାମ ସେଖ୍ ଦିଲ୍‌କାର ମିଆଁ ଓରଫ ଛୋଟାମିଆଁ । ପୁଅକୁ ଲାଏକ୍‍ ଏବଂ ଇଲମ୍‍ଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲିୟତି ନ ଥିଲା । ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ୍‍ଜୀ ନିଯୁକ୍ତ ଥିଲେ । ଛୋଟାମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲକୁଲ ବର୍ଣ୍ଣମାଳା ଓ ବନାନ ଶିଖି ପକାଇଥିଲେ । ଛୋଟାମିଆଁଙ୍କର ବାଇଶ ବରଷ ପୁରି ଗଲାଣି, ଏତେବେଳେ ଆଖୁନ୍‍ଜୀ ଆଗରେ ବସି ଝୁଲି ଝୁଲି ପଢ଼ିଲେ ଲୋକେ କଣ ବୋଲିବେ ? ପୁଣି ଦୋସ୍ତମାନେ ଆସି ଅକାରଣେ ବସି ରହନ୍ତି, ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କ ବରଦାସ୍ତ ହେଉ ନ ଥିଲା । ବିଶେଷରେ ଆଖୁନ୍‍ଜୀ କେବେ କେବେ ବୋଲନ୍ତି ‘‘ନିଶା ଖାନେସେ ଆଦାମୀ ଜାନୁଆର ହୋ ଯାତା ହୈ ।’’ ଏ କଥା ନିହାଏତ୍ ବେବରଦାସ୍ତ ।

 

ଦିନେ ଓପରଓଳି ଆଖୁନ୍‍ଜୀ ସାହେବ ଖାନା ଖାଇ ଚିତ୍ ହୋଇ ଶୋଇଥିଲେ, କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡ଼ା ମେଲା ଦେଇଥାନ୍ତି, ସେହିପରି ବିଡ଼ାଏ ପାଚିଲା ଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡ଼ି ପଡ଼ ପଡ଼ କରି ପୋଡ଼ି ଛାତିରେ ଲାଗିବାରୁ ଆଖୁନ୍‍ଜୀ ଧଡ଼ପଡ଼ ହୋଇ ଉଠିପଡ଼ି ‘‘ତୋବା, ତୋବା’’ କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆ ଖଣ୍ତ ଭାଙ୍ଗି ନିଆଁ ଝୁଲସବୁ ଲୁଗାପଟାଯାକ ବୁଣି ପଡ଼ିଲା । ପାଚିଲା ଦାଢ଼ିଗୁଡ଼ାକ ଝରିବାଣପରି ଚାରିଆଡ଼େ ଉଡ଼ୁଥାଏ । ‘‘ଆ ମେରି ତୋବା ରେ ଆ ମେରି ତୋବା ରେ’’ କହି ମିଆଁ ଘରଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମିକୀ ସେ କଥା ଖୋଲସା କରି ଲେଖିଯାଇ ନାହାନ୍ତି, ତେଣୁ ଆମ୍ଭମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁଁ । ‘ସର୍ବନାଶେ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ତିତଃ ।’ ଆଖୁନ୍‌ଜୀସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତପୂର୍ବକ ‘‘ବିସ୍‍ମିଲ୍ଲା ବିସ୍‍ମିଲ୍ଲା’’ କହି ସେଦିନ ରାତିରେ କବାଟ କିଳି ରହିଲେ, ତହିଁଆରଦିନ ସକାଳଠାରୁ ତାଙ୍କୁ କେହି ମେଦିନୀପୁର ମଧ୍ୟରେ ଦେଖିନାହିଁ । ଆଲିମିଆଁଙ୍କ କାନରେ ଏକଥା ପଡ଼ିବାରୁ ସେ କହିଲେ ‘‘କୁଛ ପରବାୟ ନେହିଁ, ମେରି ଦିଲୁ ତ ଇଲମ ହାସଲ କରିନେଇଛି । ମୁଁ କେବଳ ମୋ ନାମ ଲେଖି ଜାଣେ, ଏତେ ଦୌଲତ କମାଇଲି । ମେରି ଦିଲୁ ତ ବହୁତ ଶିଖିଲାଣି । ସେ ଦିନ ମୋ ଆଗରେ ଇମତାନ୍ ଦେଲା, ଆପଣା ନାମ ଲେଖିଲା, କଲିକତା, ମେଦିନୀପୁର, ହାତୀ, ଘୋଡ଼ା, ବାଗବଗିଚା କେତେ କଥା ଲେଖିଗଲା । ବଡ଼ ସାହେବ ଖବର ପାଇଲେ ଏଇଲାଗେ ତାକୁ ଦାରୋଗାଗିରି ଦେବେ, ମାତ୍ର ମୁଁ ଏକଥା ଲୁଚାଇଛି । ମୁଁ ଦିଲୁକୁ ଚାକିର କରିବାକୁ ଦେବିନାହିଁ । ସେ ପିଲାଲୋକ, ଏତେ ମେହେନତ୍ ଉଠାଇ ପାରିବ ନାହିଁ । ‘‘ତାହା ବାଦ୍‍ ଆଲିମିଆଁ ଲଡ଼କାକୁ ପାଖରେ ବସାଇ ବିଷୟକର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ । ବିଶେଷରେ ଓଡ଼ିଶା ଜମିଦାରୀ ବିଷୟରେ ବହୁତ ହୁସିଆରି ସକାଶେ ଉପଦେଶ ଦେଇ କହିଲେ, ‘‘ଦେଖ୍, ସେ ଦେଶର ଯେଉଁ ମହାନ୍ତିମାନେ ଅଛନ୍ତି, ସେମାନେ ବଡ଼ ଚୋର, ମୁଁ ହିସାବ–କିତାପରେ ଖୁବ୍ ମଜବୁତ ବୋଲି ମୋତେ ଠକାଇ ପାରନ୍ତି ନାହିଁ । ସେମାନଙ୍କ ଠକପଣିଆ ଶୁଣିବୁ ? ଏକ, ଦୁଇ, ତିନି ଆଉ ଚାରି ଏହି ଦୁନିଆର ହିସାବ, ମାତ୍ର ସେମାନଙ୍କ ହିସାବ କଣ ଜାଣ –ଏକକେ ଏକ, ଦୁଇକେ ଦୁଇ ଦୁଣେ ଚାରି । ଦେଖ ଏକ, ଦୁଇ ଚାରି ହେଲା, ବିଚେମେ ତିନ୍ କାହାଁ ଗେୟା ? ଏହି ତିନରୂପେୟା ଚୋରୀ ଇତ୍ୟାଦି ଇତ୍ୟାଦି ।’’

 

ଜମିଦାର ବଂଶର ପରିଚୟ ନିମନ୍ତେ ଏତେଗୁଡ଼ାଏ କଥା ଲେଖିବାକୁ ହେଲା, ମାତ୍ର ଏହା ସବୁ ପୁରୁଣା କଥା । ଆଜକୁ ପାଞ୍ଚବର୍ଷ ହେଲା ସେଖ୍‍ କେରାମତ ଆଲି ଫୌତ ହୋଇଗଲାଣି-। ଛୋଟାମିଆଁ ଓରଫ ସେଖ୍‍ ଦିଲଦାର ବର୍ତ୍ତମାନ ଖୋଦ୍ ମାଲିକ । ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ସେଖ୍‍ ଦିଲ୍‌ଦାର ମିଆଁ କଚେରୀ ଘରେ ବସିଛନ୍ତି, ଘରଟା କୋଠା । ସେପରି ଛୋଟିଆ ମୋଟିଆ କୋଠରୀ ନୁହେଁ, ଖୁବ୍ ଲମ୍ବାଚଉଡ଼ା କୋଠା । ଘରତଳେ ଗୋଟିଏ ବଡ଼ ଶତରଞ୍ଜି ବିଛଣା ହୋଇଅଛି । ସେଟା ବୋଧହୁଏ ବଡ଼ ପୁରୁଣା, ଦଶ କି ବାର ଜାଗାରେ ତେଲ ଢଳା ଦାଗ, ଟିକିଆପୋଡ଼ା ଜାଗା ପନ୍ଦର କି କୋଡ଼ିଏ, ଧଡ଼ି ଚିରା । ସେହି ଶତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା, କାନ୍ଥକୁ ଭିଡ଼ି ବଡ଼ ଗୋଟାଏ ବନାରସୀ ତକିଆ, ଦୁଇପାଖର ଚକା ବୋଇତିକଖାରୁ ପରି ଦୁଇଗୋଟି ସାନ ବନାରସୀ ତକିଆ, ସେହି ବିଛଣାରେ ଖୋଦ୍ ଜମିଦାର ସେଖ୍ ଦିଲ୍‌ଦାର ମିଆଁ ବସିଅଛନ୍ତି । ପୋଷାକ କିନ୍‌ଖାପ ଢିଲା, ପାଜାମା, ସାଟିନ୍ ଚପ୍‌କନ୍‍, ମୁଣ୍ତରେ ବନାରସୀ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପାର ଅତର ଦାନୀ, ଗୋଲାପଦାନ୍‍, ତାହା ପାଖରେ ବଡ଼ ଏକ ସାତ ହାତି ନଳଯୁକ୍ତ ଗୁଡ଼ଗୁଡ଼ି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସରପୋଷ । ସେଥିରୁ ଚାରିକେରା ରୂପାଶିକୁଳି ଝୁଲିଆସି ମାଟି ସ୍ପର୍ଶ କରିଅଛି । ମହାଦେବଙ୍କଠାରେ ରୋଗୀ ଧାରଣ ଦେଲାପରି ନଳଟା ମିଆଁଙ୍କ ପାଦ ସ୍ପର୍ଶକରି ପଡ଼ିଅଛି, ଆଜି ତାହାର ଆଦର ନାହିଁ । ଚକ୍ରନେମି କ୍ରମେଣ ମନୁଷ୍ୟମାନଙ୍କ ପରି ଅଚେତନ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ଛିଣ୍ତାଛାଞ୍ଚୁଣି, ଜଳପୂର୍ଣ୍ଣ ବଦନା, ଦୁଇ ଚାରିଟା ମଦତି ହୁକା, ଗୁଡ଼ାଖ ଗୁଳ, ମଦତ ଓ ଗଞ୍ଜେଇ ପାଉଁଶ, ପିଆଜଚୋପା, ଛେଳି ଲଣ୍ତି ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡ଼ିଅଛି । ସବୁଠାରୁ ବେଶି ଭାଗ ପାନପିକ, ପାନସିଠା । ଆମ୍ଭେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁଁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣୀ ବୁଲେ, ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା ? ଘର ଉପର ଭଙ୍ଗା । କାର୍ଣ୍ଣିସମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରୀରେ ଆଇନ ପୋଥି ସଜାଡ଼ିଦେଇ ତକିଆରେ ଆଉଜି ମକେଲକୁ ଚାହିଁ ବସିଥାନ୍ତି, ବୁଢ଼ିଆଣୀମାନେ ସେହିପରି ଜାଲ ଟାଙ୍ଗୀ ମଶାଟି, ମାଛିଟିକୁ ଚାହିଁ ବସିଅଛନ୍ତି । କଡ଼ି ଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ-। ସେହି ମଜଲିସରୁ ବେଳେବେଳେ ଯାହା କୁଟାକେରାଏ, ଖଡ଼ିକାଖଣ୍ତେ ଖସୁଅଛି । ତଳେ ମଜଲିସ ଆଜି ନିସ୍ତବ୍‌ଧ । ମିଆଁ ସାହେବ ଗାଲରେ ହାତ ଦେଇ ଗୁମ ଖାଇ ବସିଛନ୍ତି । ଓୟାଟର୍ଲୁ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସିପାରି ନ ଥିଲେ । କାରଣ ସେଣ୍ଟହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ଼ କରୁଥିଲେ । ଆଗରେ ସାତଜଣ ମୋସାହେବ ଭାବନାରେ ବସି ଢୋଳଉଛନ୍ତି, ଓସ୍ତାଦ୍‍ଜୀ ବକାଉଲା ଖାଁ ଦୁଇଗୋଡ଼ କୁଣ୍ଢାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ନଦିଦେଇ ବସିଅଛନ୍ତି । ପଠାଣ ଘର ତଲାକ୍‍ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଜିହାଣ୍ତି ପରି ତବଲା ଦୁଇଟା ଗଡ଼ୁଅଛି । ଘରର ଗୋଟିଏ କୋଣରେ ଖିଜମଦ୍‍ଦାର ଫତୁଆ ବାଁ ହାତରେ କଣ ଗୋଟାଏ ପଦାର୍ଥ ରଖି ଡାହାଣ ହାତ ବୁଢ଼ା ଆଙ୍ଗୁଳିରେ ଚିପୁଛି, ବେଳେବେଳେ ମଝି ଆଙ୍ଗଳିରେ ବୁନ୍ଦା ବୁନ୍ଦା ପାଣି ପକାଇଛି । ମୁନ୍‌ସୀ ଜାହେର୍‍ ବକ୍‍ସ ଏକଖଣ୍ତ କାଗଜରେ ଲେଖା ଡାବ ଧରି ଦିପୋଟୀ ଆଗରେ ଚୋର ଆସାମୀ ପରି ଛିଡ଼ା ହୋଇଅଛନ୍ତି ।

 

ମିଆଁ ସାହେବ ଆଖିବୁଜି ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘‘ ଏବେ ଉପାୟ କଣ କରାଯିବ’’ ମୁନ୍‌ସି ସାହେବ କହିଲେ –‘‘ବନ୍ଦେ ନୱାଜ, ମୁଁ ଦିନଯାକ ବୁଲିଲିଣି, କାହିଁ କିଛି ପଟିଲା ନାହିଁ । ମହାଜନ ରାମଦାସ କହିଲା, ତାହାର ତମସୁକ ବାବତ୍‍ କୋଡ଼ିଏ ହଜାର ଓ ହାତ ଉଧାରି ବାବତ୍‍ ଚାରି ହଜାର ଟଙ୍କା ହେଲାଣି, ଆଉ କରଜ ଦେବାକୁ ସେ ନାରାଜ ହେଲା । ବଜାରର ମୁଦି ଦୋକାନମାନଙ୍କର ପାଉଣା ଚାରିହଜାର, ସେମାନେ ସଉଦା କାଳି ଦେଲେ ନାହିଁ ।’’ ମିଆଁ କହିଲେ, ‘‘ବେକୁବ୍‍, କମ୍‌ବକ୍ତ, ନାଲାଏକ୍ । ବାପାଙ୍କ ଅମଳରୁ ରାମ ସରକାର କୋଡ଼ିଏ ବର୍ଷ ଚାକର ଥିଲା, ତାକୁ ବାହାର କରି ତୁମେ ଦୋସ୍ତ ଓ ଲାଏକ୍ ମନୁଷ୍ୟ ବୋଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇପାରୁ ନାହଁ ?’’ ମୁନସୀ ଜାହେର ବକ୍‍ସ କହିଲେ, ‘‘ହଜୁର୍ ! ମୁଁ କିପରି ନାଲାଏକ୍‍ ହେଲି ? ରାମ ସରକାର କିଛି କରଜ କରି ଆଣିପାରୁ ନ ଥିଲା, ମୁଁ ପାଞ୍ଚବରଷ ମଧ୍ୟରେ ପଚିଶ ହଜାର କରଜ ଆଣିଦେଲି ।’’

 

ମିଆଁ କହିଲେ –‘‘ସେ କଥା ଯାଉ, ଏବେ ଇଜ୍ଜତ କିପରି ରହେ? ସମ୍ପତ୍ତି ଯାଉ, ମହତ୍ ଥାଉ । ମହତ୍ ଗଲେ ନ ମିଳେ ଆଉ ।’’

 

ମୋସାହେବମାନେ ଢୋଳାଉଥିଲେ, ଏ କଥା ଶୁଣି ପାଟିକରି ଏକାବେଳକେ କହିଲେ–‘‘ଅଲବତ୍, ଅଲବତ୍, ଉଆଜିବ୍ ଉଆଜିବ୍ ।’’ ମିଆଁ କହିଲେ,‘‘ଯାଓ, ଘର ଆସବାବ ହେଉ ବା ଜମିଦାରୀ ହେଉ, ବନ୍ଧକ ଦେଇ ଆଜିକା ମଜଲିସ୍ ବନ୍ଦୋବସ୍ତ କର । ଦେଖ, ଜଲଦି, ରାତି ହୋଇଗଲା । ବେଶି ଟଙ୍କା ଦରକାର ନାହିଁ । ବାଈଜୀ ରୋକଶତ୍‍ ଶଏ ଟଙ୍କା ଓ ବାଈଜୀ ସାଙ୍ଗଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ ।’’ ଦୋସ୍ତମାନେ କହିଲେ ‘‘ଉଆଜିବ୍, ଉଆଜିବ୍, ବହୁତ ରୂପେୟାର ଦରକାର କଣ?’’ ଦୋସ୍ତ ହନୁମିଆଁ କହିଲେ, ‘‘ହଜୁର, ଏହି ଯେ ଖେମଟାବାଲୀ, ଖାତୁମଉନ୍ମିସା ଆସିଛନ୍ତି, ଏ ବହୁତ ଇଲମ୍‍ଦାର । କାଶ୍ମୀରର ଅଉଲ ନମ୍ବର ବାଈ, ଏହାଙ୍କର ଇଲମ ଓ ରାଗରାଗିଣୀର କସରତ୍ ହଦ୍‍ରେ ହଦ୍ । ସେ କି ଏ ଦେଶକୁ ପସନ୍ଦ କରନ୍ତି ? କେବଳ ମୁସାଫେରି ସକାଶେ ଆସିଛନ୍ତି । ମୁର୍‍ଶିଦାବାଦ ନବାବ, ଲକ୍ଷ୍ନୌ ନବାବ, ରୋମକା ବାଦ୍‍ସା, ସୋମକା ବାଦ୍‌ସାମାନେ ଏହା ଗୀତ ଶୁଣିବାକୁ ଡାକି ପଠାନ୍ତି, ମାତ୍ର ବିବୀଙ୍କ ଖାତର ରଦ ରଦ । ହଜୁରଙ୍କ କେରାମତ ନେକନାମି ଦୁନିଆରେ ଜାହେର, ସେଥିସକାଶେ ଆପେ ଆସି ଏଠାରେ ମଜଲିସ୍ କହିବାକୁ କହିଅଛି ।’’ ମଜଲିସସାରା ଲୋକ ଏକାବେଳକେ କହିଲେ, ‘‘ହଜୁରଙ୍କୁ ଦୁନିଆଁରେ କିଏ ନ ଜାଣେ ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିନ୍‌ଦିଗ୍ ଭରି ସେ ଇୟାଦ୍ କରୁଥିବ ।

 

ପିଆଦା ସେଖ୍‍ ସଲାମ କରିଜଣାଇଲା, ‘‘ହଜୁର ଓଡ଼ିଶା ଜମିଦାରୀରୁ ଜଣେ ମହାଜନ ମୁଲାକାତ୍ ସକାଶେ ଆସିଛି ।’’ ହୁକୁମ ହେଲା, ‘‘ତାହାକୁ ହାଜର କରାଅ ।’’ ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ନଗଦ ପାଞ୍ଚ ଟଙ୍କା ନାଜରାଣା ଥୋଇଦେଇ ଭୂମିରେ ହାତ ଲଗାଇ ତିନି ଥର ସଲାମ କଲେ । ମଜଲିସ ମଧ୍ୟରେ ଯେତେଜଣ ସଭ୍ୟ ବସିଥିଲେ, ସମସ୍ତଙ୍କୁ ଏକ ଏକ ସଲାମ କଲେ, ଖିଜମଦ୍‌ଦାର ମଧ୍ୟ ଛାଡ଼ ଗଲା ନାହିଁ । ମିଆଁ ହୁକୁମ କଲେ, ‘‘ବହୁତ କଦରଦାନ୍ ଆଦିମ୍ ।’’ ପାଲାବାଲା ପାଳିଆମାନେ ଏକ ସ୍ୱରରେ ଗୀତ ଧରିଲାପରି ସମସ୍ତେ ପାଳି ଦେଲେ, ‘‘ବହୁତ କଦରଦାନ୍ ବହୁତ ହୁସିଆର ଆଦିମ୍ ।’’

 

ମିଆଁ ପଚାରିଲେ, ‘‘ତୁମର ନାମ କଅଣ ?’’

‘‘ରାମଚନ୍ଦ୍ର ମଙ୍ଗରାଜ ।’’

‘‘କ୍ୟା ? ରାମଚନ୍ଦ୍ରର ମାମଲାବାଜ୍?’’

‘‘ନା ହଜୁର ! ମଙ୍ଗରାଜ ।’’

‘‘ଆଚ୍ଛା, ଓଇ ହୁଆ, ରାମଚନ୍ଦ୍ରର୍ ମଙ୍ଗୋରାଜ ।’’

 

ମଙ୍ଗରାଜ ଜଣାଇଲେ, ‘‘ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଅଛି ।’’ ହୁକୁମ ଦେଲେ ହାଜର କରିବି ।’’

 

‘‘ବହୁତ ଆଚ୍ଛା ଘେନିଆସ ।’’ ଭେଟିବାର ଡାବତାଳପତ୍ର ଖଣ୍ତକରେ ଲେଖାଥିଲା, ପଢ଼ାଗଲା, ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗଜାଇ ଦୁଇ ଓଳିଆରେ ବତ୍ରିଶ ନଉତି, ହରଡ଼ଜାଇ ଏକ ଓଳିଆକୁ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ କଦଳୀ ପାଞ୍ଚ କାନ୍ଦି, ପାଚିଲା କଦଳୀ ଦୁଇକାନ୍ଦି, ଆଳୁ ଆଠବିଷା ।

 

ମିଆଁ ହୁକୁମ କଲେ, ‘‘ବହୁତ ଆଚ୍ଛା ଚାଉଳ, ପଲାଉର ଲାଏକ, ଘିଅ ମଧ୍ୟ ବହୁତ ଭଲ-।’’ ମଙ୍ଗରାଜ କହିଲେ, ‘‘ହଜୁର ଆମ ଦୁନିଆର ମାଲିକ, ହଜୁରଙ୍କ ଦାନା ପନ୍ଦର ପୁରୁଷ ହେଲା ଖାଇ ଆସୁଅଛୁ, ଏ ତ ସାମାନ୍ୟ ଜିନିଷ, ମେହେରବାନି ହେଲେ ପଲାଉ ଚାଉଳ, ଘିଅ, ଡାଲି ବରାବର ହାଜର କରିବି ।’’ ମିଆଁ ଓ- ମିଆଁ ଓ- ମିଆଁ ଓ ଓସ୍ତାତ୍‍ଜୀ ଭାରି ଖୁସିଟା ହୋଇ ତାନପୁରା କାନ ବାଁ ହାତରେ ମୋଡ଼ି ସୁର ଦେଇବସିଲେ । ଗୁମ୍–ଗୁମ୍ ଗୁମ୍ ତାକ୍–ଧିନ୍ ଧିନ୍ ଧିନ୍ ତାକ୍ ଧିନ୍ ଧିନ୍ ଗୁମ୍‍ –ତାବଲା ବାଜି ଉଠିଲା । ମିଆଁ ହୁକୁମ ଦେଲେ, ‘‘ଜଲଦି ପଲାଉର ବନ୍ଦୋବସ୍ତ କର ।’’ ଖ୍ରୀଷ୍ଟିୟାନମାନେ କହନ୍ତି ପୃଥିବୀର ଶେଷ ଦିନରେ ସ୍ୱର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତଲୋକ କବରରୁ ଉଠି ବସିବେ । ମଜଲିସ ଅବଶୋଷରେ ମରି ପଡ଼ିଥିଲା, ମଙ୍ଗରାଜଙ୍କ ଟଙ୍କାର ଝଣ ଝଣ ଶବ୍ଦରେ ବଞ୍ଚି ଉଠିଲା । ମିଆଁ ସାହେବ ନଳ ମୁହଁରେ ଦେଇ ଦୁଇ ଚାରି ଥର ଭଲ କରି ଟାଣିଲେ । କଳା ପର୍ବତରେ କୁହୁଡ଼ି ବୁଲିଲା ପରି ଦାଢ଼ିସାରା ଧୂଆଁ ଖେଳିଗଲା-। ସରକାର କେନାଲଦ୍ୱାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟୁ ଅଛନ୍ତି ନଳଯୋଗରେ ହୁକା ଭିତରେ ଜମାଥିବା ଧୂଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା । ମେଁ ଏଁ ଏଁ ମେଁଏଁ ଏଁ । ପଲାଉ ସକାଶେ ଗୋଟିଏ ଖାସି ଅଣାଗଲା । ମଜଲିସ ଆଗରେ ଦର ଛିଣ୍ତିଲା ଅଢ଼େଇ ଟଙ୍କା । ମଙ୍ଗରାଜେ ଚମକିପଡ଼ି କହିଲେ, ‘‘କଣ ଏହି ଛେଳିଟାର ଦାମ ଅଢ଼େଇ ଟଙ୍କା । ବାପ୍‍ରେ ! କେତେ ଦାମ !’’ ମିଆଁ ପଚାରିଲେ ତୁମ ଗ୍ରାମରେ ଦାମ୍‍ କେତେ ? ଡାକ୍ତର ମଳୁ ପରୀକ୍ଷା କଲାପରି ଛେଳିର ଅଗ୍ର, ପଶ୍ଚାତ୍‍, ବାମ, ଦକ୍ଷିଣ ଉତ୍ତମରୂପେ ନିରୀକ୍ଷଣପୂର୍ବକ ମଙ୍ଗରାଜ କହିଲେ, ‘‘ଛେଳିଟାର ଦାମ କଣ ? ଚାରି ପଇସା କି ଛଅ ପଇସା ହେବ, ହୁକୁମ ହେଲେ ପଲାଉ ସକାଶେ ଦଶଗଣ୍ତା କି ପନ୍ଦର ଗଣ୍ତା ପଠାଇ ଦେଇପାରେ । ହଜୁର ଲୋକ ଚିହ୍ନି ଜମିଦାରୀରେ ଚାକର ରଖି ନାହାନ୍ତି, ସେଥି ସକାଶେ ଏତେ ଟଙ୍କା ବରବାଦ୍‍ । ଅଢ଼େଇ ଟଙ୍କା ଛେଳି । ବାପରେ !’’ ଏ କଥାଟା ଶୁଣି ମଜଲିସରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା, ତାହା ବର୍ଣ୍ଣନାତୀତ । କ୍ଳାଇବ ସାହେବଙ୍କ ପଲାସୀ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତରେ ଡାଇରେକ୍‍ଟର ସଭା ନିଶ୍ଚୟ ଏତେଦୂର ଆନନ୍ଦିତ ହୋଇ ନ ଥିଲେ । କାରଣ ସେତେବେଳେ ଦିଲ୍ଲୀ ଦରବାରର ଡର ସେମାନଙ୍କୁ ମନରୁ ଛାଡ଼ି ନ ଥିଲା । ଓସ୍ତାଦ୍‍ଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ସମସ୍ତେ ଆନନ୍ଦରେ ଉନ୍ମତ୍ତ, ସମସ୍ତଙ୍କ ମୁହଁରୁ ହସ ଉଚ୍ଛୁଳିପଡ଼ୁଅଛି, କେବଳ ମଙ୍ଗରାଜେ ହାତ ଯୋଡ଼ି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲାବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନିହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜ ମନର କଥା ଭଲରୂପେ ବୁଝିପାରୁଁ । ସେ ସମୟରେ ବୋଧହୂଏ ଭାଳୁଥିଲେ, ‘‘ଆ ବାପ ଚଢ଼େଇ ଆ କାଣ୍ତିଆ ପାଖକୁ ଆ ।’’

 

ଜଣେ ଚାକର ଧାଇଁଆସି ବାଈଜୀଙ୍କ ଶୁଭାଗମନର ସମ୍ବାଦ ଦେଲା । ଯାଃ । ସର୍ବନାଶ । ଏ କଥାଟା କାହାର ମନରେ ନାହିଁ । ଓସ୍ତାଦ୍‍ଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥା ମନେ କରାଇଦେଲେ, ବାଇଜୀଙ୍କ ଶଏ ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଭାବନା, ପୁନର୍ବାର ଆନ୍ଦୋଳନ । ଭାରତବର୍ଷର ବ୍ୟୟସଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୁଏ ଏହାଠାରୁ ଅଧିକ ଆନ୍ଦୋଳନ ହୋଇ ନ ଥାଏ । କିଛି ସ୍ଥିର ହୋଇପାରିଲା ନାହିଁ, ବେଳ ନାହିଁ । ବେଳ ଉଣ୍ତି ମଙ୍ଗରାଜେ ହାତ ଯୋଡ଼ି କହିଲେ, ‘‘ହଜୁର ! ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ ?’’ ପୁନର୍ବାର ପ୍ରଶଂସା ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳି ପଡ଼ିଲା । ମିଆଁ ହୁକୁମ ଦେଲେ, ‘‘ଆଚ୍ଛା ମଙ୍ଗରାଜ, ତୁମେ ବର୍ତ୍ତମାନ ଯେ ଉପକାର କଲ, ସେଥିରେ ଇନାମ ଅଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ ।’’ ମଙ୍ଗରାଜ କହିଲେ, ‘‘ରାମ, ରାମ, ରାମ । ହଜୁର ମୁଁ ପିଆଜ ଆଉ ବିଆଜ ଖାଏ ନାହିଁ ।’’ ଓସ୍ତାଦଜୀ କହିଲେ, କଣ ବିଆଜ ଖାଏ ନାହିଁ ? ବହୁତ ଇମାନ୍‍ଦାର ଲୋକ, କୋରାନରେ ଯେ ପଚିଶ ହାରାମ୍‍ ବୟାନ ଅଛି, ବିଆଜ ସେଥିରୁ ଗୋଟାଏ ।’’

 

ଇତିହାସ ଲେଖକ ବୋଲନ୍ତି, କ୍ଳାଇବ ସାହେବ ଦିଲ୍ଲୀ ବାଦସାହାଙ୍କ ପାଖରୁ ବଙ୍ଗଳାର ସୁବାଦାରୀ ନେବାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକାକିଣାରେ ତାହାଠାରୁ ଅଧିକ ସମୟ ଦରକାର । ତେବେ, ଫତେପୁର ସରଷଣ୍ତର ସରବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କଣ ?

•••

 

ନବମ ପରିଚ୍ଛେଦ

ଗାଁ ହାଲଚାଲ

 

ତାଲୁକେ ଫତେପୁର ସରଷଣ୍ତ ଗୋଟାଏ ଭାରି ବଡ଼ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା, ମଫସଲ ଅସୁଲ ଅଢ଼େଇ ପଟ । ଫାଉଫଉରାତ ଛାଡ଼ିଦିଅ । ଏଥିରେ ପାଞ୍ଚଗୋଟି ମୌଜା –ମୌଜେ ରାମନଗର, ବାଲିଆ, ହାଣ୍ତିଖାଇ, ସଉତୁଣିଆ ଓ ଗୋବିନ୍ଦପୁର । ଗୋବିନ୍ଦପୁର ସବୁଠାରୁ ବଡ଼, ଊଣାଅଧିକରେ ପାଞ୍ଚଶ ଘରବସ୍ତି ସବୁ ଜାତିର ଲୋକ ଅଛନ୍ତି । ଗୋଟାଏ ଦୋକାନ ଅଛି । ସେ ଦୋକାନରେ ସବୁ ଜିନିଷ ମିଳେ – ଡାଲି, ଚାଉଳ, ଧୂଆଁପତ୍ର, ଲୁଣ, ତେଲ ଯାହା ଖୋଜ ପାଇବ, ଦୁଇ ଚାରି ପଇସାର ଘିଅ ଖୋଜିଲେ ମଧ୍ୟ ମିଳିପାରେ । ଦୋକାନୀର ତିନି ପୁରୁଷରୁ ଦଶମୂଳ ସାଇତା ଅଛି । ଦୁଇ ତିନି କୋଶରୁ ବୈଦ୍ୟମାନଙ୍କର ଡାବ ଆସେ । ଗ୍ରାମଟି ଲମ୍ବାଲମ୍ବି, କିନ୍ତୁ ସିଧାସଳଖ ନୁହେଁ, ଆଠଟଙ୍କିଆ । ଅସୁର ଦୀଘିର ଉତ୍ତର ଆଉ ପଶ୍ଚିମଆଡ଼ିର ଅଧେ ମାଡ଼ିବସିଅଛି । ମଝିରେ ଗୋହିରୀ, ଦୁଇ ସାହାଲା ଘର, ମଝି ଗୋହିରୀଟା ଖୁବ୍ ଓସାରିଆ ହେଲେ ମଧ୍ୟ ଯିବାଆସିବା ବାଟ ଦଶ ବାର ହାତରୁ ବେଶି ନୁହେଁ । ବାଟ ଦୁଇପାଖ ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼, ଖଣ୍ତେ ଖଣ୍ତେ ଖାଲି ଜାଗା ଅଛି, ସକାଳେ ସେଠାରେ ଗାଈ ବଳଦ ବନ୍ଧା ହୁଅନ୍ତି । ସ୍ଥାନେ ସ୍ଥାନେ ଖଣ୍ତେ ଖଣ୍ତେ ଶଗଡ଼ ଥୁଆ ହୋଇଛି-। ଗୋହିରୀରୁ ସମସ୍ତଙ୍କ ଦୁଆରକୁ ଯିବାପାଇଁ ଅଲଗା ଅଲଗା ବାଟ ଅଛି । ଗ୍ରାମଟି ତିନି ଭାଗରେ ବିଭକ୍ତ – ସାଆନ୍ତ ସାଇ, ତନ୍ତୀ ସାଇ, ବ୍ରାହ୍ମଣ ସାଇ ।

 

ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘର, ଏଥିପାଇଁ ଖୁବ୍ ଡାକ । ରାତି ଛ ଘଡ଼ି ପର୍ଯ୍ୟନ୍ତ କଚେରୀ ଜାରୀ । ଦୋକାନଟା ମଧ୍ୟ ଏଇ ସାଇରେ । ରାତି ପ୍ରହରକ ସରିକି ଆଉ ସବୁ ସାଇ ତୁନିତାନ୍‍ ।

 

ବ୍ରାହ୍ମଣସାହିର ପ୍ରକୃତ ନାମ ଶାସନ । ଶାସନ ଭାଗ ପଞ୍ଚାଶ ଗୋଟା ପୁଅଭାୟା ବାସ୍ତରୀ ଘର । ଶାସନ ଗୋହିରୀ ଦୁଇ ପାଖରେ ଦେଢ଼ଶ ଅନ୍ଦାଜ ନଡ଼ିଆ ଗଛ, ମୁଣ୍ତରେ ବଡ଼ ପିଣ୍ତି ବନ୍ଧା ଅଛି, ସେଠାରେ ବଳଦେବ ପୂଜା ହୁଏ । ପିଣ୍ତିଠାରୁ ଦଶ ପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜାଭଳିଆ ନଡ଼ିଆ ଗଛ, ମୂଳ ସଫାସୁତୁରା । ସେଇଟା ଗୋସାଇଁମାନଙ୍କ ବୈଠକ ଜାଗା । ନାସସୁଙ୍ଗା, ଭାଙ୍ଗଘୋଟା, ଯଜମାନ ଘରକଥା, ଅରଜନ କଥା ଇତ୍ୟାଦି ଇତ୍ୟାଦି କଥାମାନ ସେହିଠାରେ ସମାଧାନ ହୁଏ । ଦିନେ ଦିନେ ସେଠାରେ ବଡ଼ ଗୋଳମାଳ ହୁଏ, ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭ୍ୟମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାରୁ ସହଜରେ ଜଣାପଡ଼ିଯାଏ-। ସେ କଳି ଶୁଣି ଲୋକମାନେ କହନ୍ତି, ‘‘ବ୍ରାହ୍ମଣଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।’’ ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ, ଏମାନେ ନିପଟ ମୂର୍ଖ, ଗତରକୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରଜା ତ । ଏମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ, କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୁଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣମାନଙ୍କ କଳି-। ଆଉ କୁକୁରଙ୍କ କଳି ଅଇଁଠାଭାତ ସକାଶେ । ଦେଖନ୍ତୁ, ପ୍ରେତ ଉଚ୍ଛିଷ୍ଟ ଆଉ ମନୁଷ୍ୟ ଉଚ୍ଛିଷ୍ଟ, ଓଦା ଚାଉଳ ଆଉ ସିଝାଚାଉଳ, କଥାଟା କେତେ ଛାଡ଼ିଲା । ଆଉ କୁକୁରମାନେ କାମୁଡ଼ାକାମୁଡ଼ି ଲାଗନ୍ତି, ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ । ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।

 

ପାଣିଗ୍ରାହୀ ଭାଗ ବାଟିକା ମିଶି ଶାସନ ଭାଗ ଜମି ପାଞ୍ଚଶ ମାଣ । ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ବାପାତିଆ ସନନ୍ଦ ଦେଇଅଛନ୍ତି । ତ୍ରିକାଳ ବୋଇଲେ ଭୂତ, ଭବିଷ୍ୟତ, ବର୍ତ୍ତମାନ । ଭୂତ କଥା ଭୂତଙ୍କୁ ଜଣା, ଭବିଷ୍ୟତ କଥା କୌଣସି ମନୁଷ୍ୟ ଜାଣନ୍ତି ନାହିଁ, ବର୍ତ୍ତମାନ କଥା ଆମ୍ଭେମାନେ ଜାଣୁଁ । ଗୋରୁ ଗାଈ ଖୋଜିଆଣି ବାନ୍ଧିବା, ଗୁହାଳରେ ଧୂଆଁ ଦେବା, ହଳିଆକୁ ପଖାଳପାଣି ଦେବାରେ ସନ୍ଧ୍ୟାବେଳଟା ଗଡ଼ିଯାଏ, ଭୂମିଦାତାଙ୍କୁ ଆର୍ଶୀବାଦ କରିବେ କେତେବେଳେ ? କଥା ପଡ଼ିବାରୁ ଦିନେ ଭୋବନି ବାହିନୀପତି କହି ବସିଲେ, ‘‘ଆମ୍ଭର ଭୂମି କାହିଁ ଯେ, ସନ୍ଧ୍ୟାରେ ଆଶିର୍ବାଦ କରିବୁଁ ?’’ କଥାଟା ମଧ୍ୟ ନିହାତି ମିଛ ନୁହେଁ । ଶାସନ ଭାଗ ପାଞ୍ଚଶ ମାଣ ମଧ୍ୟରୁ ଦଶ ବର୍ଷ ଭିତରେ ଚାରିଶ ମାଣ ବିକା ଭଙ୍ଗା ସରିଲାଣି । ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି । ‘ଗୋବ୍ରାହ୍ମଣହିତାୟଚ’ ମଙ୍ଗରାଜଙ୍ଗର ଭାରି ଯତ୍ନ । ବୁଲା ଗୋରୁଗୁଡ଼ିକ ମଙ୍ଗରାଜେ ସାବଧାନ କରି ଆପଣା ଗୋଠରେ ରଖନ୍ତି, କେହି ପାଣ ଏପରି ନା ଉଆରସୀ ଗୋରୁ ଆଣି ବକ୍‌ସିସ୍‍ସ୍ୱରୂପ କିଛି କିଛି ନେବାର ସଚରାଚର ଦେଖାଯାଏ । ବଳଦ ଛାଡ଼ି କେବଳ ଗାଈ ସଂଖ୍ୟା ତିନିଶହରୁ ଟପି ଗଲାଣି । ଗୋମାତା ବାର ଜାଗାରେ ବୁଲି କଷ୍ଟ ପାଇବେ, ସେଥି ସକାଶେ ସମ୍ଭାଳିଛନ୍ତି, ନିହାତି ବଳିପଡ଼ିଲେ ବର୍ଷକୁ ବର୍ଷ ପଠାଣ ଗୋଆଲାଙ୍କୁ ଅଧାଅଧି ଦେବାକୁ ପଡ଼େ । ସେପରି ବ୍ରାହ୍ମଣମାନଙ୍କ ଜମିଗୁଡ଼ିକ କିଣି ନେଇଛନ୍ତି, ସମ୍ଭାଳି ରଖିଛନ୍ତି । ଗୋସାଇଁମାନେ ଜମି ନ ବିକି କଣ କରିବେ । ଏକ ବ୍ରାହ୍ମଣିଆ ଚାଷ, ତାହା ବାଦ୍ ଚୋରଗୁଡ଼ାକ ବାଛି ବାଛି ବ୍ରାହ୍ମଣ ଜମିର ଧାନ ଚୋରି କଲେ । ମଙ୍ଗରାଜଙ୍କୁ କିଛି ଜମି ବିକିଦେଲେ ଚୋରମାନେ ଡରରେ ପାଖ ପଶିପାରନ୍ତି ନାହିଁ । ଆଉ ମଙ୍ଗରାଜେ ପାଞ୍ଚ ପାଞ୍ଚ ଟଙ୍କାରେ ପାଞ୍ଚମାଣ ଜମି କିଣିଲେ ବୋଲି କେହି କେହି କହନ୍ତି । ଏକଥାଟା ସେମାନଙ୍କର ବୁଝିବା ଭୁଲ । ଆଛା, ତୁମ୍ଭେ ଭରଣେ ବୁଣିଲେ ପାଞ୍ଚଭରଣ କାଟ ତ? ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଝ ? ସେଥିରେ କଣ କଳନ୍ତର ନାହିଁ ?

 

ଶାସନ ମଝିରେ ଶିବୁ ପଣ୍ତିତଙ୍କ ଘର । ଏହାଙ୍କ ଜେଜେ ବିକି ଖାଡ଼ଙ୍ଗା । ପୂରା ସାତ ପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ତିତଙ୍କଠାରୁ ଶୁଣାଯାଏ । ନୈଷଧାନ୍ତ ପାଠ ତାହାଙ୍କଠାରେ ଅଟକୁ ନ ଥିଲା । ପଣ୍ତିତଙ୍କ ନନା ବ୍ୟାକରଣ ଶବ୍ଦ ଓ ସନ୍ଧିଗୁଡ଼ାକ କୋଇଲି – ଗୀତ ପରି ହାଁକି ଯାଉଥିଲେ । ସେମାନଙ୍କ ପୋଥି ସବୁ ଖଟୁଲିରେ ସାଇତା ଅଛି । ପଣ୍ତିତେ ପ୍ରତିଦିନ ପୂଜା କରନ୍ତି । ଆପେ ପଣ୍ତିତେ ମଧ୍ୟ ଜଣେ ଟାଣ ପଣ୍ତିତ । ପୋଥିରୁ ଡୋରି ନ ଫିଟାଇ ପାଞ୍ଚ ବର୍ଗ ଅଭିଧାନ କହିଯାଇ ପାରନ୍ତି । ପଣ୍ତିତଙ୍କ ସାଆନ୍ତ ବାପାଙ୍କର ମଉଳା ପୁଅ ଭାଇଙ୍କର ଭିଣୋଇର ମାଉସୀପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ । ସାରକଥା, ଖାଡ଼ଙ୍ଗାବଂଶ ସକାଶେ ଶାସନର ବିଦ୍ୟା କେତେବେଳେ ଛାଡ଼ ନାହିଁ । ଏହାଙ୍କ ଦାଣ୍ତ ପିଣ୍ତାରେ ଚୌପାଢ଼ୀ, ଶାସନ ପିଲାମାନେ ଦୁଇଓଳି ପଢ଼ନ୍ତି, ଏକଚାଳିଶ କର୍ମ କର୍ମାଙ୍ଗ ଷୋଳପଣ ଏହିଠାରେ ପଢ଼ାହୁଏ । କେହି କେହି ପିଲା ବର୍ଗେ ଦୁଇ ବର୍ଗ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମଧ୍ୟ ଲାଭ କରନ୍ତି ।

 

ପଶ୍ଚିମ ସାହାଲା ତନ୍ତୀସାହିରେ ତନ୍ତୀ ଦେଢ଼ଶ ଘର, ଏହି ସାହିର ଗୋହିରୀଟା ସଫାସୁତୁରା, ଖତଗାଡ଼, ଗୋବରଗଦା କିଛିନାହିଁ । ଆପଣ ମନେ କଲେଣି, ଏଠାରେ ପାଞ୍ଚ ଆଇନ ଜାରି ଅଛି, ମିଉନିସିପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ । ଆପଣଙ୍କୁ ସାବଧାନ କରିଦେଉଅଛୁଁ, ଆମ୍ଭମାନଙ୍କଠାରୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରି ପକାଇବେ ନାହିଁ-। ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣମାନଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କଣ? ପୁଣି ଏଣୁତେଣୁ ଗୁଡ଼ାଏ ଲେଖିପକାଇବା ଆମ୍ଭମାନଙ୍କ ଅଭ୍ୟାସର ବିପରୀତ । ଅକଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ରସଙ୍ଗତ ନୁହେଁ, ଏମନ୍ତ କଥାଗୁଡ଼ାକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁ, ସେ କଥାଗୁଡ଼ିକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇ ଦେବୁଁ, ଆପଣଙ୍କର ପାଟି ଫିଟାଇବା ବାଟ ନ ଥିବ । ଦେଖନ୍ତୁ ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି, ‘‘ପର୍ବତୋ ବହ୍ନିମାନ୍ ଧୂମାତ୍’’ ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିପାଁ ? ନା, ଭିତରେ ନିଆଁ ଅଛି । ମହାନଦୀର ପାଣି ବଢ଼ିଆସୁଛି । ଦେଖିଲେ ଜାଣିବ, ଉପରେ ଭାରି ବର୍ଷା ହୋଇଗଲାଣି । କାର୍ଯ୍ୟକାରଣର ଗୋଟିଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି । ‘ନ କାର୍ଯ୍ୟଂ କାରଣଂ ବିନା’ କାରଣ ନ ଥିଲେ କାର୍ଯ୍ୟ ହୁଏ ନାହିଁ । ଏଠାରେ ନଦୀ ବୃଦ୍ଧିର କାରଣ ହେଲା ବୃଷ୍ଟି । ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରାଇ ଦେଇପାରୁ, ଗୋବର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି । କାରଣର ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏ କଥା ଆପଣ ଅବଶ୍ୟ ସ୍ୱୀକାର କରିବେ । ସୁତରାଂ ତନ୍ତୀସାଇର ଗୋବର ଗଦାର ଅଭାବର କାରଣ ଗୋରୁର ଅଭାବ, ଅର୍ଥାତ୍ ତନ୍ତୀସାଇରେ ଗୋରୁ ନାହିଁ , ସୁତରାଂ ଗୋବର ନାହିଁ । ଆପଣମାନଙ୍କ ମନରେ ଆଉ ଗୋଟାଏ ଭାରି ଖଟକା ଲାଗିପାରେ । ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ, ଏମାନେ ଗ୍ରାମ୍ୟପଶୁ, ଗ୍ରାମରେ ରହିବା ଏମାନଙ୍କର ସ୍ୱଭାବ । ଯେଉଁଠାରେ ପାଣି, ସେହିଠାରେ ମାଛ; ସେହିପରି ଗ୍ରାମରେ ଗ୍ରାମ୍ୟପଶୁ ଏଟା ଧରାବନ୍ଧା କଥା । ତନ୍ତୀସାଇ ଗୋଟିଏ ଗ୍ରାମ, ତେବେ ଗ୍ରାମ୍ୟପଶୁ ନାହାଁନ୍ତି କି ସକାଶେ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉଁ, ହୁଏତ ତାହାଙ୍କର କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା । ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ତିରା ମାଈ ଅଛନ୍ତି, ସେଥି ମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ । ସେହିପରି ତନ୍ତୀସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟପଶୁ ନାହିଁ । ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟପଶୁ ବାଘ, ଭାଲୁ କିମ୍ବା ଗ୍ରାମ୍ୟପଶୁ ଗାଈଗୋରୁ କେହି ନାହାଁନ୍ତି । ତାହାର ମଧ୍ୟ କାରଣ ଥାଇପାରେ, କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ । ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନ ପାରିଲେ ନିପାତନସିଦ୍ଧ ବୋଲି ଗୋଟିଏ କଥା କହି କାର୍ଯ୍ୟ ସାରି ଦିଅନ୍ତି । ମାତ୍ର ଏହା ଏକ ପ୍ରକାର ଠକପଣିଆ । ତାହା ଆମ୍ଭମାନଙ୍କ ହାତରେ ହେବ ନାହିଁ । ସେ କଥା ଥାଉ, ତନ୍ତୀସାଇରେ ଗୋରୁ କ୍ୟାଁ ନାହିଁ, ତାହାର କାରଣ ବୁଝନ୍ତୁ । ବାଇବେଲରେ ଲେଖାଅଛି ‘ଜଣେ ସେବକ ଦୁଇଜଣ ସାଆନ୍ତଙ୍କର ସେବା କରିପାରେ ନାହିଁ ।’ ସଚରାଚର ଦେଖାଯାଏ, ଶାସ୍ତ୍ରକାରମାନେ ଠିକେ ଠିକେ ଦୁଇ କଥା କହି କାର୍ଯ୍ୟ ସାରି ବସନ୍ତି । ଟୀକାକାର ନ ଥିଲେ ମୂଳଗ୍ରନ୍ଥ ବୁଝିବା ନିତାନ୍ତ କଠିନ । ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବାଖ୍ୟା କରିଦେଇ ନ ଥିଲେ ରଘୁବଂଶ, ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜିଯାଏ ଡୋରି ଭିଡ଼ାହୋଇ ପଡ଼ିଥାନ୍ତା । ସେହିପରି ଆମ୍ଭେମାନେ ବାଇବେଲର ବ୍ୟାଖ୍ୟା କରି ନ ଦେଲେ ବୁଝିବା ସହଜ ନୁହେଁ । ଆପଣ ନ ହୁଏ ଟାଣି ଟୁଣି ଏକପ୍ରକାର ପାଠ ଲଗାଇଯିବେ, ମାତ୍ର ସମସ୍ତଙ୍କ ହାତରେ ତ ସବୁକଥା ହୁଏ ନାହିଁ । ବାଇବେଲ ସୂତ୍ରର ଅର୍ଥ ଏହି କି, ଜଣେ ମନୁଷ୍ୟ ଏକ ସମୟରେ ଦୁଇ କାର୍ଯ୍ୟ କରିପାରେ ନାହିଁ । ବଳଦ ନ ଥିଲେ ଗୋବର କାହୁଁ ଆସିବ ? ଗୋବର ଅଭାବରୁ ଖତଗଦା ନ ଥିବାରୁ ଦାଣ୍ତ ସଫା ।

 

ଆଜିକାଲି ଊଣେଇଶ ଶ ସଂବତ୍ସରରେ ବିଜ୍ଞାନଶାସ୍ତ୍ରର ଖୁବ୍ ମର୍ଯ୍ୟାଦା, କାରଣ ଏହି ଶାସ୍ତ୍ର ସବୁ ଉନ୍ନତିର ମୂଳ ଅଟେ । ଦେଖନ୍ତୁ, ଇଂରେଜମାନେ କେଡ଼େ ଗୋରା ଆଉ ଓଡ଼ିଆମାନଙ୍କ ଦେହ କାଳିଆ । ସେଥିର କାରଣ, ସେମାନେ ବିଜ୍ଞାନ ଶାସ୍ତ୍ର ପଢ଼ିଅଛନ୍ତି, ଓଡ଼ିଆମାନେ ଜାଣନ୍ତି ନାହିଁ-। ଆମ୍ଭେମାନେ ହାଲ ବିଜ୍ଞାନର ଚର୍ଚ୍ଚା ଆରମ୍ଭ କରିଅଛୁଁ । ବର୍ତ୍ତମାନ ପ୍ରସଙ୍ଗଟା ଆମ୍ଭେମାନେ ସେହି ଶାସ୍ତ୍ର ଅନୁସାରେ ପ୍ରମାଣ କରିଦେଇପାରୁଁ । ଆପଣ ପାଠରେ ମନ ଦେଉନ୍ତୁ, ବିଜ୍ଞାନଶାସ୍ତ୍ର ଯେ କେଡ଼େ ଠିକ୍, ତାହା ବୁଝିପାରିବେ । ଉକ୍ତ ଶାସ୍ତ୍ରର ସୂତ୍ର ଏହି, ଏକ ସ୍ଥାନରେ ଦୁଇ ଗୋଟି ବସ୍ତୁ ରହି ନ ପାରେ । ଆପଣଙ୍କ ଦୁଧ ପିଆ ଗିନାରେ ପାଣି ରହେ ତ ? ଏ କଥା ବୋଲିବେ, ସେଥିପାଇଁ ଉକ୍ତ ସୂତ୍ର ବ୍ୟାଖ୍ୟା ଆବଶ୍ୟକ । ଅର୍ଥାତ୍ ଗୋଟିଏ ସ୍ଥାନରେ ଏକ ସମୟରେ ଦୁଇଗୋଟି ପଦାର୍ଥ ରହି ନ ପାରେ । ଗିନାରେ ଦୁଧ ପୂର୍ଣ୍ଣ ଥିଲେ ଆଉ ପାଣି ରହି ପାରିବ ନାହିଁ । ଲୁଗାବୁଣା ସକାଶେ ବାହାର ଭିତର ଦୁଇ ଜାଗା ଦରକାର । ଘର ଭିତରେ ଲୁଗା ବୁଣାଯାଏ, ଲୁଣ୍ତି କାଟିବା, ତାଗୀ କରିବା ଇତ୍ୟାଦି କର୍ମ ବାହାରେ ହୁଏ । ସୁତରାଂ ତାସଣ ଜାଗାରେ ଗୋବର ଗଦା ରହିବା ନିତାନ୍ତ ଅସମ୍ଭବ । ଆଉ ସ୍ତ୍ରୀ ପୁରୁଷ ମିଳିତ ନ ହେଲେ ଲୁଗା ପ୍ରସ୍ତୁତ ହୋଇପାରେ ନାହିଁ । ସୂତାରେ ତୋରାଣି ଦେବା, ନଟେଇ ବା ଚରଖିରେ ଚଢ଼ାଇବା, ନଳି ବଳିବା ଏସବୁ ତନ୍ତିଆଣୀମାନଙ୍କର କାର୍ଯ୍ୟ । ଗାଈ ବଳଦ ଦାଣ୍ତରୁ ଖୋଜିଆଣି ବାନ୍ଧିବାକୁ ସେମାନଙ୍କର ବେଳ କାହିଁ – ଇତ୍ୟାଦି ଆହୁରି ମଧ୍ୟ କାରଣ ଅଛି, ମାତ୍ର କଥା ବଢ଼େଇ ଲେଖିବା ଆମ୍ଭମାନଙ୍କର ଦେହରେ ଚଳେନାହିଁ, ସେଥିପାଇଁ ଠିକେ ଠିକେ ସବୁକଥା ଲେଖିପକାଉଁ ।

•••

 

ଦଶମ ପରିଚ୍ଛେଦ

ଭଗିଆ ଆଉ ସାରିଆ

 

ତନ୍ତୀସାଇ ମୁଣ୍ତରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର । ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦରକାର ନାହିଁ, ମାତ୍ର ଆଉ ନବ୍ୟ ବାବୁମାନଙ୍କୁ ବୁଝାଇଦେବା ଦରକାର । କାରଣ ସେମାନେ ବିଦ୍ୱାନ୍, ବଡ଼ ବଡ଼ କଥା ପଢ଼ି ଅଛନ୍ତି, ବଡ଼ ବଡ଼ କଥା ଜାଣନ୍ତି । ଆପଣା ଜେଜେବାପାର ବାପା ନାମ ପଚାର, ଅଣ୍ତାଳି ହେବେ, କିନ୍ତୁ ଇଂଲଣ୍ତର ତୃତୀୟ ଚାର୍ଲସ୍‌ର ପଞ୍ଚଦଶ ପୁରୁଷଙ୍କ ନାମ ସେମାନଙ୍କର କଣ୍ଠସ୍ଥ । ଇଂରେଜ ସମାଜ ବା ଫରାସୀସମାଜର କଥାଗୁଡ଼ିକ ପଢ଼ିଲେ ଲୋକେ ବିଦ୍ୱାନ୍ କହିବେ । ଆପଣାର ବା ପ୍ରତିବାସୀ ଜାତି ଓ ସମାଜର କଥା ଜାଣିବାର ଦରକାର କଣ ? ଯାଉ, ସେଥିରେ କଣ ଅଛି ? ବାବୁମାନେ ଏକଥା ଶୁଣିଲେ ଖପା ହୋଇଯିବେ, ଆମ୍ଭମାନଙ୍କର କହିବା ଦରକାର କଣ ? ଜାତିଆଣ ଟଙ୍କାର ଅର୍ଥ ଏହି ଯେ, ଜାତି ମଧ୍ୟରେ କେହି ଭଲ ମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି କିମ୍ବା କେହି ଗରିବ ଜାତିଭାଇ ଦେଇ ନ ପାରିଲେ ପଞ୍ଚଗୋସାଇଁ କିଛି ମାନ୍ୟନେଇ ତାହାକୁ ଉଠାଇ ନିଅନ୍ତି । ଟଙ୍କା ପରମାଣିକ ଜିମାରେ ଥାଏ । ସେହି ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଏହି ନିୟମ ସବୁ ହାଟୁଆ ଜାତିରେ ଚଳେ । ଆହା ! ଏହି ସୁନ୍ଦର ପ୍ରଥାଟି ଦିନକୁ ଦିନ ଲୋପ ପାଉଅଛି । ଆଜିକାଲି ଅଦାଲତ ଦୁଆର ମେଲା, ଲୋକମାନେ ଜ୍ଞାନୀ ଅର୍ଥାତ୍ ସଭ୍ୟ ହେଲେଣି, ପାଞ୍ଚଶାସନ କିଏ ମାନୁଛି ? ଇଂରେଜୀ ଆଇନ କହେ, ‘ଦେଖ ବାବା ସାବଧାନ ! ତୁମ୍ଭେ ଯଦି କିଛି ଅପରାଧ କର ଆଉ ସଥିରେ ଯଦି ଆଇନସଙ୍ଗତ ପ୍ରମାଣ ପାଉଁ ଦଣ୍ତ ଦେବୁ ।’ ଚଲାକ୍ ଲୋକ କହିଲା, ‘ଆଜ୍ଞା ଆପଣ ଯେମନ୍ତ ପ୍ରମାଣ ନ ପାଇବେ ସେଥିର ଫିକର ମୋତେ ଜଣା ।’ ଆଉ ଓକିଲ ତାହା ପିଠି ଥାପୁଡ଼ାଇ କହିଲେ, ‘କୁଛ୍‍ ପରବା ନେହିଁ, ଟଙ୍କା ଆଣ, ମୁଁ କଳାକୁ ଧଳା, ଧଳାକୁ କଳା କରିଦେବି ।’ ଏଥିରେ ଏହି ଫଳ ହେଉଅଛି ଯେ, ଅନେକ ଚଲାକ୍ ଓ ଧନବାନ ଲୋକ ଶତ ଅପରାଧ କରି ମଧ୍ୟ ଦେହ ଝାଡ଼ି ଚାଲିଯାଉ ଅଛନ୍ତି, ନିରୀହ ନିର୍ଦ୍ଧନ ଲୋକଙ୍କୁ ହରବରରେ ପଡ଼ିବାକୁ ହେଉଅଛି । ଆଉ ଦୁଇ ପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କାଙ୍ଗାଳ । ସେହି ଟଙ୍କା ବାରଭୂତ ଗୋଟାଇ ଖାଉଅଛନ୍ତି । ଆଉ ପଞ୍ଚୁଆତିଙ୍କ ଆଖିରେ ଧୂଳି ପକାଇବାର ବାଟ ନାହିଁ । ପୁଣି ପ୍ରକୃତ ଅପରାଧୀଠାରୁ ଜରିମାନା ଅସୁଲ ଟଙ୍କା ସତ୍‌କାର୍ଯ୍ୟରେ ଲାଗୁଥିଲା ।

 

ନିର୍ବୁଦ୍ଧିତ୍ୱର ସହିତ ତନ୍ତୀଜାତିର ଗୋଟାଏ ସମ୍ବନ୍ଧ ଥିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖିଲେ ଲୋକେ ବୋଲନ୍ତି, ଆରେ ତୁଟା ତନ୍ତୀ ନା କଣରେ ?’ ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ତା । ଆପଣ ସଭ୍ୟତା ଶିଖିଥିଲେ ତନ୍ତୀମାନଙ୍କର ଦଧିବାମନ ମନ୍ଦିର ତୟାର କଥା ଶୁଣି ସେହି ପ୍ରବାଦକୁ ଅକାଟ୍ୟ ସତ୍ୟ ବୋଲି ବିଶ୍ୱାସ କରିବେ । ଆପଣ କହିବେ, ସାଧାରଣ ଟଙ୍କାଗୁଡ଼ିକ ଏପରି ଅପବ୍ୟୟ କିଁପା ? କିଲିଟର ସାହେବଙ୍କ ନାମରେ ହାସପାତାଳ ବସାଅ, ମନ୍ଦିରଟା କଣ ?

 

ଆପଣଙ୍କ ମନ ଯୋଗାଇ କଥା କହିବା ଆମ୍ଭମାନଙ୍କର କାର୍ଯ୍ୟ, ମାତ୍ର ଆପଣଙ୍କ କଥାଟା ଆମ୍ଭମାନଙ୍କ ମନକୁ କିପରି ଲାଗୁଅଛି । ଆପଣଙ୍କୁ କୁହାଯାଉ ନାହିଁ ଏକଥା ଠିକ୍, କିନ୍ତୁ ତନ୍ତୀ ବୁଦ୍ଧି ଅର୍ଥ କଣ ଜାଣନ୍ତି, ଏହା ଗୋଟାଏ ଯୋଗରୂଢ଼ ଶବ୍ଦ । ଯେମନ୍ତ ପଙ୍କଜ ବୋଇଲେ ପଦ୍ମ, ତେବେ ପଙ୍କରୁ ଯେ ଜାତ ହେବ ଅର୍ଥାତ୍ ଘୋଡ଼ାଦଳ, ଶିଉଳି, ଶାମୁକା, ଗେଣ୍ତା ସମସ୍ତେ କି ପଦ୍ମ ? ତାହା ନୁହେଁ । ସେହିପରି ତନ୍ତୀ ଅର୍ଥ ନିର୍ବୁଦ୍ଧିଆ, ନିର୍ବୁଦ୍ଧିଆ ଅର୍ଥ ତନ୍ତୀ ନୁହେଁ । ସେଦିନ ମାଞ୍ଚେଷ୍ଟରର ତନ୍ତିମାନେ ପାର୍ଲିଆମେଣ୍ଟ କମ୍ପାଇଦେଲେ, ତାହା କି ଜାଣନ୍ତି ନାହିଁ ? ଆପଣ ଯେ ବାବୁ ସାଜିଅଛନ୍ତି, ତାହା ତ କେବଳ ତନ୍ତୀ ପ୍ରସାଦାତ୍ । ଏ ପ୍ରକାର ତନ୍ତୀଙ୍କ ବୁଦ୍ଧି ପ୍ରତି ଦୋଷାରୋପ କରିବା ଏକପ୍ରକାର ବେମାନି । ହିସାବ ଧରିଲେ ଆମ୍ଭମାନଙ୍କ ପୂର୍ବପୁରୁଷ ସମସ୍ତେ ତନ୍ତୀ ଥିଲେ । ଏଥିର ପ୍ରମାଣ ସଂଗ୍ରହ ନିମନ୍ତେ ପ୍ରତ୍ନତତ୍ତ୍ୱ ବିଦ୍ୟାର ଅନୁଶୀଳନ କରିବାର ଦରକାର ନାହିଁ । ଗ୍ରାମ ଗ୍ରାମକେ ଠାକୁର ମନ୍ଦିରଗୁଡ଼ିକ ସେଥିରେ ପ୍ରତ୍ୟକ୍ଷ ସାଖି । କୌଣସି ବିଷୟରେ ଦୁଇପଟ ନ ଦେଖି ହଠାତ୍ ସିଦ୍ଧାନ୍ତରେ ଉପନୀତ ହେବା ତନ୍ତୀତ୍ୱର ଚିହ୍ନ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ଦେଖାଯାଉ, ଠାକୁର ମନ୍ଦିରଗୁଡ଼ାକ ବାସ୍ତବିକ ତନ୍ତୀଙ୍କ କାର୍ଯ୍ୟ କି ନୁହେଁ । ଘୋର ମଫସଲିଆ ଲୋକମାନଙ୍କ କଥା ଆପଣଙ୍କୁ ଜଣାଥିବ । ସେମାନେ ଦିନଯାକ ଦୁଃଖଧନ୍ଦାରେ ଲାଗିଥାନ୍ତି, ସଞ୍ଜ ହେଲେ ମୁଠାଏ ମୁଠାଏ ଖାଇ ଶୋଇପଡ଼ନ୍ତି । ଗ୍ରାମରେ ଧର୍ମ ପ୍ରଚାରକ ନାହାନ୍ତି, ଲାଇବ୍ରେରୀ ନାହିଁ, ଧର୍ମକଥା କାହୁଁ ଶୁଣିବେ ? ଠାକୁର ମନ୍ଦିରରେ ସଞ୍ଜ ସକାଳେ ଶଙ୍ଖ, ଘଣ୍ଟା ବାଜେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଶବ୍ଦ ଜଣାଇ ଦିଏ ଜଗତରେ ପ୍ରଭୁ ଅଛନ୍ତି । ସେଠାରେ ଭାଗବତ ଗାଦି ଅଛି, ରାଧାଷ୍ଟମୀ, ଜନ୍ମାଷ୍ଟମୀ, କାର୍ତ୍ତିକ ମାସ ପ୍ରଭୃତି ପର୍ବଦିନ ମନ୍ଦିରରେ ଭାଗବତ ପାଠହୁଏ, ଲୋକମାନେ ଯାଇ ଶୁଣନ୍ତି । ମନ୍ଦିର ନ ଥିଲେ ପ୍ରଭୁଙ୍କ ନାମ ବା ଧର୍ମଗ୍ରନ୍ଥ ଶୁଣିବାର ଉପାୟ ନ ଥିଲା । ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜ ଅଖଞ୍ଜରେ ଭାତରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ । ପଞ୍ଚୁଆତ, ଗ୍ରାମଲୋକଙ୍କ ଦୋଷାଦୋଷର ବିଚାର ଠାକୁର ମନ୍ଦିରରେ ହୁଏ । ଆମ୍ଭେମାନେ ସଂକ୍ଷେପରେ ଇଂରେଜୀ ତର୍ଜମା କରିଦେଲେ ଆପଣ ସହଜରେ ବୁଝିପାରିବେ, ଠାକୁର ମନ୍ଦିରଗୁଡ଼ିକରେ ଗ୍ରାମ ମଧ୍ୟରେ ଚର୍ଚ୍ଚ (ଭଜନାଳୟ), ପବ୍ଲିକ୍ ଲାଇବ୍ରେରୀ (ସାଧାରଣ ପୁସ୍ତକାଳୟ), ହୋଟେଲ (ଭୋଜନାଳୟ), ଟାଉନ୍ ହଲ୍ (ଭାଗବତ ଘର) ଏହି ଚାରି କାର୍ଯ୍ୟ ଚଳେ-। ସେ କଥା ଯାଉ, ଆମ୍ଭମାନଙ୍କୁ ଆଉ କଥା ଲେଖିବାକୁ ହେବ ।

 

ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତୀମାନଙ୍କର ମଧ୍ୟ ଜଣେ ପରମାଣିକ ଅଛି, ସେ ଜାତି ମଧ୍ୟରେ ପ୍ରଧାନ । ପରମାଣିକକୁ ନ ଧରିଲେ ଜାତିଆଣ କର୍ମ କିଛି ଚଳେ ନାହିଁ । ବାହା, ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ । ସେଥିସକାଶେ ମୂର୍ତ୍ତିଏ ଲୁଗା ଆଉ ଗୋଟିଏ ଗୁଆ ମାନ୍ୟ ପାଏ । ଜାତିର ହାରିଗୁହାରି ପରମାଣିକଠାରେ ହେଲେ ସେ ଗୁଆ ଦେଇ ପଞ୍ଚୁଆତ ସଙ୍ଖୁଳି ଆଣେ । ସଭାରେ ଫୁଲଚନ୍ଦନ ଆଗେ ପରମାଣିକକୁ ଦିଆଯାଏ । ଜାତିଭାତରେ ପରମାଣିକ ଆଗେ କୃଷ୍ଣ ନ କଲେ କାହାରି ହାତ ଚଳେ ନାହିଁ । ଏହି ପରମାଣିକ ପଦଟା ପୁରୁଷାନୁକ୍ରମିକ ଅର୍ଥାତ୍ ପରମାଣିକ ପୁଅ ପରମାଣିକ ହେବ କିମ୍ବା ତାହା ବଂଶରୁ କେହିଜଣେ ହେବ, ଯେ ସେ ଲୋକ ହୋଇପାରିବ ନାହିଁ । ବର୍ତ୍ତମାନ ପରମାଣିକର ନାମ ଭଗିଆ ଚନ୍ଦ । ଭଗିଆ ବିଚରା ବଡ଼ ସାଦାସିଧା ଲୋକ, ଛନ୍ଦ କପଟ ତା ମନକୁ ଛୁଇଁ ନାହିଁ । ତାକୁ ଶାଗ କହ ହଁ, ମୁଗ କହ ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ତା ତନ୍ତୀ ବୋଲି ଡାକନ୍ତି । ଆପଣଙ୍କୁ କହିବାକୁ ଏତେବେଳେ ସଳଖ ଦାଣ୍ଡ ପଡ଼ିଗଲା । ଆମ୍ଭେମାନେ ଇସାରାରେ ସବୁକଥା ବୁଝିପାରୁ । ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣାପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ – ଏ ଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କଣ ? ବାପ ପରମାଣିକ ଥିଲା ବୋଲି ହୁଣ୍ତାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ଇଉନାଇଟେଡ୍ ଷ୍ଟେଟ୍‌ର ପ୍ରେସିଡେଣ୍ଟ ବାଛିଲାପରି ପାଞ୍ଚଜଣର ଭୋଟ (ମତ) ନେଇ ଜଣେ ସିଆଣିଆ ଭଳିଆ ଲୋକକୁ ପରିମାଣିକ କର । ତା ନ କରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ । କଥାଟା ଏକା ସତ । ମନ ଲାଗିଗଲା ପରା । ହକ କଥାରେ ଉଁ ଚୁ କରିବାକୁ କି ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟ ଧରି ଚାଲିଲୁ, ଏଣିକି ଆଉ ବାଟ କାହିଁ ? ଆମ୍ଭେମାନେ ପ୍ରତିଜ୍ଞା କରିଛୁ ବା କରିବୁ, ତନ୍ତୀ କଥାରେ ଆଉ ପାଖ ପଶିବୁଁ ନାହିଁ । ହେଲେ, ତନ୍ତୀମାନଙ୍କୁ ଚିହ୍ନି ରଖିବା ଉଚିତ । ହେ ପାଠକ ଅବଧାନ ! ଆମ୍ଭ ମାନଙ୍କର ଜ୍ଞାନ ଅତି ଅଳ୍ପ, ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦେଉନ୍ତୁ-

 

ହିନ୍ଦୁ ହୋଇଥିଲେ ବେଦ ବେଦାନ୍ତ ହିନ୍ଦୁଶାସ୍ତ୍ର ଅବଶ୍ୟ ମାନ୍ୟ କରିବେ । ଶାସ୍ତ୍ରରେ ଅଛି ‘ସମୋଦମସ୍ତପଃ ଶୌଚଂ ସନ୍ତୋଷଂ କ୍ଷାନ୍ତିରାର୍ଜବଂ ମଦ୍‌ଭକ୍ତିଶ୍ଚ ଦୟା ସତ୍ୟଂ ବ୍ରହ୍ମ ପ୍ରକୃତୟସ୍ତିମାଃ’ ଏହି ସମସ୍ତ ବ୍ରହ୍ମତ୍ୱର ଲକ୍ଷଣ । ସେହି ବ୍ରାହ୍ମଣଙ୍କ ପଦଧୂଳି ଆମ୍ଭେମାନେ ମସ୍ତକରେ ଧାରଣ କରିବାକୁ ଶଏବାର ପ୍ରସ୍ତୁତ, ମାତ୍ର–

 

ଶୁଣ ପରୀକ୍ଷ ନରନାଥ ।

ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।

ସି-ଅକ୍ଷର ବିବର୍ଜିତ ।

ଚିତା ପଇତାଦି ଶୋଭିତ ।

ବିଲ ବାଛିବାକୁ ଆଗ ।

ଦହି ଚୂଡ଼ାକୁ ବାଘ ।

ସନ୍ଧ୍ୟା ଗାୟତ୍ରୀହୀନ ।

ବିଲରୁ ଚିପନ୍ତି ମୀନ ।

ପୋଥିରୁ ନ ଫିଟେ ଡୋରି ।

ଯଜମାନ ଚାଉଳ ଚୋରୀ ।

ସଭାରେ ନ ଫିଟେ ପାଟି ।

ନାମଟି ସୁନ୍ଦର ତ୍ରିପାଠୀ ।

 

ସୁନ୍ଦର ତିହାଡ଼ିଙ୍କୁ ଓଳଗି ହୁଏ, କାରଣ ସେ ବ୍ରାହ୍ମଣ ଔରସରୁ ଜାତ । ସୁନ୍ଦର ତିହାଡ଼ି ଆପଣଙ୍କ କୁଳପୁରୋହିତ, ଯେହେତୁ ତାହାଙ୍କ ବାପା ପୁରୋହିତ ଥିଲେ । ଆପଣଙ୍କୁ ବୋଲିବାକୁ ସାହସ ଅଣ୍ଟୁନାହିଁ, କିନ୍ତୁ ଆମେମାନେ ପାଞ୍ଜିରେ ନାମ ଲେଖି ରଖିଲୁ । ପୁଣି ଶାସ୍ତ୍ରରେ ଲେଖାଅଛି–

 

‘‘ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା ।

ଚକ୍ଷରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।’’

 

ଅଜ୍ଞାନରୂପ ନେତ୍ର ରୋଗରେ ଅନ୍ଧ ବ୍ୟକ୍ତିର ଚକ୍ଷୁ ଜ୍ଞାନରୂପ ଅଞ୍ଜନଶଳାକାଦ୍ୱାରା ଯେ ଉନ୍ମୀଳିତ କରନ୍ତି, ସେହି ଗୁରୁଙ୍କୁ ନମସ୍କାର କର ।

 

ସତ୍ୟ ବୋଲନ୍ତୁ ଏପରି ଲୋକକୁ ଗୁରୁ କରନ୍ତି, କି ଗୁରୁର ପୁତ୍ର ଆପଣଙ୍କ ଗୁରୁ ? ଯାଉ, ସେ କଥାଗୁଡ଼ାକ କହିଲେ କଣ ହେବ ? ମାତ୍ର ତନ୍ତୀ ଚିହ୍ନା ପଡ଼ିଗଲେ । ଗୋଦରୀ ଲୋ ଆପଣା ଗୋଡ଼କୁ ଅନା । ଖୋଜି ବସିଲେ ଦରଦର ‘କୁହୁଡ଼ିପହଁରା’ ଢେର ପାଇବା । ଧାନ କୁଟୁଣି ଭାଗବତ ପଢ଼ିଲା ପରି ଆମ୍ଭେମାନେ ଗାଁ କଥା ଲେଖୁଁ ଲେଖୁଁ ଆପଣଙ୍କ ଭଳିଆ ଲୋକଙ୍କ କଥା କହି ବସିଅଛୁଁ-। ତେବେ କଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡ଼ୁ, ଢିପରେ ପଡ଼ୁ, ସମସ୍ତେ ଦି’କଥା ମାରି ଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ାଟା ମଧ୍ୟ ଆଁ କରିଦିଏ ।

 

ସେସବୁ କଥା ଥାଉ, ଏବେ ଗାଁ କଥା ଶୁଣନ୍ତୁ । ଆଟିକା ମାପକୁ ପଲମ । ଭଗିଆ ଯେପରି ହୁଣ୍ତା, ତା ଭାର୍ଯ୍ୟାଟି ସେହିପରି ହୁଣ୍ତୀ । ନାମଟା ସାରିଆ । ବୟସ ଅନ୍ଦାଜ ପଚିଶ ହେବ । ସାରିଆର ଗୁଣ ତ ଶୁଣିଲେ, ରୂପ କଥା ଶୁଣିବେ କି? ଦେଖନ୍ତୁ, ପରପ୍ରତ୍ୟାଶୀ ହେବା ଗୋଟାଏ ଭାରି ଖରାପ କଥା । ଆପଣ ବୁଦ୍ଧିବଳରେ ଅନୁମାନଦ୍ୱାରା କିଛି କିଛି ବୁଝିବାକୁ ଚେଷ୍ଟା କରନ୍ତୁ । କେବଳ ଆମ୍ଭମାନଙ୍କ ହାତକୁ ଚାହିଁ ରହିବେ ନାହିଁ । ଅନୁମାନଦ୍ୱାରା ବୁଝିବାକୁ ହୁଏ ସେଥିର ମୂଳସୂତ୍ର ଶୁଣିଲେ ଆପଣଙ୍କ ବାଟ ଫିଟିଯିବ । ଯେବେ ଶୁଣିବେ ଯୁବତୀ ରାଜକନ୍ୟା, ତକ୍ଷଣେ ବୁଝିଯିବେ, ସେ କନ୍ୟାଟି ଭାରି ସୁନ୍ଦରୀ, ଭାରି ଗୁଣବତୀ, ‘‘ନାହିଁ ନ ଥିବା ପଟାନ୍ତର, ରମା ଉମା ସଙ୍ଗେ ତାକୁ ଧର ।’’ ହେଉ ପଛେ ଉଆଉଗାଲୀ, ପେଚାନାକୀ, ସେ କଥା ଧରିବେ ନାହିଁ । ଯେବେ ଶୁଣିବେ, ଫଲଣା ଜମିଦାର ହାତରେ ଢେର ଟଙ୍କା ଅଛି, ତକ୍ଷଣେ ବୁଝିଯିବେ, ସେ ରୂପବାନ, ଗୁଣବାନ, ଦାତା, ଦୟାଳୁ ଇତ୍ୟାଦି ଇତ୍ୟାଦି । ଆମ୍ଭମାନଙ୍କ ସାରିଆ ଗାଁର ତନ୍ତୀଆଣିଟିଏ, ଏବେ ସକଳ କଥା ବୁଝି ନିଅନ୍ତୁ । ଭଗିଚନ୍ଦ ଆଉ ସାରିଆ, ଘରକୁ ଦୁଇପରାଣୀ । ମାଇକିନିଆମାନେ କହନ୍ତି, ‘‘ଦୁଇ ପରାଣିଆ ଭଲ, ବାନ୍ଧି କତରା ଚଲ ।’’ ଆମ୍ଭମାନଙ୍କ ହୁଣ୍ତାହୁଣ୍ତୀ କଥା ସେହିପରି । ନକଡ଼ ଛକଡ଼ ନାହିଁ । ଦୁଇଜଣଙ୍କର ନିମିଷେ ଛାଡ଼ବାଡ଼ ଥାଏ ନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି, ଭଗିଆ ତନ୍ତ ବୁଣିବାବେଳେ ସାରିଆ ନଳି ବଳେ, ନୁଣ୍ତିବେଳେ ଚରଖିରେ ସୂତା ଦିଏ । ସାରିଆ ଭାତ ରାନ୍ଧିବାବେଳେ ଭଗିଆ ଚୁଲି ଫୁଙ୍କେ ପାଣି ଆଣିଦିଏ । ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲାନ୍ତି – ‘‘ସାରୀ ଭଗିଆକୁ ଦେଖ, ବଗଲା ବଗୁଲୀ ଲେଖ ।’’ ଆହା ! କି ଅପୂର୍ବ କବିତା ହେଲା । ମାତ୍ର ଆମ୍ଭେମାନେ ବୋଲୁ, ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ଜଗତରେ ପ୍ରକୃତ ଭାଗ୍ୟବାନ । ସ୍ୱର୍ଗର କାଳ୍ପନିକ ସୁଖକୁ ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି । କୌଣସି ଇଂରେଜ କବି କହିଅଛନ୍ତି, ‘‘ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି, ସେମାନେ ସ୍ୱର୍ଗୀୟ ଜୀବ । ସେହି ପ୍ରେମରେ ଯାହାର କଳଙ୍କ, ସେ ନରକର ଯନ୍ତ୍ରଣା ଭୋଗ କରେ ।’’

 

ଓହୋ ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୂଲ କରି ପକାଇଅଛୁଁ, ‘‘ମୁନୀନାଞ୍ଚ ମତିଭ୍ରମ’’-। ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ ଭୁଲ କରି ପକାନ୍ତି, ଅର୍ଥାତ୍ ଯେଉଁମାନେ ଲେଖିବାବେଳେ ଭୁଲନ୍ତି ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡାକିବେ ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ । ବରଷସାରା ସାହେବଙ୍କ ଦୁଆରେ ନେଉଳ ପରି ଲୁଙ୍ଗ୍‍ ଲୁଙ୍ଗ୍‍ ହେବାକୁ ନାହିଁ, କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍‌ସିସ୍ ଦେଇ ଫରାସୀମାନଙ୍କ ଗୋଡ଼ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡ଼େ ନାମଟାଏ ପାଇଗଲୁ । ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ୱାର୍ଥତ୍ୟାଗ କରିବାକୁ ଆମ୍ଭେମାନେ କେବେହେଁ କାତର ନୋହୁଁ । ‘ନ ମିଥ୍ୟା ପାତକଂ ପରଂ’’, ଅସ୍ୟାର୍ଥ – ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ, ଆପଣା ପାଖେ ଥାଏ । ଏଥିସକାଶେ ଆମ୍ଭେମାନଙ୍କୁ ସତ୍ୟକଥା ଲେଖିବାକୁ ହେଉଛି । ଭଗି ସାରୀ ଦୁଇପ୍ରାଣୀ ନୁହଁନ୍ତି । ଗୋଟିଏ ଗାଈ ଅଛି, ନାମ ନେତ, ତାକୁ ଲଗାଇ ତିନିପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁ, ସେଥିରେ କଥା ଅଛି । ନେତକୁ ସାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲା କରେ । ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟ ସ୍ନେହ ଦେଇଛନ୍ତି । ଭୋକବେଳେ ଭାତ ନ ପାଇଲେ ଲୋକେ ଡାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା କିଛିନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷି ତାକୁ ଭଲପାଏ । ସାରିଆ ଦିନରାତି ନେତ ସାଙ୍ଗରେ ଲାଗିଥାଏ । ପଘାରୁ ଫିଟି ମଧ୍ୟ ନେତ କାହିଁ ଯାଏ ନାହିଁ, ସାରିଆ ପାଖେ ପାଖେ ଥାଏ । ଟିକିଏ ଦାଣ୍ତକୁ ଚାଲିଗଲେ ସାରିଆ ଡାକେ, ‘ନେତଲୋ’ । ନେତ କହେ, ହଁ-ମାଁ । ଧାଇଁଆସି ସାରିଆକୁ ଚାଟେ, ସାରିଆ ତା’ ଦେହରେ ହାତ ବୁଲାଇଦେଇ ଢେର ଆଦର କରେ, ଢେର ଦୁଃଖ ସୁଖ କଥା କହେ । ପଖାଳ ବେଲାରେ ନେତ ମୁହଁ ଡୁବାଇଦେଲେ ସାରିଆ ତାକୁ ଗୋଟିଏ ସାନ ପ୍ରେମଚାପଡା ମାରି ଡାଙ୍କୁଣୀଟା ବୋଲି ଗାଳିଦିଏ । ଆମ୍ଭେମାନେ ଜାଣୁ, ସେହି ଗାଳି ଭିତରେ ସାରିଆ ଆନନ୍ଦ ଓ ପ୍ରେମ ପୂର୍ଣ୍ଣ ଥାଏ । ଭଗିଆ, ସାରିଆ, ନେତ ତିନି ପ୍ରାଣୀ ଗୋଟିଏ ଘରେ ଶୁଅନ୍ତି । ସାରିଆ ନେତ ପଛରେ ତସୁ ଓ ଘଷି ଗୁଣ୍ତାରେ ଗୋଟାଏ ଧୂଆଁ ଦିଏ । ନେତଟି ବଡ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି । ନେତର ସର୍ବାଙ୍ଗ କଳା, ମୁଣ୍ତରେ ଚାନ୍ଦ । କାଳିଗାଈ ମୁଣ୍ତରେ ଚାନ୍ଦ, ତାକୁ ଆଣି ଶ୍ରୀଘରେ ବାନ୍ଧ ।’ ଶିଙ୍ଗ ପାତଳ, ଆଉ ଝାମ୍ପରା, ଲାଞ୍ଜ ସରୁ, ଖୁବ୍ ଲମ୍ବା । ଲାଞ୍ଜ ଅଗରେ ଚଅଁରପରି ପେଣ୍ତା ବାଳ ଭୂଇଁରେ ଲୋଟି ଯାଉଛି । ପିଠିଟି ନୂଆଣ, ମୁଠୁଣିକରୁ ଊଣା ଚୌଡ଼ା, ପିଚାଟି ଚୌଡ଼ା, ହାକୁଡ଼ଟିଏ ସାନ ପାଣିକଖାରୁ ପରି ପିଠି ଆଡ଼କୁ ନଇଁପଡ଼ିଛି, ବେକର ଥଳୀଟା ଆଉ ଗାଈଠାରୁ କିଛି ବେଶି ଝୁଲୁଛି, ଦୁଧନାଡ଼ଟା ଗୋଟା ପାଳଦଉଡ଼ା ପରି ମୋଟ, ପହ୍ନା କଥା କଣ କହିବୁ ? ‘‘ପୟୋଧରୀଭୂତ-ଚତୁଃସମୁଦ୍ରାଃ ।’’ ନେତ କଳିଙ୍ଗା ଗାଈ ପରି ଖୁବ୍ ଯେ ଗୋଟାଏ ଉଞ୍ଚା, ତାହା ନୁହେଁ, ମଧ୍ୟଭଳି । ଡାକଋଷୀ ବଚନ ଅଛି–

 

‘‘ପେଟେ ଉଞ୍ଚ ଗାଈ ।

ପଟେ କୁଣ୍ତା ଖାଇ ।

ଘାସ ଦେଖି ବାଇ ।

ତାଠୁଁ ଦୁଧ ପାଇ ।’’

 

କଥା କଣ କି ଗାଈ ମୁହଁରେ ଦୁଧ । ତେବେ ଆପଣା କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିକ କାଗଜକଳପରି । କଳମୁହଁରେ ଛିଣ୍ତାକନା, ଛିଣ୍ତାଦଉଡ଼ି, ପଚା ପନସି, ପଚା ତୁଳାଗୁଡ଼ାଏ ପୂରାଇଦେଲେ ପଛବାଟେ ସଫା, ଧଳା, ସୁନ୍ଦର, ଚିକ୍‌କଣ କାଗଜ ବାହାରି ପଡ଼େ । ସେହିପରି ଗାଈ ମୁହଁରେ କୁଣ୍ତା, ପେଜ, ଘାସଗୁଡ଼ାକ ପୂରାଇଦିଅ, ପହ୍ନାବାଟେ ଦୁଧ ବୋହି ପଡ଼ିବ । ନେତର ଦୁଧର ପରିମାଣଟା ଆମମାନଙ୍କୁ ଜଣାନାହିଁ । ସେଦିନ ମଙ୍ଗରାଜଙ୍କ ଦରବାରରେ ନେତକଥା ପଡ଼ିଥିଲା । ସମସ୍ତେ ଅନୁମାନ କଲେ ଦୁଇଓଳି ପାଞ୍ଚ ସେରରୁ ଊଣା ନୁହେଁ । ମଙ୍ଗରାଜେ ଗୋଟାଏ ନିଃଶ୍ୱାସ ପକାଇ କହିଲେ, ‘‘ଏଁ ! ତନ୍ତୀ ବାପୁଡ଼ାର ଏମନ୍ତ ଗାଈ ?’’

 

ଲୋକେ କହନ୍ତି, ‘‘ପିତା ଗୁଣରେ ପୁତା’’, ମାତ୍ର ଏ କଥା ମଧ୍ୟ ସତ–’’ବଂଶନାଶବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ ।’’ ଭଗିର ବାପ ଗୋବିନ୍ଦ ଚନ୍ଦ୍ର ଗାଁରେ ଜଣେ ସେରନ୍ତା ଲୋକ ଥିଲା । ନିଜ ଗାଁ ଛାଡ଼ି ଆଖପାଖ ଦୁଇ ଚାରିଖଣ୍ତ ଗାଁରେ ପଞ୍ଚୁଆତ ବସିଲା, ଗୋବିନ୍ଦ ଚନ୍ଦ୍ରକୁ ଡାକ । ଭାରି ଭାରି ମାମଲା ଝୁଙ୍କିଲେ ଗୋବିନ୍ଦଙ୍କୁ ଖୋଜା ପଡ଼େ, ଅର୍ଥାତ୍ ପିଆଦା ସମନ ଆଣିଲେ କିମ୍ବା ଡାକରେ ବେରିଙ୍ଗ ଭାଷା ଆସିଲେ, ଗୋବିନ୍ଦ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରୁ ନ ଥିଲେ । ଗୋବିନ୍ଦ ନିଜେ ତନ୍ତ ବୁଣୁ ନ ଥିଲା, ତାନ୍ତୀମାନଙ୍କ ବୁଣାଲୁଗା କିଣିନେଇ ହାଟରେ ବିକେ କିମ୍ବା ଉପୁରି ମହାଜନ ଆସିଲେ ମାଲ ପଠାଇ ଦିଏ । ଏଥିରେ ତାହାର ଭଲ ପାଞ୍ଚ ପଇସା ହାତକୁ ଚଢ଼ୁଥିଲା । ଗୋବିନ୍ଦ ହାତରେ ହଜାର ହଜାର ଥିବାର ଲୋକ ଅନୁମାନ ବିଦ୍ୟାରେ ଗଣି ପକାଇଥିଲେ । ଲୋକମାନେ ଆପଣା ପରମାୟୁ ଓ ପରଧନକୁ ବେଶି ଦେଖନ୍ତି । ଯାହାହେଉ, ଗୋବିନ୍ଦ ଯେ ଦଶଟଙ୍କା ଅରଜିଥିଲା, ଏ କଥା ସତ । ଜମିଦାର ବାଘ ସିଂହ ବଂଶ ପଡ଼ି ଆସିବାବେଳେ ଖଣ୍ତେ ଖଣ୍ତେ ଜମି ବିକ୍ରି ହେଲା । ଗୋବିନ୍ଦପୁର ଗାଁତଳେ ଚକେ ଗହୀର ଜମି ଛମାଣ ଆଠଗୁଣ୍ତ ବାହାଲି ନିଷ୍କର, ତାକୁ ଗୋବିନ୍ଦ କିଣି ନେଇଥିଲା । ‘‘ଗାଁ ଧୋଉରା ପାଣି ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ ।’’ ଅସ୍ୟାର୍ଥ –ପଧାନ ଗ୍ରାମର ସର୍ବୋତ୍କୃଷ୍ଟ ଜମିଖଣ୍ତ ଚାଷ କରେ । ଜମିଖଣ୍ତରେ ଗାଁ ଧୋଉରା ପାଣି ପଶେ, ଭାରି କଳିନ୍ଦ, ପାଣିବହୁଳ ହେତୁରୁ ରାବଣା ଧାନ ହୁଏ ।’’

 

ଜମି ପାଇଲେ ସିଆଣା,

ଧାନ ବୁଣିବ ରାବଣା ।

ହାତେ ଲମ୍ବ କାଢ଼ିବ ସୀଂସା

ଝୁରି ମରିବେ ସାଇପଡ଼ିଶା ।’’

 

ଧୋଇ ନାହିଁ, ମରୁଡ଼ି ନାହିଁ ମାଣକୁ ଆଠଭରଣ ତ ଆଗେ ଥୋଇଦିଅ । ଭଗିଆ ତନ୍ତୀଲୋକ, ଚାଷ କରିବ କଣ? ବଖରା ଦେଇ ମାଣକୁ ପାଞ୍ଚ ନଉତି ଧାନ ପାଏ । ଭଗି ହୁଣ୍ତା ହେଲେ କଣ ହେବ, ତାହାର ଢେର ସଦ୍‍ଗୁଣ ଥିଲା । ଶ୍ରାଦ୍ଧ, ମଉଳା, ନବାନ୍ନରେ ଜାତିଭାଇଙ୍କ ମୁହଁ ଧୁଆଏ, ଭାଟ ଭିକାରୀ ଦୁଆରୁ ଫେରନ୍ତି ନାହିଁ । ‘ହାଉଡ଼ାର ଦୁଷ୍ମନ ନାହିଁ ।’ ହୁଣ୍ତା ହୁଣ୍ତି କଥା କହି ଜାଣନ୍ତି ନାହିଁ, ଗାଁରେ କଳିହେଲେ କବାଟ କିଳି ଦିଅନ୍ତି । ଗାଁରେ ସମସ୍ତେ ଏମାନଙ୍କୁ ଭଲ ପାନ୍ତି । ଅଭାବ ସମସ୍ତ ଦୁଃଖର ମୂଳ । ଧନ, ବିଦ୍ୟା, ଖ୍ୟାତି, ସ୍ୱାସ୍ଥ୍ୟ ପ୍ରଭୃତି କୌଣସି ବାଞ୍ଛନୀୟ ଲୋଭନୀୟ ଏବଂ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ହେଲେ ଲୋକେ କଷ୍ଟ ଅନୁଭବ କରନ୍ତି । ଆମ୍ଭମାନଙ୍କ ତନ୍ତୁବାୟ – ଦମ୍ପତିଏ କୌଣସି ପଦାର୍ଥର ଅଭାବ ନ ଥିଲା । ପବିତ୍ର ଦାମ୍ପତ୍ୟ ସ୍ନେହ, ବିଶୁଦ୍ଧ ପ୍ରେମ, ଅଖଣ୍ତ ସନ୍ତୋଷ, ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ, ସରଳ ଧର୍ମଭାବ ପ୍ରଭୃତି ସ୍ୱର୍ଗୀୟ ଭାବମାନ ଯଦି ଆପଣ ଏକ ସ୍ଥାନରେ ସମାବେଶ ଦେଖିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେମାନେ ଏହି ଗ୍ରାମ୍ୟ ତନ୍ତୁବାୟ ପରିବାର ନାମ ଉଲ୍ଲେଖ କରିପାରୁଁ । ଆମେମାନେ ଆଜନ୍ମକାଳ ଦେଖି, ଶୁଣି, ପଢ଼ି ବୁଝିଅଛୁ ନିରବଚ୍ଛିନ୍ନ ସୁଖ ବିଧି ମନୁଷ୍ୟ ଲଲାଟରେ ଲେଖି ନାହାନ୍ତି । ତନ୍ତୁବାୟ ପରିବାର କି ଏହି ନୈସର୍ଗିକ ନିୟମର ବହିର୍ଭୂତ ? ମହାକବି କାଳିଦାସ ଲେଖିଛନ୍ତି, ‘ପ୍ରାୟେଣ ସାମାଗ୍ର୍ୟବିଧୌ ଗୁଣାନାଂ ପରାଙ୍‌ମୁଖୀ ବିଶ୍ୱସୃଜଃ ପ୍ରବୃତ୍ତି ।’ ଏହି ମହାବଚନକୁ ବା ଅମର୍ଯ୍ୟାଦା କରିବୁ ।

 

ତେବେ ଏମାନେ କି ପୂର୍ଣ୍ଣ ସୁଖୀ ନୁହନ୍ତି ? କିଏ କହିବ, କିପରି ବା କହିପାରିବ? ଶାଳଗ୍ରାମର ବସିବା ଶୋଇବା ସମାନ । ମନୁଷ୍ୟ ହୃଦୟଭାବ ହାସ୍ୟସ୍ପନ୍ଦନ ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖି ନାହିଁ, କାନ୍ଦିବାର କେହି ଶୁଣି ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବାଣୁଆମାନେ ଖୋଜର ମଡ଼ା ଧରିଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭମାନେ ଲୋକମାନଙ୍କ କାର୍ଯ୍ୟସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରି ପକାଉଁ । ସେଦିନ ରାତିରେ ରୁକୁଣୀ ମା ବୋହୂର ଷଠୀଘରକୁ ସାରିଆ ଯାଇଥିଲା, ପିଲାଟାକୁ ଚାହିଁଦେଇ ଚାଲିଆସିଲା, ଚକୁଳି ବାଣ୍ଟ ଯାଏ ରହିଲା ନାହିଁ । ଘରକୁ ଆସି ପେଟ ଟାଣୁଛି ବୋଲି କହି ଉପାସ ଶୋଇ ରହିଲା । ଆମ୍ଭେମାନେ ଏହା ମଧ୍ୟ ଜାଣୁଁ, ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା । ଭଗିଆ ଥରେ କହିଲା, ‘‘ଦଇବତ ଦେଇନାହିଁ, ଦୁଃଖ କଲେ କଣ ହେବ ?’’ କଣ ଦେଇନାହିଁ କିଛି ତ ବୁଝାଗଲା ନାହିଁ ? ବାରବରତରେ ସାରିଆର ଆଜିକାଲି ଭାରି ମନ । ବୁଢ଼ୀ ମଙ୍ଗଳାଙ୍କଠାରେ ବେଶି ବେଶି ଭକ୍ତି ଦେଖାଉଅଛି । ଡାକ୍ତର ଆଉ ଓକିଲଙ୍କ ଦୁଆରେ କାହାକୁ ଦେଖିଲେ ବୁଝିନେବ, ସେହି ଲୋକଟା ଉପରେ କିପରି ବିପଦ ପଡ଼ିଛି । ଆମ୍ଭମାନଙ୍କ ବୁଢ଼ୀମଙ୍ଗଳାଙ୍କଦ୍ୱାରା ଡାକ୍ତର ଆଉ ଓକିଲ ଦୁଇ କାର୍ଯ୍ୟ ହୁଏ । ଗାଁରେ କାହାରି କିଛି ପୀଡ଼ାହେଲେ କିମ୍ବା ମାଲିମାମଲା ପଡ଼ିଲେ ମଙ୍ଗଳାଙ୍କର କିଛି ଲାଭ ହୁଏ । ମଙ୍ଗଳାଙ୍କଠାରେ ସାରିଆର ଭକ୍ତି ଦେଖି ବୁଝୁଅଛୁଁ, ତାହା ମନରେ କଷ୍ଟ ଜାତ ହୋଇଅଛି । ସାରିଆ ପିଣ୍ତାରେ ବସି ନଟି ବୁଲାଉଥିବାବେଳେ ଦାଣ୍ତରେ କୌଣସି ସାନପିଲା ଖେଳୁଥିବାର ଦେଖିଲେ ତାହା ହାତ ନଟେଇଟା ବୁଲେ ନାହିଁ । ଉଆଁସ ପୁନେଇରେ ଘରେ ପିଠାଟିଏ, ଛେନାଟିକିଏ ହେଲେ ସାରିଆ ନିଃଶ୍ୱାସ ପକାଏ । ଭଗି ରାଣ ନିୟମ ପକାଇ ନ ଖୁଆଇଲେ ଖାଏ ନାହିଁ । ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ ଦେଇ ଭଗି ପାଖରୁ ବୁଣାଇ ନେଲା । ଯୋଡ଼ଟି ବୁଣା ଗଲା ବାଦ୍ ସାରିଆ ତାକୁ ଓଳିଏ ଯାଏ ଚଉତିବାବେଳେ ତା ଆଖିରେ ପାଣି ଢଳଢଳ ହେଉଥିବାର ଭଗି ଦେଖି ଗୋଟାଏ ଲମ୍ବା ନିଃଶ୍ୱାସ ପକାଇଲା ।

•••

 

ଏକାଦଶ ପରିଛେଦ

ଗୋବରା ଜେନା

 

ତନ୍ତୀସାହିକୁ ଚାରିଶ କି ପାଞ୍ଚାଶ କଦମ ଦୂର ବିଲ ମଝିରେ ଡମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦପୁର ସାମିଲ । ସେଠାରେ ଦଶଘର ଡମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର, ତା’ର ଦେଢ଼ମାଣ ଚୌକିଆ ଜାୟଗିରି ଅଛି, ଏ ସିବାୟ ଫି ଘରୁ ଧାନକଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ । ଜେନା ମଜକୁର ଆପଣା କାମରେ ଖୁବ୍ ହୁସିଆର । ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ । ଫି ବରଷ ଗ୍ରାମ ମଧ୍ୟରେ ଚାରି ପାଞ୍ଚ ନମ୍ବର ସିନ୍ଧି ହୁଏ ସତ୍ୟ, କିନ୍ତୁ ଜେନା ମଜକୁରର କିଛି ଦୋଷ ନାହିଁ । କାରଣ ସେହି ସବୁ ଚୋରି ରାତିରେ ଜେନା ପୁଅ ଜାତିଆଣ କାମରେ ଚାରିପାଞ୍ଚକୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ । ଚୌକିଦାର ସାରାରାତି ଗ୍ରାମରେ ପହରା ଦିଏ, ମାତ୍ର ସେ ଏପରି ହୁସିଆରିରେ ପହରା ଦିଏ ଯେ, ସେ କଥା କେହି କେତେବେଳେ ଜାଣିପାରନ୍ତି ନାହିଁ । ପାଟିକରି ପହରା ଦେଲେ ତୁଣ୍ତ ଶୁଣି ଚୋର ଯେ ପଳାଇ ଯିବେ । ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି । ସତ ମିଛ ଜଗନ୍ନାଥ ଜାଣନ୍ତି । ଲୋକମାନଙ୍କ ପାଟିରେ କିଏ ହାତ ଦେବ ? ବାଘ ମଣିଷ ଖାନ୍ତି – ସବୁ ବାଘଗୁଡ଼ାକ ମଣିଷଖିଆ ? ସାଧୁ ସଚ୍ଚରିତ୍ର ବାଘ କି ଦୁନିଆରେ ନାହାନ୍ତି ? ଆମ୍ଭମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା, ବାହା ପୁଆଣିରେ ଖଦୀ ମୂର୍ତ୍ତିଏ, ଉପରି ବରଠାରୁ ଚୌକିଆ ରୋସମ ଟଙ୍କାଟିଏ, ଆଉ ମଲା ମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚା ଏବଂ ପିଢ଼ାରୁ ଲାଉ କଖାରୁଟାଏ ଛଡ଼ା କାହାଠାରୁ କିଛି ଲାଞ୍ଚ ରିସପତ୍ ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡୁବି ମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚା ଟଙ୍କାଟିଏ, ସେ ତ ଆଇନରେ ଅଛି, ସେଥିରେ ଚୌକିଆର କଣ ଇଲାକା ? ବରଞ୍ଚ ଗୋବର୍ଦ୍ଧନ ଭାରୀ ଦୟାଳୁ ଲୋକ, କେହି ଗରିବ ଉପରେ ମାମଲା ପଡ଼ିଲେ କଂସାଖଣ୍ଡି ଢାଳଟି ନେଇ କାମ ତୁଲାଇ ନିଏ । ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍‌ସି ଜମାଦାର, ବରକନ୍ଦାଜ ସକାଶେ ନେବାରେ ତ ସୁବାମତି କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତି ଓଳିଟା ଘରୁଭାତ ଖାଇପାରେ ନାହିଁ । ପାଳିକରି ଗାଁ ଲୋକଙ୍କ ଘରୁ ଖାଏ । ଯାହାଘରୁ ଯେଉଁଦିନ ଖାଇବାର, ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ-। ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେଦିନ ରାତିରେ ତାହା ପିଢ଼ା ଓ ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁ ଧାନ ଚୋରି କରି ଘେନିଯାନ୍ତି କିମ୍ବା କିଛି ନ ପାଇଲେ ତାହା ଦାଣ୍ତ ଦୁଆର ଖୁମ୍ବଟା ଭାଙ୍ଗି ଦେଇଯାନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, ‘ଗାଁଲୋକେ ହୁସିଆର୍, ଘରବାଲେ ଖବରଦାର, ପାଟିକରି ଡାକ ଦିଏ । ଚେଇଁଥିବା ପିଲାମାନେ ସେ ଡାକଶୁଣି ଶୋଇପଡ଼ନ୍ତି । ତାହା ବାଦ୍ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁ ଜଣାପଡ଼େ ନାହିଁ । ଗୋବରା ଜେନାକୁ ଗୋଟାଏ ପାଣ ମଧ୍ୟରେ ଗଣିବ ନାହିଁ । ହଜାରେ ପାଞ୍ଚଶ ଗଣିଦେବାର ଲୋକ । ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତା ଅଛି-। ଯେ ଯେଡ଼େ ହୁସିଆର ହେବ, ଆପଦ ବିପଦ କାହାରିକୁ ଛାଡ଼ ନାହିଁ । ଥରେ ଗୋଟାଏ ଚୋରି ମାମଲା ତାହା ଉପରେ ଝୁଙ୍କି ଥିଲା । ଶୁଣିବାରେ ଅଢ଼େଇଶ ଟଙ୍କା ମୁନିସ୍‌କୁ ପେଲିଦେଇ ଖଲାସ ପାଇଲା । ସେ ମାମଲାର ହାଲ ଏହି କି, ମାଖନପୁର ମୌଜାର ଭୁବନି ସା ତେଲୀ ମହାଜନ ଘର ଡକାଇତି ମୋକଦ୍ଦମାରେ ଆଠଜଣ ଡକାଇତ ଗ୍ରେପ୍ତାର ହୋଇଥିଲେ । ଗୋବରା ଜେନା ସହ୍ଲାରେ ଏହି ଡକାଇତି ହୋଇଥିବାର ଏବଂ ଆହୁରି ଦଶ ପନ୍ଦର ନମ୍ବର ଚୋରିରେ ତାହାର ସହ୍ଲା ଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହୋଇଥିବାର ଆସାମୀମାନଙ୍କ ମଧ୍ୟରୁ ଦିକଡ଼ିଆ ପାଣ ପ୍ରକାଶ କଲା । ମାତ୍ର ଆଉ ଆଉ ଆସାମୀମାନେ ଏ କଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ ।

 

ଗୋବରା ଜେନାଙ୍କ ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରି ଖୁସି । ସେ ସକାଳ ସଞ୍ଜବେଳେ ମଙ୍ଗରାଜଙ୍କ କଚେରିରେ ହାଜର ଥାଏ । ଅଧରାତିବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ଲୋକ ଦେଖିଛନ୍ତି । ଫତେପୁର ସରଷଣ୍ତ ତାଲୁକାରେ ଅନେକ ପାଣଙ୍କ ଘର ଅଛି । ସେମାନେ ଚୋରି, ଡକାୟତି, ରାହାଜାନୀ ବ୍ୟବସାୟୀ ଥିବାର ଲୋକେ ସନ୍ଦେହ କରନ୍ତି । ପୁଲିସ ଏବଂ ଜେଲଖାନା ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ । ଗୋବର୍ଦ୍ଧନର ଗୋଟିଏ ମହତ ଗୁଣ, କୌଣସି ପାଣ ଜେଲ ଗଲେ ତାହାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ ଖମାରରୁ ଧାନ ଦିଆଇଦିଏ । ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ ନାହିଁ, ଲୋକମାନେ ଗୋବର୍ଦ୍ଧନର ଏହି ସଦ୍‌ଗୁଣର ଅନ୍ୟ ପ୍ରକାର ଅର୍ଥ କରନ୍ତି-। ସେଥି ସଙ୍ଗେ ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟିଏ ଭାରି ଖରାପ କଥା ଅଟେ ।

•••

 

ଦ୍ୱାଦଶ ପରିଚ୍ଛେଦ

ଅସୁର ଦୀଘି

 

ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ । ଗ୍ରାମର ସମସ୍ତ ଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊଣା ପଡ଼ିବ ନାହିଁ । ନାମ ଅସୁର ଦୀଘି, ଏଥିରେ ପୂର୍ବେ ଷୋଳଟା ଦୀପଦଣ୍ତି ଥିଲା, ଦେବତା ବଳିଆରରୁ ସବୁ ଡୁବି ଯାଇଅଛି । ଚାରିପାଖ ଆଡ଼ି ବଗଚରାଠାରୁ ଦଶ ବାର ହାତ ଉଚ୍ଚ । ଏ ପୋଖରୀଟି କେତେକାଳର, କିଏ ଖୋଳାଇଛି, ଏଥିର ସଟୀକ ବୃତ୍ତାନ୍ତ ଆମ୍ଭେମାନେ କହିବାକୁ ଅକ୍ଷମ । ଶୁଣିବାରେ ଅସୁରମାନେ ଖୋଳିଛନ୍ତି, ଅସମ୍ଭବ ନୁହେଁ । ଏଡ଼େ ବଡ଼ ଜଳକୀର୍ତ୍ତି ଯେ କରିପାରେ, ସେ କି ଆମ୍ଭମାନଙ୍କ ପରି ମନୁଷ୍ୟ ? ଗ୍ରାମର ପଞ୍ଚାନବେ ବର୍ଷର ବୁଢ଼ା ଏକାଦୁଶିଆ ତନ୍ତୀ ମୁହଁରୁ ପୁଷ୍କରିଣୀ ସମ୍ବନ୍ଧରେ ଯେଉଁ ଇତିହାସ ସାର ସଂଗ୍ରହ କରିଅଛୁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି –

 

ବାଣାସୁର ଏହି ପୋଖରୀ ଖୋଳାଇ ଅଛି । ସେ ଆପଣା ହାତରେ କୋଡ଼ି ଗାଣ୍ତୁଆ ଧରି ଖୋଳି ନାହିଁ । ତାହା ହୁକୁମରେ ଅସୁରମାନେ ଆସି ରାତିକ ମଧ୍ୟରେ ଖୋଳି ପକାଇଲେ । ଖୋଳୁ ଖୋଳୁ ରାତି ପାହିଗଲା । ଦକ୍ଷିଣଆଡ଼ିଆ କୋଣରେ ବାର ଚଉଦ ହାତ ଓସାରର ଗୋଟିଏ ମୁହାଁଣ ଅଛି, ସେଠାରେ ମାଟି ପଡ଼ିପାରିଲା ନାହିଁ । ଦାଣ୍ତରେ ଲୋକ ବୁଲ ଚାଲ ହେଲେଣି, ଅସୁରମାନେ ଏବେ ଯାଆନ୍ତି କୁଆଡ଼େ ? ପୋଖରୀ ମଧ୍ୟରେ ବିଳ ଖୋଳି ଗଙ୍ଗାକୂଳରେ ବାହାରି ପଡ଼ିଲେ । ସେଠାରେ ଗଙ୍ଗା ସ୍ନାନ କରି ପଳାଇଗଲେ । ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ଅସୁର ଦୀଘୀକୁ ପାଣିତେଣ୍ତି ଆସୁଥିଲା । ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁ ନାହିଁ । ଇଂରେଜୀ ପଢ଼ୁଆ ବାବୁମାନେ ସାବଧାନ ! ଆମମାନଙ୍କର ଏକାଦୁଶୀ ଚନ୍ଦ୍ରଙ୍କ ଇତିହାସ ଶୁଣି ହସିବେ ନାହିଁ, ତାହାହେଲେ ମାର୍ଶମାନ୍ ଆଉ ଟଡ୍‌ଙ୍କ ଲେଖାରୁ ଆଠପଣି କାହିଁ ଉଡ଼ିଯିବ ।

 

ଦୀଘିରେ ମାଛ ଅଛନ୍ତି । ଆପଣ କହିବେ, ଯହିଁ ପାଣି ତହିଁ ମାଛ, ଏ କଥା ଲେଖିବାର ଦରକାର କଣ ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ । ଆଖୁ ସହିତ ଗୁଡ଼ର, ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ, ପାଣି ସହିତ ମାଛର ସେପରି କିଛି ନୁହେଁ । ତାହାହେଲେ ଆପଣଙ୍କ ଘର ପାଣିମାଠିଆରୁ ତ ମାଛ ବାହାରୁଥାନ୍ତେ ? ଅନୁମାନ ବା ଅଯୌକ୍ତିକ କଥା ଲେଖିବା ଆମମାନଙ୍କର ଅଭ୍ୟାସ ନୁହେଁ । ଅସୁର ଦୀଘିରେ ଯେ ମାଛ ଅଛନ୍ତି ଆମେମାନେ ସେଥିରେ ଅକାଟ୍ୟ ପ୍ରମାଣ ଦେବୁଁ । ଏହି ଦେଖନ୍ତୁ, ଦକ୍ଷିଣ ଆଡ଼ିଆରେ ପାଣିକୁ ପାଞ୍ଚ ହାତ ଛାଡ଼ି ଆଁ କରି ସାନ ବଡ଼ ତିନିଗୋଟା ଥଣ୍ଟିଆକୁମ୍ଭୀର ପଡ଼ିଅଛନ୍ତି । ସବୁଦିନେ ପଡ଼ନ୍ତି । ଏମାନେ କି ସକାଶେ ଦୀଘିରେ ଅଛନ୍ତି ? କଣ ଖାଇ ବଞ୍ଚନ୍ତି ? ସେମାନେ କି ଗୋରୁଗାଈ ପରି ପଡ଼ିଆରେ ଘାସ ଚରିବାରେ କେହି ଦେଖିଅଛନ୍ତି ? ନା, ଜୈନମାନଙ୍କ ପରି ଅହିଂସା ପରମ ଧର୍ମ ଜାଣନ୍ତି ? ଅବଶ୍ୟ ଦୀଘିରୁ କୌଣସି ପଦାର୍ଥ ଖାଇ ବଞ୍ଚିଅଛନ୍ତି ? ସେ କି ପଦାର୍ଥ ? ଥଣ୍ଟିଆ କୁମ୍ଭୀରମାନଙ୍କର ଆଉ ଗୋଟିଏ ନାମ ମାଛୁଆ କୁମ୍ଭୀର, ଅର୍ଥାତ୍ ଏମାନେ ମା ଖାଆନ୍ତି । କେହି କହିବେ, ଏମାନେ ମାଛ ଖାଆନ୍ତି ସତ୍ୟ, ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି । ହାଟରେ ମାଛ ଶୁଖୁଆ ମିଳେ ସତ୍ୟ, ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେଭେ ଦେଖାନାହିଁ । ଆଉ ଗାଁଆକୁ କେଉଟୁଣୀମାନେ ମାଛବିକିବାକୁ ଆସିଲେ ଗାଁ ମାଇକିନିଆମାନେ ଧାନ ଚାଉଳ ଦେଇ ମାଛ ବଦଳାନ୍ତି । ଆମ୍ଭେମାନେ ଶପଥ କରି କହିପାରୁ, କୁମ୍ଭୀରମାନେ ତ ସେପରି ଧାନ ଚାଉଳ ଦେଇ ମାଛ କିଣିବାର କେଭେ ଦେଖିନାହୁଁ । ସୁତରାଂ ପ୍ରମାଣ ହେଲା, ଦୀଘିରେ ମାଛ ଅଛନ୍ତି । ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ, ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି । ଏହି ଦେଖନ୍ତୁ ଚାରିଟା କାଦୁଅ ଖୁମ୍ପି ଗୋଟିପୁଅ ପିଲାଙ୍କ ପରି ନାଚି କୁଦି ବୁଲୁଅଛନ୍ତି । ତୋଡ଼ୀ ପିଲାଟିର, ଦଣ୍ତେଇ ପଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ । କେହି କହିବେ, କାଦୁଅଖୁମ୍ପିଗୁଡ଼ାକ କି ନିଷ୍ଠୁର, କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ ? ଭାଇ, କଣ କହିବୁଁ ବିଚାରୀ କାଦୁଅଖୁମ୍ପିକୁ ନିଷ୍ଠୁର ବୋଲ, ଦୁଷ୍ଟ ବୋଲ, ସୟତାନ ବୋଲ, ଯାହା ବୋଲ, ସେ କିଛି ତୁମ ନାମରେ ହୁରମତ ବାହାରର ନାଲିସ୍ ରୁଜ୍ଜୁକରିବ ନାହିଁ, କିନ୍ତୁ ଜାଣିବ, ତୁମ ମନୁଷ୍ୟ ଜାତିଭାଇ ମଧ୍ୟରେ ଯେ ଯେତେ ବେକ ଚିପିପାରେ, ସେ ଯେ ତେଡ଼େ ବାହାଦୂର, ସେହି ମାନ୍ୟ, ସେହି ଗଣ୍ୟ, ‘ସ ଚ ଦର୍ଶନୀୟ’ ଏ କଥା କି ଜାଣନ୍ତି ନାହିଁ ? ଚାରିପାଞ୍ଚ ଗଣ୍ତା ଧଳା ବଗ, ଚାରି ପାଞ୍ଚ ଗୋଟି କାଣ୍ଟିବଗ ନୀଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏଁ କାଦୁଅ ଚକଟୁଛନ୍ତି । ଦୀଘିରେ ମାଛ ଥିବାର ଏହା ତୃତୀୟ ପ୍ରମାଣ । ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ୟରେ ଦୁଇ ଚାରି ଡୁବମାରି ପେଟ ପୁରାଇ ଫର କରି ଉଡ଼ିଗଲେ । ଗୋଟାଏ ପାଣିକାଉ ମେମ୍‍ ସାହେବଙ୍କ ଗାଉନ୍ ପରି କୂଳରେ ବସି ଡେଣା ସୁଖାଉଅଛି । ସେ ହିନ୍ଦୁଧର୍ମୀ ବଗମାନେ, ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟ ପୁରାଇ ଚାଲିଗଲେ । ଦୀଘିକୂଳର ବରଗଛରେ ତୁମ୍ଭମାନଙ୍କର ବସା, ଦିନଯାକ ପାଣି ଚକଟି ଚକଟି ଦଣ୍ତେଇ ପିଲା, କେରାଣ୍ତି ପିଲାରୁ ଅଧିକ କିଛି ପାଉନାହିଁ । ଜୀବନସଂଗ୍ରାମ କାଳ ଉପସ୍ଥିତ, ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ ।

 

ଚିଲ ଖୁବ୍‍ ସିଆଣା, ଭାରି ହୁସିଆର, ଗୁରୁ ଗୋସାଇଁଙ୍କ ପରି ଡାଳରେ ତୁନି ହୋଇ ବସିଅଛି, ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇ ନିଏ, ସେଥିରେ ତାହାର ଦିନକ କଟିଯାଏ । ଗୋସାଇଁମାନେ ବରଷକ ଯାକ ପିଣ୍ତାରୁ ଓହ୍ଲାନ୍ତି ନାହିଁ, ବରଷକୁ ଥରେ ଶିଷ୍ୟ ଦୁଆରକୁ ଝାମ୍ପିମାରନ୍ତି ।

 

ବଗଚରାଠରୁ ଚାଳିଶ ପଞ୍ଚାଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ା ପୂର୍ଣ୍ଣ । ସେହି ଦଳ ମଧ୍ୟରୁ ହିନ୍ଦୁଘର ଭୁଆଷୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢାଙ୍କିଢୁଙ୍କି ରହନ୍ତି । ସେଥି ମଧ୍ୟରେ ପାଣିଶିମୂଳି ଫୁଲଗୁଡ଼ିକ ଅଭିଆଡ଼ୀ ଝିଅଙ୍କପରି ଲାଜ ନାହିଁ, ସରମ ନାହିଁ, ଦିନରାତି ପବନରେ ଫକ୍ ଫକ୍ ଡେଉଁଛନ୍ତି ପାଣିଭିତରକୁ । ରତାକଇଁ ଏମାନେ ଶିକ୍ଷିତା ଖ୍ରୀଷ୍ଟାନ୍ ଲେଡ଼ି, କଇଁଦଳରୁ ବାହାରି ଗଲେଣି, ପଦ୍ମ ଦଳରେ ମିଶିପାରି ନାହାନ୍ତି । ଦୀଘିମଝିରେ ଦଳ ନାହିଁ । ରାତିରେ ବୁଢ଼ୀମଙ୍ଗଳା ଠାକୁରାଣୀ ବୁଲନ୍ତି, ସେଥିସକାଶେ ଦଳ ହୋଇପାରେ ନାହିଁ । ଭାରତ କବିଙ୍କର ସର୍ବସ୍ୱଧନ ଲକ୍ଷ୍ମୀଙ୍କର ନିବାସ, ସରସ୍ୱତୀଙ୍କର ଆସନ, ବ୍ରହ୍ମାଙ୍କର ଜନ୍ମସ୍ଥାନ ପଦ୍ମ ବନରେ ପୂର୍ଣ୍ଣ । ଫୁଲଗୁଡ଼ିକରେ ଠାକୁରାଣୀଙ୍କର ଷୋଳପଣି ଅଧିକାର । ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା । ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣିଭିତରକୁ ଭିଡ଼ିନେଲେ । ସେହିଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ ।

 

ଅସୁର ଦୀଘିରେ ଚାରିଟା ତୁଠ, ଧରିବାକୁ ଗଲେ ତିନିଟା । ଦକ୍ଷିଣ ତୁଠଟାକୁ କେହି ଯାନ୍ତି ନାହିଁ । ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ, ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖିନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ୱତ୍‌ଥ ଗଛ ଅଛି, ସେଥିରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ଥଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଲୋକ ଦେଖିଛନ୍ତି । କିଏ କିଏ ଦେଖିଛନ୍ତି, ନାମ ଜଣାନାହିଁ, କିନ୍ତୁ ଦେଖିବାର ସତ । ଆହୁରି ମଧ୍ୟ ଏହି ଆଡ଼ିରେ ଅନେକ ପିଚାଶୁଣି, ଡାଙ୍କୁଣି ସବୁଦିନେ ଘରକରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛ ଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି । ପୂର୍ବ ତରଫରେ ଧୋବାତୁଠ । ଦୁଇଜଣ ଧୋବା ଇଶ୍ ଇଶ୍, ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି । ‘ଗାଁ ପରିଗୁଣ ଧୋବା ତୁଠରୁ ଜଣା ।’ ଅଖାପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦା ହୋଇଅଛି । ଲୁଗା ସିଝାଇବା ଶୁଖାଇବା କାମରେ ଚାରି ଜଣ ଧୋବଣୀ ଲାଗିଛନ୍ତି । ଉତ୍ତର ପଶ୍ଚିମ କୋଣରେ ତନ୍ତୀତୁଠ । ଗାଁ ମଝାଲରେ ଥିବାରୁ ସେଠାରେ ସକାଳେ ମାଇକିନିଆମାନଙ୍କର ହାଟ ବସେ । ହାଟ ନାମ ଶୁଣି ଆପଣମାନେ ମନେ କରିବେ ନାହିଁ ଯେ, ଏଠାରେ ମାଇକିନିଆ କିଣାବିକା ହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁ । ରାନ୍ଧୁଣୀ ଗାଧୁଆବେଳେ ଭାରି ଭିଡ଼ ହୁଏ ।

 

ଗ୍ରାମରେ ଡେଲିନିଉଜ୍ ଖବରକାଗଜ ଛାପା ହେଉଥିଲେ, ସମ୍ପାଦକଙ୍କୁ ସମ୍ବାଦ ସଂଗ୍ରହ ନିମନ୍ତେ ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ । ଖଣ୍ତେ ପେନ୍‌ସିଲ୍ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତେ । ଗଲା ରାତିରେ କାହା ଘରେ କଣ ରନ୍ଧା ହୋଇଥିଲା, ଆଜି ରାନ୍ଧଣାର କି ବ୍ୟବସ୍ଥା, କିଏ କେତେବେଳେ ଶୋଇଲା, କାହାକୁ କେତେ ମଶାକାମୁଡ଼ିଲା, କାହା ଘରେ ଲୁଣ ନ ଥିଲା, କିଏ ତେଲ ଟିକିଏ କାଳି ଆଣିଛି, ରାମା ମା ଘର ନୂଆ ବୋହୂଟା ବଡ଼ କଳିହୁଡ଼ୀ, କାଲି ଆସିଲା, ଆଜି ଶାଶୁକୁ ଜବାବ ଦେଲାଣି, କମଳୀ କେବେ ଶାଶୁଘରକୁ ଯିବ, ସରସ୍ୱତୀ ଝିଅ ବଡ଼ ଭଲ, ରାନ୍ଧେ ଯେପରି ଲାଜସରମ ସେହିପରି । ପଦୀ ପାଣିରେ ବସି ଦାନ୍ତ ଘଷୁ ଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଅଛି, ସାରମର୍ମ, ତା ପରି ରାନ୍ଧୁଣୀ ଗ୍ରାମରେ ନାହାନ୍ତି, ଇତ୍ୟାଦି ଇତ୍ୟାଦି ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି । କେତେଜଣ ସୁନ୍ଦରୀ ମୁଖର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ପଣତକାନିରେ ମୁହଁ ରଗଡ଼ୁଛନ୍ତି । ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀରେ ଉପର ନାକ ଦୁଇପୁଡ଼ା ରଙ୍ଗା କରି ପକାଇଲାଣି । ବିମଳୀ ପାଣି ପାଖରେ ବସି ଆପଣା ହାତର ବାଇଶ ପଳିଆ ପିତଳ ବାହିବଳା ଅଧବୋଝେ ବାଲି ପକାଇ ସବଳେ ମର୍ଦ୍ଦନ କରୁ କରୁ କୌଣସି ଅଜ୍ଞାତନାମା ଲୋକ ଉଦ୍ଦେଶ୍ୟରେ ଅଭିଧାନ ବହିର୍ଭୁତ ଶବ୍ଦମାନ ପ୍ରୟୋଗପୂର୍ବକ ଏକ ଦୀର୍ଘବକ୍ତୃତା ଆରମ୍ଭ କରିଅଛି । ଗଲା ରାତିରେ ତାହାର କଖାରୁ ଗଛ କାହାର ଗୋରୁ ଖାଇବା ବକ୍ତୃତାର ବିଷୟ ଅଟେ । ବିମଳୀ କ୍ରମଶଃ ଗୋସ୍ୱାମୀର ଊର୍ଦ୍ଧ୍ୱତନ ତିନି ପୁରୁଷ ପ୍ରତି କୁତ୍ସିତ ପଦାର୍ଥ ବିଶେଷରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା, ଆପଣା ବାଡ଼ିର ଉର୍ବରତ୍ୱ ଏବଂ କୁଷ୍ମାଣ୍ତବୃକ୍ଷର ତେଜସ୍ୱୀତା ଏବଂ ଅତିଶୀଘ୍ର ଗୋସ୍ୱାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ଦାନସ୍ୱରୂପ ଦିଆଯିବ, ସେ ସମ୍ବନ୍ଧରେ ବିବିଧ ପ୍ରମାଣମାନ ପ୍ରୟୋଗ କରୁଅଛି । ଆମ୍ଭେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ଭାଦ ସଂଗ୍ରହ କରିଥାନ୍ତୁ, ମାତ୍ର ହଠାତ୍ ମାରକଣ୍ତିଆ ମା ଆଉ ଯଶୋଦା ମଧ୍ୟରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା ।

 

ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା । ପାଞ୍ଚ ବରଷିଆ ପିଲା ମାରକଣ୍ତିଆ କୁଦି ନାଚି ପାଣି ଗୋଳିଆ କଲା ଏବଂ ଉପରେ ପାଣିଛିଟିକା ପକାଇବାରୁ ଯଶୋଦା ପାଣିରୁ ଉଠିପଡ଼ି ଚିତ୍କାର କରି କୁତ୍ସିତ ଭାବରେ ପିଲାଟିକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁ ଅଳ୍ପତା କାମନା କରିବାରୁ ମାରକଣ୍ତିଆ ମା ଧାଇଁଆସି ସମାନ ସ୍ୱରରେ ଉପଯୁକ୍ତ ଉତ୍ତର ଦେବାକୁ ଲାଗିଲା । ଅବଶେଷରେ ମାରକଣ୍ଡିଆ ମା ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି, ପାଣକଳସି କାଖରେ ବରବର ହୋଇ ମାରକଣ୍ତିଆର ହସ୍ତଧାରଣପୂର୍ବକ ଗୃହାଭିମୁଖେ ଗମନ, ଭେଁ ଭେଁ କରି ଦାନ୍ତ ନିଷିଡି ମାରକଣ୍ତିଆ କ୍ରନ୍ଦନ, ଇତି ଯୁଦ୍ଧକାଣ୍ତ ।

 

ବଜ୍ର ପଡ଼ିଯାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢେର୍ ବେଳଯାଏ ରହେ । କଳି ଭାଙ୍ଗିଲାଣି, କିନ୍ତୁ ସମାଲୋଚନା ଅନେକ ବେଳଯାଏ ଚଳିଲା । ଦରବୁଢ଼ୀ ଓ ବୁଢ଼ୀ ମାଇକିନିଆମାନେ ଦୁଇ ଦଳ ହୋଇ କେହି ମାରକଣ୍ତିଆର କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ । ଆମ୍ଭେମାନେ କିନ୍ତୁ ସମ୍ପୂର୍ଣ୍ଣରୂପେ ଯଶୋଦାର ପକ୍ଷପାତୀ । ବିଶେଷ ବିବେଚନା ଏବଂ ସୂକ୍ଷ୍ମ ବିଚାରଦ୍ୱାରା ବୁଝିଅଛୁଁ, ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ତିଆ । ସେ ସମ୍ପୂର୍ଣ୍ଣରୂପେ ଦୋଷୀ, ତାହାର ଅପରାଧ ଅମାର୍ଜନୀୟ । ତାହାକୁ ଆହୁରି ଗାଳିଦିଅ, ମାର କି ଯାହା କର, ଆମେମାନେ ସେଥି ସକାଶେ ଜବାବଦେହୀ କରିବାକୁ ପ୍ରସ୍ତୁତ ଅଛୁଁ । ଦେଖନ୍ତୁ, ଜଳ ଲୋକମାନଙ୍କର ଜୀବନ, ପୁଣି ତନ୍ତିତୁଠ ଜଳ ସମସ୍ତେ ପିଅନ୍ତି, ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ ? ଦେଖ ତ, ପଣେ କି ଛ କୋଡ଼ି ମାଇକିନିଆ ଗାଧୋଇବାକୁ ଆସିଲେ, ପ୍ରାୟ ସମସ୍ତେ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ । ନବଫେନ ଖଣ୍ତବତ୍ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି, ଈଷତ୍ ଲୋହିତ ପାଟଳାଭ ଜିଭଜଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି, ସେଥି ସହିତ ଆଉ କଣ ଭାସୁଛି କି ନାହିଁ ବୋଲାଯାଇ ନ ପାରେ, କାରଣ ସମସ୍ତ ସ୍ତ୍ରୀଲୋକ ପଡ଼ିଆରୁ ଆସି ଜଳ ଶୌଚ କରିଅଛନ୍ତି । ଆଉ ଲୋକକଥା ଛାଡ଼, ନିଜେ ଯଶୋଦା ସେହିପରି କରୁଥିବାର ତାକୁ ପଚାରିଲେ ସେ ଅସ୍ୱୀକାର କରିବ ନାହିଁ । ଏହା ତ ସନାତନ ପ୍ରଚଳିତ ପ୍ରଥା, ଅପରାଧର କଥା ଯେ ଲୁଚାଇବୁଁ ? ଜଣେ ମସ୍କରାଲୋକ କହୁଥିଲା, ମାଇକିନିଆମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି, ତାହାର ପା’ଭାଗ ଜଳ ଛାଡ଼ିଯାଆନ୍ତି । ଏ କଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମ୍ଭମାନଙ୍କ ଚକ୍ଷୁର ଅଗୋଚର । କେତେଜଣ ଶୋଇବା ହେଁସ କାଚି ନେଇଗଲେ, ସାନ ସାନ ପିଲାଙ୍କର ଶେଯ କନ୍ଥା, ଆହୁରି ନାନା ପ୍ରକାର କନା କତରା କଚା ହେବାର ଦେଖାଗଲା, ସେ ଯାହାହେଉ, ସ୍ତ୍ରୀଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେହେଁ ମାରକଣ୍ତିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ? ଏଥିସକାଶେ ଆମ୍ଭେମାନେ ବୋଲୁଅଛୁଁ, ମାରକଣ୍ତିଆର ଅପରାଧ ନିତାନ୍ତ ଉତ୍କଟ ଅଟେ ।

 

ତନ୍ତୀ ତୁଠକୁ ତିନିଶ କଦମ ଛାଡ଼ି ସାଆନ୍ତ ତୁଠ । ସକାଳ ଓଳି ଏ ତୁଠକୁ କେହି ସ୍ତ୍ରୀଲୋକ ଯାଆନ୍ତି ନାହିଁ, ସମ୍ପୁର୍ଣ୍ଣରୂପେ ପୁରୁଷମାନଙ୍କର ଦଖଲ । ବୈଶାଖମାସିଆ ଦିନ, ବେଳ ଛଅଘଡ଼ି ନୋହୁଣୁ ଆକାଶରୁ ନିଆଁ ଛିଣ୍ତି ତାତି ପବନଟା ଦେହରେ ଝାଁ ଝାଁ ବାଜୁଅଛି । ଚାଷବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗିଧୂଆଁ ଉଡ଼ିଲା ପରି ଜଣାଯାଉଅଛି । ଘାଟରେ ଲୋକ ପୁରିଗଲେଣି-। ଅନ୍ଧାର ପକ୍ଷ ପିଛିଲା ଜହ୍ନରାତି ତିନି ପହରବେଳେ ଚଷାମାନେ ହଳଯୋଚି ଦେଇଥିଲେ, ସମସ୍ତଙ୍କର ହଳ ଫିଟିଲାଣି । କେହିଘର କାନ୍ଥରେ ଲଙ୍ଗଳ ଆଉଜାଇ ଦେଇ ତେଲ ଟିକିଏ ମୁଣ୍ତରେ ପାଞ୍ଚ ଆଙ୍ଗୁଳିଆ କରି ଦେହରେ ବୋଳିହୋଇ ଆସିଅଛି, କାହାକାନ୍ଧରେ ଅର୍ଦ୍ଧଅଙ୍ଗୁଳି ମୋଟା ତୋରାଣି ପକା ଗାମୁଛା, କେହି ନିର୍ଗାମୁଛା, କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ଜୁଆଳି ବାହାର କରି ରଖି ପାଣିରେ ପଶିଗଲେ । କେତେ ହଳ ବଳଦ ପେଟେ ପେଟେ ପାଣିପିଇ କୂଳରେ ଚରୁଛନ୍ତି । କେତେଜଣ ଶୁଖିଲା ଦାନ୍ତ କାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭଛେଲି କୂଳକୁ ଦାନ୍ତକାଠି ଫୋପାଡ଼ି ଦେଲେ । ତୁଠ ଦୁଇ ପାଖରେ ଅଧ ଶଗଡ଼େ ଶୁଖିଲା ଦାନ୍ତକାଠି ଜମାହୋଇ ଅଛି । ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଅନ୍ତି ତାହାନୁହେଁ, ମାଇକିନିଆମାନଙ୍କ ପରି ଢେର କଥା କହନ୍ତି, ମାତ୍ର ସେହି ଏକରକମ କଥା, ସେହି ପୁରୁଣାକଥା, ସେଗୁଡ଼ାକ ଲେଖିଲେ କଣ ହେବ ? କିଆ ଗୋହିରୀରେ କେତେ ପଣି ବୁଣା ସରିଲାଣି, ବରଚକ ଆଜି ଦୋହଡ଼ା ସରିଲା, ରାମା ବଡ଼ ଗହୀରରେ ଅକ୍ଷିମୁଠି ପକାଇଲା, ଭୀମା ବଳଦ ଚଞ୍ଚଳିଆ, ସାଆନ୍ତ ଘର ଧଳାବଳଦ ଯୋଡ଼ାକ ବଳଦ ନୁହନ୍ତି ତ, ଯୋଡ଼ାଏ ହାତୀପିଲା । ମୁଁ କସରା ବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି, ସାଆନ୍ତ ଘର କରଜ ଅମାର ଏହି ମାସରେ ଫିଟିବ, ଏହି ମାସ ପନ୍ଦର ଦିନରେ ଶ୍ରାବଣ ପଶିବ, ନାହାକ କହିଛି ଲଗାଣ ହେବ । ଏ ସବୁ କଥା ସମସ୍ତଙ୍କୁ ଜଣା, ଅଧିକ କରି କଣ ଲେଖିବୁଁ ?

•••

 

ତ୍ରୟୋଦଶ ପରିଚ୍ଛେଦ

ହିତୋପଦେଶ

 

ପ୍ରଥମା – ଭାରି ତ ଫୁସ୍ ଫୁସ୍ ?

ଦ୍ୱିତୀୟା – ଉଠିବ ପରା ବାସ ।

ପ୍ରଥମା – ଚାଷ କି ବାସ ?

ଦ୍ୱିତୀୟା – ସର୍ବନାଶ ।

ଏ କିଏରେ ବାପା ! ତନ୍ତୀ ତୁଠରେ କବିତା ।

 

ରାନ୍ଧୁଣୀ ଗାଧୁଆବେଳେ ଗଡ଼ିଗଲାଣି, ତନ୍ତୀ ତୁଠରେ ଦିଓଟି ଦରବୁଢ଼ୀ ଦଶ ଦଶ ହାତ ଛାଡ଼ି ବସି ଦାନ୍ତ ଘଷୁ ଘଷୁ ଏ କଥାଗୁଡ଼ିକ କହି ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲେ, ମୁରୁକି ହସି ପୁଣି ଡରିଗଲା ପରି ତୁନିହେଲେ ।

 

ତୁମ୍ଭେ ପାଟିକରି କଥା କହ, ସେଥିରେ କେହି ମନ ଦେବେନାହିଁ, ନିହାତି ପାଖଲୋକ ମଧ୍ୟ ନ ଶୁଣିଲା ପରି ରହିବେ, କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ, ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ସମସ୍ତଙ୍କ ମନ ଗୁଡ଼େଇ ପୁଡ଼େଇ ହେଉଥାଏ । ବାସ୍ତବିକ୍ ସାନ ମଞ୍ଜି ଭିତରେ ବଡ଼ ଗଛ ଲୁଚି ରହିଲା ପରି ତୁନି କଥା ମଧ୍ୟରେ କେବେ କେବେ ଭାରି କାରଖାନା ଥାଏ । ତୁଠରେ ତ ଆଉ କେହି ନାହିଁ, ଦରବୁଢ଼ୀ ଦିଓଟି କି ସକାଶେ ତୁନି ତୁନି ଇଶାରାରେ ଏପରି କଥା କହିଲେ, ପୁଣି ଡରିଯାଇ ତୁନି ହେଲେ ?

 

ତନ୍ତୀତୁଠର ପାଣି ଗଡ଼ନ୍ତି ଡାହାଣହାତି ଅଧାଅଧି ବାଟକୁ କୋଡ଼ିଏ ହାତ ଅନ୍ଦାଜ ଛାଡ଼ି ଯାଉଁଳି ବର ଅଶ୍ୱତ୍‌ଥ ଗଛ ଲଗାଲଗି ହୋଇ ରହିଅଛି । ଗଛ ଦିଓଟି ଅଧା ଭଳିଆ ଥାକୁଲ ଥୁକୁଲ, ପୁଣି ସେଥିରେ କଅଁଳ ପତ୍ର ଲଦି ହୋଇଅଛି । ଘାଟପାଖ ବାଟ ପାଖରେ ବର ଅଶ୍ୱତ୍‌ଥ ବିଭା କରାଇଦେଲେ କନ୍ୟା ଦାନର ଫଳ ମିଳେ । ହିନ୍ଦୁମାନଙ୍କର ଏହି ସଂସ୍କାରର ଚିହ୍ନ ଅନେକ ସ୍ଥାନରେ ଦେଖାଯାଏ । ମାଇକିନିଆ ଦିଓଟି କଥା କହୁ କହୁ ସେହି ଗଛର ମୂଳକୁ ଦୁଇ ତିନି ଥର ଅନାଇଥିଲେ । ଏବେ କଥା କାହିଁ ଯାଏ ? ଚୋର ତ ଅନ୍ଧାର ରାତିରେ ଖୁବ୍‍ ହୁସିଆରୀରେ ଚୋରି କରେ, ଜେଲଖାନାକୁ ଏତେ କଏଦୀ କାହୁଁ ଅଇଲେ ? ବୁଦ୍ଧିମାନ୍‍ ହୁସିଆର ଗୋଏନ୍ଦା ଆଖିରେ ଧୂଳି ପକାଇବା ସହଜୁ କଥା ନୁହେଁ । ଅବଶ୍ୟ ଗଛମୂଳର ପଦାର୍ଥ ବିଶେଷ ସହିତ ଏମାନଙ୍କ କଥାର ଘନିଷ୍ଠ ସମ୍ବନ୍ଧ ଅଛି । ଠିକ୍ ଆମ୍ଭମାନଙ୍କ ଅନୁମାନ ସମ୍ପୂର୍ଣ୍ଣ ଠିକ । ଖିଅ ମୁଣ୍ତଟି ହାତରେ ପଡ଼ିଲେ ବୁଦ୍ଧିମାନ ଜାଣିବ, ଟିକିଏ ସଙ୍କୁନ ଦେଇ ସବୁକଥା ଆମମାନଙ୍କଠାରୁ ଶୁଣିଯାଅ । ଯାଉଁଳିଗଛ ଉହାଡ଼ରେ ଦିଓଟି ସ୍ତ୍ରୀ ବସି କଣ କୁହାକୁହି ହେଉଛନ୍ତି । ମଲା–ଯା ! ଏମାନଙ୍କୁ ଯେ ଆମେମାନେ ଭଲ କରି ଚିହ୍ନୁ ! ଅସମୟରେ ଆସ୍ଥାନରେ ଏମାନେ ବସି କଣ କହୁଛନ୍ତି ? ମିଳନଟା ମଧ୍ୟ ଭାରି ଚମତ୍କାର ରକମର । ଗୋଟିଏ ଧୂର୍ତ୍ତା ନଷ୍ଟ ପ୍ରକୃତି ଶୃଗାଳୀ, ଆଉଗୋଟିଏ ଠିକ୍ ବିପରୀତ–ନିତାନ୍ତ ନିରୀହ ମେଣ୍ଢୀ । ଦୁହିଁଙ୍କ ମଧ୍ୟରୁ ଜଣେ ନାକବସାଣୀ ଟେକି ସାପୁଣୀଫଣା ଟେକି ସାବଧାନତା ସହିତ ଅନାଇ ଅନର୍ଗଳ ବକ୍ତୃତା ଓଜାଡ଼ି ପକାଉଅଛି । ଦ୍ୱିତୀୟାର ପାଖରେ ପାଣି ମାଠିଆଟି ଥୁଆ, ଡାହାଣ ହାତରେ ଦାନ୍ତକାଠି ଖଣ୍ତିଏ ମୁଠା, କପାଳଯାଏ ଓଢ଼ଣା ଟଣା । ଗୋଟିଏ ଉତ୍କଟ ଶବ୍ଦ ଶୁଣିଲେ ମେଣ୍ଢି ଯେପରି ସେହି ଦିଗକୁ ତାଟକା ହୋଇ ଚାହିଁ ରହିଥାଏ, ସେହିପରି ସେହି ସ୍ତ୍ରୀଟି ‘ସ୍ଥିର ମନ ଧୀର ବୁଦ୍ଧି ପଞ୍ଚଭୂତ ଆତ୍ମା ଦୋରସ୍ତ ନିର୍ମଳ ହୃଦୟ କମଳ’ରେ ଶୁକଦେବଙ୍କ ମୁଖରୁ ପରୀକ୍ଷିତ ପୁରାଣ ଶୁଣିଲା ପରି ବାକ୍ୟାବଳୀ ଶ୍ରବଣ କରୁଅଛି । ମାତ୍ର ସେଗୁଡ଼ିକ ତାହା ମସ୍ତକଭଣ୍ତାରରେ ସଞ୍ଚିତ ହେଉଅଛି କି ଆର କାନବାଟେ ସଳଖେ ସଳଖେ ବାହାରି ଯାଉଅଛି, ତାହାର ସ୍ଥିରତା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ ।

 

ଆପଣ ଅବଶ୍ୟ ସେମାନଙ୍କ କଥା ଶୁଣିବାକୁ ଇଚ୍ଛା କରିବେ,ସନ୍ଦେହ ନାସ୍ତି । ଜଣେ ମୁତୁଆଲା କହିଥିଲା,

 

‘‘ସଂସାର ବିଷବୃକ୍ଷସ୍ୟ ମଦ୍ୟମାଂସାମୃତ ଫଳଂ ।’’

 

ଅର୍ଥାତ୍‍ ସଂସାରରୂପ ବିଷବୃକ୍ଷରେ ମଦ୍ୟ, ମାଂସ ଏହି ଦିଓଟି ଫଳ ଫଳିଅଛି । ଏକଥା ଶୁଣି ବୃଦ୍ଧ ମନୁ ବୋଇଲେ–

 

‘‘ନ ମାଂସଭକ୍ଷଣେ ଦୋଷ ନ ମଦ୍ୟେ–

ପ୍ରବୃତ୍ତିରେଷା ଭୂତାନାଂ–’’

 

ଅର୍ଥାତ୍– ଭୂତମାନେ ବା ଭୂତପରି ଲୋକମାନେ ଏପରି କଥା କହନ୍ତି । ଠିକ୍ କଥା, ‘ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟଂ ।’ ମାତ୍ର ସଂସାରରୂପ ବିଷବୃକ୍ଷରେ ଯେ ଦୁଇଗୋଟି ଅମୃତ ଫଳ ଫଳିଅଛି, ଏକଥା ଠିକ୍‍ ସତ୍ୟ । ଚିହ୍ନରା କିଏ ? କେବଳ ଆମ୍ଭମାନଙ୍କୁ ସେ ଫଳ ଦିଓଟି ଜଣା ‘ପରୋପକାରଂ ସ୍ୱର୍ଗୀୟ’ । ପରର ଉପକାର କରିବା ହେଉଛି ଆମମାନଙ୍କର ବ୍ରତ । ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରୁଅଛୁ । ଗୋଟିଏ ଫଳର ନାମ ତୁନି କଥା ଶୁଣିବାକୁ ଇଚ୍ଛା, ଆଉ ଗୋଟିକର ନାମ ପରନିନ୍ଦା । ତୁମେ କାହାରି ଘରର ଗୁପ୍ତ ଛିଦ୍ର କଥା କହ କି କାହାର ନିନ୍ଦା କର, ଦେଖିବ, ଲୋକମାନେ ଭାରି ଆନନ୍ଦରେ ମନ ଦେଇ ଶୁଣିବେ । ବୁଝିବା ହେଲେଟି କି ? ଫଳର ମାହାତ୍ମ୍ୟ ନ ଥିଲେ କି ତାହାର ଏଡ଼େ ଆନନ୍ଦ ହୁଅନ୍ତା ?

 

ଆମ୍ଭେମାନେ କଣ ଲେଖିବାକୁ ଯାଇ କଣ ଲେଖି ପକାଉଅଛୁଁ । ଯେତେବେଳରେ ଆହୁଲା ଭିଡ଼, ପାଣିସୁଅଟା ନାଆକୁ ଲକ୍ଷ୍ୟସ୍ଥାନରୁ ଦୂରକୁ ଟାଣିନିଏ । ମାତ୍ର ଟାଣୁଆ ନାଉରୀ ମଙ୍ଗ ଛାଡ଼େ ନାହିଁ । ଆମ୍ଭମାନଙ୍କ କଲମ ଏଣେ ତେଣେ ଯାଉଅଛି ସତ୍ୟ, ମାତ୍ର ମୂଳ କଥାଟା ହଲଚଲ ହୋଇପାରିବ ନାହିଁ, କଥାଟା ଦାଣ୍ତେ ଦାଣ୍ତେ ଚାଲିଥିବ ।

 

ସେ କଥା ଯାଉ, ଆପଣଙ୍କୁ ଆଉ ସନ୍ଦେହରେ ପକାଇ ରଖିବା ଉଚିତ ନୁହେଁ । ଏ ଦିଓଟି ସ୍ତ୍ରୀଲୋକ କିଏ, କି କି କଥା କହୁଅଛନ୍ତି, ସବୁ ଖୋଲାସା କରି କହିଦେବା ଉଚିତ । କୌଣସି କୌଣସି ଲୋକ ଅନେକ କଥା କହିବା ଆଗରୁ ଅନେକ ମୁଖବନ୍ଧ, ଅନେକ ବକ୍ତୃତା କରିବସନ୍ତି, ମାତ୍ର ଆମ୍ଭମାନଙ୍କର ସ୍ୱଭାବ ଏହାର ସମ୍ପୂର୍ଣ୍ଣ ବିପରୀତ । ଯା ବୋଲିବାର ପରିଷ୍କାର କରି ଝଟପଟ କହି ପକାଉ । ଆଉ ଅନେକ ଲୋକ ଭୟରେ ଅନେକ କଥା ଲୁଚାନ୍ତି କିମ୍ବା କହୁ କହୁ କଣ କହିପକାନ୍ତି । ଏହି ଦେଖନ୍ତୁ ନା, ଦରବୁଢ଼ୀ ମାଇକିନିଆ ଦିଓଟି ଇଶାରାରେ କଣ କହୁ କହୁ ତୁନିତୁନି ହୋଇଗଲେ । ମାତ୍ର ତନ୍ତୀଆଣୀ ମାଇକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି । ବୀର ପରି ସବୁକଥା କହିଯିବୁଁ । ଆଉ ଗୋଟିଏ କଥା କଣ ଜାଣନ୍ତି ? ଆମ୍ଭ ଭଳିଆ ଲୋକ ଡକାପାଡ଼ିଲେ ମଧ୍ୟ କେହି ଶୁଣିବାକୁ ନାହିଁ, କିନ୍ତୁ କେହି ପ୍ରଧାନ ଲୋକ ଆଁ କରିଦେଲେ ଦେଖିବେ ଦୁଇଶ ଲୋକ ତାଙ୍କ ପାଟିକୁ ଅନାଇ ରହିବେ । ବିଲାତର ଲୋକେ ପ୍ରଧାନ ପ୍ରଧାନ ଲୋକଙ୍କ କଥା ଶୁଣିବାପାଇଁ ଅଣ୍ଟାରେ ପଇସା ଖୋସି ଦଉଡ଼ନ୍ତି । ଗଛମୁଳିଆ ସ୍ତ୍ରୀଲୋକ ଦିଓଟି ଗ୍ରାମରେ ସୁବିଖ୍ୟାତ । ଆପଣ ମଧ୍ୟ ସେମାନଙ୍କୁ ଭଲକରି ଚିହ୍ନନ୍ତି । ମନୁଷ୍ୟମାନେ ରୂପରେ ନୁହେଁ, ଗୁଣରେ ସିନା ଚିହ୍ନାଯାନ୍ତି ! ଭଲ ହେଉ ବା ମନ୍ଦ ହେଉ ସାଧାରଣ କଣ୍ଟରୁ ଯାହାର ଗୁଣ ଯେତେ ବେଶି, ସେ ସେତେ ବିଖ୍ୟାତ । ଗୋବିନ୍ଦପୁର ଗ୍ରାମରେ ଊଣା ଅଧିକେ କାହାଣେ ମାଇକିନିଆ ଅଛନ୍ତି, ସେମାନଙ୍କ ମଧ୍ୟରେ ଏ ଦିଓଟି ବଛା । ଗୋଟିଏ ଚତୁରତା ଓ ଧୂର୍ତ୍ତତାରେ, ଆଉ ଗୋଟିଏ ସରଳତା ଓ ନିର୍ବୋଧତାରେ । ଦିଓଟି ବିଖ୍ୟାତ ସ୍ତ୍ରୀଲୋକ, ପୁଣି ଗୁପ୍ତକଥା, ଆପଣ କି ନ ଶୁଣି ଛାଡ଼ିବେ ? ସେଥିସକାଶେ ସିନା ଲେଖିବାକୁ ବସିଅଛୁ ।

 

ଆମ୍ଭେମାନେ ବହୁ ପରିଶ୍ରମ ବହୁ ଯତ୍ନ କରି ସେମାନଙ୍କର କଥା ସଂଗ୍ରହ କରିଅଛୁଁ । ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା । କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ । ତାହାର ସାରମର୍ମ ଲେଖିଅଛୁଁ ।

 

ଦେଖ ସାରିଆ – ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କ ଆଜ୍ଞାରେ ପୃଥ୍ୱୀ ଚଳୁଛି, ସଂସାର ଆତଯାତ ହେଉଚି, ତାଙ୍କ ଆଜ୍ଞା କି ଅନାସ୍ତା ହବ ? କେତେ ବାର ବରତ କରି ଦେବୀଙ୍କ ଆଜ୍ଞା ପାଇଚ, ତୁମର ଖୁବ୍ ଭାଗ୍ୟ, ଏଡ଼େ ଭାଗ୍ୟ କାହିଁ ଦେଖିବାର ନାହିଁ ପରା ! ଏକା ସାଆନ୍ତଙ୍କ ଘର ଉପରେ ଦୟା ଥିଲା, ଏବେ ତମ ଉପରେ ହେଲା । ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇଦିଅ ତ, ଦେଖିବ, ତମ ଘର ଲକ୍ଷ୍ମୀ ଭଣ୍ତାର ହୋଇଯିବ । ପଣ ପଣ, କାହାଣ କାହାଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡ଼ି ଧାଡ଼ି ଧାନ ମରେଇ ବସିଯିବ, ଭଗବାନ କି ଆଉ ତନ୍ତ ବୁଣିବ ? ତମ ପଛରେ ଦଶଜଣ ପୋଇଲୀ ଗୋଡ଼ାଇବେ, ତମେ ମଙ୍ଗଳାଙ୍କ ଆଜ୍ଞା ମାନ, ଯେପରି ହେଉ ମନ୍ଦିରଟା ବନାଇ ଦିଅ । ଟଙ୍କା ସକାଶେ ଭାବନା କଣ ଅଛି ? ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ ? ଆଉ କୁଆଡ଼େ କ୍ୟାଁ ଖୋଜିବ ? ମଙ୍ଗରାଜଙ୍କ କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣି ଦେବେ । ସେ କଥାରେ ମୁଁ ଲଗା ହେଲି, ମୁଁ ଟଙ୍କା ଆଣି ଦେବି, ତୁମକୁ କିଛି କରିବାକୁ ହେବନାହିଁ । ବେଶି ଟଙ୍କା ଲୋଡ଼ା ନାହିଁ, ଦେଢ଼ଶ ଟଙ୍କା ହେଲେ ଖୁବ୍ ଗୋଟାଏ ବଡ଼ ମନ୍ଦିର ହୋଇଯିବ । କେନ୍ଦରାପଡ଼ାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡ଼ା ହେବ । ତମ ଛ ମାଣ ଆଠଗୁଣ୍ଠ ଜମି କଣ୍ଟ ଲେଖିଦେବ, ମୁଁ ଟଙ୍କା ଆଣିଦେବି । ତମ ଜମି ତ କେହି ଘେନିଯିବ ନାହିଁ, ଯେଉଁ ଠା ଜମି ସେହିଠାରେ ରହିବ, କେବଳ ଗୁଜାରେ ଲେଖାଯିବ । ମନ୍ଦିର ବନା ସରିଲେ ତ ତମେ କେତେ ଲୋକଙ୍କୁ ଟଙ୍କା ଦବ । ମା ମଙ୍ଗଳା କିଛି ସଙ୍କୁନ ଦେଇଥିବେ, ନିଶ୍ଚେ ଦେଇଥିବେ । ସେ ପ୍ରଥମେ ଶକୁନ ପରି ଗୋଟିଏ ସୁନାଟଙ୍କା ଦିଅନ୍ତି, ସେ କିଛି ରୂପା ଟଙ୍କା ଦେବେ ?

 

ବତ୍କୃତାକାରିଣୀର କଥା ଯେ ସାରିଆ ହୃଦୟଙ୍ଗମ କରି ପାରିଲା, ଏହା ଆମେମାନେ ବିଶ୍ୱାସ କରିପାରୁ ନାହୁଁ । ସେ ବଲବଲ କରି ଚାହିଁ ରହିଥାଏ । ପଣ ପଣ ଟଙ୍କା, ଦେଢ଼ଶହ ଟଙ୍କାର ଅର୍ଥ ବୁଝିବା ତାହା ପକ୍ଷରେ କି ସହଜ କଥା ? ଟଙ୍କାକର ପଇସା ଗଣିବାକୁ ହେଲେ ସାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳିଦେଇ ଦୁଇ ତିନି ଘଣ୍ଟା ମଧ୍ୟରେ ଗଣିକରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚ ସୁକା କି ଅଠର ଅଣାର ଲୁଗା ବିକ୍ରି ହୁଏ, ସେଦିନ ତାହା ଭାଇ ଲୋକନାଥିଆ ପାଖରୁ ଗଣାଇ ଆଣେ । ଆଉ ତାହା ଘରେ ପାଞ୍ଚ ଛ ଜଣ ପୋଇଲୀ ପଶିବେ, ଏହା ବିପଦ କି ସମ୍ପଦ । ମହାମୁସ୍କିଲ ! ଭଗିଆ ପାଖରେ ନାହିଁ, କରେ କଣ ? ପଳାଇ ପାରିଲେ ରକ୍ଷା । ସାରିଆ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ଥରେ ପାଣି ମାଠିଆକୁ ଅନାଇ – ‘ଚମ୍ପା ସାଆନ୍ତାଣୀ’ ଏତିକି କହି ତୁନି ହେଲା, ଆଉ କିଛି କହିପାରିଲା ନାହିଁ, ମାତ୍ର ଧୂର୍ତ୍ତା ଚତୁର ଚମ୍ପାର କିଛି ବୁଝିବାକୁ ରହିଲା ନାହିଁ । ତାର ମନ୍ତ୍ର ଯେ କିଛି କାଟ କଲା ନାହିଁ, ତାହା ସେ ବେଶ୍ ବୁଝିନେଲା-। ପୁଣି ଶିକାର ହାତରୁ ପଳାଇବା ସକାଶେ ଛଟପଟ ହେଲାଣି । ଢେର ଦିନ ଖୋଜି ଖୋଜି ବିରାଡ଼ି ଇଲିଶି ଧରିଅଛି, ତାହା ଦାଢ଼ରୁ କି ସହଜରେ ପଳାଇବ ? ମନ୍ତ୍ର ବଦଳାଇବା ଦରକାର ।

 

ଚମ୍ପା – ‘‘ଦେଖ ସାରିଆ, ଟଙ୍କାରେ କଣ ଅଛି ସୁନାରେ କଣ ଅଛି ? ଟଙ୍କାସୁନାରେ କେହି ସ୍ୱର୍ଗକୁ ଯାଏ ନାହିଁ । ମୂଳକଥା ପିଲାଝିଲା । ଯେଉଁଘରେ ପିଲା ନାହିଁ, ସେ ଘର ତ ଦିନ ଦିପହରେ ଅନ୍ଧାର । ବାଞ୍ଝ ବରଡ଼ ହେବା କି ଊଣା ପାପ ? ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ । ସେ ଦିନ ଗୋସେଇଁ ପୋଥିରେ ଗାଇଲେ –

 

‘‘ଯାହାର ପିଲାଝିଲା ନାହିଁ,

ସକାଳୁ ତା ମୁହଁ ଚାହିଁବ ନାହିଁ ।

ତିନିପୁଆତୀ ସୁଲକ୍ଷଣୀ

ବାଞ୍ଝବରଡ଼ୀ ଗାଁ ନିଉଛୁଣୀ ।

ଯାହାର ଘରେ ପୁଅ ଝିଅ ନ ଥାଏ,

ସେଇ ମାଇକିନିଆ ବଡ଼ ଦୁଃଖ ପାଏ ।’’

 

ଭାଗବତ ପାଠ କଣ ମିଛ ? ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ତିଆ ମାରୁଛନ୍ତି ? ଆଉ ତମେ ଦେଖିବଟି, ବଡ଼ିସକାଳୁ ତମ ଦୁଆର ବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟାଁ ଚାଲନ୍ତି ନାହିଁ-? ତମ ମୁହଁ ଦେଖିବେ ନାହିଁ ବୋଲି । ତମେ ଶୁଣିଥିବ, ଆମ ସାଆନ୍ତାଣୀ ପ୍ରଥମେ ବାଞ୍ଝ ଥିଲେ, ଦିନ ଘଡ଼ିଏ ଯାଏ ଆମ୍ଭେମାନେ ତାଙ୍କ ମୁହଁ ଚାହୁଁ ନ ଥିଲୁ ପରା । ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା ଦେଲେ, ଦେବୀଙ୍କର ତମ ଉପରେ ଯେପରି ଦୟା ହେଲା ଏବେ ଦେଖ, ନାତି ନାତୁଣୀ ଦେଖିବାକୁ ବସିଲେଣି ।’’

ସାରିଆ ଚାହିଁ ସ୍ୱପ୍ନ ଦେଖୁଅଛି, କଥା ସବୁ ଶୁଣି ତା କାନ ଭାଁ ଭାଁ ଡାକିଲାଣି, ପଳାଇବାକୁ ଇଚ୍ଛା, ବାଟ କାହିଁ ? ବିରାଡ଼ି ମୂଷା ବେକ ମାଡ଼ି ବସିଅଛି । ଦୁଇ ଆଖିରେ ପାଣି ଢଳ ଢଳ କରୁଅଛି । କଥା କହିବାକୁ ଇଚ୍ଛା, ପାଟି ଫିଟୁନାହିଁ । ବହୁତ କଷ୍ଟରେ ପାଟି ଫିଟିଲା ।

ସାରିଆ – ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ ।

ଚମ୍ପା – ରାମ ! ରାମ ! ରାମ ! ଏ କି କଥା କହିଲ ! ମଙ୍ଗଳା କାମକୁ ଟଙ୍କା ଦେବେ, ତମ ଜମି ନେବେ ? ସେ ଗାଁ ଲୋକଙ୍କ କଥା ଶୁଣୁଛ କ୍ୟାଁ ? ଏ ଗୋବିନ୍ଦପୁର ଗାଁଟା ପୃଥୀର ନିଉଁଛଣା । ଏ ଗାଁ ମାଇକିନିଆଏ ଦିନ ଦିପହରେ ବୁଡ଼ାଇ ମାରିବେ ପରା । ତମ ସୁଖ ଦେଖି ସେମାନେ ହାଇଁପାଇଁ ହେଉଛନ୍ତି । ଏ ଗାଁର ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ । ତମେ କାହାରି ପାଖରେ କିଛି କହିବ ନାହିଁ । ଆହୁରି ଦେଖ, ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖି ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରର ତିନିଜଣ ମାଇକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ତ ହୋଇଗଲେ, ତମେ କଣ ଏ କଥା ଶୁଣିନାହଁ ?

ସାରିଆ ନିଶ୍ଚଳ କାଠ ପିତୁଳାଟି ପରି ସବୁକଥା ଶୁଣୁଥିଲା, ଶେଷ କଥାଟା ଶୁଣି ଆଉ ସମ୍ଭାଳିପାରିଲା ନାହିଁ, କାନ୍ଦି ପକାଇଲା । କଇଁ କଇଁ ହେଇ କହିଲା, ମୁଁ କଣ କରିବି ? ଚମ୍ପା ସାଆନ୍ତାଣି, ମୁଁ କଣ କରିବି ?

ଚତୁରା ଚମ୍ପା ଏତେବେଳେ ସାରିଆର ମନକଥା ବେଶ୍ ବୁଝିନେଲା, ମନ୍ତ୍ର କାଟୁ କରୁଥିବାର ଜାଣି ମନ ମଧ୍ୟରେ ଖୁବ୍ ଖୁସିଟାଏ ହୋଇ କହିଲା, ‘‘ଦେଖ ସାରିଆ ! ତମେ କିଛି ଡର ନାହିଁ । ତମକୁ କିଛି କରିବାକୁ ହବ ନାହିଁ, ମୁଁ ସବୁ କରିଦେବି ।’’

 

ସାରିଆ – ନାହିଁ ନାହିଁ, ମୋର କିଛି ଲୋଡ଼ା ନାହିଁ, ସେ ଭଲ ଥାଆନ୍ତୁ ।

 

ଚମ୍ପା – କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ । (ଚମ୍ପା ଦଧିବାମନ ଧଣ୍ତା ଓ ମୂର୍ତ୍ତିଏ ରସକୋରା ମହାରଦ ସାରିଆ ହାତରେ ଦେଇ କହିଲା) ଦେଖ ସାରିଆ, ଏହି ଧଣ୍ତା, ଏହି ମହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରିଦେବି, ତମର ତିନି ପୁଅ ହେବ, ଆଉ ଭଗବାନାର କୋଟିଏ ଆୟୁ ହେବ, କିଛି ଚିନ୍ତା ନାହିଁ ।
 

ସାରିଆ – ମୁଁ କଣ କରିବି ? ଚମ୍ପା ସାଆନ୍ତାଣୀ, ମୁଁ କଣ କରିବି ।

 

ଚମ୍ପା – ତମକୁ କିଛି କରିବାକୁ ହବ ନାହିଁ, ଆଜି ସନ୍ଧ୍ୟାବେଳେ ଭଗବାନ ଓ ତମେ ଦୁଇଜଣ ଏଠିକି ଆସିବ, ଯାହା କରିବାକୁ ହେବ, ମୁଁ କରିଦେବି । ଆଉ ମଙ୍ଗଳା ବରତ ଧଇଲେ ଯେତେବେଳ ଯାଏ ମଙ୍ଗଳାଙ୍କ କାମ ନ ହେଇଚି, ଦୁଇଜଣ ସିନାନ କରି ଓପାସ ରହିଥିବ, ଖାଲି ଅଳ୍ପ ଚୁଡ଼ା ଖାଇବ । ତମେମାନେ ବରତ କଥା ଜାଣି ନାହଁ, ସେଥିପାଇଁ ସବୁ କହୁଛି ।

 

ତାହାବାଦ୍ ସାରିଆ ଧୀରେ ଧୀରେ ଦୀଘି ମଧ୍ୟକୁ ଗାଧୋଇବାକୁ ଗଲା । ଚମ୍ପା କେତେବେଳ ଯାଏ ଗଛମୂଳରେ ଠିଆହୋଇ ଚାରିଆଡ଼କୁ ଅନାଇ ସନ୍ତୁଷ୍ଟ ଚିତ୍ତରେ ସାଆନ୍ତଙ୍କ ଉଆସ ଆଡ଼କୁ ଚାଲିଗଲା ।

 

ଆମ୍ଭେମାନେ ଗୁପ୍ତଭାବରେ ଅନୁସନ୍ଧାନ କରି ସମ୍ବାଦ ପାଇଅଛୁଁ, ସେ ଦିନ ଅଧରାତିଯାଏ ସାରିଆ ଉଆସ ମଧ୍ୟରେ ଥିଲା, ଭଗବାନ କଚେରୀରେ ଥିଲା । ତହିଁଆର ଦିନଠାରୁ ଚାରିଦିନ ଯାଏ ଭଗବାନକୁ ଗାଁ ମଧ୍ୟରେ କେହି ଦେଖିନାହିଁ । ତାହାକୁ କଟକ ବାଟରେ ଲୋକେ ଦେଖିଥିବାର କେହି କେହି କହନ୍ତି ।

•••

 

Unknown

ଚତୁର୍ଦ୍ଦଶ ପରିଚ୍ଛେଦ

ମନ୍ତ୍ରଣା

 

ହୁକେ–ହୁକେ–ହୋ । ହୁକେ–ହୁକେ–ହୋ । ହୁକେ–ହୋ, ବିଲୁଆ ଡାକିଲେ, ଠିକ୍ ଅଧରାତି । ମଫସଲର ଗାଁରେ ଘଡ଼ି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁଁ । ଏହି ପ୍ରାଣୀଗୁଡ଼ିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍ର ଗ୍ରାମରେ ମ୍ୟୁନିସିପାଲିଟି କମିଶନର ନାହାନ୍ତି । ଗ୍ରାମରୁ ମଲା କୁକୁରଟି, ମଲାମୂଷାଟି, ମଲା ବିରାଡ଼ିଟି, ଆଉ ଆଉ ମଇଳା ଦ୍ରବ୍ୟ ଉଠାଇବା କାର୍ଯ୍ୟ ଏମାନଙ୍କ ଜିମା । ଅଧ ରାତି ଗୋବିନ୍ଦପୁର ଗ୍ରାମ ନିସ୍ତବ୍‍ଧ, ଚେଁ-ଭେଁ ଶବ୍ଦଟି ନାହିଁ । ତେଲୀସାହିରେ ଗୋଟିଏ ଶେଯପିଲା କୁଆଁ କୁଉଁଆଁ କରି କାନ୍ଦୁଥିଲା, ତାହାର ମା ନିଦ ଅଳସରେ ପିଲାକୁ ଥାପୁଡ଼ାଥାପୁଡ଼ି କରି ଭାରି ଭାରି ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ଜିନିଷମାନ ଯାଚି ଏବଂ ଚୋର, ଚୌକିଆ, ବାଘ ପ୍ରଭୃତି ଭୟଙ୍କର ପ୍ରାଣୀମାନେ ଆସୁଥିବାର ଭୟ ଦେଖାଇ ଏବଂ ପିଲାଟି ଯେ ଖୁବ୍ ଭଲ, ସେ କାନ୍ଦିବ ନାହିଁ, ତୁନି ହୋଇ ଶୋଇପଡ଼ିବ ଇତ୍ୟାଦି ପ୍ରଶଂସାବାଦ କରି ଶୁଆଇ ପକାଇଲାଣି । ମଙ୍ଗରାଜଙ୍କ କଚେରି ଅଗଣାରେ ଆମ୍ଭମାନଙ୍କ ଗୋବରା ଜେନା ଆଉ ସଉତୁଣିଆ ମୌଜାର ଚୌକିଆ ଦାସ ଜେନା ଦୁଇଜଣ ଚିତାଏ ଲେଖାଏଁ ଲମ୍ବ ବାଉଁଶବାଡ଼ି ଦୁଇ ଖଣ୍ତ ବିଏଁ ବିଏଁ ଲମ୍ବ ଦୁଇଟା ନିଆଁ ବରିଆ ପାଖରେ ପକାଇ ନିଶ୍ଚିନ୍ତ ଭାବରେ ଶୋଇଛନ୍ତି । ବାହାରର ଲୋକେ ମନରେ କରିବେ, ମଙ୍ଗରାଜଙ୍କ କଚେରିରେ ଦୁଇଟା ଘୁଷୁରି ଚରୁଛନ୍ତି ଅବା । ଆମ୍ଭେମାନେ ସର୍ବଦା ସବୁ ବିଷୟରେ ସାବଧାନ ଥାଉଁ, ସବୁ ବିଷୟ ଅନୁସନ୍ଧାନ କରି ବୁଝୁଁ, ତଥାପି ପ୍ରଥମେ ଆମ୍ଭମାନଙ୍କର ମଧ୍ୟ ଭ୍ରମ ହୋଇଥିଲା, ମାତ୍ର ଭଲକରି କାନ ଡେରି ଶୁଣିବାରୁ ଶୁଣାଗଲା, ଚୌକିଦାର ଦୁଇ ଜଣଙ୍କ ନାକର ଘୁଙ୍ଗୁଡ଼ି ଡାକ ଭ୍ରମ ପ୍ରମାଦର କାରଣ ଅଟେ । କଚେରି ବାହାର ପିଣ୍ତାରେ ତିନିଜଣ ପ୍ରଜା ପଟାପଟ୍ ପଟାପଟ୍ ଚାପୁଡ଼ା ବାଡ଼େଇ ହୋଇ ଗଡ଼ୁଥାନ୍ତି । କ୍ଷୁଧା, ଚିନ୍ତା, ମଶା ଏମାନଙ୍କ ସହିତ ନିଦ୍ରାର ସଉତୁଣୀ ସମ୍ବନ୍ଧ ଥିଲାପରି ଜଣାଯାଏ । ପ୍ରଜା ତିନିଜଣ କରଜା ଧାନ ସକାଶେ ଅଟକ ଅଛନ୍ତି । ଦିନ ଯାକ ଦକ୍ଷିଣ ହସ୍ତର କାର୍ଯ୍ୟ ସଙ୍ଗେ ସମ୍ପର୍କ ନାହିଁ, ତାହା ଉପରେ ମଶା, ଏ ଉତ୍ତାରେ ଚିନ୍ତା ଆଉ ନିଦ କଥା କିଆଁ ପଚାର ?
 

କଚେରି ପ୍ରସ୍ତ ଟପି ଭିତରକୁ ଯିବାର ପ୍ରଥମ ପ୍ରସ୍ତରେ ମଙ୍ଗରାଜଙ୍କ ପହଡ଼ ଘର । ପ୍ରୟୋଜନବେଳେ ଲୋକେ ତାହାକୁ ଗନ୍ତାଘର ମଧ୍ୟ କହନ୍ତି । ଉଆସର ସବୁ ଘରଠାରୁ ଏ ଘରଟି ଶ୍ରେଷ୍ଠ ହେବାର ଉଚିତ, ମଧ୍ୟ ସେ ବିଷୟରେ ତ୍ରୁଟି ହୋଇନାହିଁ । ଘରଟି ଆଟୁ, ପାଞ୍ଚଶେଣିଆ ପୂର୍ବଦୁଆରୀ, ସମ୍ମୁଖରେ ଚୌଡ଼ାପିଣ୍ତା । ଦୁଆରେ ପଣସ କାଠର ଯାଉଁଳି କବାଟ ଲାଗିଛି । କବାଟରେ ଚାରିକୋଣିଆ ଛକ ପଡ଼ି ବତା, ଛକରେ ଛତିବାଲା ଲୁହାମେଖ ବାଡ଼ିଆ । ବାହାରକୁ କଡ଼ା ଆଉ ଶିକୁଳି ଦୁଇଟା ଲାଗିଅଛି । ଦୁଇଟା ବଡ଼ ବଡ଼ ନଳୀ କୋଲପ ପଡ଼େ । ଘର ପଶ୍ଚିମ ପଟ କାନ୍ଥର ପେଟେ ଉଞ୍ଚରେ ଦେଢ଼ ଚାଖଣ୍ତେ ଓସାର ଗୋଟାଏ ଗଜଲଗା ଝରକା ଲାଗିଅଛି । ମଗୁଶୀର ମାସ ଗୁରୁବାରକୁ ଘର ଲିପାପୋଛା ହେଲେ କଦାଚିତ୍ ସେ ଝରକା ଫିଟେ । ଘର ଚାରିକଣ ଘିଟିଘିଟିଆ ଅନ୍ଧାର, ତୁମ୍ଭ ଆମ୍ଭ ପକ୍ଷରେ ଦିନବେଳେ ଆଲୁଅ ଲୋଡ଼ା । ଘର କୋଣମାନଙ୍କରେ ଅସରପା ବୋଲେ –ମୁହିଁ, ମୂଷା ବୋଲେ– ମୁହିଁ । ବର୍ଣ୍ଣସାଦୃଶ୍ୟ ହେତୁରୁ ହେଉ ବା ନାମ ସାମଞ୍ଜସ୍ୟ ହେତୁରୁ ହେଉ, ଚମ୍ପା କହେ ଅସରପା ଲକ୍ଷ୍ମୀ, ଘରେ ଅସରପା ଥିଲେ ଅସର୍ପି ଆସେ, ସୁତରାଂ ଅସରପା ବଂଶ କାହାରି ବିନା ବାଧା ବଳତ୍କାରରେ ପୁତ୍ର ପୌତ୍ରାଦି କ୍ରମେ ଘରକୋଣମାନ ଅଧିକାର କରି ରହିଅଛନ୍ତି । ଘର ଉତ୍ତରପଟ କାନ୍ଥକୁ ଲଗାଇ ଗୋଟାଏ ଲମ୍ବା ବାଉଁଶ ଘୁଡ଼ୁଞ୍ଚି ଉପରେ ତିନିଟା ବଡ଼ ବଡ଼ ପୁରୁଣା ବେତା ଆଡ଼ଖୁର ଥୁଆ । ଘୁଡ଼ୁଞ୍ଚି ତଳେ, ତକ୍ତପୋଷ ତଳେ, ଘରକୋଣରେ ଗୁଡ଼ମାଠିଆ, ଆମ୍ବୁଲ ହାଣ୍ତି, କରଞ୍ଜତେଲ ଡିବା ପୁଞ୍ଜା ତିନି କି ଚାରି । ଆଉ ମୌଜାମାନଙ୍କରେ ଥିବା ତୋଟାରୁ କରଞ୍ଜସବୁ ବାଡ଼ିଆ ହୋଇ ଆସେ । ତେଲି ବେଠିରେ ପେଡ଼ିଦିଏ, ସେହି ତେଲ ସବୁ ଗନ୍ତାଘରେ ସାଇତା ଥାଏ । ବରଷକ ତେଲକିଣାରୁ ଖଲାସ–ବରଞ୍ଚ ବଳିପଡ଼େ । ଦକ୍ଷିଣପଟ କାନ୍ଥ ପାଖକୁ ଦୁଇଟା ବଡ଼ ବଡ଼ ଆମ୍ବକାଠର ସିନ୍ଦୁକ, ଆଉ ତାକୁ ଲଗାଇ ଗୋଟାଏ ଶାଳକାଠର ସିନ୍ଦୁକ । ଏଟା ଲକ୍ଷ୍ମୀ ସିନ୍ଦୁକ, ପ୍ରତିଦିନ ଚମ୍ପା ସଞ୍ଜ ଦିଏ, ଗୁରୁବାରକୁ ଗୁରୁବାର ସିନ୍ଦୁର ଚନ୍ଦନ ଦେଇ ପୂଜା ହୁଏ, ଅରୁଆ ଚାଉଳ ଗୁଡ଼ ଭୋଗ ଲାଗେ । ଓରାରେ ତିନି ଚାରିଟା ଶିକାରେ ଘିଅ ମାଠିଆ ଝୁଲୁଅଛି । ଗୋଠରୁ କାଠଘିଅ ଆସି ସେଥିରେ ଜମାହୁଏ । ସିକା ଆଉ ଓରାମାନଙ୍କରେ କଳା କଳା ପାଲିକି-ଥୁପନା ପରି ବୁଢ଼ିଆଣୀ ବସା ମେଞ୍ଚା ମେଞ୍ଚା ଝୁଲୁଅଛି । ପଶ୍ଚିମ ପଟ କାନ୍ଥ ପାଖକୁ ଉତ୍ତର ଦକ୍ଷିଣ ହୋଇ ମଙ୍ଗରାଜଙ୍କ ବଡ଼ ତକ୍ତପୋଷ । ଦକ୍ଷିଣ ଦିଗ ମୁଣ୍ତ ପାଖକୁ ଭାରି ଗୋଟାଏ ବଡ଼ ମାଣ୍ତି, ହେଁସ ଉପରେ ମୋଟା ଦେଶିଆ ଲୁଗାର ଦୋହର ବିଛଣା । ଚାଦରକୁ ଦେଖିଲେ ହଠାତ୍ ବୁଟାଦାର ଛିଟଲୁଗା ବୋଲି ଭ୍ରମ ଜନ୍ମିପାରେ, ମାତ୍ର ଆମ୍ଭେମାନେ ଭଲକରି ଦେଖିଅଛୁ, ରକ୍ତ କୃଷ୍ଣାଭ ଚିହ୍ନଗୁଡ଼ିକ ମୃତ ଓଡ଼ଶ ଶରୀରନିସୃତ ଶୁଷ୍କ ଶୋଣିତ ବିନ୍ଦୁ ଅଟେ ।

 

ଆଜି ଏହି ଅଧରାତି ସମୟରେ ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି ଭାରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି । ପାଠକମାନଙ୍କୁ ଚିହ୍ନାଇ ଦେବାକୁ ହେବ ନାହିଁ । ଏହି ସ୍ତ୍ରୀ ପୁରୁଷ ଦୁଇ ଜଣ ଆମ୍ଭମାନଙ୍କର ଚମ୍ପା ଆଉ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜ । ଚମ୍ପା ତକ୍ତପୋଷ ଉପରେ ଦୁଇହାତ ପକାଇ ଭିଡ଼ି ବସିଅଛି, ମଙ୍ଗରାଜେ ତାହା ଆଡ଼କୁ ଈଷତ୍ ଝୁଙ୍କି ପଡ଼ିଅଛନ୍ତି । ତକ୍ତପୋଷଠାରୁ ତିନିହାତ ଦୂରରେ ପିତ୍ତଳର ଗୋଟିଏ ଦୀପରୁଖା ଥୁଆ, ଥାହା ଉପରେ ମାଟି ବଇଠାଟିଏ ମିଞ୍ଜି ମିଞ୍ଜି ଜଳୁଅଛି, ଦୀପରୁଖାଟି ସର୍ବାଙ୍ଗ ତେଲ କାଣ୍ଟିରେ ଲିପ୍ତ । ରୁଖାତଳ ଥାଳିଆରେ ବଳିତା ଗୁଲମିଶା ନୀଳିଆ ତେଲ ପଳେ ହେବ ଜମା ଅଛି ।

 

ଚମ୍ପା ଆଉ ମଙ୍ଗରାଜେ ଅନେକ ରାତ୍ରି ପର୍ଯ୍ୟନ୍ତ କି କଥାବାର୍ତ୍ତା, କି ମନ୍ତ୍ରଣା କଲେ ସବୁ କଥାଗୁଡ଼ିକ ଶୁଣିବାକୁ ଆପଣ ସୁଖ ପାଇବେ ନାହିଁ । ଆମ୍ଭମାନଙ୍କର ମଧ୍ୟ ଅଧିକ ଲେଖିବା ଅଭ୍ୟାସର ବିରୁଦ୍ଧ, ଅଥଚ ଏହି କଥାଗୁଡ଼ିକ ସତ୍ୟ ଘଟଣା ବୋଲ, ଗାଲୁଗଳ୍ପ ବୋଲ, ଉପନ୍ୟାସ ବୋଲ ଏଥିର ପ୍ରଧାନ ନାୟକ ନାୟିକାମାନଙ୍କର କଥା ଛାଡ଼ିଲେ କର୍ମ ଅଚଳ । ସୁତରାଂ ଚାରିଆଡ଼କୁ ଚାହିଁ ପାଠ ଲଗାଇବା ସକାଶେ ‘ଘଡ଼ିର ତେଲ ନ ସରୁ, ପୁଅମୁଣ୍ତ ନୁଖୁରା ନ ରହୁ’ ଭଳିଆ କରିଦେବାକୁ ହେଲା ।

 

ଚମ୍ପା କହିଲା, ‘‘ବାପାର ଠିକ ନାହିଁ, ମା’ର ଠିକ୍ ନାହିଁ, ଦଗାବାଜି କରି ପଠାଣ ଟୋକାଠାରୁ ଜମିଦାରୀ ଆଣି ଗାଁରେ ବୋଲାଉଛି କି ନା ଜମିଦାର । ହେଲୁ ହେଲୁ ଜମିଦାର ତୋ ଘରକୁ । ଗୋରୁ ଛାଡ଼ିଦେଇ ଫନ୍ଦା ଉଜାଡ଼, ଫେର କିନା – କହିଲେ ଗାଳି ? ପଳାଇଯାଇ ମାଇକିନିଆ ଭିତରେ ଲୁଚିଲା, ପଡ଼ିଥାଆନ୍ତା ତ ହାତରେ ! ସାଆନ୍ତେ, ଜଣେ ନୁହେଁ ଦୁଇଜଣ ନୁହେଁ, ଗାଁ ଲୋକଗୁଡ଼ାକ ଜମା ହୋଇଥାଆନ୍ତି, ଦୋକାନ ପିଣ୍ତାରେ ବସି ଗାଳି ଦେଉଥାଏ, ମୁଁ ପାନ କିଣିବି କଣ ଦୋକାନ ଦୁଆର ପାଖରୁ ପଳାଇ ଆସିଲି । ଅଳପାଇସିଆ, ଖଣ୍ତିଆ ନଈଶୁଆ ! ସାଆନ୍ତେ ମୁଁ କି ଛାଡ଼ିବା ଲୋକ ? ଆଉ କେହି ହୋଇଥିଲେ ତା ନାକ କାମୁଡ଼ି ପକାଇଥାନ୍ତି ପରା-? ମାତ୍ର ମଣିଷଟା ଅସୁର ପରି ଭେଣ୍ତିଆ । ତା ବାଉଁଶ ଠେଙ୍ଗା ଦେଖି ମୋ ପିଳେହି ପାଣି ହୋଇଗଲା । ତୁମ୍ଭେ ଏହାର ବାଟ କର, ନୋହିଲେ ମୁଣ୍ତ ଫଟେଇ ଦେବି, ବିଷ ଖାଇ ମରିବି, ପାଣିରେ ଡୁବି ମରିବି ।’’ ଚମ୍ପା ଏହା କହି ଧକେଇ କାନ୍ଦିବାକୁ ଲାଗିଲା ।

 

ମଙ୍ଗରାଜେ – ତୁନି ହ ଚମ୍ପା, ତୁନି ହ ! ସେହି ଠେଙ୍ଗାକୁ ତ ମୋର ଡର । ଚାରିଟାକୁ ଚାରିଟା ଅସୁର ପରି ନିହାତି ମୂର୍ଖ । କଥା ପଦକେ ଠେଙ୍ଗା କାଢ଼ି ବସିବେ । ଆଉ ସେ କଥା ତ କେତେଦିନୁ କରାଇ ଦେଇ ସାରନ୍ତିଣି । ଆମର ଗୋଟିଏ ବିଲେଇ ପିଲା ସେ ଗାଁକୁ ଗଲେ ପଛକୁ ଚାହିଁଥିବେ । ଗୋବରା ଏତେ ଚଲାଖ, ଏତେ ହୁସିଆର, ତା ହାତରେ ତ କିଛି ହେଲା ନାହିଁ । ସେ କଣ କରିବ ? ଦିନ ରାତି ଲୋକ ଜଗୁଆଳି ।

 

ଚମ୍ପା– ନା ନା ସାଅନ୍ତେ, ସେ କଥା ହେବ ନାହିଁ । ତୁମେ ଏହାର ବାଟ କର, ନୋହିଲେ ମୁଁ ତ ଗାଁ ମାଇକିନିଆଙ୍କ ଆଗରେ ମୁହଁ ଦେଖାଇପାରିବି ନାହିଁ ! ସେମାନେ କି ଏଡ଼େ ପାରୁଆ ହେଲେ, ତୁମକୁ ଜିଣିଲେ ?

 

ମଙ୍ଗରାଜେ– ଦେଖ ଚମ୍ପା, ଶାସ୍ତ୍ରରେ ଅଛି, ‘‘ଛଳେ ବଳେ କଉଶଳେ, ଶତ୍ରୁକୁ ସାଧିବ ହେଳେ ।’’ ମୁଁ ତ ପାରିଲି ନାହିଁ ତୁ ଏଥିର କିଛି ଫିକର କାଢ଼, ତୁ ବିଚାରିଲେ ସବୁ ହେବ ! ଦେଖ, ମୁଁ ତିନିବରଷ କାଳ ଲାଗି ଲାଗି ସେ ତନ୍ତୀକୁ ପାରି ନ ଥିଲି, ତୁ ଯେପରି ହାତ ଦେଲୁ, କାମ ଫତେ ।

 

ଚମ୍ପା ବଇଠା ତେଜି ଦେଇ ଖୁବ୍ ଗୋଟାଏ ହସିଲା, କହିଲା, ‘‘ଦେଖ ସାଆନ୍ତେ ପ୍ରଥମେ ମନରେ କରିଥିଲି ପାରିବି ନାହିଁ, ବୁଦ୍ଧି ଖରଚ କଲେ କଣ ନ ହୁଏ ? ସେ ଛ ମାଣ ଆଠଗୁଣ୍ଠ ଚକକୁ କାଲି ହଳ ଯିବ ତ ?’’

 

ମଙ୍ଗରାଜେ– ମୁଁ ହଳିଆମାନଙ୍କୁ କହିଦେଇଛି, କାଲି ସକାଳେ ହଳ ନେବେ, କଢ଼ାଣ ଦୋହଡ଼ ସବୁ ସାରିବେ । ମୁଁ ମଧ୍ୟ ବିଲକୁ ଯିବି ।

 

ଚମ୍ପା– ସେମାନଙ୍କ ଘର ଭାଙ୍ଗିଦେଇ ଭଲ କଲ । ଘର ଥିଲେ କେତେବେଳେ ଜମି ସକାଶେ ଲଗାନ୍ତେ ।

 

ମଙ୍ଗରାଜେ– ଜମି ଛମାସ ମିଆଦରେ କଟବନ୍ଧକ ଥିଲା, ମିଆଦ ଗଲାରୁ ଜମି ପାଇଲୁ, ମକଦ୍ଦମା ସକାଶେ ଘର ହେଲା, ମୁଁ କିଣିନେଇ ଭାଙ୍ଗି ଦେଇଛି ।

 

ଚମ୍ପା– ଜମି ହେଉ, ଘର ହେଉ, ଯାହା ହେଉ, ସେଇ ଗାଈଟି ଲାଗି ମୁଁ ଏତେ କଥା କଲି । ଗାଈ ତ ନୁହେଁ, ଗୋଟିଏ ଗୁଣ୍ଠୁଣୀ ହାତୀ । ଆଜି କଚେରୀ ପିଣ୍ତାରେ ବାନ୍ଧି ଆସିଅଛି, କାଲିଠାରୁ ଉଆସ ଭିତରେ ବାନ୍ଧିବି । ସେ ଦୁଇଟା କୁଆଡ଼େ ଗଲେ ?

 

ମଙ୍ଗରାଜେ– କେଉଁ ଦୁଇଟା ? ଭଗିଆ, ସାରିଆ ? ବାବନାଭୂତ ପରି ୟା ଓଳି ତା ଓଳିରେ ପଶୁଛନ୍ତି ।

 

ଚମ୍ପା– ସେଦିନ ସକାଳେ ସାରିଆ ମଙ୍ଗଳା ପାଖରେ କାନ୍ଦି କାନ୍ଦି ମୁଣ୍ତ କୋଡ଼ି ହେଉଥାଏ, ମତେ ଦେଖି ଆହୁରି କାନ୍ଦିଲା, କଣ କହିବ ବୋଲି ମୋ ପାଖକୁ ଆସୁଥିଲା ମୁଁ ମୁହଁ ବୁଲାଇଦେଇ ଚାଲିଆସିଲି ।

 

ତାହାବାଦ୍‍ ଚମ୍ପା ଓ ମଙ୍ଗରାଜଙ୍କ ମଧ୍ୟରେ ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ଶେଷରେ ଏମନ୍ତ ସାବଧାନ, ଏମନ୍ତ ଗୁପ୍ତ ଭାବରେ ବସି ମନ୍ତ୍ରଣା କଲେ ଯେ, ଆମ୍ଭେମାନେ କୌଣସିକ୍ରମେ ସେଥିର ସନ୍ଧାନ ପାଇପାରିଲୁ ନାହିଁ । ପରସ୍ପର ମୁହଁକୁ ଚାହିଁ ବସିଛନ୍ତି । ଦୁହେଁ କଥାରେ ମଗ୍ନ । ଏମନ୍ତ ସମୟରେ ସେହି ଦୁହିଁଙ୍କ ମଧ୍ୟରେ ଗୋଟିଏ ସ୍ତ୍ରୀ ମୂର୍ତ୍ତିର ଛାୟା ପଡ଼ିଲା । ଦୁହେଁ ଚମକି ପଡ଼ିଲାପରି ସେହି ମୂର୍ତ୍ତିକୁ ଅନାଇ ରହିଲେ । ହଠାତ୍ କଥାବାର୍ତ୍ତା ବନ୍ଦ । ଆଗନ୍ତୁକା ଫଁ କରି ଗୋଟିଏ ନିଶ୍ୱାସ ପକାଇଲେ । ମନରେ ଦାରୁଣ କଷ୍ଟ ଜାତ ହେଲେ ଯେଉଁ ନିଶ୍ୱାସ ପଡ଼େ, ଏହା ସେହିପରି ତତଲା ନିଶ୍ୱାସ । ସମସ୍ତ ନୀରବ ନିଶ୍ଚଳ, କାଷ୍ଠ ପ୍ରତିମା ପରି ସ୍ପନ୍ଦନହୀନ, ଘର ନିସ୍ତବ୍ଧ ।

 

କିଛିକ୍ଷଣ ଉତ୍ତାରେ ମଙ୍ଗରାଜେ ସେହି ସ୍ତ୍ରୀ ମୂର୍ତ୍ତିଟିକୁ ଅନାଇ ପଚାରିଲେ, ‘‘କଣ ?’’

ସମସ୍ତେ ନିରୁତ୍ତର ।

ପୁନର୍ବାର ମଙ୍ଗରାଜେ ପଚାରିଲେ – ‘‘କଣ ?’’

କିଛି ଉତ୍ତର ନାହିଁ, ପୁନର୍ବାର ପୂର୍ବବତ୍ ଦୀର୍ଘ ନିଶ୍ୱାସ ।

 

ମଙ୍ଗରାଜେ କିଞ୍ଚିତ୍ ବିରକ୍ତ ହୋଇ ପୂର୍ବଠାରୁ ଉଚ୍ଚ ସ୍ୱରରେ ପଚାରିଲେ, ‘‘କଣ କିଛି କହୁନାହଁ କ୍ୟାଁ ?’’

 

ସାଆନ୍ତାଣୀ– (ଆଗନ୍ତୁକା ମଙ୍ଗରାଜଙ୍କ ଭାର୍ଯ୍ୟା) ଅତି ଧୀର ଅତି ବିନୟରେ କହିଲେ, ‘‘ମୁଁ କହୁଚି ରାତି ହେଲାଣି, ଶୋଇପଡ଼, ଆଉ ସେ କଥାଗୁଡ଼ାକ ପାଞ୍ଚ ନାହିଁ ।’’

 

ଚମ୍ପା ଅବଜ୍ଞା କରି ଗମ୍ଭୀର ସ୍ୱରରେ କହିଲା, ‘‘ହୁଁ’’ ।

ମଙ୍ଗରାଜେ : ଆଚ୍ଛା ମୁଁ ଯାଉଛି, ତୁମ୍ଭେ ବାହାରକୁ ଯାଅ ।

 

ଚମ୍ପାର ଅବଜ୍ଞାସୂଚକ ‘ହୁଁ’ ଶବ୍ଦ ସାଆନ୍ତାଣୀଙ୍କ କଲିଜାରେ ବର୍ଚ୍ଛାପରି ବାଜିଥିଲା, ତାହାବାଦ୍‍ ‘ଆଚ୍ଛା ତୁମ୍ଭେ ବାହାରକୁ ଯାଅ’ କଥାଟା ତାଳୁରେ ସହସ୍ର ବିଚ୍ଛା କାମୁଡ଼ିଲାପରି ଜଣାଗଲା-। ଚମ୍ପା ରହିବ ଭିତରେ, ମୁଁ ଯିବି ବାହାରକୁ ! ଯେ ସବୁ ଘଟଣାରେ ପୁରୁଷଙ୍କ କଠିନ ମନ ଭାଙ୍ଗିପଡ଼େ, କୋମଳାମନା ସହଜରେ ସହିଯାଆନ୍ତି । ସହିଷ୍ଣୁତା ଗୁଣ ସ୍ତ୍ରୀମାନଙ୍କର ପୁରୁଷମାନଙ୍କଠାରୁ ଢେର ବେଶୀ, ସେମାନେ ଢେର ସହିପାରନ୍ତି, ମାତ୍ର ସ୍ୱାମୀର ଅନାଦର ଏବଂ ଅବିଶ୍ୱାସ ସତୀ ସ୍ତ୍ରୀମାନଙ୍କ ପକ୍ଷରେ ଅସହ୍ୟ । ପୁଣି ସ୍ୱାମୀ ସାକ୍ଷାତ୍‍ରେ ଦାସୀକୃତ ଅବଜ୍ଞା ମରଣାଧିକ କଷ୍ଟକର । ତେବେ ଉପସ୍ଥିତ ଘଟଣା ନୂତନ ନୁହେଁ ଚିରକାଳ ସହି ସହି ଅଭ୍ୟାସ ପଡ଼ିଯାଇଅଛି ତଥାପି, ସାଅନ୍ତାଣୀଙ୍କ କଣ୍ଠରୋଧ ହୋଇଗଲା, ମୁଣ୍ତ ବୁଲାଇଲା, ସମସ୍ତ ଅଙ୍ଗ ଅବଶପ୍ରାୟ ହୋଇଗଲା । କୌଣସିରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ବାହାରି ଆସି ପିଣ୍ତାରେ ବାଡ଼କୁ ଆଉଜି ଲଠ୍‌ କରି ବସିଗଲେ । ଆମ୍ଭେମାନେ ସମ୍ବାଦ ପାଇଅଛୁ, ସେହି ରାତ୍ରିଠାରୁ ସାଆନ୍ତାଣୀଙ୍କ ମୁଖରୁ କେହି କିଛି କଥା ଶୁଣି ନାହିଁ । ମଧ୍ୟ ସେ ଲୁଚାଇବାକୁ ବିଶେଷ ଚେଷ୍ଟା କରୁଥିଲେ ସୁଦ୍ଧା ସର୍ବଦା ତାହାଙ୍କ ଆଖିରୁ ପାଣି ବହୁଥିବାର ଦେଖାଯାଉଅଛି ।

 

ଚମ୍ପା– ଧଡ଼୍‍ କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି କହିଲା ‘‘ମୋତେ କେହି ଗାଳିଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ, ମାତ୍ର ତୁମକୁ ପଦେ କେହି କହିଲେ ମୋ ହୃଦ ହାଣି ହୋଇଯାଏ । ସାଆନ୍ତାଣୀଙ୍କ କଥା ଶୁଣିଲେ ତ ? ଆଉ କେହି ହେଲେ ମୁହଁ ଚାହନ୍ତା ନାହିଁ ପରା ?’’ ସାରିଆ କଥାବେଳେ ତ ସବୁ ବୁଝି ନେଇଅଛ ! ତୁମକୁ ଫେର କିଏ ବୁଝାଇଦେବ ? ବରଷକସାରା ଲାଗିଲା ମୁଠା ମୁଠା ଟଙ୍କା ଘରୁ ବାହାରିଗଲା, କଟକ ମାମଲା ଲାଗିଲା । ବଗିଚାର ଦଶ ଶଗଡ଼ କି କୋଡ଼ିଏ ଶଗଡ଼ ପଥର ମଙ୍ଗଳା ପାଖକୁ ବୋହିଦେଲ, ଶେଷରେ ସାଆନ୍ତାଣୀ କହନ୍ତି କି ନା, ସାରିଆର ଛ ମାଣ ଆଠଗୁଣ୍ଠ ଜମି ଛାଡ଼ିଦିଅ, କି ନା ତାହା ଘର ଭାଙ୍ଗ ନାହିଁ ।’’ ଏହା କହି ଚମ୍ପା ଠୋ ଠୋ କରି ହସିଲା ।

 

ଘୋର ନୈଶ ନିସ୍ତବ୍‍ଧତା ଭେଦ କରି ସେହି ପୈଶାଚିକ ବିକଟ ହାସ୍ୟ ସାଆନ୍ତାଣୀଙ୍କ କର୍ଣ୍ଣପଟହ ଭେଦ କରିଥିବ, ମାତ୍ର ସେତେବେଳେ ତାହାଙ୍କର ସେଥିରେ ଦାରୁଣତ୍ୱ ଅନୁଭବ କରିବାର ଶକ୍ତି ନ ଥିଲା ।

 

ମଙ୍ଗରାଜ ଚମ୍ପା ମଧ୍ୟରେ ଯେଉଁ କଥା ଚଳିଲା, ଅନ୍ୟକୁ ଅଗୋଚର, କେବଳ ଚମ୍ପା ମୁଖର କଥା ଏତିକି ଶୁଣାଅଛି, ‘‘ତୁମେ ତ ମୋତେ ଖଣ୍ତେ ଡୋଲି ଚାରିଟା ଭାର ସଜାଡ଼ି ଦିଅ, ଦେଖିବ, ମୁଁ ଯଦି ନ ପାରେ ନାକ କାଟିଦେବ ।’’

•••

 

ପଞ୍ଚଦଶ ପରିଚ୍ଛେଦ

ବାଘସିଂହ ବଂଶ

 

ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ‘‘ଓଡ଼ିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ ।’’ ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା । ବେତନ ନିମନ୍ତେ ଗନ୍ତାଘରୁ ନଗଦ ଟଙ୍କା ପାଉ ନ ଥିଲେ, ଓଡ଼ିଶାର ଅଧିକାଂଶ ଭୂମିଖଣ୍ଡ ଜାୟଗିରି ସ୍ୱରୂପେ ପୁରୁଷାନୁକ୍ରମେ ବାଣ୍ଟି ଖାଉ ଥିଲେ । ଖଣ୍ଡାଏତମାନଙ୍କ ବାହୁବଳରେ ଓଡ଼ିଶା ବହୁ କାଳପର୍ଯ୍ୟନ୍ତ ସ୍ୱାଧୀନତା ରକ୍ଷା କରିବାକୁ ସକ୍ଷମ ହୋଇଥିଲା । ପଠାଣମାନେ ତିନି ବର୍ଷରୁ ଅଧିକ କାଳ ବଙ୍ଗଳାଦେଶରୁ ଡୁଙ୍ଗି ଡୁଙ୍ଗି ମଧ୍ୟ ସୁବର୍ଣ୍ଣରେଖା ପାର ହୋଇପାରି ନ ଥିଲେ । ପାଇକମାନେ ସର୍ବଦା ରାଜଦରବାରରେ ଉପସ୍ଥିତ ନ ଥାନ୍ତି । ଦଳପତିମାନେ ଆପଣା ଆପଣା ଅଧିନସ୍ଥ ପାଇକମାନଙ୍କୁ ଘେନି ଗୋଟିଏ ଗୋଟିଏ ଚକ୍ରରେ ବାସ କରୁଥିଲେ । ଦଳପତିମାନଙ୍କ ବୈଠକ ସ୍ଥାନର ନାମ ଚୌପାଢ଼ୀ । ସେ ସ୍ଥାନରେ ମାଲବିନ୍ଧାଣ, ଫରିଖେଳ, କାଣ୍ତବିନ୍ଧା ଏବଂ ଗୁଳିମାରିବା ଏହି ଚାରି ପ୍ରକାର ବିଦ୍ୟାଲୋଚନା ହେଉଥିବା ଯୋଗୁ ଚୌପାଢ଼ୀ ନାମରେ କଥିତ ହେଉଥିଲା । ଗଜପତିବଂଶର ପତନ ଉତ୍ତାରେ ଟୋଡ଼ରମଲ ବଡ଼ ବଡ଼ ଚୌପାଢ଼ୀକୁ କିଲ୍ଲା ନାମରେ ବନ୍ଦୋବସ୍ତ କରିଅଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ଆଜିପର୍ଯ୍ୟନ୍ତ ନାମମାତ୍ର କ୍ଷୁଦ୍ର କ୍ଷୁଦ୍ର ଚୌପାଢ଼ୀ ବିଦ୍ୟମାନ ଥିବାର ଦେଖାଯାଏ ଏବଂ ପ୍ରାଚୀନ ଦଳପତିମାନଙ୍କର ଅଯୋଗ୍ୟ ବଂଶଧରର ମଧ୍ୟ ଅଭାବ ନାହିଁ ।

 

ଆମ୍ଭମାନଙ୍କର ବାଘସିଂହ ବଂଶ ପୂର୍ବୋକ୍ତ ଦଳପତିମାନଙ୍କର ଜଣେ ବଂଶଧର ଅଟନ୍ତି । ଏମାନଙ୍କର ସଂଜ୍ଞା ମଲ୍ଲ, ଜ୍ୟେଷ୍ଠପୁତ୍ରର ଉପାଧି ବାଘସିଂହ । ଜ୍ୟେଷ୍ଠପୁତ୍ର ଜାୟଗିରିର ଉତ୍ତରାଧିକାରୀ । ଅନ୍ୟ ପୁତ୍ରମାନେ ଭାତିଆ ପାଆନ୍ତି । ‘ପଦା ଭୂଇଁରେ ଗବଦାରୁ’ । ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରିଦାର ଥିଲେ ମଧ୍ୟ ମଫସଲରେ ନାମ ଡାକ ଥିଲା । ରତନପୁର ମୌଜାରେ ଚୌପାଢ଼ୀ, ସେଟା ନିସ୍କର ଖଣ୍ଡାଏତି ମାହାଲ । ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ତ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀ ସବୁ ଉଡ଼ାଇ ଦେଇ ଯାଇଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ ଥିଲେ । ଖର୍ଚ୍ଚବେଳେ ଆଗପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ, ସାତ ବୋଇଲେ ନାହିଁ, ହାତରେ ପଡ଼ିଲା ଦେ ଖରଚ । ମୁଁହ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀପାଇଁ ଦ୍ୱାର ମେଲା । ଭାତହାଣ୍ତି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ାହେବାକୁ ଲୋକମାନଙ୍କର ଭରସା ଖଟୁଥିଲା । ଖାଇବା ଖୁଆଇବାକୁ ଷଣ୍ଢଟାଏ । ଗାଁ ଲୋକେ କହନ୍ତି, ବାଘସିଂହ ଆଗରେ ବସି ଯାହାକୁ ଥରେ ସରୁଚକୁଳି, ନଡ଼ିଆପୁର ମଣ୍ତା, ପାଳୁଅ କ୍ଷୀରୀ ଖୁଆଇଛନ୍ତି, ବଞ୍ଚିଥିବାଯାଏ ତାହା ମନରୁ ଯିବ ନାହିଁ । ନଟବର ଘନଶ୍ୟାମଙ୍କ ଦେହକରେ ଋଣ ଥିଲା, ତାଙ୍କ ପଛେ ପଛେ ଜମିଦାରୀ ସବୁ ଯାଇଅଛି, ଥିବା ମଧ୍ୟରେ ଖଣ୍ଡାଏତି ମାହାଲ । ନଟବର ଘନଶ୍ୟାମ ବାଘସିଂହଙ୍କର ଚାରି ପୁଅ-। ଜ୍ୟେଷ୍ଠ ଭୀମସେନ, ଅନ୍ୟ ତିନି ପୁଅ ପ୍ରହ୍ଲାଦ ମଲ୍ଲ, କୁଚୁଳି ମଲ୍ଲ, ବଳରାମ ମଲ୍ଲ । ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି, ଚାରିଆଡ଼କୁ ନଜର ରଖି ଚାଲନ୍ତି । ପୂର୍ବ ସମ୍ପତ୍ତି ନାହିଁ, ଏକରକମ ଦୁଃଖେ ରାମ, ସୁଖେ ରାମ ଚଳିଯାଏ । ପାଟ ଚିରିଲେ ପାଟ କନା, ପୁରୁଣା ଘର ବୋଲି ଲୋକେ ମାନନ୍ତି, ଭୟ ଭକ୍ତି କରନ୍ତି । ରତନପୁର ମୌଜାରେ ବାଘସିଂହ ଘର ଛାଡ଼ି ଗଉଡ଼, ଭଣ୍ଡାରୀ, ରାଢ଼ୀ ଗୁଡ଼ିଆ, ପୁଅଭାୟା ଅଠର ଘର । ଏମାନେ ବାଘସିଂହ ପୂର୍ବବଂଶ ଦିଆକ ଜାୟଗିରି ପୁରୁଷାନୁକ୍ରମେ ଭୋଗ କରି ଆସୁଅଛନ୍ତି । ଦରକାରବେଳେ ବାଘସିଂହ ଘରେ ବେଠି କରନ୍ତି । ପୁରୋହିତ ଘର ମଧ୍ୟ ଏହି ଗ୍ରାମରେ । ଏମାନଙ୍କୁ ଛାଡ଼ି ଡମ ଆଠ ଘର, ପର୍ବପର୍ବାଣୀରେ ବାଜା ବଜାଇବା ସକାଶେ ଏମାନଙ୍କର ଜାୟଗିରି ଅଛି । ବାଘସିଂହ ଘରେ ପହରାଦେବା ଏମାନଙ୍କର ଆଉ ଗୋଟିଏ କାର୍ଯ୍ୟ । ଆଜକୁ ତିନି ବରଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି କଳି ଲାଗିଅଛି । ମଙ୍ଗରାଜେ ଖୁବ୍ ବୁଦ୍ଧିମାନ, ମାଲି ମାମଲାରେ ଖୁବ୍ ଜାହାଁବାଜ, କିନ୍ତୁ ଠେଙ୍ଗା ନାମ ଶୁଣିଲେ ଘରୁ ବାହାରନ୍ତି ନାହିଁ । ଏଣେ ବାଘସିଂହ ବଂଶ ବୋଲନ୍ତି, ‘‘ଠେଙ୍ଗା ସର୍ବାର୍ଥ ସାଧିକା’’ । ବିଶେଷରେ ଡମମାନଙ୍କ ଭୟରେ ମଙ୍ଗରାଜଙ୍କ ଲୋକେ ରତନପୁର ପାଖ ପଶିପାରନ୍ତି ନାହିଁ, କିନ୍ତୁ ଡମମାନେ ବାଡ଼ି ମଧ୍ୟରେ ଚୋରାମାଲ ପୋତି ରଖିଥିବା ଅପରାଧରେ ଜେଲ ଯାଇଅଛନ୍ତି । ଲୋକେ ବୋଲନ୍ତି, ଡମମାନେ କୌଣସି ପୁରୁଷରେ ଚୋରିବିଦ୍ୟା ଜାଣନ୍ତି ନାହିଁ, ମଙ୍ଗରାଜଙ୍କର ଏଥିରେ ଦୁଇଥଳୀ ଟଙ୍କା ଖରଚ । ମଙ୍ଗରାଜଙ୍କର ଉଦୁଆଁ ଗୋରୁ ରତନପୁର ମୌଜାରେ ଫନ୍ଦା ଉଜାଡ଼ କରିବାରୁ ସେଦିନ ବଳରାମ ମଲ୍ଲେ ଗୋବିନ୍ଦପୁର ମୌଜା ଦୋକାନପିଣ୍ତାରେ ବସି ମଙ୍ଗରାଜଙ୍କୁ ଦୁଇପଦ ଶୋଧିଦେଲେ । ମଙ୍ଗରାଜେ ପାଟି ଫିଟାଇ ପାରିଲେ ନାହିଁ । ଗୋବିନ୍ଦପୁରଠାରୁ ରତନପୁର ଦୁଇକୋଶ ଛଡ଼ା, ମାତ୍ର ଦୁଇ ମୌଜାର ବିଲ ଲଗାଲଗି । ମଙ୍ଗରାଜଙ୍କ ଗୋରୁ ରତନପୁର ମୌଜା ଉଜାଡ଼ କରୁଥିବାର ସର୍ବଦା ଶୁଣାଯାଏ ।

•••

 

ଷୋଡ଼ଶ ପରିଚ୍ଛେଦ

ଟାଙ୍ଗୀ ମାଉସୀ

 

ଆଜି ସ୍ନାନପୂର୍ଣ୍ଣୀମା, ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଉଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖିବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା ଗଛଗୁଡ଼ାକ ଜଗନ୍ନାଥ ମହାପ୍ରଭୁଙ୍କ ଆଗରେ ଗରୁଡ଼ଖମ୍ବ ପରି ଛିଡ଼ା ହୋଇଅଛନ୍ତି । ଆଉ ଗଛ ଥାଉ, ଅଶ୍ୱତ୍‌ଥ ପତ୍ର ଗୋଟିଏ ମଧ୍ୟ ଖସ୍‍ କରିବାକୁ ନାହିଁ । ଦାଣ୍ତ ବାଲିଗୁଡ଼ାକରେ ମୁଠାଏ ଧାନ ପକାଇ ଦେଲେ ଚଡ଼ଚଡ଼ କରି ଖଇ ଫୁଟିଯିବ । ଗାଆଁର ବୁଲାକୁତୀ କାଳୀତିଳକୀ କୁତୀଟା ପୋଖରୀପଙ୍କରେ ପଡ଼ି ଲଟଲଟ ହେଉଅଛି, ଆଉ ଡେମ୍ଫେ ଜିଭଟା କାଢ଼ିପକାଇ ଧକାଉ ଅଛି । ପାଣିକି ଯାଉ ନାହିଁ । ପାଣିଗୁଡ଼ାକ ତାତିଯାଇଛି ନା କଣ ? ପଡ଼ିଆରେ ଗୋଟାଏ ମଧ୍ୟ ଗୋରୁ ବାଛୁରୀ ନାହାନ୍ତି, ଗଛମୂଳରେ ଶୋଇପଡ଼ି ବୈଷ୍ଠବମାନେ ମାଳ ଝୁଲି ଧରି ହରିନାମ ଭଜିଲାପରି ଆଖି ବୁଜି ପାକୁଳି କରୁଅଛନ୍ତି । ଆକାଶରେ ଗୋଟିଏ କାଉ କୋଇଲି ଉଡ଼ିବାକୁ ନାହିଁ, ପତ୍ର ମଧ୍ୟରେ ଲୁଚି ଆଁ କରି ବସିଅଛନ୍ତି । ମୁଣ୍ତଫଟା ଖରା, ଦିନ ତିନିପ୍ରହର ଗଡ଼ିଲାଣି, ତଥାପି ଆକାଶରୁ ନିଆଁ ଛିଡ଼ୁଛି ।

 

ହଁ ମେରା ଭାଇରେ ହୁଂ ହୁଁ

ଖବରଦାରି ରେ ହୁଂ ହୁଁ

ଜୋର କରି ରେ ହୁଂ ହୁଁ,

ଡାହାଣେ ଧର ରେ ହୁଂ ହୁଁ,

ବାଁ କୁ ଛାଡ଼ି ରେ ହୁଂ ହୁଁ,

ଖଡ଼ପା ଖଡ଼ପା ଖଡ଼ପା –

 

ରତନପୁର ମୌଜା ଗୋହିରୀରେ ଗଉଡ଼ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାର ଚାଲିଅଛି । ଡୋଲିଟା ଦଶିଆ ଲୁଗାରେ ସମ୍ପୂର୍ଣ୍ଣ ଢଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି । ବିଲବାଡ଼ି କାମ ନ ଥିବାରୁ ବାଘସିଂହ ଭାଇମାନଙ୍କ ସହିତ କେନ୍ଦ୍ରାପଡ଼ା ବଳଦେବଙ୍କ ସ୍ନାନଯାତ୍ରା ଦେଖିବାକୁ ଯାଇଅଛନ୍ତି । ଗାଁ ଏମୁଣ୍ତ ସେମୁଣ୍ତ ଚହଳ ପଡ଼ିଗଲା, ସୁଆରି ଅଇଲା, ସୁଆରି ଅଇଲା । ବୁଢ଼ୀ ଦରବୁଢ଼ୀ, ମାଇକିନିଆମାନେ ଧଡ଼୍‍କରି କବାଟ ମେଲାଇଦେଇ ଗୋହିରୀକୁ ବାହାରି ପଡ଼ିଲେ । ବୋହୂଗୁଡ଼ାକ କବାଟ ଦରଆଉଜା କରି ଫାଙ୍କବାଟେ ମୁହଁ ଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଇକିନିଆ ମଧ୍ୟରେ ଡୋଲ୍ୟାରୋହୀ ସମ୍ବନ୍ଧରେ ନାନା ତର୍କ ଉପସ୍ଥିତ ହେଲା । ପ୍ରଥମେ ଲିଙ୍ଗବିଚାର, ପରେ ବ୍ୟକ୍ତି ବିନିର୍ଣ୍ଣୟ । କେହି କହିଲା, ନୂଆବୋହୂ କେହି କହିଲା ଜମାଦାର, କେହି କହିଲା ସାହାବ । ଜେମା ମା ଅକାଟ୍ୟ ଯୁକ୍ତି ଦେଖାଇ କହିଲା, ‘‘ଆଜି ସ୍ନାନପୂର୍ଣ୍ଣମୀ, ଜମାଦାର ସାହାବ ଘରକୁ ପରିବା ଭାର ନେଇ ଯାଉଅଛନ୍ତି-।’’ ଡୋଲି ବାଘସିଂହ ଚଉରା ପାଖରେ ମୁହଁ ବୁଲାଇ ନ ଥିଲେ ଜେମା ମା ଅନୁମାନ ସିନ୍ଧାନ୍ତରେ ପରିଣତ ହେବାର ଖୁବ୍ ସମ୍ଭାବନା ଥିଲା । ବେହେରାମାନେ ବାଘସିଂହ ଦୁଆରେ ଡୋଲିଟା ଗୁମ୍ କରି ଥୋଇଦେଇ ଗାମୁଛାରେ ମୁହଁ ବିଞ୍ଚିହେଲେ, ଗମ ଗମ ଦେହରୁ ଝାଳ ବହି ଯାଉଅଛି । ବାଁ ହାତ ପାପୁଲିରେ ମୁହଁରୁ ପୋଷ ପୋଷ ଝାଳ ପୋଛି ପକାଉଛନ୍ତି । ଭିତରକୁ ଖବର ଗଲା ନୂଆବୋହୂ ମାଉସୀ ଆସିଅଛନ୍ତି । ଗଲା ମକର ମାସରେ ବାଘସିଂହଙ୍କ ପୁଅ ଚନ୍ଦ୍ରମଣି ଡାଳିଯୋଡ଼ା ଫତେସିଂହଙ୍କ ଝିଅକୁ ବିଭା ହୋଇଅଛନ୍ତି । ଏହି ଡୋଲି ଯେ ସଳଖେ ଡାଳିଯୋଡ଼ାରୁ ଅଇଲା, ବିନା ବ୍ୟାଖ୍ୟାରେ ବୁଝିବାକୁ ଗ୍ରାମର ବୁଦ୍ଧିମତୀ ସ୍ତ୍ରୀମାନଙ୍କ ପକ୍ଷରେ ଅଖଞ୍ଜ ହେଲା ନାହିଁ । ମାଣିକ ଭଣ୍ତାରୁଣୀ ସାଆନ୍ତାଣୀମାନଙ୍କୁ ଖବର ଦେବା ସକାଶେ ଭିତରକୁ ଧାଇଁଲା ।

 

ଆମ୍ଭମାନଙ୍କ ମାଣିକର ନାମ ଶୁଣିଥିବେ, ନଚେତ୍ ଶୁଣିବା ଆବଶ୍ୟକ । ଏହାକୁ ତୁଚ୍ଛା ଭଣ୍ତାରୁଣୀଟିଏ ବୋଲି ଜାଣିବେ ନାହିଁ । ଏ ବୁଦ୍ଧିରେ, ମାମଲତରେ ଗୁଣରେ ଅନେକ ପୁରୁଷଙ୍କ କାନ କାଟି ଛାଡ଼ି ଦେଇପାରେ । ଗ୍ରାମର ସମସ୍ତ ଲୋକେ ଏହାକୁ ଡରିଥାନ୍ତି । ବୁଢ଼ୀ ଦରବୁଢ଼ୀ, ପର୍ଯ୍ୟନ୍ତ ଭାରି ଭାରି କଥାରେ ଏହାଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତି । ଗୁଣବିଦ୍ୟାରେ ଏହା ଆଗରେ କେହି ଛିଡ଼ା ହୋଇ ପାରିବ ନାହିଁ । ଗାଁର କଅଁଳା ପିଲାଙ୍କୁ ଦୃଷ୍ଟିହେଲେ ଫୁଙ୍କି ଉଡ଼ାଇ ଦିଏ-। ଧାଈପଣରେ ଖୁବ୍ ଟାଣ–ବୋହୂଝିଅ ଦେହକୁ ଲାଗିଲେ ଉଠିଆରି ପର୍ଯ୍ୟନ୍ତ ପୁଆତି ପାଖଛଡ଼ା ହୁଏ ନାହିଁ । ମୂଳ ମୂଳିକା ମଧ୍ୟ ଢେର୍ ଜଣା । ପର ଉପକାର କରିବାକୁ ଯେପରି ହୁମ୍‍ ଯୁମ୍‍, ଉପରେ ପଡ଼ି କଜିଆ କରିବାକୁ ସେହିପରି ମଜବୁତ୍ । କଜିଆରେ ଲାଗିଅଛି ତ ସେଦିନ ଗାଧୁଆ ନ ହେଲା । କାହାରି ଦେହପା’କୁ ଲାଗିଲେ ତାହାକୁ ଯଦି ଦିପଦ କଅଁଳେଇ କହି ଦେଇଅଛ, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉ ଥିବ । ବାହା ପୁଆଣିରେ ଡାକ ନ ଡାକ ମାଣିକ ଉପସ୍ଥିତ, କହ ନ କହ ସବୁ କାମ କରିପକାଇବ । ମାଣିକ ନ ଜାଣେ, ଏମନ୍ତ କଥା ନାହିଁ । କଟକ କଥା, ସାହେବ ଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା ଇତ୍ୟାଦି କଥାମାନ ଗ୍ରାମର ସ୍ତ୍ରୀଲୋକମାନେ ମାଣିକ ମୁହଁରୁ କେବଳ ଶୁଣିବାକୁ ପାଆନ୍ତି । ମାଛ ବିନା ପୋଖରୀ ଥାଇପାରେ, ମାତ୍ର ନିନ୍ଦୁକ ଛଡ଼ା ଗାଁ ନାହିଁ । କେହି କେହି କହନ୍ତି, ମାଣିକଟା ଡବଡବୀ, ମିଛୋଇ, ଆଗତକହୀ, ଏହାର ତିନିପୁରୁଷରେ କେହି ଗାଁ ଡେଇଁ ନାହାନ୍ତି, କଟକ କଥା, ସାହେବ ଘର କଥା କାହୁଁ ଜାଣିଲା-। ବାଘସିଂହ ଉଆସରେ ମାଣିକର ଭାରି ଖାତର । ସହସ୍ର ଥର କଥିତ, ଶଏ ଥର ଶ୍ରୁତ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ, ଚାରିଜଣ ମିଶି ବିଦେଶ ଯିବାକଥା, କଲରେଈଦେଈ କଥା, ନଈ ସେପାରି ମଙ୍ଗଳା କଥା ଇତ୍ୟାଦି କାହାଣୀମାନ ଶୁଣିବା ସକାଶେ ପ୍ରତିଦିନ ସନ୍ଧ୍ୟାବେଳେ ସାଆନ୍ତଣୀମାନଙ୍କର ଡାକରା ଆସେ । ରାମ ରାବଣ ଯୁଦ୍ଧ କଥା ମାଣିକ ମୁହେଁ ମୁହେଁ କହିଯାଏ, ଯେ କଥା ପଚାର ସେଥିର ଜବାବ ନିଶ୍ଚୟ ପାଇବ । ମାତ୍ର ଗୋଟିଏ କଥା, ସେ ଯାହା କହିବ, ତୁମ୍ଭେ ସେଥିରେ ହୁଁ ଦେଇ ଯାଉଥିବ । ଯଦି ବୋଲ ନୁହେଁ ପରା, ଆଉ ଯାଅ କାହିଁ ? ସେ କଥା ଯାଉ, ‘ସ୍ୱନାମା ରମଣୀ ଧନ୍ୟା ।’ ମାଣିକକୁ ଗ୍ରାମରେ ସମସ୍ତେ ଭଲ ଜାଣନ୍ତି, ଆମ୍ଭମାନଙ୍କର ଚିହ୍ନାଇ ଦେବା ଅନାବଶ୍ୟକ ।

 

ଡୋଲି ମଝିଦାଣ୍ତରେ ଯାଉଥିବାବେଳେ ମାଣିକ ପଛରେ ଥିବା ଭଣ୍ତାରୀ ସାଙ୍ଗରେ କଥାବାର୍ତ୍ତା କରି ଓଲଟା ବୁଝିଗଲା, ତାହା ବାଦ୍ ବାଘସିଂହଙ୍କ ଦାଣ୍ତଦୁଆର ପାଟିକରି ଉଆସ ଭିତରକୁ ଧାଇଁଲା ।’’ ବଡ଼ ସାଆନ୍ତାଣୀଏ, ସାନ ସାଆନ୍ତାଣୀଏ, ମଝିଆଁ ସାଆନ୍ତାଣୀଏ, ଧାଇଁ ଆସନ୍ତୁ, କେଉଁଠାରେ ଅଛନ୍ତି ? ଡାଳିଯୋଡ଼ାରୁ ସମୁନ୍ଧୁଣୀଙ୍କ ସୁଆରି ଆସି ଓଳିଏ ହେଲା ଦାଣ୍ତଦୁଆରେ ବସିଲାଣି । ସମୁନ୍ଧୁଣୀଙ୍କ ଆସିବା କଥା ମୁଁ ଚାରିଦିନ ହେଲା ଶୁଣିଲିଣି, ଆପଣମାନଙ୍କୁ କହିବାକୁ ଭୁଲିଯାଇଅଛି । ସେ କାଲିଠାରୁ ଡାଳିଯୋଡ଼ାରୁ ବାହାରିଲେଣି, ମୁଁ କହୁଛି କହ, ଏତେ ଡେରି କ୍ୟାଁ ହେଲା ? ଡାଳିଯୋଡ଼ାରୁ ଆସିବା ବାଟ ପାଖରେ ଯେ ବଡ଼ ପୋଖରୀଟିଏ ଅଛି, ସେହିଠାରେ ଗାଧୁଆ ପାଧୁଆ କରିବା ବିଳମ୍ବ ହୋଇଗଲା ।’’ ବାଘସିଂହ ଘର ଚାରି ଯାଆ ଏକ ଜାଗା ହୋଇ ପରସ୍ପର ମୁହଁ ଚୁହାଁଚୁହିଁ ହେଲେ । ସେଥିରେ ଅର୍ଥ ଅଭ୍ୟାଗତା ଅନାହୂତା ସମୁନ୍ଧୁଣୀ ସମ୍ବନ୍ଧରେ କର୍ତ୍ତବ୍ୟ ନିରୂପଣ । ମାତ୍ର ମାଣିକ ଏକାବେଳେ ମୀମାଂସା କରିଦେଲା, ‘‘ଶୀଘ୍ର ଯାଇ ସମୁନ୍ଧୁଣୀଙ୍କୁ ପାଛୋଟି ଆଣନ୍ତୁ ।’’

 

ବାଘସିଂହଙ୍କ ଦାଣ୍ତଦୁଆର କବାଟଫାଟକରୁ ଫୁଲଗୁଣା ବସଣି ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା । ମାଉସୀ ଡୋଲିରୁ ଓହ୍ଲାଇ ପଡ଼ି ଗୁମ୍ ଗୁମ୍ କରି ଭିତରକୁ ପଶିଗଲେ । ‘ସମୁନ୍ଧୁଣୀ ସମୁନ୍ଧୁଣୀ’ କହି ପୂର୍ବୋକ୍ତ ନାସିକାଧାରିଣୀମାନଙ୍କୁ ପରସ୍ତେ କୁଣ୍ଢାଇ ଗଲେ । ଗୃହାଧିଷ୍ଠାତ୍ରୀ ସାଆନ୍ତାଣୀମାନେ ନୀରବରେ ହସି ହସି ସମୁନ୍ଧୁଣୀ ହାତଧରି ଭିତରକୁ ଘେନିଗଲେ । ସମୁନ୍ଧୁଣୀଙ୍କ ଅଭ୍ୟର୍ଥନା ବିଷୟରେ ମାଣିକର ଉଦ୍‌ଯୋଗ ଅନୁଷ୍ଠାନ ବେଶି । ସେ ଆଗେ ଆଗେ ଚଞ୍ଚଳ ଧାଇଁଯାଇ ବାଘସିଂହ ପହୁଡ଼ ଘର ଆଗମେଲାରେ ଗୋଟିଏ ଚାରିହାତ ଲମ୍ବା ପୁରୁଣା ଖରଡ଼ ପକାଇ ଦେଲା । ମାଉସୀ ସେଥିରେ ବସିପଡ଼ି ଚାରି ସମୁନ୍ଧୁଣୀଙ୍କ ହାତଧରି ପାଖରେ ବସାଇଲେ । ପାଞ୍ଚଟା ଭାର ମଝି ଅଗଣାରେ ଥୁଆଗଲା । ଭାରର ଡାବ – ପାଚିଲା ଆମ୍ବ ଏକ ଭାର, ବଡ଼ ବଡ଼ ଯୋଡ଼ାଏ ଖଜା ପଣସ ଏକ ଭାର, ପାଚିଲା କଞ୍ଚା କଦଳୀ ଦୁଇ କାନ୍ଦି ଦୁଇ ପୁଞ୍ଜା ସହିତ ଏକ ଭାର, ପିଠାଉ ପାଣିରେ ଧଳା କଦଳୀ ପତ୍ରରେ ମୁହଁ ବନ୍ଧା ବଡ଼ ବଡ଼ ଚାରି ହାଣ୍ତିକୁ ଦୁଇ ଭାର–ଗାଏ । ଗାଁ ମାଇକିନିଆମାନେ ଦେଖିବାକୁ ଧାଇଁଲେ, ରେବତୀ, ଶୁକୁରୀ, ଶଙ୍କ୍ରୀ, ମାଳିଆ, ଜେମା ମା, ଭୀମା ମାଉସୀ, ହଗୁରା ମା, ସୋଦରୀ, ମେଙ୍କୀ, କନକ, ନେତଜେଜୀ, ସାବୀ, କମଳୀ, ପଦିଅପା, ଶାମାବୋହୂ, ନଳିତା, ବିଷ୍କା, ସୁମିତ୍ରା, ଗଉଡ଼ ଘର କନିଆ ବୋହୂ, କେହି ପିଲା କାଖେଇ, କେହି ପିଲା ହାତ ଧରି ଚଲାଇ, କେହି ଜଣକ ପଛରେ, କେହି ଏକାକିନୀ ଧାଇଁ ଅଛନ୍ତି । ଶକ୍ରାମା ଘର ଲିପୁଥିଲା, ଛୁଞ୍ଚପାଣିହାତ ଧୋଇବାକୁ ବେଳନାହିଁ, ସାପଫଣା ପରି ହାତଟି ଟେକି ଅଛି । ବାଘସିଂହଙ୍କ ଅଗଣା ପୂରିଗଲା । ଦେବୀ ପ୍ରତିମା ଦେଖିଲାପରି ମାଇକିନିଆମାନେ ଏକ ଧ୍ୟାନରେ ମାଉସୀଙ୍କ ରୂପମାଧୁରୀ ଅନୁଭବ କରୁଅଛନ୍ତି, କିନ୍ତୁ ବନିଆ, ବାଙ୍କିଆ, କାଳିଆ, ବନମାଳିଆ, ଗୋପାଳିଆ, ରାମିଆ, ଉମେଷିଆ, କାଶୀ, ଦୈତ୍ୟାରୀ ପ୍ରଭୃତି ଗ୍ରାମର ଦୁଷ୍ଟ ପିଲାଗୁଡ଼ାକ ମାଉସୀଙ୍କ ସୌନ୍ଦର୍ଯ୍ୟ ଦର୍ଶନ ବିଷୟରେ ମନଯୋଗ ନ କରି ବିରାଡ଼ି ଶୁଖୁଆ ଖାଳେଇକୁ ଅନେଇଲାପରି ବାହାରେ ଥୁଆ ହୋଇଥିବା ପାଚିଲା କଦଳୀ, ପାଚିଲା ଆମ୍ବକୁ ଅନେଇ ରହିଛନ୍ତି । ଏହା ଯେ ଅସଭ୍ୟତାର ଏବଂ ନୀତିଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ ସେଥିରେ ସନ୍ଦେହ ନାହିଁ । ଆଉ ସେମାନଙ୍କର ବୃତ୍ତରେଖା କ୍ରମଗତିରେ ଯେପରି ସଙ୍କୋଚଭାବ ଧାରଣ କରି ଆସୁଥିଲା, ବୁଦ୍ଧିମତୀ ମାଣିକ ସେଥରେ ପ୍ରଚ୍ଛନ୍ନ ଅସଦାଭିପ୍ରାୟ ହୃଦୟଙ୍ଗମ କରି ଈଷତ୍ ତର୍ଜନପୂର୍ବକ ଡାହାଣ ହାତ ହଲାଇ ସେମାନଙ୍କୁ ଅପସାରିତ କରିଦେଇ ନ ଥିଲେ ଗୋଟାଏ ଲୁଠତରାଜ ମାମଲା ଉକୁ ହେବାର ଖୁବ୍ ସମ୍ଭାବନା ଥିଲା ।

 

ବୋହୂ ମାଉସୀ ମୁଣ୍ତରେ ମା ମଙ୍ଗଳା ପରି ମୁଣ୍ତାଏ ସିନ୍ଦୂର, ଆଖିରେ କଜ୍ଜ୍ୱଳ, ନାକରେ ଗୁଣା, ତା ଉପରେ ନାଟ ମୟୂର, ବାଁ ପୁଡ଼ାରେ ବସଣି, ଦୁଇ କାନରେ ବଡ଼ ବଡ଼ ଦୁଇଟା କାପ, ବେକରେ ଚାପସରୀ, ତା ତଳେ ପାଟ ସୂତାରେ ଗୁନ୍ଥାମାଳେ କୁରୁଜାତକ, ବାହୁରେ ବିଦ, ହାତରେ ପଇଞ୍ଚି, ତାହା ଉପରେ କଟା, ତାହା ଉପରେ ଚୂଡ଼ି, ହାତ ପାଞ୍ଚ ଆଙ୍ଗୁଳିରେ ରୂପା ଛାପମୂଦି, ସାତ ଗୋଟା, ଗୋଡ଼ରେ ଚବିଶପଳ ଓଜନରେ ଦୁଇଟା କଂସା ବାଙ୍କ, ଗୋଡ଼ ଦଶ ଆଙ୍ଗୁଳିରେ ଝୁଣ୍ଟିଆ । ମୁଣ୍ତରେ ଦଶ ବାର କେରା ପାଟଥୋପରେ ବିଶାଳ ଜୁଡ଼ା, ତାହା ଉପରେ ତିନିଟା ବେଙ୍ଗପାଟିଆରେ ତିନିକେରା ଶିକୁଳିଲଗା ଗୋଜିକାଠି ଖୋସା, କୁମ୍ଭକର୍ଣ୍ଣୀ ଧଡ଼ି ଷୋଳ ହାତି ବରମପୁରୀ ପାଟଶାଢ଼ୀ ପିନ୍ଧା, ଗାଲରେ ଗାଲେ ପାନ । ଡାଳିଯୋଡ଼ା ଫତେସିଂହ ଘର ବେଶ୍‍ ଚଳ, ପୂର୍ବରୁ କାନରେ ଶୁଣାଥିଲା, ବର୍ତ୍ତମାନ ଆଖିରେ ଅଳଙ୍କାର ବିଭବ ଦେଖି ଗାଁ ମାଇକିନିଆମାନେ ବୁଝିଗଲେ, ହଁ, ଘରପରି ଘରଟାଏ ।

 

ମାଉସୀ ବସିପଡ଼ି କହିଲେ, ‘‘ମୋ ଝିଆରୀ କାହିଁ ? ମୋ ଝିଆରୀ କାହିଁ ? ମୋ ଝିଅରୀକୁ ଦେଖିବି । ଆହା ! ମା ଛେଉଣ୍ତିଟି ଶୁଖିଯିବଣି !’’ ସାନ ଖୁଡ଼ୀଶାଶୁ ନୂଆ ବୋହୁଟିକୁ ଘେନି ଆସିଲେ । ବୋହୂଟି ଦେଢ଼ହାତ ଓଢ଼ଣା ପକାଇ ଅଳ୍ପ ନଇଁ ନଇଁ ଆସି ମାଉସୀ ଗୋଡ଼ତଳେ ଲଠ୍‍କରି ମୁଣ୍ତିଆଟିଏ ମାଇଲା । ମାଉସୀ ଝିଆରୀକୁ କୁଣ୍ଢାଇ ପକାଇ ବାହୁନି ବସିଲେ, ‘‘ଆରେ ମୋ ଝିଅରେ, ତୋତେ ନ ଦେଖି ଅନ୍ଧ ହୋଇ ଯାଇଥିଲି । ଆରେ ମୋ ଚନ୍ଦ୍ର ଉଦିଆରେ, ମୋଘର ଅନ୍ଧାର କରି ଆସିଛୁ, ଆରେ ମୋ କଳାମାଣିକରେ ।’’ ମାଉସୀ ବାହୁନି ଅଥୟ ହୋଇ ଗଲେଣି, ଦୁଇ ଆଖିରୁ ଝର ଝର କରି ପାଣି ବୋହି ପଡ଼ୁଛି । ବଡ଼ ସମୁନ୍ଧୁଣୀ କୁଣ୍ଢାଇ ପକାଇ ଆପଣା ପଣତକାନିରେ ପୋଛିଦେଲେ ଏବଂ ଅନେକ ପ୍ରକାର ବୁଝାଇ ସୁଝାଇ ତୁନି କରାଇଲେ । ମାଉସୀ କହିଲେ, ‘‘କଣ କହୁଛ ସମୁନ୍ଧୁଣୀ, ଝିଅ ଆସିଲା ଦିନୁ ଅନ୍ନଜଳ ପିତା କରିଦେଲିଣି । ଖାଲି ଦାଣ୍ତକୁ ଚାହିଁ ବସିଥାଏ, ଏଣୁ ଲୋକଟିଏ ଗଲେ ପଚାରେ, ବାକଟିଏ ଗଲେ ପଚାରେ ।’’

 

ଝିଆରୀତ ନୂଆ ପାଟି ଶୁଣି ଏବଂ ବାହୁନା ଦେଖି ତାଟଙ୍କା ହୋଇଗଲାଣି । ମାଉସୀ ମୁହଁ ଦେଖିବାପାଇଁ ଟିକିଏ ଓଢ଼ଣା ଟେକୁଥିଲା । ଚତୁରୀ ମାଉସୀ ଝିଆରୀର ଅଭିପ୍ରାୟ ସହଜରେ ବୁଝିପାରି ଓଢ଼ଣା ଟାଣିଦେଇ କହିଲେ, ‘‘ଆରେ ମୋ ଲାଜକୁଳୀ ବଦନରେ, ଆରେ ମୋ ଲାଜକୁଳି ଲତାରେ, ତୋତେ କିଏ ଲାଜ ଶିଖାଇବରେ, ସମୁନ୍ଧୁଣୀ କଣ କହିବି, ଏହା ମାଆର ଏଇପରି ଲାଜ ଥିଲା, ବୁଢ଼ୀ ହୋଇ ମଲା, ଶାଶୁମାନଙ୍କ ଆଗରେ ଆଖି ଫିଟାଇ ଚାହିଁ ନାହିଁ, ଓଢ଼ଣା ଟେକି ନାହିଁ । ଶାଶୁ ସାଙ୍ଗରେ ଭଟ ଭଟ ଲଗାଇବ ପଛକେ, ଖୁଡ଼ୀଶାଶୁମାନଙ୍କୁ ଗାଳିଦେବ ପଛକେ ସେହି ଓଢ଼ଣା ଭିତରୁ । ଧାନ ପେଟରୁ କଣ ବାଳୁଙ୍ଗା ବାହାରିବ ? ତୁଳସୀ ମଞ୍ଜିରୁ କଣ ବିଛୁଆତି ହେବ ? ତିରିଲାଝିଅ ହୋଇ ଯେବେ ଲାଜ ନ ହେଲା, ଧିକ ତା ଜୀବନ, ଛାଡ଼ ତା କଥା ।’’ ଝିଆରୀ ତ ମାଉସୀ କଥା ଶୁଣି ଆହୁରି ଢାଙ୍କି ଢୁଙ୍କି ହୋଇ ବେଙ୍ଗୁଲି ପରି ବସିଲା । ଟାଙ୍ଗିରେ ତାହାର ଗୋଟାଏ ମାଉସୀ ଘର ଥିବାର ସେ ଘରେ ଶୁଣିଥିଲା, ସେ ତା ମାଆର ଖୁଡ଼ୁତା ଝିଅ ଭଉଣୀ । ମନରେ ବୁଝିଲା । ଏ ସେହି ମାଉସୀ ।

 

ତାହା ବାଦ୍ ବୋହୂ ମାଉସୀ ହସି ହସି ସମୁନ୍ଧୁଣୀମାନଙ୍କ ସହିତ କଥାବାର୍ତ୍ତା କଲେ, ସମୁନ୍ଧୁଣୀ ସମୁନ୍ଧୁଣୀ କଥା, ହସକୌତୁକ କଥା, ଟାପରାଟାପୁରୀ କଥା ଢେର ହେଲା । ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ, ମାତ୍ର ଭଲଲୋକ ଘର ବୋହୂ ଭୁଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି, ଆଉ ଯାହା କହିଲେ କୌଣସି ଦୋଷ ନାହିଁ, ତେତିକି କଥା କହିପାରୁ । ବୋହୂମାଉସୀ କହିଲେ –

 

‘‘ଏ ବରଷ ଭାରି ଯୋଗ ପଡ଼ିଛି, ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି, ଆମ ଗାଁ ତ ଶୂନଶାନ । ମୁଁ କହିଲି, ଆଚ୍ଛାବେଳ ପଡ଼ିଲା, ଦିଅଁ ଦେଖା, ସମୁନ୍ଧୁଣୀ ଭେଟ ଏକ ସାଙ୍ଗରେ ହୋଇଯିବ । ଝିଆରିଟି କେମନ୍ତ ଅଛି ଦେଖିବି । ସମସ୍ତଙ୍କୁ ହେଣ୍ଟରେଇ ହେଣ୍ଟରେଇ ଘରୁ କାଢ଼ିଲି । ଆମର ସେମାନେ, ଆଉ ଭିଣୋଇ ସାଆନ୍ତ ଗୋଟାଏ ଗୋଟାଏ ଘୋଡ଼ାରେ ଚଢ଼ି ଦାଣ୍ତେ ଦାଣ୍ତେ ଆଗରେ ଯାଇ ତୋଟାରେ ବସିଛନ୍ତି । ଭଣ୍ତାରୀ ଗଉଡ଼ ସମସ୍ତେ ସେମାନଙ୍କ ସାଙ୍ଗରେ । ମୁଁ କହିଲି ଝିଅଟିକୁ ନ ଦେଖି ଯିବିନାହିଁ । ଏକା ବାହାରି ଆସିଲି । କାଲି ଦର୍ଶନସାରି ସମସ୍ତେ ଏହିବାଟେ ବାହୁଡ଼ିବା । ବାଟରେ ଶୁଣିଲି, ସମୁନ୍ଧିମାନେ ଯାତ ଦେଖି ଯାଇଛନ୍ତି । ଭଲ ହେଲା, ସମସ୍ତେ ସାଙ୍ଗ ହୋଇ ଆସିବା । ଦେଖ ସମୁନ୍ଧୁଣୀ, ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା, ହସକୌତୁକ କଥା କିଛି ହୋଇପାରିଲା ନାହିଁ । ଫେରିବାବେଳେ ଏହିଠାରେ ଚାରିଦିନ ରହି ଯିବି । ଭିଣୋଇ ସାଆନ୍ତେ କହୁଥିଲେ, କେବଳ ଦିନେ ରହିବେ । ଦେଖିବଟି ଭଲା, କିପରି ଚାରିଦିନ ନ ରହିବେ, ଅଣ୍ଟାରେ ହାତ ପୁରାଇ ଦେବି ପରା । ଝିଆରୀ ମୁଣ୍ତରେ ହାତ ବୁଲାଇ କହିଲେ, ‘‘ମା’ରେ, ଝିଅରେ, ଆହା ! ପିଲାଲୋକ, କେଜାଣି ଚିହ୍ନି ପାରିବୁ ନାହିଁ, ଢେର ଦିନ ହେଲା ଦେଖିନାହୁଁ, ମୁଁ ଫେରି ଆସେ ନିରୋଳାରେ ବସି ଢେର କଥା କହିବି ।’’ କାନରେ ତୁନି ତୁନି କହିଲେ, ‘‘ତୋ ଲାଗି ଯାତ୍ରାରୁ ଢେର ଜିନିଷ ଆଣିବି ।’’

 

ବୋହୂମାଉସୀ ବାଡ଼ି ଆଡ଼କୁ ଯିବାକୁ ଇଚ୍ଛାକରି ଠିଆ ହୋଇ କହିଲେ, ‘‘ଦେଖ ସମୁନ୍ଧୁଣୀ ମୁଁ ପଦା ଆଡ଼େ ଗଲେ ସ୍ନାନ କରେ, ଚାରିଥର ଯିବି ପଛେ ଚାରିଥର ସ୍ନାନ । ଘର ପଛକୁ ଗଲେ ଲୋଟାଏ ପାଣି ।’’ ‘‘ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ତିତ ।’’ ଏହା କହି ଦାଣ୍ତ ଦୁଆର ଡୋଲି ପାଖକୁ ଗୁମ୍ ଗୁମ୍ କରି ବାହାରିଗଲେ । ସାଙ୍ଗ ଭଣ୍ତାରୀ ପୂର୍ବରୁ ଢାଳଟିଏ ଧରି ଛିଡ଼ା ହୋଇଥିଲା । ବୋହୂମାଉସୀ ପାଣି ପଡ଼ିଯିବା ଭୟରେ ଲୋଟା ମୁହଁରେ ହାତ ଘୋଡ଼ାଇ ବାଡ଼ି ଦୁଆରକୁ ବାହାରିଗଲେ । ବାଘସିଂହ ଘର ପୋଇଲୀ ମୁତୁରୀ ମା ଓଳିତଳ ଦେଖାଇ ଦେଇ ବାଡ଼ିଦୁଆରେ ଛିଡ଼ା ହେଲା । ବୋହୂମାଉସୀ ତାକୁ ଅନାଇ କହିଲେ, ‘‘ଦେଖ ସକାଳୁ ମୋତେ ପୀଡ଼ା ହେଲାଣି, କଣ କରିବି, ଚାରିଆଡ଼େ ଲୋକ । ପୁରୁଷ ହେଉ ସ୍ତ୍ରୀ ହେଉ, କେହି ଅନାଇଲେ ମୁଁ ବସିପାରେ ନାହିଁ-।’’ ମୁତୁରୀ ମା କହିଲା, ‘‘ନାହିଁ ନାହିଁ, ଏଠାରେ କେହି ନାହାନ୍ତି, ଆପଣ ଯାଆନ୍ତୁ, ଆପଣ ଯାଆନ୍ତୁ-।’’ ଏହା କହି ଘର ମଧ୍ୟକୁ ଆସି ବାଡ଼ି ଦୁଆର ଆଉଜାଇ ଦେଲା ।

 

ଅନ୍ଧାର ହୋଇଆସିଲାଣି, ବୋହୂମାଉସୀ କହିଲେ, ‘ମୁଁ ଆଉ ରହିପାରିବି ନାହିଁ, ସେମାନେ ବାଟ ଚାହିଁ ବସିଥିବେ ।’’ ସମୁନ୍ଧୁଣୀମାନେ କିଛି ଖାଇବାକୁ କହିଲେ । ବୋହୂମାଉସୀ ଜିଭ କାମୁଡ଼ି ପକାଇ କହିଲେ, ‘‘ରାମ–ରାମ–ରାମ ! କଣ କହିଲ ସମୁନ୍ଧୁଣୀ, କଣ କହିଲ ? ଏ ଘରେ ଝିଅ ଦେଇଛି, ପାଣି ଛୁଇଁବି ?’’ ବିଦାବେଳେ ବୋହୂମାଉସୀ ସମୁନ୍ଧୁଣୀମାନଙ୍କୁ କୁଣ୍ଢାଇ ପକାଇ କହିଲେ –

 

ଦେଉନ୍ତୁ ମେଲାଣି ଯାଉଛି ସଙ୍ଗାତ,

 

ମନଟି ରଖିଲ ବାନ୍ଧି ।

ଦିନ ରାତି ସିନା ସରିବ ନାହିଁଟି,

 

ସକେଇ ସକେଇ କାନ୍ଦି ।’’

 

ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାମନ୍ତମାନଙ୍କୁ ଦେଖିବା ସକାଶେ ଭାରସବୁ ରଖାଇ ଦିଆଗଲା । ବୋହୂମାଉସୀ ବିଦାୟ ହୋଇଗଲା ବାଦ୍‍ ତାଙ୍କ ରୂପ ଗୁଣ ବିଷୟରେ ଢେର ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ, କେହି ରୂପର, କେହି ଗୁଣର, କେହି ଅଳଙ୍କାରର, କେହି ପାଚିଲା କଦଳୀର, ମାତ୍ର ମାଣିକ କହିଲା, ‘ହେଲା ହଁ, ବଡ଼ଲୋକ ଘର, ରୂପଟା ଏକା ସେରୂପ ନୁହେଁ, ଛାମୁଦାନ୍ତ ଦିଟା ବାହାଡ଼ା, ଗାଲ ଦୁଇଟା ଉଆଉଫଡ଼ା ପରି ।’’ ହଗୁରା ମା କହିଲା, ‘‘କଥାଟାରେ ତାର ମିଠା ନାହିଁ, ଠୋସ୍ ଠୋସ୍ ।’’ ମୁତୁରୀମା କହିଲା, ‘‘ଚାଲିଟା ଧସ୍ ଧସ୍ ।’’ ଶଂକ୍ରୀ କହିଲା, ‘‘ହଁ ହଁ ହସଟା ଫସ୍ ଫସ୍ ।’’ ଶୁକ୍ରୀ କହିଲା, ‘‘ଚାହାଣୀଟା କସ୍ ମସ୍ ।’’ ମୁହୂର୍ତ୍ତ ମଧ୍ୟରେ ‘ଏକୋହି ଗୁଣରେ ଦୋଷସନ୍ନିପାତ’ ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ବନ୍ଧରେ ଅନେକ ପ୍ରଶ୍ନ କରାଗଲା, ମାତ୍ର ସେ ଏତିକି କହିଲା – ‘‘ଟାଙ୍ଗୀ ମାଉସୀ ।’’

•••

 

ସପ୍ତଦଶ ପରିଚ୍ଛେଦ

କିପରି ଘର ପୋଡ଼ିଲା

 

ଆଜି ଅନନ୍ତପୁର ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁଡ଼ାକ ଛିଡ଼ା ହୋଇଅଛି । ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଘର ଭିତରେ ଚାଳ ବସିଯାଇ ଧୂ ଧୂ ହୋଇ ଜଳୁଅଛି । ମୂଳି ବାଉଁଶଗୁଡ଼ାକ ଫଟ୍ ଫଟ୍ କରି ଫୁଟୁଅଛି । କେଉଁଠାରେ କାନ୍ଥ ଉପରେ ବାଉଁଶ ଯୋଡ଼ାଏ, କେଉଁଠାରେ ନଡ଼ା ମେଞ୍ଚାଏ ଲାଗି ଜଳୁଅଛି । ମୋଟା ମୋଟା ଖମ୍ବଗୁଡ଼ାକ ଅଗ୍ନିସ୍ତମ୍ଭ ପରି ଦିଶୁଅଛି । କବାଟରେ ନିଆଁ, ଚୌକାଠରେ ନିଆଁ, ଚାରିଆଡ଼େ ନିଆଁ । ଧାନ ଘର ଭିତରେ ନିଆଁ ପଶି ଭାରି ଧୂଆଁ ବାହାରୁଅଛି । ଜ୍ୟେଷ୍ଠମାସିଆ ଦିନ, ଚାଳ ବାଡ଼ ଶୁଖି ସବୁ ଝୁଣା ହୋଇ ରହିଥିଲା, ପାଖ ମୁହିଁବାକୁ ସାଧ୍ୟ କାହାର ? ପବନ ଏତିକିବେଳେ କାହିଁ ଥିଲା । କେବଳ ଆଟୁ ଭିତରକୁ ନିଆଁ ଯାଇପାରି ନାହିଁ, କବାଟ ଧରିଲାଣି । ହଳିଆମାନେ ମାଠିଆ ମାଠିଆ ପାଣି ପକାଇ ଆଟୁ କବାଟ ପାଖକୁ ଯିବାକୁ ଚେଷ୍ଟା କରୁଅଛନ୍ତି । ଯାତ୍ରାଦେଖାଳିମାନେ ବାହୁଡ଼ି ଅଇଲେଣି । ଦିନ ଛ ଘଡ଼ି–ତଳେ ନିଆଁ, ଉପରେ ନିଆଁ, ଘରୁ କୁଟାକେରାଏ ବାହାରି ନାହିଁ । ଅଧରାତିରେ ନିଆଁ ଲଗିଲା, ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ ଦେହଲୁଗା ଘେନି ବାହାରି ତୋଟା ମଧ୍ୟରେ ଗଛମୂଳେ ବସିଅଛନ୍ତି । ବଣବିରାଡ଼ି ପରି ଘରନିଆଁକୁ ଅନାଇ ଡକା ପାଡ଼ୁଛନ୍ତି । ହଳିଆମାନେ ଗାଈ ବଳଦ ଫିଟାଇଦେଇ ଆଗରୁ ପଳାଇ ଯାଇଥିଲେ । ସେମାନେ ଚେଷ୍ଟା କରିଥିଲେ କେତେକ ଜିନିଷ ବଞ୍ଚାଇ ପାରିଥାନ୍ତେ, ମାତ୍ର ପରପାଇଁ କେତେଜଣ ନିଆଁରେ ପଶନ୍ତି ? ଦିନ ବୁଡ଼ି ଆସିଲାଣି । ବାଘସିଂହ ଘରେ ପିଲାଠାରୁ ବୁଢ଼ାଯାଏ କାହାରି ଦାନ୍ତରେ ଦାନ୍ତକାଠି ବାଜିନାହିଁ, ପିଲାଗୁଡ଼ିଙ୍କୁ ଆଉ ବୋହୂଗୁଡ଼ାଙ୍କୁ ଝୋଲା ମାରିଗଲାଣି । ବୁଢ଼ା ପୁରୋହିତ କେଳୁ ରଥେ ଅନେକ ବୁଝାଇ ସମଝାଇ ଦାନ୍ତ ଘସାଇଲେ ଘରୁ ଗୁଡ଼, ଚୁଡ଼ା କଂସା କଂସା ତୋରାଣି ସମସ୍ତଙ୍କୁ ମୁଦାଏ ମୁଦାଏ ପିଆଇ ସାଷ୍ଟମ କରାଇଲେ । ମାଇକିନିଆ ମଧ୍ୟରେ କେହି ଖାଇଲା ବା କେହି ନ ଖାଇଲା, ବାଘସିଂହ ଘରଆଡ଼େ ଚାହିଁ ଢକଢକ କରି ଢାଳେ ପାଣି ପିଇଦେଇ ପଡ଼ିଗଲେ । ଧାନଘର ଛାଡ଼ି ଆଉ ଆଉ ଘରେ ନିଆଁ ଲିଭିଲାଣି, କୌଣସି କୌଣସି ଘରୁ ଅଳପ ଅଳପ ଧୂଆଁ ବାହାରୁଅଛି । ରାତି ଅନ୍ଦାଜ ଦୁଇଘଡ଼ି, ଭାଇମାନଙ୍କ ସହିତ ବାଘସିଂହ ଆଉ ଗାଁଲୋକେ ସମସ୍ତେ ଗୋଟାଏ ଗଛମୂଳେ ବସିଛନ୍ତି । ବାଘସିଂହ ପଚାରିଲେ, ‘‘ନିଆଁ କିପରି ଲାଗିଲା ?’’ ସମସ୍ତଙ୍କର ପ୍ରଶ୍ନ, ନିଆଁ କିପରି ଲାଗିଲା ? ଉତ୍ତର ଦେଉଛି କିଏ ? କେଳୁ ରଥେ କହିଲେ, ‘‘ନିଆଁ ଲଗାଇବ କିଏ, ବାଘଦୁଆରକୁ କିଏ ଆସିବ । ହିଙ୍ଗୁଳା ଠାକୁରାଣୀଙ୍କର କର୍ମ ।’’ ସମସ୍ତେ ତାହାଙ୍କ ମୁହଁକୁ ଚାହିଁ କହିଲେ, ‘‘ଠିକ୍, ଏଇ କଥା ଠିକ୍ ।’’ ଗୋବିନ୍ଦ ରଥେ କହିଲେ, ‘‘ନାହିଁ ହୋ ତାହା ନୁହେଁ, ବୁଢ଼ୀ ମଙ୍ଗଳାଙ୍କ କୋପ । ଦେଖୁନାହାନ୍ତି ମଙ୍ଗରାଜ ବରଷକସାରା ପୂଜା ଲଗାଉଛନ୍ତି । ମୁଁ କେତେଥର କହିଲି ପୂଜା ପଠାଅ ଶୁଣିଲେ ନାହିଁ, ଏବେ ଦେଖିଲେତ ? ମୁଁ ନ ବୁଝି ନ ସୁଝି କଛି କଥା କହେ ନାହିଁ । ଠାକୁରାଣୀ କୁଟ ନ ହେଲେ ଓଳିପଛ ପାଳଦଉଡ଼ି ଗଦାରୁ ନିଆଁ କାହୁଁ ଅଇଲା ?’’ ମାଣିକ କହିଲା, ସେସବୁ ‘‘କଥା ଯାହାହେଉ, ନୂଆବୋହୂ ପହରାଟା ଏକା ବଡ଼ ଖରାପ । ସେ ଏ ଘରେ ପାଦ ଦେବା ଦିନୁ ନାନା ଅମଙ୍ଗଳ ଗୋଡ଼ାଇଛି ।’’ ଶାମା ମା କହିଲା, ‘‘ଏ କଥାଟା ଏକା ସତ, ଠିକ୍ ସତ । ଡରରେ ସିନା କହିପାରୁ ନ ଥିଲେ ! ଦେଖିଲେ ନା, ଚୈତମାସରେ କିଛି କାହିଁ ନାହିଁ, ଗାଈଟାକୁ ସାପ ଦଂଶି ଦେଲା ! ସାପ କି ଏ ଗାଁରେ ନ ଥିଲେ ? ଗାଈ କାମୁଡ଼ିଥିଲେ କେଉଁ ଦିନ ? ମୋହର ତ ବାରପୁଞ୍ଜା ବୟସ ହେଲା, ‘ବାଘସିଂହ ଘର ଗାଈକୁ ସାପ କାମୁଡ଼ିଛି’, ଏକଥା ଶୁଣି ନାହିଁ ।’’ ମକରା ହଳିଆ କହିଲା, ‘‘ନୁହେଁ ତ କଣ ? ଦୁଇବରଷ ତଳେ ମୋହର ହାତୀ ପରି ଦୁଇଟା ବଳଦ ଗୁମ୍‌ ଗୁମ୍ କରି ବସିଗଲେ ।’’ ଅର୍ଜ୍ଜୁନା ହଳିଆ କହିଲା, ‘‘ଏହି ଆମ୍ବ ତୋଟାରେ ଗୋରୁ ଚରୁଥିଲେ, ଏ ବରଷ ଗୋଟାଏ ଦେଖିବାକୁ ସପନ ।’’ ହଳିଆ ହଳିଆଣୀ, ଭଣ୍ତାରି ଭଣ୍ତାରୁଣୀ ସମସ୍ତଙ୍କ ଅନୁମାନ, ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗଦ୍ୱାରା ସ୍ଥିର ହେଲା ବୋହୂ ପହରା ଘରପୋଡ଼ିର କାରଣ ଅଟେ । ଏହି ସିଦ୍ଧାନ୍ତର ପୋଷକତା ନିମନ୍ତେ ମାଣିକ ପୁନଶ୍ଚ କହିଲା, ‘‘ଦେଖୁନାହଁ, ବୋହୂମାଉସୀ ଯେପରି ପାଦ ଦେଇଛି, ତିନିଦିନ ଯାଇନାହିଁ, ତିନି ପକ୍ଷ ଯାଇନାହିଁ ଅମଙ୍ଗଳ ସାଙ୍ଗେ ସାଙ୍ଗେ ।’’ ବାଘସିଂହ ପଚାରିଲେ, ‘‘ବୋହୂ ମାଉସୀ କିଏ ? ବୋହୂ ମାଉସୀ କିଏ ?’ ଡୋଲିଚଢ଼ି ବୋହୂ ମାଉସୀର ଆଗମନ, ଅଶ୍ୱାରୋହଣପୂର୍ବକ ଡାଳିଯୋଡ଼ା ଫତେସିଂହଙ୍କର ଦେବଦର୍ଶନକୁ ଯାତ୍ରା ଇତ୍ୟାଦି ଯଥାଶ୍ରୁତ ସାଳଙ୍କାରେ ପୂର୍ବକଥିତ ମାଣିକ ବର୍ଣ୍ଣନା କଲା ଏବଂ ସଙ୍ଗେ ସଙ୍ଗେ ମାଉସୀ ଆଣିଥିବା ଭାରର ସଂଖ୍ୟା, ଭାରସ୍ଥିତ ପଦାର୍ଥମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ବିସ୍ମୃତ ହେଲାନାହିଁ । ସାବି ମା କେଉଟୁଣୀ କହିଲା,‘‘ସେ ଗୋବିନ୍ଦପରୁକୁ କେତେଥର ଚୁଡ଼ା ବିକିବାକୁ ଯାଇ ଦେଖିଆସିଛି, ବୋହୁ ମାଉସୀ ରୂପ ଠିକ୍ ରାମଚନ୍ଦ୍ର ମଙ୍ଗରାଜ ଘରର ଚମ୍ପାପରି ।’’

 

ଶଙ୍କରା ହଳିଆ କହିଲା, ‘‘ଯେଉଁ ଲୋକଟା ପଣସ ଭାର ଆଣିଥିଲା, ସେଟା ମଙ୍ଗରାଜଙ୍କ ହଳିଆ ।’’ ବାଘସିଂହ ଭାଇମାନେ ମୁହଁ ଚାହାଁଚୁହିଁ ହୋଇ କହିଲେ, ‘‘କାହିଁ, ଆମ୍ଭେମାନେ ତ ଦାଣ୍ତେ ଦାଣ୍ତେ କେନ୍ଦ୍ରାପଡ଼ାରୁ ଆସୁଅଛୁଁ, ଡୋଲି କିମ୍ବା ଘୋଡ଼ା ତ ଦେଖିଲୁ ନାହିଁ-?’’ କେନ୍ଦ୍ରାପଡ଼ା ଦାଣ୍ତ ଏବଂ ଡାଳିଯୋଡ଼ା ଫତେସିଂହଙ୍କ ଘରଠାକୁ ରାତିରାତି ଲୋକ ଗଲେ । ସେମାନେ ବାହୁଡ଼ି ଆସି ଯେଉଁ ସମ୍ବାଦ ଦେଲେ, ସେଥିରୁ ଜଣାଗଲା, ସର୍ବୈବ ମିଥ୍ୟା, ମାଉସୀର ଅସ୍ତିତ୍ୱ ଅସ୍ୱୀକାର । ଏହି ଘଟନା ଘେନି ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା, ଆଖ ପାଖ ଗ୍ରାମରେ ମଧ୍ୟ କଥା ପଡ଼ିଲା । ସମସ୍ତେ ଅନୁମାନ କଲେ, ଏହା ମଙ୍ଗଳାର ମାୟା । ଆମ୍ଭେମାନେ କହୁଁ, ପିଶାଚୀର କାର୍ଯ୍ୟ ହୋଇପାରେ । ଡାଳିଯୋଡ଼ା ଫତେସିଂହ ସଙ୍ଖୁଳି ଆସି ଝିଅକୁ ଘେନିଗଲେ । ଲୋକେ କହନ୍ତି, ପିଲାଟା ଯେପରି ଅନ୍ନଜଳ ଛାଡ଼ି ବସିଥିଲା, ବାପ ଘେନିଯାଇ ନ ଥିଲେ, ପ୍ରାଣ ପାଇବା କଠିନ ହୋଇଥାନ୍ତା ।

•••

 

ଅଷ୍ଟାଦଶ ପରିଚ୍ଛେଦ

ସାଆନ୍ତାଣି

‘‘ସର୍ବେ ଚଳିବେ କାଳବଳେ,

କଥା ରହିବ ମହୀତଳେ ।’’

ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡ଼ି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି, ମାତ୍ର ଖୁବ୍ ଦରକାର ନ ଥିଲେ ବର୍ଷା ଆଉ ଶୀତ ଋତୁର ପାହାନ୍ତି ବିଛଣାଟା ଲୋକମାନଙ୍କୁ ଟିକିଏ ଟାଣି ଧରେ । ମଙ୍ଗରାଜ ଘର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା । ହଠାତ୍ ତାହାର ଦୃଷ୍ଟି ଚଉରା ଉପରେ ପଡ଼ିଗଲା, ସେ ଥକାହୋଇ ଠିଆ ହୋଇଗଲା । ଧଳାଟାଏ କଣ ? ତୁଳସୀ ଚଉରାଟା ମଙ୍ଗରାଜଙ୍କ ମଝିଅଗଣା ମଧ୍ୟରେ । ସାଆନ୍ତାଣୀଙ୍କ ନିଜସ୍ୱ ମଧ୍ୟରେ ଚଉରାଟା । ବୃନ୍ଦାବତୀ ପୂଜା ତାହାଙ୍କ ଜୀବନର ବ୍ରତ । ତୋଟା ମଧ୍ୟରେ ପୁଆଟିଏ ଆଣି ନିଜେ ରୋଇଛନ୍ତି । ସକାଳୁ ଉଠି ଚଉରା ଚାରିପାଖ ଖରକିବା, ଗୋବର ପାଣିରେ ଛୁଞ୍ଚଦେବା, ଗାଧୋଇ ଆସି ମୂଳରେ ପାଣି ଦେବା, ଅରୁଆ ଚାଉଳ ପୁଞ୍ଜାଏ ଭୋଗ ଦେବା, ସଞ୍ଜ ଦେବା, ଏହିସବୁ କାର୍ଯ୍ୟ କରୁ କରୁ ଦିନ ଅଣ୍ଟେ ନାହିଁ । ସଞ୍ଜ ଦେଇସାରି ବେକରେ ପଣନ୍ତ କାନି ପକାଇ ପୂରା ଅଧ ଘଡ଼ିଏ ଜୁହାର ହୁଅନ୍ତି ତୁନି ତୁନି କଣ କହନ୍ତି ବୃନ୍ଦାବତୀଙ୍କୁ ଜଣା ।

ମରୁଆ ଧୀରେ ଧୀରେ ଚଉରା ପାଖକୁ ଯାଇ ଭଲ କରି ଅନାଇଲା ଏଁ, ଏ କଣ ? ସାଆନ୍ତାଣୀ ଏଁ – ସାଆନ୍ତାଣୀ ଏଁ – ସାଆନ୍ତାଣୀ ଏଁ – ଉତ୍ତର ନାହିଁ । ମରୁଆ ଢାଳଟି ତଳେ ଥୋଇଦେଇ ଦେହରେ ହାତ ଦେଇ ହଲାଇଲା । ରାତିରେ ଅସ୍ରାଏ ପାଣି ବର୍ଷିଯାଇଛି । ଲୁଗାପଟା ଓଦା, କାଦୁଅ ଲଟପଟ, ଦେହଟା କାଠପରି ହୋଇଯାଇଛି, କୁଆପଥର ପରି ଶୀତଳ । ମରୁଆ ଗୋଟାଏ ଭୟଙ୍କର ରଡ଼ି ଛାଡ଼ି ବାହୁନି ବସିଲା –‘‘ମୋ ସାଆନ୍ତାଣୀ ଗୋ, ମୋ ସାଆନ୍ତାଣୀ ! କାହିଁ ଛାଡ଼ିଗଲ, ମୋ ସାଆନ୍ତାଣୀ ! ପିମ୍ପୁଡ଼ି ପେଟବଥା କଥା କିଏ ଜାଣିବ, ମୋ ସାଆନ୍ତାଣୀ ଗୋ ! ମୋତେ ଜର ହେଲେ କିଏ ପଥି ରାନ୍ଧି ଖୁଆଇବ, ମୋ ସାଆନ୍ତାଣୀ ଗୋ ।’’ ମରୁଆ ପାଟି ଶୁଣି ଉଆସର ସମସ୍ତେ ଧାଇଁ ଆସିଲେ, ଅଗଣା ପୂରିଗଲା । ସମସ୍ତେ ବାହୁନି ବସିଲେ, ବୋହୂମାନଙ୍କ ମୁଣ୍ତରେ ଲୁଗା ନାହିଁ, କାନ୍ଦି ଲୋଟି ଯାଉଛନ୍ତି । ସମସ୍ତଙ୍କଠାରୁ ବେଶି ବାହୁନିଲା ଚମ୍ପା । ସେ ବାଡ଼ି ଦୁଆରଠାରୁ ଦାଣ୍ତଦୁଆର ପର୍ଯ୍ୟନ୍ତ ଧାଁଦଉଡ଼ କରି ଡାକ ଛାଡ଼ିଥାଏ । ସମସ୍ତେ କାନ୍ଦି ବସିଛନ୍ତି, କିଏ କାହାକୁ ତୁନି କରାଉଛି ? ମୁହୂର୍ତ୍ତ ମଧ୍ୟରେ ଗାଁ ଏ ମୁଣ୍ତ ସେ ମୁଣ୍ତ ବିଦ୍ୟୁତ୍ ଗତିରେ ଖବର ହୋଇଗଲା । ସ୍ତ୍ରୀ ଲୋକମାନେ ବାସିପାଇଟି ଛାଡ଼ି, ପୁରୁଷମାନେ ଦୁଃଖ ଧନ୍ଦା ଛାଡ଼ି ସାଆନ୍ତାଣୀଙ୍କ ଗୁଣ ଗାଇ ବସିଲେ । ନିତାନ୍ତ ନିଃସମ୍ପର୍କୀୟା ସ୍ତ୍ରୀମାନେ ମଧ୍ୟ କାନ୍ଦି ପକାଇଲେ । କେହି କହିଲା–ଆଜି ମହାଷ୍ଟମୀ, ପୁଣ୍ୟଦିନରେ ଗାଁରୁ ଲକ୍ଷ୍ମୀ ଚାଲିଗଲେ । କେହି କହିଲା ମଙ୍ଗରାଜଙ୍କ ଘର ବଢ଼ନ୍ତି ଏତିକି, ଆଜିଠାରୁ ଶିରୀ ଛାଡ଼ିଲା । ଗାଁ ସ୍ତ୍ରୀମାନଙ୍କ ମଧ୍ୟରେ ସ୍ୱାମୀସେବା କଥା ପଡ଼ିଲେ ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ । ତାହାଙ୍କ ଚରିତ୍ର ଯେମନ୍ତ ନିର୍ମଳ, ଧର୍ମରେ ସେହିପରି ମତି । ସ୍ତ୍ରୀମାନଙ୍କ ସର୍ବସ୍ୱ ଧନ ‘ପତିସୋହାଗ’ ବିଧାତା ତାହାଙ୍କ କପାଳରୁ ପୋଛି ଦେଇଥିଲା, ମାତ୍ର ସେଥିକି ତାଙ୍କର ଶୋଚନା ନ ଥାଏ । ସେ ମନରେ ଭଲକରି ବୁଝିଥିଲେ, ପତିସେବା ସ୍ତ୍ରୀମାନଙ୍କର ଧର୍ମ, ପତି ସେବାରେ ସ୍ତ୍ରୀମାନଙ୍କର ସୁଖ । କେବଳ ପତିସେବା ନୁହେଁ, ମନୁଷ୍ୟ ସେବାକୁ ମଧ୍ୟ ସେ ମହାସୁଖକର ଜ୍ଞାନ କରୁଥିଲେ । ମୁଣ୍ତକୁ ହାତ ପାଇଲା ଦିନୁ ପୁଅମାନେ ପାଖ ପଶନ୍ତି ନାହିଁ । ବୋହୂମାନେ ଯେ ଅମାନ୍ୟ କରନ୍ତି ତାହା ନୁହେଁ, ମାତ୍ର ମୁରବୀ ମାନ୍ୟଟା ଥିଲା ନାହିଁ । ଶାଶୁ ବାଧିକି ପଡ଼ିଛନ୍ତି ବୋଲି ଯେ ବୋହୂମାନେ ତେଲ ହାତଟା ଗୋଡ଼ରେ ହାତରେ ବୁଲାଇ ଦେଇଛନ୍ତି, ଏ କଥାଟା କେବେ ଦେଖିବାରେ ଆସି ନାହିଁ । ଏଇଟା କିନ୍ତୁ ସାଆନ୍ତାଣୀଙ୍କ ନିଜ କୃତ ଦୋଷର ଫଳ । ଘରଣୀପଣିଆ ଜଣାଇବା, ପୁଅବୋହୂ, ଚାକର, ପୋଇଲୀମାନଙ୍କୁ ଶାସନରେ ରଖିବାର କ୍ଷମତା ତାଙ୍କର ନ ଥିଲା । ସେ କଥାଟାକୁ ସେ ମଧ୍ୟ ସୁଖ ପାଉ ନ ଥିଲେ । ତାଙ୍କଠାରେ ଧୁଆ ମୂଳା ଅଧୁଆ ମୂଳା ସମାନ । ତାଙ୍କୁ ଯେ ମାନିଲା ଭଲ, ଯେ ନ ମାନିଲା ସେ ମଧ୍ୟ ଭଲ । କେହି ଦଶପଦ ଗାଳି ଦେଉ ଜାଡ଼ି ହାଉଡ଼ି ପରି ଥାଆନ୍ତି । ଶାଳଗ୍ରାମର ଶୋଇବା ବସିବା ପରି ତାଙ୍କ ହସ କାନ୍ଦ କେହି ଜାଣିପାରିବେ ନାହିଁ । କାହାରି ସଙ୍ଗରେ କଳି କିମ୍ବା କାହାରି ସଙ୍ଗରେ ଭାବ ନାହିଁ । କାହାରି ପାଖରେ ବସି ଦୁଃଖ ସୁଖ ଦୁଇଟା କଥା କହିବାର କେହି ଦେଖିନାହିଁ । କେବଳ ଉଆସ ମଧ୍ୟରେ କାହାରି ବେମାର ହେଲେ ଦିନ ନାହିଁ ରାତି ନାହିଁ, ଜଗିବସି ସେବା କରନ୍ତି । ବେମାରି ସମୟରେ ପୋଇଲି ହେଉ ବା ବୋହୂ ହେଉ, ନାହିଁ କରୁ କରୁ ଗୋଡ଼ରେ, ହାତରେ ହାତ ବୁଲାଇ ଦେବେ । ବାହାରେ ହେଉ, ଘରେ ହେଉ, କେହି ଉପାସ ଥିଲେ ତାକୁ ନ ଖୁଆଇ ଜଳ ଛୁଅନ୍ତି ନାହିଁ । ଗାଁର ଦରିଦ୍ର ବୁଢ଼ୀ ବା ଅନାଥା ବିଧବାଙ୍କର ସର୍ବଦା ଖବର ନିଅନ୍ତି । କାହାରି ଘରେ ଖାଇବାକୁ ନ ଥିବାର ଶୁଣିଲେ ସାଆନ୍ତକୁ ଲୁଚାଇ, ପୁଅବୋହୂଙ୍କୁ ଲୁଚାଇ, ଚାଉଳ ମାଣେ, ବିରିଜାଇ ମୁଠାଏ, ଲୁଣ ବକଟେ, ତେଲ ଟିକିଏ, କଖାରୁ ଖଣ୍ତେ, ଭେଣ୍ତି ଜହ୍ନି ପୁଞ୍ଜାଏ, ଯାହାର ଯାହା ଦରକାର ପଠାଇ ଦିଅନ୍ତି । ଗାଁର କାହାରି ବୋହୂଝିଅ ଦେହକୁ ଲାଗିଲେ ପୋଇଲି ପଠାଇ ତନଖି କରନ୍ତି । ଦେଉନ୍ତୁ ନ ଦେଉନ୍ତୁ, ଗରିବ ଦୁଃଖୀମାନଙ୍କର ତାଙ୍କଠାରେ ଗୋଟାଏ ବଡ଼ ଆଶା ଭରସା ଥାଏ । ଅନେକ ପରଜାଏ ଖାତକ, ଅନେକ ଦରିଦ୍ର ପ୍ରଜା ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଢ଼ରୁ ମୁକ୍ତି ପାଇଥିବାର ଶୁଣାଯାଏ । ମଙ୍ଗରାଜେ କାହାରି ଉପରେ ଜୁଲମ କଲେ ସେ ଯଦି ବୋହୂ ଝିଅ ପଠାଇ ସାଆନ୍ତାଣୀଙ୍କ କାନରେ ଦୁଃଖ କଥାଟା ବଜାଇ ପାରିଲା, ତେବେ ତ ବାସ୍ । ସେଥିସକାଶେ ମଙ୍ଗରାଜଙ୍କଠାରୁ ଢେର୍ ଗାଳି ଗଞ୍ଜଣା ଶୁଣିବାକୁ ହୁଏ । ଚମ୍ପା ଟାହୁଲି ମାହୁଲି କେତେ କଥା କହେ, ମାତ୍ର ସାଆନ୍ତାଣୀ ତେତେବେଳେ କାଲୁଣୀ । କାହାରି ଉପକାର କରିପାରିଲେ କୋଟିନିଧି ପାଆନ୍ତି-। ଶିବୁ ପଣ୍ତିତେ ସାଧୁ ଭାଷାରେ କହନ୍ତି, ‘ସାଆନ୍ତାଣୀ ଦୟା, ସ୍ନେହ, ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୁର୍ତ୍ତିମତୀ ଦେବୀ ।’

 

ସାଆନ୍ତାଣୀଙ୍କର କିନ୍ତୁ ଗୋଟିଏ ବିଚିତ୍ର ସ୍ୱଭାବ ଥିଲା, ସେଇଟି ଦୋଷ କି ଗୁଣ, ଆମ୍ଭେମାନେ ସ୍ଥିର କରିପାରୁ ନାହୁଁ, ଆପଣମାନେ ବୁଝନ୍ତୁ । ପାଞ୍ଚଟା କଥା ଯୋଡ଼ି ରଙ୍ଗଭଙ୍ଗ କରି କହିବାର ଶକ୍ତି ନ ଥିଲା, ପୁଣି କଥାଗୁଡ଼ାକ ଏତେ ଧୀର ଯେ, ଦାଣ୍ତ ଦୁଆର ଲୋକେ କେଭେଁ ତାଙ୍କର ତୁଣ୍ତ ଶୁଣି ନାହାନ୍ତି, ମାତ୍ର ସାଆନ୍ତେ ଉଆସ ମଧ୍ୟରେ କୌଣସି ପୋଇଲୀ ବା ଚାକର ଉପରେ ରାଗି ଚଳିହେଲେ ବା ମାରିବାକୁ ବସିଲେ, ସାଆନ୍ତାଣୀ କିଛି ନ ବୁଝି ନ ଶୁଝି ମଝିରେ ପଶିଯାନ୍ତି ଏବଂ ବିବିଧ ଯୁକ୍ତି ପ୍ରୟୋଗପୂର୍ବକ ତାହାର ନିର୍ଦ୍ଦୋଷତା ପ୍ରମାଣ କରାଇବାକୁ ବିବିଧ ପ୍ରକାର ଚେଷ୍ଟା କରନ୍ତି । ତେତେବେଳେ ତାଙ୍କର ସତ୍ୟ ମିଥ୍ୟା ଜ୍ଞାନ ଥାଏ ନାହିଁ, ସୁତରା ସାଆନ୍ତଙ୍କ ରାଗଟା ତାଙ୍କରି ମୁଣ୍ତ ଉପର ଦେଇ ଚାଲିଯାଏ । ପର ପାଇଁ ବିଶେଷରେ ଦୋଷୀକୁ ରକ୍ଷା କରିବା ପାଇଁ ମିଥ୍ୟା କଥା କହିବା ଏବଂ ଅନ୍ୟର ଅପରାଧ ସକାଶେ ଆପେ ଲାଞ୍ଛିତ ହେବା ଅବଶ୍ୟ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ, ମାତ୍ର ଆଜିଯାଏ ତାଙ୍କର ସ୍ୱଭାବ ବଦଳି ନ ଥିଲା । ‘ସ୍ୱଭାବୋ ନୈବ ମୁଚ୍ୟତେ ।’ ଦୋଷୀ ହେଉ ବା ନିର୍ଦ୍ଦୋଷ ହେଉ, କାହାରି କିଛି ଦୁଃଖ ଦେଖିଲେ ସେ କାନ୍ଦି ପକାଉଥିଲେ ।

 

ଆଉ ଗୋଟିଏ କଥା, ଉଆସ ମଧ୍ୟରେ ଦୁଇଟା ପୋଇଲୀ ମଧ୍ୟରେ ବା ବୋହୂ ବୋହୂ ମଧ୍ୟରେ କଳି ହେଲେ ସେ ପ୍ରାୟ ଦୁର୍ବଳ ପଟ ଧରି ଚାଲିବାର ଦେଖାଯାଏ । ଏଇଟା ଅବଶ୍ୟ ପକ୍ଷ ପାତିତାର ଅଭାବ ଥିଲା ।

 

ସାଆନ୍ତାଣୀଙ୍କର ଗୋଟିଏ ମହତ୍ ଦୋଷ ଥିଲା– ଅବଶ୍ୟ ମହତ୍ ଦୋଷ ବୋଲିବାକୁ ହେବ, ସାଆନ୍ତେ ସେଥିସକାଶେ ଚିରକାଳ ବିରକ୍ତ । ତାଙ୍କର ଘରକରଣା ବୁଦ୍ଧି ଜଡ଼ସୁଦ ନ ଥିଲା । ଟଙ୍କା ପଇସା ଯେ କି ମହାମୂଲ୍ୟ ପଦାର୍ଥ, ସେ ତାହା ଜାଣୁ ନ ଥିଲେ । ସେ ଖୋଜନ୍ତି ନାହିଁ, ସୁତରାଂ ହାତ ପୈଠ ହୁଏ ନାହିଁ । ଯଦି ଦୌବାତ୍ ଦୁଇ ଅଣା ଚାରି ଅଣା ପଇସା, ଟଙ୍କାଟିଏ, ସୁକିଟିଏ ହାତରେ ପଡ଼ିଯାଏ, ଧାନ ଉଷୁଆଁ ହାଣ୍ଡିତଳେ, ନୋହିଲେ କୁଣ୍ତାହାଣ୍ତି ତଳେ ଉଗାଡ଼ି ପକାନ୍ତି, ନୋହିଲେ ଚାଳ ବାଡ଼ରେ ଖୋସି ଦିଅନ୍ତି । ଗାଁର କାହାରି ଝିଅ ଶାଶୁଘରୁକୁ ଯିବାବେଳେ ଶାଢ଼ୀ ଖଣ୍ତେ କିମ୍ବା ଥୋପ ଯୋଡ଼ାଏ କିମ୍ବା ଭୁଜା ଉଖୁଡ଼ା ଦୁଇମାଣ ମୁକୁନ୍ଦ ହାତରେ କିଣେଇ ଦିଅନ୍ତି କିମ୍ବା କାହାରି ଘରେ ଖାଇବାର ନ ଥିଲେ ତାହା ଭାଗ୍ୟରେ ପଡ଼େ । ଏପରି ଦେବାର ଶୁଣାଯାଏ, କିନ୍ତୁ କେହି କେବେ ଦେଖି ନାହିଁ । ଯାହାହେଉ, ସାଆନ୍ତାଣୀଙ୍କର ଦୋଷ ଥାଉ ବା ଗୁଣ ଥାଉ, ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ହାୟ ହାୟ କରୁଛନ୍ତି । କେବଳ କାନ୍ଦୁ ନାହିଁ ଜଣେ । ମୁକୁନ୍ଦା ହଳିଆ ପାକୁଆ ପାଟିଟାକୁ ଆଁ କରି ଆଖିବୁଜି ମାଂସଶୂନ୍ୟ ଡେଙ୍ଗା ହାଡୁଆ ଗୋଡ଼ ଦୁଇଟା ଲମ୍ବାଇଦେଇ ବାଡ଼କୁ ଆଉଜି ବସି ପଡ଼ିଅଛି । ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣାନାହିଁ । ତାହାର ବୟସ, ଜାତି, କୁଳ, ଗୁଣ ଗ୍ରାମର କଥା ଶୁଣିବେ ? ହଳିଆ ବାପୁଡ଼ା କଥା କିଏ ପଚାରେ ? ସେ ନିଜେ କହେ ସାଆନ୍ତାଣୀଙ୍କ ଜନ୍ମସମୟରେ ଧାଈକୁ ଡାକିବାକୁ ଯାଇଥିଲା । ତାହା କୋଳରେ ସାଆନ୍ତାଣୀ ଏଡ଼େଟିଏ, ବାପଘରୁ ସାଙ୍ଗେ ସାଙ୍ଗେ ଆସିଅଛି । ହାଉଡ଼ା କଥା ହାଉଡ଼ା ମା ଜାଣେ । କେବଳ ମୁକୁନ୍ଦା ସାଆନ୍ତାଣୀଙ୍କ ମନକଥା ବୁଝୁଥିଲା । କୌଣସି କଥାରେ ସାଆନ୍ତାଣୀ ମନଦୁଃଖ କଲେ ମୁକୁନ୍ଦା ଆସି ଜଳ ଜଳ କରି ତାଙ୍କ ମୁହଁକୁ ଚାହିଁ ରହେ, ସାଆନ୍ତାଣୀ ତା ମୁହଁକୁ ଚାହିଁ ମୁଣ୍ତ ତଳକୁ ପୋତି ଦିଅନ୍ତି । ସେ ଚାହାଣୀ ଅର୍ଥାତ୍ ନୀରବ ବକ୍ତୃତାରେ ସବୁ କଥା ଛିଡ଼େ । ସାଆନ୍ତାଣୀ ସାନ୍ତ୍ୱନାପାଇ ତୁନି ହୁଅନ୍ତି । ସାଆନ୍ତାଣୀ କିଛି ମାତ୍ର ମନଦୁଃଖ କଲେ ତାହା ଆଖିରୁ ଝରଝର ହୋଇ ପାଣି ବୋହି ପଡ଼ୁଥିଲା, ଆଜି ମରି ପଡ଼ିଛନ୍ତି, ସେ କାନ୍ଦୁନାହିଁ । ଯାହାର ଜଗତର ସମସ୍ତ ସୁଖ, ସମସ୍ତ ଶାନ୍ତି, ସମସ୍ତ ଭରସା, ସମସ୍ତ ଆଶା, ସମସ୍ତ ସାନ୍ତ୍ୱନା, ସମସ୍ତ ସ୍ନେହ ଏକ ସଙ୍ଗରେ ଶେଷ ହୋଇଯାଏ, ସେ କାନ୍ଦେ ନାହିଁ । କେବଳ ସେ ବେଳେବେଳେ ଫଁ ଫଁ ନିଃଶ୍ୱାସ ପକାଉଅଛି । ବୋଧହୁଏ ସେଥିସକାଶେ ତାହାର ଶୁଷ୍କ ହୃଦୟ ଫାଟିଯାଉ ନାହିଁ ।

 

ମଙ୍ଗରାଜେ ମୁଣ୍ତ ପାଖରେ ବସି ଏକଧ୍ୟାନରେ ସାଆନ୍ତାଣୀଙ୍କ ମୁହଁକୁ ଅନାଇ ଅଛନ୍ତି । ନିଶ୍ଚଳ, ସ୍ତବ୍ଧଧ ଦୁଇ ଆଖିରୁ ଲୋତକ ବହି ଯାଉଅଛି । ମଙ୍ଗରାଜଙ୍କ ଆଖିରେ କେହି ତ କେବେ ଲୋତକ ଦେଖିନାହିଁ, ଆଜି ନୂତନ ଦେଖାଗଲା । ଲୋକେ କହନ୍ତି ସ୍ନେହ, ମାୟା, ମମତା, ଚକ୍ଷୁଲଜ୍ଜା, ଧର୍ମକର୍ମ ମଙ୍ଗରାଜଙ୍କ ମନକୁ ଛୁଇଁ ନାହିଁ । ସେ ଭଲକରି ବୁଝିଥିଲେ ‘‘ଟଙ୍କା ଏବ ମନୁଷ୍ୟାନାଂ ଚତୁବର୍ଗଫଳପ୍ରଦା ।’’ ଦିବା–ରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ – ଟଙ୍କା ଥିଲା ଜ୍ଞାନ । ସେ ତୁନି ହୋଇ ବସି ଭାବିବାର ଅନେକଥର ଦେଖାଯାଇଛି । କିନ୍ତୁ ସେ ସମୟରେ ଏକ ପ୍ରକାର ଜ୍ୟୋତି ତାଙ୍କ ଆଖିରୁ ବାହାରୁଥାଏ । ସମୁଦ୍ର ଗର୍ଭଜାତ ଉତ୍ତାଳ ତରଙ୍ଗମାଳା ବେଳାଭୂମିରେ ପଡ଼ି ଲୀନ ହୋଇଗଲା ପରି ହୃଦୟଜାତ ନାନା ଆଶା, ନାନା ଚିନ୍ତାର ତରଙ୍ଗ ଆସି ଭ୍ରୂଲତାର ଉପରିଭାଗରେ ରେଖାକାର ଧରି ଲୀନ ହେଉଥାଏ । ଆଜି ଭାବନା; କିନ୍ତୁ ଅନ୍ୟରୂପ । ନେତ୍ର ଅର୍ଦ୍ଧ ନିମୀଳିତ, ସ୍ପନ୍ଦନ ଶୂନ୍ୟ, ଅଶ୍ରୁସିକ୍ତ । ମଙ୍ଗରାଜ କି ସାଆନ୍ତାଣୀଙ୍କ ସକାଶେ କାନ୍ଦୁଛନ୍ତି ? ପ୍ରିୟ ବସ୍ତୁର ବିୟୋଗ ମନୁଷ୍ୟ ପକ୍ଷରେ ଅସହ୍ୟ । ମଙ୍ଗରାଜ କି ପବିତ୍ର ଦାମ୍ପତ୍ୟ ପ୍ରେମର ସ୍ୱର୍ଗୀୟମାଧୁରୀ ଅନୁଭବ କରୁଥିଲେ ? କାହିଁ ? ସେ ସାଆନ୍ତାଣୀଙ୍କୁ ପ୍ରେମରେ ଦୁଇଟା କଥା କହିବାର ତ କେହି କେବେ ଶୁଣି ନାହିଁ । ତେବେ ଆଜି ଏତେ ବ୍ୟାକୁଳ କି ପାଇଁ ? ଯାହାହେଉ, ସାଆନ୍ତଣୀଙ୍କ ବିଚ୍ଛେଦ ଯନ୍ତ୍ରଣା ଯେ ସେ ଅନୁଭବ କରୁଅଛନ୍ତି, ସହଜ ବିଶ୍ୱାସରେ ଆମ୍ଭମାନେ ଏହା ବୋଧ କରୁଅଛୁ । ଯାହାକୁ ଆଠ କଳସ ମାଡ଼ି ବେଦି ଉପରେ ବିବାହ କରି ଅର୍ଦ୍ଧାଙ୍ଗରୂପେ ଗ୍ରହଣ କରିଅଛି, ସେ ଭଲ ହେଉ ବା ମନ୍ଦ ହେଉ ତାହାପ୍ରତି ଗୋଟାଏ ମାୟା ଥାଏ । ଏହି ନୈସର୍ଗିକ ମାନବ ଧର୍ମ ଅତିକ୍ରମ କରିବା ସହଜସାଧ୍ୟ ନୁହେଁ । ଯେ ସ୍ତ୍ରୀ ଧର୍ମକାର୍ଯ୍ୟର ସହଧର୍ମିଣୀ – ପ୍ରାଣାଧିକ ସନ୍ତାନ ସନ୍ତତିଙ୍କ ଜନନୀ, ଯେ ସ୍ତ୍ରୀ ସୁଖ ବା ଦୁଃଖରେ ଏକମାତ୍ର ସମଭାଗିନୀ, ଯେ ସ୍ତ୍ରୀ ରୋଗରେ ଶୁଶ୍ରୁଷାକାରିଣୀ, ବିପଦରେ ମନ୍ତ୍ରୀ, ଶରୀର ରକ୍ଷାରେ ଧାତ୍ରୀ, ତୁମ୍ଭେ ଯଦି ନିତାନ୍ତ ପାଷାଣ୍ତ ହୁଅ, ତାହାର ଗୁଣଗାରିମା ଅନୁଭବ କରିବାର ଶକ୍ତି ଯଦି ନିତାନ୍ତ ତୁମ୍ଭର ନ ଥାଏ – ଜୀବନକାଳରେ ତାହାକୁ ପ୍ରେମ କର ଅବା ନ କର, କିନ୍ତୁ ତାହାର ବିଚ୍ଛେଦ ଯନ୍ତ୍ରଣା ଅବଶ୍ୟ ଭୋଗ କରିବାକୁ ହେବ-। ଆଉ ସାଧ୍ୱୀ, ସଚ୍ଚରିତ୍ରା, ପତିପରାୟଣା, ଧାର୍ମିକ ସ୍ତ୍ରୀର ଗୁଣଗାରିମା ଯେଉଁ ଲୋକ ଥରେ ମାତ୍ର ହୃଦୟରେ ଅନୁଭବ କରୁଅଛି ତାହାର ବିଚ୍ଛେଦ ଯନ୍ତ୍ରଣା ଯେ କି ରୂପ ଅସହ୍ୟ ତାହା ବର୍ଣ୍ଣନା କରିବାକୁ ଭାଷାର ସୃଷ୍ଟି ହୋଇନାହିଁ । ତାହା ସ୍ତ୍ରୀ ବିୟୋଗବିଧୂର ବ୍ୟକ୍ତି କେବଳ ହୃଦୟରେ ଅନୁଭବ କରେ । ନାଗସର୍ପ ଯାହାକୁ ଦଂଶନ କରିଅଛି, ସେ ବ୍ୟକ୍ତି ବିଷର ଯନ୍ତ୍ରଣା ଜାଣେ, କଥାରେ ବୁଝାଇବାର କଥା ନୁହେଁ । ସେହି ବ୍ୟକ୍ତି ଜାଣେ, ଶୋଣିତବାହିନୀ ଶିରା ସମସ୍ତ ଛିନ୍ନଭିନ୍ନ ହୋଇଯାଇ ତାହାର ହୃତ୍‌ପିଣ୍ତ ଶୁଷ୍କଭାବରେ ପଡ଼ିଅଛି, ସେହି ବ୍ୟକ୍ତି ବୋଧକରେ ଜଗତର ସମସ୍ତ ସୁନ୍ଦର ପଦାର୍ଥର ସୌନ୍ଦର୍ଯ୍ୟ, ସମସ୍ତ ମାଧୁର୍ଯ୍ୟର ମଧୁରିମା, ସମସ୍ତ ପୁଷ୍ପର ସୁଗନ୍ଧ, ସମସ୍ତ ସଙ୍ଗୀତର ତାନଲହରୀ, ସମସ୍ତ ପବିତ୍ରତା ଚିତାଗ୍ନିରେ ଦଗ୍‌ଧିଭୂତ ହୋଇ ଯାଇଅଛି । ସଂକ୍ଷେପରେ କହିବାକୁ ଗଲେ, ସେ ଆପଣାକୁ ମୃତଲୋକ ମଧ୍ୟରେ ଜୀବିତ, ଜୀବିତ ମଧ୍ୟରେ ଆପଣାକୁ ମୃତବୋଲି ଜ୍ଞାନ କରେ ।

 

ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପ କୁମ୍ଭୀରସଙ୍କୁଳା କୂଳପ୍ଲାବିନୀ ଚର୍ମଣ୍ୱତୀ, ଆଉ ଗୋଟିଏ ଅନ୍ତଃସ୍ରୋତ ପୂତସଲିଳା କୂଳପ୍ଲାବିନୀ ଫଲ୍‌ଗୁ । ହୁଏତ ମଙ୍ଗରାଜେ ବୁଝିଛନ୍ତି, ଫଲ୍‌ଗୁ ଚିରକାଳ ନିମନ୍ତେ ବିଦାୟ ଗ୍ରହଣ କଲା । ମଦ୍ୟପର ସମ୍ମୁଖରେ ଗିନାଏ ଜଳ, ଗିନାଏ ମଦିରା ଥୁଆ ହୋଇଥିଲେ ସେ ସୁରା ଗିନାଟିକୁ ଅଧିକ ଆଦର କରେ ଏବଂ ଯତ୍ନରେ ରଖେ, ମାତ୍ର ଜଳ ଗିନାଟିର ଏକାବେଳେକେ ଅଭାବ ହେଲେ ସେ ତେତେବେଳେ ବୁଝିପାରେ, ସୁରା ଉନ୍ମାଦକାରିଣୀ ସତ୍ୟ, ମାତ୍ର ଜଳ ତାହାର ଜୀବନ ।

 

ମଙ୍ଗରାଜଙ୍କ ଅବସ୍ଥା ଦେଖି ଆମ୍ଭେମାନେ ଅନୁମାନ କରୁଅଛୁଁ, ତାଙ୍କ ମନରେ ଦୁଃଖ ଓ ଅନୁତାପ ଉଭୟ ଉପସ୍ଥିତ ହୋଇଅଛି । ଦୁଃଖରେ ମନୁଷ୍ୟ କାନ୍ଦେ, ଅନୁତାପରେ କାନ୍ଦେ ନାହିଁ, ଦୁଃଖ ହୃଦୟର ଜ୍ୱଳନ୍ତ ଅଙ୍ଗାର, ଅନୁତାପ ତୁଷାନଳ । ନିଜର ଦୁଷ୍କୃତି, ନିଜର ଅଯତ୍ନ ସହିତ ସାଆନ୍ତାଣୀଙ୍କ ମୃତ୍ୟୁର ନିକଟ ସମ୍ବନ୍ଧ ଥିବାର ଅନୁମାନ କରି ସେ ଅନୁତାପ କରୁଅଛନ୍ତି କି ? ତାଙ୍କଦ୍ୱାରା ସଂଖ୍ୟାତୀତ ଦୁଷ୍କୃତ ଅନୁଷ୍ଠିତ ହୋଇଅଛି । କାହିଁ, କେବେହେଲେ ସେ ତ ଅନୁତାପ କରୁଥିବାର କେହି ଦେଖିନାହିଁ ? କିଏ ବୋଲିପାରେ ? କ୍ଷଣପରିବର୍ତ୍ତନଶୀଳ ମନୁଷ୍ୟ ସ୍ୱଭାବ କିଏ ଜାଣେ ? ବିଶ୍ୱବିଧାତା ସମାନ ଉପାଦାନରେ ଜଗତରେ ସମସ୍ତ ନରନାରୀକୁ ସୃଷ୍ଟି କରିଅଛନ୍ତି । ରକ୍ତ, ମାଂସ, ଅସ୍ଥି, ମଳ, ମୂତ୍ରରେ ଯେପରି ଶରୀର ଗଠିତ, ସେହିପରି ଦୟା, ମାୟା, ସ୍ନେହ, ମମତା, ହିଂସା, ଦ୍ୱେଷ, ନିଷ୍ଠୁରତା ପ୍ରଭୃତି ବୃତ୍ତିମାନଙ୍କରେ ମନ ଗଠିତ । ସେହି ସମସ୍ତ ବୃତ୍ତି ଉପଯୁକ୍ତରୂପେ ସମାନ ଭାବରେ କାର୍ଯ୍ୟକାରୀ ହେଲେ ମନୁଷ୍ୟ ହୋଇଥାଏ, ମାତ୍ର ଯେବେ ଗୋଟିଏ ଉପାଦାନ ବଳବତ୍ତର ହୋଇ ସୀମା ଲଙ୍ଘନପୂର୍ବକ ଅନ୍ୟ ବୃତ୍ତିମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରେ, ତେବେ ସେ ମନୁଷ୍ୟର ମନୁଷ୍ୟତ୍ୱ ଲୁପ୍ତ ହୋଇଯାଏ, ତେତେବେଳେ ହୁଏତ ସେ ଦେବତା, ନଚେତ୍ ରାକ୍ଷସ ରୂପରେ ପରିଣତ ହୁଏ । ଅର୍ଥାତ୍ ମନୁଷ୍ୟର ମନ ସ୍ୱର୍ଗୀୟ ଓ ନାରକୀୟ ବୃତ୍ତି ରାକ୍ଷସ କରି ପକାଏ । ଯଦି ତୁମ୍ଭେ ଶୁଣ ଗୋଟିଏ ଲୋକ ଦୟାପରବଶ ହୋଇ ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ଆପଣା ଜୀବନ ବିସର୍ଜନ କଲା, ସେତେବେଳେ ତାହାକୁ କି ଦେବତା କହିବ ନାହିଁ ? ଯେତେବେଳେ ଶୁଣ, ଜଣେ ଲୋକ କେତେ ଖଣ୍ତ ସୁନା ଅଳଙ୍କାର ସକାଶେ ଗୋଟିଏ ଶିଶୁହତ୍ୟା କଲା, ମିଳାଇ ଦେଖ, ପୁରାଣବର୍ଣ୍ଣିତ ରାକ୍ଷସ ସହିତ ତାହାର ମେଳ ହେଉଛି କି ନା ? ମାତ୍ର ଏପରି ଦୃଷ୍ଟାନ୍ତ ବିରଳ ଥିଲେ ମଧ୍ୟ ସଚରାଚର ଦେଖାଯାଏ ନାହିଁ । ମନୁଷ୍ୟ ଚିରକାଳ ମନୁଷ୍ୟ ଏବଂ ମନୁଷ୍ୟ ମନର ମୂଳ ଉପାଦାନ ସମାନ ଥିଲେ ମଧ୍ୟ ବାହ୍ୟ ପ୍ରକୃତି ଆସାମଞ୍ଜସ୍ୟମୟ-। କୋଟି କୋଟି ମନୁଷ୍ୟ ମଧ୍ୟରେ ଜଣକ ରୂପ ସହିତ ଅନ୍ୟ ଜଣକର ରୂପରେ ମିଳନ ନାହିଁ, ମାନସ ପ୍ରକୃତି ମଧ୍ୟ ସେହିପରି । କାହାରି କାହାରି କୌଣସି ଚିରବୃତ୍ତି ବଳବତୀ, କାହାର ଦୁର୍ବଳା, କାହାର କାହାର ଚିରନିଦ୍ରିତା । ସମୟ ବିଶେଷରେ ଘଟନାଚକ୍ର ପରିବର୍ତ୍ତରେ ନିଦ୍ରିତାବୃତ୍ତି ସମସ୍ତ ଜାଗରିତ ହୋଇ ଉଠିବାର ଦେଖାଯାଏ । ମଦ୍ୟପ ଦୂରାଚର ଜଗାଇ ମାଧାଇ ପରମବୈଷ୍ଣବ ହେବେ, କିଏ ଜାଣିଥିଲା ? ଆଉ ଖ୍ରୀଷ୍ଟ ବିଦ୍ୱେଷୀ ଅତ୍ୟାଚାରୀ ପାଉଲ୍ ଆଜି ପୂଜନୀୟ ମହର୍ଷୀ ପଦବାଚ୍ୟ । ଗାଧିନନ୍ଦନ ରାଜର୍ଷି ବିଶ୍ୱାମିତ୍ରଙ୍କର ସହସ୍ର ସହସ୍ର ଯୁଗବ୍ୟାପୀ ତପସ୍ୟା ତତୋଽଧିକ ଜ୍ୱଳନ୍ତ ବ୍ରାହ୍ମନିଷ୍ଠା ମେନକାର ନିମେଷ ମାତ୍ର ଅପାଙ୍ଗ ଦୃଷ୍ଟିରେ ଟଳିଗଲା । ବିଶେଷ ଅନୁଧ୍ୟାନ କରି ଦେଖ, ଏପରି ହଠାତ୍ ପରିବର୍ତ୍ତନର ମୂଳ କାରଣ ଘଟଣା ଏବଂ ସଂସର୍ଗ ଭଗବାନ ଶଙ୍କରାଚାର୍ଯ୍ୟଙ୍କର ମହାବାକ୍ୟ ସମସ୍ତଙ୍କର ସ୍ମରଣ ରଖିବାର ଉଚିତ–

 

‘‘କ୍ଷଣମିହ ସଜ୍ଜନ ସଂଗତିରେକା

ଭବତି ଭବାର୍ଣ୍ଣବତରେଣ ନୌକା ’’

 

ସନାତନ ବ୍ରହ୍ମଧର୍ମର ଉପଦେଶ– ତୁମ୍ଭେ ପାପକୁ ଘୃଣା କର, ପାପୀକୁ ଘୃଣା କର ନାହିଁ-

 

ଯେଉଁ ବୃତ୍ତିର ବଶମ୍ବଦ ହୋଇ ମନୁଷ୍ୟ ଅନୁତାପ କରେ, ମଙ୍ଗରାଜଙ୍କର ସେହି ବୃତ୍ତି ଆଜି ଉତ୍ତେଜିତ ହୋଇ ଉଠି ନାହିଁ, ଏକଥା କିଏ କହିପାରେ ? ଆମ୍ଭମାନେ ଅନ୍ତର୍ଯ୍ୟାମୀ ନୋହୁ, ମଙ୍ଗରାଜଙ୍କର ମନର ଭାବ କିପରି ଜାଣିବୁ ? ଜାଣିଲେ ମଧ୍ୟ ଦୁଃଖ ଏବଂ ଅନୁତାପ ଯୁଗପତ୍ କିପରି ତାହାଙ୍କ ମନକୁ ବଶୀଭୂତ କରି କଣ୍ଠରୋଧ ଏବଂ ବାହ୍ୟଜ୍ଞାନଶୂନ୍ୟ କରି ପକାଉଛି, ତାହା ବର୍ଣ୍ଣନାକରି ଆପଣଙ୍କୁ ବୁଝାଇ ଦେବାର ଶକ୍ତି ନାହିଁ । ଜଡ଼ା ଯେପରି କଥା କହି ନ ପାରି ହାତଗୋଡ଼ ହଲାଇ ଆପଣା ମନର ଭାବକୁ ପ୍ରକାଶ କରିବାକୁ ଚେଷ୍ଟା କରେ, ଆମ୍ଭେମାନେ ସେହିପରି ଏଣୁ ତେଣୁ ଗୁଡ଼ାଏ କହି ପକାଇଲୁଁ ।

 

ହେ ପାଠକ ଅବଧାନ ! କ୍ଷମା କରନ୍ତୁ, ଏତିକି ହେଉ, ଦେବଦୁନ୍ଦୁଭି ଅହିଅ ନାଗରା ବାଜିଲାଣି, ଶୁଭକଉଡ଼ି ଗୋଟାଇ ନେଇ ମଙ୍ଗଳ ପେଡ଼ିରେ ରଖିବା ସକାଶେ ଗ୍ରାମର ସୁଲକ୍ଷଣୀ ଅହିଅ ସ୍ତ୍ରୀମାନେ ଦାଣ୍ଡକୁ ଚାହିଁ ବସିଛନ୍ତି, ଏତିକି ହେଉ ।

 

‘ହରି ହରି ବୋଲ ମନ’ ।

•••

 

ଊନବିଂଶ ପରିଚ୍ଛେଦ

ପୁଲିସ ତଦାରଖ

 

ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି, କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫର ଫର କରୁଥିଲା ‘ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ ନୁହେଁ ।’ ଆକାଶଟା ଟିକିଏ ସଫା ହୋଇଗଲାଣି, ବଛାବଛି କାମ ସରିଛି, କେହି ବିଲବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ତାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ତଇ ହାତରେ ଦଉଡ଼ି ଖଣ୍ତେ ଦା’ଟାଏ ଧରି କାହାଳୀଟାଏ ଓଟାରି ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି, ଘରେ ଲୁଣ ନ ଥିବାର ଶୁଣି ହରି ପୁହାଣ ବିବଧ ଯୁକ୍ତି ପଦର୍ଶନପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଇକିନିଆମାନେ ବାସିପାଇଟି ସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତୀସାଇଟା ଝମ୍–ଦୁମ୍, ଝସ–ଦୁମ୍ ଶବ୍ଦରେ ଉଚ୍ଛୁଳି ପଡ଼ିଅଛି, ତନ୍ତୀଆଣୀମାନେ ପିଣ୍ତାରେ ବସି ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉଅଛନ୍ତି । ବେଳ ଅନ୍ଦାଜ ତିନିଘଡ଼ିକି ଦଣ୍ତେ ଦୁଇଦଣ୍ତ ବେଶି, ଶାମ ସାହୁ ଘର ହଳିଆ ଗୋପାଳ ସାମଲ ଝାମ୍ପିଟିଏ ମୁଣ୍ତରେ ଦେଇ କୋଡ଼ି ଧରି ନଇଁପଡ଼ି ବିଲର ହିଡ଼ ବାନ୍ଧୁଥିଲା । ବାଟପାଖିଆ ବିଲ, ସାମନ୍ତ ଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି, ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତ ଟେକି ଇଶାରା କରି ପାଖକୁ ଡାକିଲା । ତାକୁ କହିଲା, ‘‘ମୁଁ ଗୋଟିଏ ଭାରି କାମରେ ଯାଉଛି, ଭାରି ଗୁପ୍ତ କଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି ।’’ ତାହା କାନରେ ତୁନି ତୁନି କରି କହିଲା, ‘‘ବୁଝି ଖବରଦାର ! ଏ କଥା ଯେମନ୍ତ ଆଉ କାହା କାନରେ ନ ପଡ଼େ ସାଆନ୍ତଙ୍କର ମନା ଅଛି ।’’ ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେନା ପାଣକୁ ଭେଟିଲା, ତାହା କାନରେ ଉପଦେଶ ଦେଇ ଚାଲିଗଲା ତାହା ବାଦ୍ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମା ମା ଏମାନଙ୍କ ସଙ୍ଗରେ ସାକ୍ଷାତ୍‍ ହେଲା, ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖିବାକୁ ଉପଦେଶ ଦେଲା । ଗୋପାଳିଆ କାମ କରିବ କଣ ସାଉପାଖକୁ ଧାଇଁଲା । ହରି ସାହୁ କହିଲା ଶାମ ସାହୁକୁ, ହଟିଆ କହିଲା ନଟିଆକୁ, ଜେମା ମା କହିଲା ଶାମା ମାକୁ, ଶ୍ରୀମତୀ କହିଲା କନ୍ୟାବୋହୂକୁ, ଗ୍ରାମ ଗୋଟାକ ଯାକ କୁହାକୁହି ହେଲେ । ସମସ୍ତଙ୍କ ତୁନି ତୁନି କଥା, ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ । କେହି କହିଲା, ଉଁଛୁଣି ଜମାଦାର ପହଞ୍ଚିବ, ଆଉ ଜଣେ ପ୍ରତିବାଦ କରି କହିଲା, ନାହିଁ ନାହିଁ, ଖୁଣି ମାମଲା, ଦାରୋଗା ନିଜେ ଘୋଡ଼ାରେ ଚଢ଼ି ଆସିବେ, ମାତ୍ର ଜାଣିବା ଶୁଣିବା ଲୋକମାନେ କହିଲେ, ଏ କି ତମ ଆମ ଘର କଥା ? କଟକରୁ ନିଜେ କୁମ୍ପୁନୀ ପଲଟନ ଘେନି ଆସିବ, ଗାଁ ଲୋକେ ଯେ ବନ୍ଧାଛନ୍ଦା ହେବେ, ଏହା ନିଃସନ୍ଦେହ, ସର୍ବବାଦୀସମ୍ମତ । ଦଣ୍ତକ ମଧ୍ୟରେ ଗାଁ ନିସ୍ତବ୍‌ଧ ହୋଇଗଲା-। ବୋହୂଗୁଡ଼ାକ ପାଣିରେ ବୁଡ଼ିପଡ଼ି ଘରକୁ ଧାଇଁଛନ୍ତି, ଲୁଗା ଚିପୁଡ଼ିବାକୁ ବେଳନାହିଁ, ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝରଝର ହୋଇ ପାଣି ବୋହି ପଡ଼ୁଅଛି । ଚଞ୍ଚଳରେ ମାଠିଆ ପୂରାଇ ପାରି ନାହିଁ, ଅଧାମାଠିଆଏ ପାଣି, ବେଶି ଦେଶହିତୈଷୀମାନେ ସଭାରେ ବକୃତା କଲାପରି ଘଟର ଘଟର କରି ଭାରି ଗର୍ଜନ କରୁଅଛି । ବେତ୍ରହସ୍ତ ଅବଧାନେ ସହସା ଅନ୍ତର୍ଦ୍ଧାନ ହେବାରୁ ଚାଟ ଟୋକାଗୁଡ଼ାକ ଗୋହିରୀରେ ଭାରୀ ଗୋଳମାଳ କରି ଧାଁ ଦଉଡ଼ ଲଗାଇ ଅଛନ୍ତି । ଖୂଣୀ ଆସାମୀକୁ ପୁଲିସ ବାନ୍ଧି ନେଲା ପରି ଗୋଟାଏ ସାନ ପିଲାକୁ ବଡ଼ ଚାଟ ଧରି ଘେନି ଯାଇଥିଲେ । ସେହି ପଲିଟା ସମସ୍ତଙ୍କଠାରୁ ବେଶି ଧାଇଁଛି ।

 

ଘୁଷୁରିଆ ଫେରିଆସି ସାଆନ୍ତକୁ ଖବର ଦେଲା, ଗୋବରା ଜେନା ଘରେ ନାହିଁ । ସାଆନ୍ତେ ପ୍ରଥମେ ହଳିଆ ପଠାଇଲେ, ତାହା ବାଦେ ଆପେ ତନ୍ତୀସାଇ ଦୁଆର ଦୁଆର ବୁଲିଲେ, ଜଣକର ସୁଦ୍ଧା ଭେଟ ପାଇଲେ ନାହିଁ । ଆଉ ଯାହା ଦୁଆରକୁ ଯା’ନ୍ତି, ତାହାର କବାଟ କିଳା, ଘରେ କେହି ନାହିଁ । ମଙ୍ଗରାଜେ ନିତାନ୍ତ ବ୍ୟସ୍ତ ହୋଇପଡ଼ି ଘର ବାହାର ହେଉଛନ୍ତି, କାହାରି ଭେଟ ନ ପାଇ କିଛି ସ୍ଥିର କରିପାରୁ ନାହାନ୍ତି । ଘୁଷୁରିଆ ହଳିଆ ଗୋଟାଏ ଠେଙ୍ଗା ଧରି ବାଡ଼ିପଟରେ କୁକୁର ତଡ଼ୁଅଛି, ଯୋଡ଼ାଏ ବିଲୁଆ କିଆବଣ ଭିତରେ ପଶି ଜଳ ଜଳ କରି ଓଳିକୁ ଚାହିଁ ତୁନି ହୋଇ ପଡ଼ିଛନ୍ତି ।

 

ବେଳ ଦୁଇ ପ୍ରହର ଗଡ଼ିଗଲା । ଗୋବିନ୍ଦପୁର ଗ୍ରାମ ପୂର୍ବ ମୁଣ୍ତରେ ଗୋଟାଏ ଟାଙ୍ଗଣ ଘୋଡ଼ା ଉପରେ ଏକ ବିଶାଳମୂର୍ତ୍ତି ସୁଆର ଦେଖାଗଲେ । ସୁଆରଙ୍କ ବିଶାଳ ଦାଢ଼ି ଛାତି ଘୋଡ଼ାଇ ପକାଇଅଛି, ଦେହରେ ଛ’କଲିଆ ଢିଲା ହାତ ଚପ୍‌କନ୍, ମୁଣ୍ତରେ ଜାମଦାନି ଲୁଗାର ବାଙ୍କ ଟୋପି, ଗୋଡ଼ରେ ଢିଲା ପାଇଜାମା । ଘୋଡ଼ା ଠକ୍ ଠକ୍ କରି ମିଠା କଦମ ଚାଲିଅଛି । ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ ଚୌକିଦାର ନସର ପସର ହୋଇ ଧାଇଁଛନ୍ତି । ସମସ୍ତଙ୍କ ଆଗରେ ଗୋବରା ଜେନା ଠେଙ୍ଗା କାନ୍ଧେଇ ଧାଇଁଛି । ମଙ୍ଗରାଜଙ୍କ ଦୁଆର ଆଗରେ ଗୋବରା ପଛମୁହଁ କରି ଛିଡ଼ା ହୋଇଗଲା । ସୁଆର କହିଲେ, ‘‘ଏହି ଘର ?’’ ଗୋବରା ହାତଯୋଡି କହିଲା, ‘ଖୋଦାବନ୍ଦ ।’ ସୁଆର ଘୋଡ଼ାରୁ ଓହ୍ଲାଇପଡ଼ି ‘ବିସ୍ ମିଲ୍ଲା’ କହି ନିଶ୍ୱାସଟାଏ ପକାଇଲେ ।

 

ଘଡ଼ିକ ଉତ୍ତରେ ଗୋହିରୀଦାଣ୍ତରେ ଆହୁରି ଏକ ଘୋଡ଼ାସୁଆର ମୂର୍ତ୍ତି ଦେଖାଗଲା । ଘୋଡ଼ାଟି ଦଳଖିଆ ତଟୁ, ବୟସ ପ୍ରବୀଣତାର ସାକ୍ଷ୍ୟ ଦେବା ନିମନ୍ତେ ଦେହର ପଞ୍ଜରା ହାଡ଼ଗୁଡ଼ାକ ଉପରକୁ ବାହାରି ପଡ଼ିଅଛି, ପଛ ଦୁଇଗୋଡ଼ ଘଷିହୋଇ ଲୋମଶୂନ୍ୟ, ଘା’ଯୁକ୍ତ ହୋଇଗଲାଣି, ଖୋଲ ପଶିଯାଇ ବଡ଼ ବଡ଼ ଆଖି ଦୁଇଟା ବାହାରି ପଡ଼ିଅଛି, ପିଠିରେ ଖୁଗରୀ, ତାହା ଉପରେ ଲାଲ ବନାତର ଚାରଜାମା । ସୁଆରଟି କିନ୍ତୁ ବିଶାଳ ଶରୀର, ପୋଷାକ ମଧ୍ୟ ବଡ଼ଲୋକ ଭଳିଆ – ମାଣିଆବନ୍ଦୀ ଚାରିଫୁଲିଆ ଧୋତି ପିନ୍ଧା, ଦେହରେ ବନ୍ଧଲଗା ଗନ୍ତା, ମୁଣ୍ତରେ ମଝିସିଆଁ ଛଫୁଲିଆ ରହୁମୀ ବନ୍ଧା । ଘୋଡ଼ା ପଛରେ ଜଣେ ଚୌକିଦାର ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଡାହାଣ ହାତରେ ଖଣ୍ତେ ବାସଙ୍ଗଛଡ଼ି ଧରି ବାଡ଼ୋଉଅଛି ଏବଂ ପାଟିରେ ଟାକରା ଫୁଟାଉଅଛି । ସଇସ ପାଣଟୋକା ଖଣ୍ତେ ଝୋଟଦଉଡ଼ି ବାଗଡୋର ଲଗାଇ ଆଗରେ ଭିଡ଼ୁଅଛି । ଘୋଡ଼ାଟା ବେକ ଲମ୍ବ କରିଦେଇ ବଡ଼ କଷ୍ଟରେ ଧୀରେ ଧୀରେ ଟଳଟଳହୋଇ ଚାଲୁଅଛି । ଏହି ସୁଆର ମଧ୍ୟ ପୂର୍ବ ସୁଆରଙ୍କ ପରି ମଙ୍ଗରାଜଙ୍କ ଦୁଆର ଆଗରେ ଜଣେ ଲୋକ କାନ୍ଧରେ ଦୁଇହାତ ଭରାଦେଇ ଓହ୍ଲାଉ ଓହ୍ଲାଉ ହାମୁଡ଼ି ପଡ଼ିଗଲେ । ଉଠିପଡ଼ି ସେହି ଲୋକ ଗାଲରେ ଠୋ କରି ଚାପୁଡ଼ାଟାଏ ମାରିଲେ – ଅର୍ଥାତ୍ ଲୋକମାନେ ଜାଣନ୍ତୁ ସେହି ଲୋକର ଅସାବଧାନତା ଏହି ପତନର କାରଣ ଅଟେ, ନୋହିଲେ ଏପରି ପକ୍‌କା ସୁଆର ପଡ଼ିବାର ନୁହେଁ । ସୁଆର ଓହ୍ଲାଇଯିବା ମାତ୍ରକେ ସହିସ ପିଲା ଧରୁଁ ଧରୁଁ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି ଘୋଡ଼ାଟା ତିନି ଚାରି ଥର ଗଡ଼ିଯାଇ ଠିଆହେଲା । ଘୋଡ଼ାଟା ଧୂଳିରେ ଗଡ଼ୁଥିବା ସମୟରେ ସୁଆର ମଧ୍ୟ ଦାନ୍ତନିଷିଡ଼ି ଦେହର ସ୍ଥାନଅସ୍ଥାନର ଯାଦୁଗୁଡ଼ାକୁ କୁଣ୍ତେଇ ପକାଇଲେ ।

 

ସେଖ୍‍ ଇନାଏତ୍ ହୋସେନ୍ କଟକ ଜିଲ୍ଲାରେ ଜଣେ ଅଉଲ ନମ୍ବର ପୁଲିସ ଦାରୋଗା, ପାର୍ଶି ଇଲମରେ ଭାରି ମଜବୁତ୍ । ଓଡ଼ିଆ ନାଲାଏକ୍ ଇଲମ, ସେଥିସକାଶେ ସେ ଲେଖନ୍ତି ନାହିଁ, ସରକାରୀ କାଗଜରେ ପାର୍ଶି ଦସ୍ତଖତ୍‍ କରନ୍ତି । ଲାଏକତୀ ହେତୁରୁ ବାର ବରଷ ହେଲା ଏକ କଲମରେ କେନ୍ଦ୍ରାପଡ଼ା ଥାନାରେ ଅଛନ୍ତି । ଗଲା ବରଷ କେବଳ ସଦର କଚେରୀ ସେରସ୍ତାଦାର ଆଉ ପେସ୍କାରଙ୍କ ପାର୍ବଣ ଫରମାସ ପହଞ୍ଚିବାରେ ବିଳମ୍ବ ହେବାରୁ ଥରେ ବଦଳି ଗୋଳମାଳ ଶୁଣା ଯାଇଥିଲା । ମୁନ୍‍ସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକ୍‌ଫକାର ପୁଲିସ ଅମଲା । ଏହାଙ୍କ ରିପୋର୍ଟ ପଢ଼ି ମେଜେଷ୍ଟର ସାହେବ ଭାରି ଖୁସ୍ ଥିବାର ଚୌକିଦାରମାନଙ୍କଠାରୁ ସର୍ବଦା ଶୁଣାଯାଏ ।

 

ମଙ୍ଗରାଜଙ୍କ କଚେରୀ ମେଲାରେ ପୋଲିସ କଚେରୀ ବସିଅଛି । ଖୋଦ୍ ଦାରୋଗା ସେଖ୍ ଇନାଏତ୍ ହୋସେନ ଖଣ୍ତେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି । ଆଗ ଡାହାଣ ପାଖରେ ମୁନ୍‍ସି ଚକ୍ରଧର ଦାସ ହେଁସ ଉପରେ ବିଛା ଘୋଡ଼ା ଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ ଗୋଲାମ କାଦର ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେପ୍ତାର ହୋଇ ସେମାନଙ୍କ ନଜରବନ୍ଦୀରେ ମୁଣ୍ତକୁ ତଳେ ପୋତିହୋଇ ବସିଅଛନ୍ତି । ମଙ୍ଗରାଜଙ୍କ ଘର ଚାରିପିଠି ମହାସଭା ବସିଗଲାଣି, ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ । ପ୍ରଥମେ ସ୍ତ୍ରୀ ଲୋକମାନଙ୍କୁ ଏକ ତରଫ କରିଦିଆଯାଇ ଘର ଖାନତଲାସ ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଦୁକ, ପେଟରା ଆଡ଼ଖୁର ତଲାସ ହେଲା, ଧାନ ଅମାରରେ ଲୁହା ଗଜ ମାରି ତଦାରଖ ହେଲା, ଭାତହାଣ୍ତି ଖୋଜାଗଲା, ଦୁଇଚାରି ଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀ ମାଲ ଠିକଣା ହେଲା ନାହିଁ । କେବଳ ମଙ୍ଗରାଜଙ୍କ ପହଡ଼ଘରୁ ତିନି ଚାରି ହାତ ଲମ୍ବା ରେକେ ମୋଟ ଗୋଟାଏ ବାଉଁଶ ଠେଙ୍ଗା ବରାମଦ ହେଲା । ବାଡ଼ି ପଛ ଓଳିତଳେ ଗୋଠାଏ ସ୍ତ୍ରୀଲୋକର ଲାସ୍ ଖଣ୍ତେ ପୁରୁଣା ହେଁସରେ ଘୋଡ଼ା ହୋଇଥିବାର ବରାମଦ ହୋଇ ଦାଣ୍ତ ଦୁଆରକୁ ଅଣାଗଲା । ସେହି ଲାସ୍ ତନ୍ତୀଆଣୀ ସାରିଆର ଥିବାର ଗୋବରା ଜେନା ସନାକ୍ତ କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ, ‘‘କେଉଁ ରାମଚନ୍ଦ୍ର ମଙ୍ଗରାଜ ! ଅବ୍ କ୍ୟା ମତଲବ୍ ହୈ–ରତନପୁର ଡୋମ୍‍ ଲୋକୋଁକା ମାମଲା ଇଆଦ ହୈ କି ନାହିଁ ?’’ ମୁନ୍‌ସି କହିଲେ, ‘‘ଏକା ମାଘରେ ଶୀତ ଗଲା ବୋଲି ମଙ୍ଗରାଜେ ମନେ କରିଥିଲେ ପରା !’’ ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡୋମ୍‍ମାନଙ୍କୁ ଜେଲ କରାଇଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ, ମାତ୍ର ଫାଙ୍କି ଦେବାରୁ ଦାରୋଗା ସେହି କଥାଟା ମନେ କରାଇଦେଲେ ।

 

ମାମଲା ତଦାରଖି ଆରମ୍ଭ ହେଲା । ମୁନ୍‍ସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତା ମେଲିଦେଲେ । ବେକରେ ଦଉଡ଼ିବନ୍ଧା, ମୁହଁରେ ସୋଲବିଣ୍ତା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ୀ ଗୋଟାଏ ଶରକଲମ ଶିଶୁକାଠବେଣ୍ଟିଆ ଛୁରୀରେ କାଟ ଖଣ୍ତେ ସାନ କାଗଜରେ ପରୀକ୍ଷା କଲେ, ‘‘ଶ୍ରୀଗୁରୁଦେବ ଉଦ୍ଧାର କରିବେ’’ ‘‘ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚରଣେ ଶରଣ’’ ‘‘ଶ୍ରୀବଳଦେବଜୀଉଙ୍କ ଚରଣେ ଶରଣ,’’ ଇତ୍ୟାଦି ଦେବାଦେବୀଙ୍କ ନାମ ଲେଖି କଚେରୀ କାମରେ ହାତ ଦେଲେ ।

 

ସରକାର କୁମ୍ପୁନୀ ବାହାଦୂର ମୁଦେଇ । ରାମଚନ୍ଦ୍ର ମଙ୍ଗରାଜ । ସା– ଗୋବିନ୍ଦପୁର । ଜି– କଟକ, ମୁଦାଲା ।

 

ସାରିଆ ନାମକ ତନ୍ତୀଆଣୀକୁ ବଧ କରି ତାହା ଘରୁ ନେତ ନାମକ ଗାଈ ଏକରାଶ ଏବଂ ଅନ୍ୟାନ୍ୟ ମାଲ ଲୁଠତରାଜ କରି ଆଣିଥିବାର ମୋକଦ୍ଦମା ।

 

ଗୁହା ତଲାସ ହେଲା– ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ, ଗ୍ରାମରେ ପୁରୁଷ ଲୋକ ଜଣେ ନାହିଁ, କବାଟ ଫାଙ୍କରୁ ସ୍ତ୍ରୀଲୋକମାନେ ଯେ ଜବାବ ଦେଲେ, ସେଥିରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ ଘରକୁ, ଚାରିପଣ ଗୋରୁ ଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ, ଦୁଇପଣ ପଡ଼ିଛନ୍ତି ବାଧିକି । କେବଳ ଦୁଇପଣ ଭଲ ଲୋକ ଭିନ୍ନ ଲୋକ ଗ୍ରାମବାସୀ ଗୁହା ଆପଣାର କର୍ତ୍ତବ୍ୟ ବୁଝି ଆପେ ହଜାର ହୋଇଗଲେ । ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପା ହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେକୁଫ୍, ନାଲାଏକ୍ ଇତ୍ୟାଦି ସମ୍ବୋଧନ କରିବାରୁ ଗ୍ରାମଯାକ ହୁରି ହାଲର ପଡ଼ିଗଲା । ଗୁମାଗୁମ୍‍ ମାଡ଼ ଆଉ କବାଯ ଭଙ୍ଗା । ସନ୍ନିପାତ ରୋଗୀ କତରା ଘୋଡ଼ି ହୋଇପଡ଼ି ଯମକୁ ଫାଙ୍କିଦେଇ ଦୁଇ ଦିନ ରହିଯାଇପାରେ, ମାତ୍ର ପୁଲିସ୍‌କୁ ଫାଙ୍କିଦେବ କିଏ ? ପୁରୁଷ ଲୋକଗୁଡ଼ିକ ସଳଖ ସଳଖ ଘରୁ ବାହାରି ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ବତ୍ରିଶ ଜଣ ଗୁହାଙ୍କ ଜବାନବନ୍ଦୀ ଗ୍ରହଣ କରାଗଲା । ପ୍ରଥମ ଦିନରେ ଦୁଇ ଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ ଚାଲାଣ ଦିଆଗଲା । ମୁନ୍‍ସି ସାହେବ ଜେଲଖାନା କଏଦୀଙ୍କ ତୟାରି ଅଢ଼େଇ ଦିସ୍ତା ହରିତାଳି କାଗଜରେ ଜମାନବନ୍ଦୀ କଲମବନ୍ଦ କରି ପକାଇଲେ । ଆପଣ ଜାଣିବା ନିମନ୍ତେ ସେଥିରୁ କେତେଜଣ ସାକ୍ଷୀଙ୍କ ଜମାନବନ୍ଦୀ ଏଠାରେ ପ୍ରକାଶ କରୁଅଛୁଁ –

 

୧ ନମ୍ବର ଗୁହା– ତରଫ ସରକାର କୁମ୍ପୁନୀ ବାହାଦୂର, ‘‘ମୋ ନାମ ଗୋବରା ଜେନା, ବାପର ନାମ ଗୁଡ଼ିଆ ଜେନା ମୁତୋଫା, ଜାତିରେ ପାଣ, ବୟସ ୪୫ ବର୍ଷ, ପେଶା– ଗ୍ରାମର ଚୌକିଦାରୀ । ସା– ଗୋବିନ୍ଦପୁର । ପ୍ର– ବାଲୁବିଶ । ଜିଲ୍ଲା – କଟକ ।

 

ମୁଁ ମୌଜା ମଜକୁର ଚୌକିଆ, ସାରାରାତି ଗ୍ରାମରେ ଠିଆ ପହରା ଦିଏ । ଗଲା ରାତିରେ ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ତନ୍ତୀଆଣୀ ‘‘ମାରି ପକାଇଲା ମାରି ପକାଇଲା’’ ବୋଲି ମଙ୍ଗରାଜଙ୍କ ବାଡ଼ି ପଛଆଡ଼େ ହୁରି ପକାଉଥାଏ, ମୁଁ ଶୁଣିଅଛି । ତାକୁ କେହି ବାଉଁଶ ବାଡ଼ିରେ ମାଇଲା ପରି ଜଣାଯାଉଥାଏ ।’’

 

ସୁଆଲରେ ଜବାବ ଦେଲା, ‘‘ନା, ମୁଁ ସେ ସମୟରେ ମଙ୍ଗରାଜଙ୍କୁ ଦେଖି ନାହିଁ ।’’ ପୁନର୍ବାର କହିଲା, ‘‘ହଁ ହଁ ତାଙ୍କ ପାଟି ଶୁଣିଅଛି । ଏହି ଗାଈ ସାରିଆର, ଏହାର ନାମ ନେତ । ଆଜିକୁ ମାସେ ହେଲା ମଙ୍ଗରାଜଙ୍କ ଅଗଣାରେ ବନ୍ଧାହେବାର ଦେଖୁଅଛି । କିପରି ଏଠାକୁ ଆସିଲା ଜାଣେନାହିଁ ।’’ ପୁନର୍ବାର କହିଲା, ‘‘ମଙ୍ଗରାଜେ ବାନ୍ଧି ଆଣିଛନ୍ତି ।’’

ଏ ବାଡ଼ି ସନ୍ତକ ଗୋବରା ଜେନାର ସହି ।

୨ ନମ୍ବର ଗୁହା– ସନା ରଣା ପ୍ରଥମେ ହାଜର ହୋଇ କୌଣସି କଥା ଜାଣି ନ ଥିବାର ପ୍ରକାଶ କଲା । ଦାରୋଗା ସାହେବ ଭାରି ଖପ୍‌ପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ ଦୁଇଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ୍ ମୁକୁଳା ବାଳ, ଧୂଳିଆ ଦେହ, ପିଠି, ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, ‘‘ହଜୁର, ମୁଁ ସବୁ ସତ କହିବି । ମୋ ନାମ ସନା ରଣା, ବାପର ନାମ ବନା ରଣା, ଜାତି ମାଳୀ, ବୟସ ତିରିଶ, ପେଷା– ଗ୍ରାମଦେବୀଙ୍କ ପୂଜା ଆଉ ଚାଷ । ସା–ଗୋବିନ୍ଦପୁର । ପ୍ର– ବାଲୁବିଶ । ଜି – କଟକ ।

‘‘ମୁଁ ସାରିଆକୁ ଚିହ୍ନେ, କିପରି ମଲା ଜାଣେ ନାହିଁ । ଆଜକୁ ଅନ୍ଦାଜ ବରଷେ କି ଦେଢ଼ ବରଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ତୋଟା ମଧ୍ୟରେ ନିରୋଳାରେ କହିଲେ, ଦେଖ୍ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ । ମୁଁ ଯାହା କହୁଛି, ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି ଦୁଇମାଣ ଚଷିବାକୁ ଦେବି, ଆଉ ଦୁଇଟଙ୍କା ଖଜା ଖାଇବାକୁ ଦେବି । ମୁଁ ପଚାରିଲି ‘କଣ କରିବି ?’ ସାଆନ୍ତେ କହିଲେ, ‘ଏହି ଯେ ଭଗିଆ ତନ୍ତୀ ଅଛି – ତା ମାଇପ ଯେ ସାରିଆ, ସେଟା ବାଞ୍ଝ । ପୁଅ ହେବାପାଇଁ ପ୍ରତିଦିନ ବୁଢ଼ୀମଙ୍ଗଳାଙ୍କ ପାଖରେ ମୁଣ୍ତିଆ ମାରେ । ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ୱପ୍ନରେ କହିଛନ୍ତି, ତୁ ପୂଜା ଦେ, ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ ।’ ମୁଁ ଯାଇ ଦୁଇ ତିନି ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତେଙ୍କ କହିବା ମାଫିକେ କହିଲି, ସେମାନେ ଭଲ କରି ଶୁଣିଲେ, ମାତ୍ର କିଛି ଜବାବ ଦେଲେ ନାହିଁ । ଦିନେ ଉପର ଓଳି ଭଗିଆ ମୋତେ ତା ଦୁଆରକୁ ଡାକି ଘେନିଗଲା, କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁ କଥା ପଚାରିଲା । ମୁଁ ତାକୁ ସବୁ ବୁଝାଇଦେଲି । ପୂଜାଦ୍ରବ୍ୟ କିଣିବା ସକାଶେ ତା ପାଖରୁ ଦଶଅଣା ଦୁଇ ପାହି ପଇସା ଆଣିଲି । ଦିନେ ଶନିବାର ସଞ୍ଜ ବାଦ୍‍ ମୁଁ ମଙ୍ଗରାଜେ ଆଉ ଜଗା ଭଣ୍ତାରୀ, କୋଡ଼ି ଧରି ହଳିଆ ଚାରିଜଣ, ମଙ୍ଗଳାଙ୍କ ନିକଟକୁ ଗଲୁ । ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ ଗାଡ଼ ଖୋଳାଗଲା । ଗାଡ଼ ମଧ୍ୟରେ ଜଗା ଭଣ୍ତାରୀ ଲୁଚି ରହିଲା । ଗାଡ଼ମୁଁହ ଡାଳପତ୍ରରେ ଲୁଚାଇ ଦିଆଗଲା । ମୁଁ ସକାଳୁ ଖବର ଦେଇ ସାରିଆ ଆଉ ଭଗିଆକୁ ଉପାସ ରଖାଇଥିଲି, ଅଧରାତିବେଳେ ଗ୍ରାମ ନିଶୋର ହେବାରେ ସେମାନଙ୍କୁ ଡାକିଆଣି ପୂଜା କଲି, ଭୋଗ ଲଗାଇ ଠାକୁରାଣୀଙ୍କୁ ଅନେକ ଜଣାଣ କଲି । ମୋ କହିବା ଅନୁସାରେ ସାରିଆ ଏବଂ ଭଗିଆ ବେକରେ ଲୁଗା ପକାଇ ମୁହଁମାଡ଼ି ଠାକୁରାଣୀ ଆଗରେ ଧାରଣା ପଡ଼ିଥାନ୍ତି । ମୁଁ ଆହୁରି ଜଣାଣ କରି କହିଲି, ‘ମା ମଙ୍ଗଳା ! ସାରିଆକୁ ଆପେ ବର ଦିଅ, ସେ ଅନେକ ଦିନହେଲା ତୁମର ସେବା କରୁଅଛି, ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ ।’ ଜଗା ଗାଡ଼ ଭିତରୁ ଜବାବ ଦେଲା, ‘ଆଲୋ ସାରିଆ, ତୁ ଅନେକ ଦିନ ହେଲ ମୋର ପୂଜା କରୁଛୁ, ପ୍ରତିଦିନ ଗାଧୋଇ ଯିବାବେଳେ ମୋତେ ଜୁହାର ହେଇ ଯାଉ, ପାଣି ଚଳାଏ ଦେଉ, ମୁଁ ସେ ପାଣି ପାଏ, ତୋତେ ବର ଦେଉଛି, ତୋର ତିନିଗୋଟି ପୁତ୍ର ହେବ, ଆଉ ତୋହର ଢେର ଟଙ୍କା ସୁନା ହେବ, ତୁ ମୋହର ଦେଉଳ ତୋଲାଇଦେ । କାଲି ବଡ଼ି ସକାଳେ ଅଧୁଆ ମୁଁହରେ ଦୁଇ ପ୍ରାଣୀ ତନ୍ତୀତୋଠକୁ ଆସିବ, ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳେ ଖୋଳିବୁ, ଯାହା ପାଇବୁ ଘରେ ନେଇ ରଖିବୁ, ପ୍ରତିଦିନ ପୂଜା କରିବୁ, ତୋତେ ସେହିପରି ଥଳି ଥଳି ଦେବି । ମୋ ଆଜ୍ଞା ନ ମାନିଲେ ଭଗିଆ ବେକ ମୋଡ଼ିଦେବି ।’ ସାରିଆ ଭଗିଆ ଦୁଇ ଜଣ ଶୁଣି ଡରରେ ଥରୁଥାନ୍ତି, କିଛି କଥା କହିପାରିଲେ ନାହିଁ । ମୁଁ ପୂଜା ସାରି ସେମାନଙ୍କୁ କିଛି ଭୋଗ ଦେଇ ଘରେ ଛାଡ଼ିଆସିଲି, ବାକି ଭୋଗକୁ ବାନ୍ଧିଲି । ମୁଁ ସେମାନଙ୍କୁ ଛାଡ଼ିଆସିବା ବାଦ୍ ଜଗା ହସି ହସି ଗାଡ଼ରୁ ବାହାରି ଆସିଲା ! ଆମେ ଦୁଇଜଣ ସାଆନ୍ତେ ଦେଇଥିବା ଗୋଟିଏ ମୋହର ତୋଠ ପାଖରେ ପୋତି ତାହା ଉପରେ ମନ୍ଦାରଫୁଲ ଥୋଇଦେଇ ଘରକୁ ଗଲୁଁ । ତହିଁ ଆରଦିନ ମୁଁ ଭଗି ଦୁଆରକୁ ଯାଇଥିଲି । ମୋତେ ଦେଖି ସେ ଦୁଇଜଣ କାନ୍ଦଣୁ ମାନ୍ଦୁଣୁ ହୋଇ କହିଲେ, ‘ଆମ୍ଭେମାନେ ଦେଉଳ କିପରି ତୋଳାଇବୁ, ବୁଦ୍ଧି କହିଦିଅ ।’ ମୋ କହିବା ଅନୁସାରେ ତାହାର ଜମି ‘ଛ ମାଣ ଆଠଗୁଣ୍ଠ’ ମଙ୍ଗରାଜଙ୍କ ପାଖରେ ବନ୍ଧକ ଦେଇ ଟଙ୍କା ନେଲେ । ସରକାରରୁ ଜମାଦାର ଆସି ଭଗିଆ ଘର ଭାଙ୍ଗିଲେ, ଜମାଦାର ଛିଡ଼ା ହୋଇଥାଏ, ତାହାର ସବୁ ଜିନିଷ ବୋହି ଘେନିଗଲେ । ଘର ଭଙ୍ଗାଗଲା ଦିନଠାରୁ ଭଗିଆ ବାୟା ହୋଇ ଗାଁରେ ବୁଲୁଅଛି, ସାରିଆ ସାତ ଆଠ ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥିବାର ମୁଁ ଶୁଣିଅଛି ।’’

ସୁଆଲରେ ଜବାବ ଦେଲା – ‘‘ମଙ୍ଗରାଜେ ଭଗିଆକୁ ଟଙ୍କା ଦେଲେ ମୁଁ ଜାଣେ ନାହିଁ, କେବଳ ତମସୁକ ରେଜଷ୍ଟ୍ରୀ କରିବା ସକାଶେ କଟକକୁ ଘେନି ଯାଇଥିବା ସମୟରେ ସାରିଆ ସକାଶେ ଖଣ୍ଡେ ଶାଢ଼ୀ କିଣି ଦେଇଥିଲେ, ମୁଁ ଜାଣେ । ଦେଉଳ ତୋଳିବା ସକାଶେ କୋଡ଼ିଏ ଶଗଡ଼ ଅନ୍ଦାଜ ପଥର ମଙ୍ଗରାଜେ ମଙ୍ଗଳାଙ୍କ ନିକଟରେ ପକାଇଅଛନ୍ତି । ମଙ୍ଗରାଜେ ସେହିଦିନ ମୋତେ ଚାରିଅଣା ପଇସା ଦେଇଥିଲେ, ଆଉ କିଛି ଦେଇ ନାହାନ୍ତି । ମୁଁ ଡରରେ ମାଗେ ନାହିଁ । ମୁଁ ଆଉ କିଛି ଜାଣେ ନାହିଁ ।’’

(ଦସ୍ତଖତ) ସନା ରଣା ।

୩ ନମ୍ବର ଗୁହା – ‘‘ମୋ ନାମ ମରୁଆ, ବାପର ନାମ ଲକ୍ଷ୍ମଣ ତିହାଡ଼ୀ, ଜାତି ବ୍ରାହ୍ମଣ, ବୟସ ଜଣା ନାହିଁ । ସା– ହାଲ ଗୋବିନ୍ଦପୁର, ଜି– କଟକ ।’’

ସୁଆଲରେ ଜବାବ ଦେଲା, ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ । ଆଜକୁ ଆଠ ଦିନ ହେଲା ଆମ ବାଡ଼ି ଦୁଆରେ ବସିଥିଲା । ଦିନରାତି ଏକଜାଗାରେ ବସିଥାଏ ଯାହାକୁ ଦେଖେ ଡକାପାଡ଼େ ‘‘ମୋ ଛ ମାଣ ଆଠଗୁଣ୍ଠ, ମୋ ଛ ମାଣ ଆଠଗୁଣ୍ଠ, ମୋ ନେତ, ମୋ ନେତ’’-– ଏତିକି କହି ଡକା ପାଡ଼ୁଥାଏ । ସାଆନ୍ତାଣୀକୁ ହେଖିଲେ ଗୋଡ଼ତଳେ ପଡ଼ି ଗଡ଼େ କାନ୍ଦେ-। ସାଆନ୍ତାଣୀ ମଧ୍ୟ କାନ୍ଦନ୍ତି । ଚମ୍ପା ତାକୁ ତିନିଥର ଛାଞ୍ଚୁଣୀ ମାରି ତଡ଼ିଦେଲା । ସେ ଗଲା ନାହିଁ । ସେ ଆଠଦିନ ହେଲା କିଛି ଖାଇନାହିଁ । ସାଆନ୍ତାଣୀ ଆପଣା ଭାତ ଖଣ୍ତେ କଦଳୀ ପତ୍ରରେ ତା ପାଖରେ ଥୋଇ ଦିଅନ୍ତି, ସେ ଖାଏ ନାହିଁ । ଭାତ କୁକୁର ନୋହିଲେ ଗାଈ ଖାଇଯାଏ । କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଦୁଇଗୁଣ୍ତା ଗୁଣ୍ତାଏ ଖାଏ । ସାଆନ୍ତାଣୀ ମଧ୍ୟ ସାତଦିନ ହେଲା ଖାଇ ନାହାନ୍ତି । ଖାଇବାକୁ କହିଲେ ସେ ଅଧିକ କାନ୍ଦନ୍ତି । ସେଥିସକାଶେ ମୁଁ କିଛି କହେ ନାହିଁ । ସପ୍ତମୀ ଦିନ ଏକବାର ରାତି ବୁଢ଼ୀ ମଙ୍ଗଳାଠାକୁ ଯାଉଥିଲେ, ତେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା ପାଖରେ ବସାଇଦେଲେ । ସେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡ଼ିଅଛନ୍ତି, ସେ ପଡ଼ିଛନ୍ତି । ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା ।’

 

ସୁଆଲରେ ଜବାବ ଦେଲା, ‘ସାଆନ୍ତାଣୀଙ୍କର କି ବେମାର ହୋଇଥିଲା, ଜାଣେ ନାହିଁ । ସ୍ନାନପୂର୍ଣ୍ଣମୀ ଆଠ ଦଶ ଦିନ ଆଗରୁ ତାଙ୍କୁ ଅଳ୍ପ ବେମାରୀ ଧରିଥିଲା । ସ୍ନାନପୂର୍ଣ୍ଣମୀ ଦିନ ଚମ୍ପା କୁଆଡ଼େ ସୁଆରି ଚଢ଼ି ଯାଉଥିଲା, ହସି ହସି ଆସି କଣ କହିଲା । ସେହିଦିନୁ ସାଆନ୍ତଣୀଙ୍କର ବେମାରୀ ବଢ଼ିଅଛି, ରାତିରେ କିଛି ଖାଆନ୍ତି ନାହିଁ, ଦିନବେଳେ ଖିଆ ମଧ୍ୟ ସେହିପରି, ସବୁବେଳେ କାନ୍ଦନ୍ତି । ସାରିଆ ଜମି ଛାଡ଼ିଦେବା ସକାଶେ ସାଆନ୍ତଙ୍କ ଗୋଡ଼ତଳେ ପଡ଼ି ଢେର କହିଲେ । ସାଆନ୍ତେ ଶୁଣିଲେ ନାହିଁ । ଚମ୍ପା ଖପା ହେବାରୁ ସାଆନ୍ତାଣୀ ଆଉ କହିଲେ ନାହିଁ, ଅନ୍ନ ଛାଡ଼ିଦେଲେ । ମୁକୁନ୍ଦ ବଇଦ ପାଖରୁ ତାଙ୍କ ବେମାରୀ ସକାଶେ ଔଷଧ ଆଣି ଦେଇଥିଲା । ସେ ଔଷଧ ଖାଇଲେ ନାହିଁ, ମୁଣ୍ତରେ ମାରି ଥୋଇଦେଲେ ।’’

 

ସୁଆଲରେ ଜବାବ ଦେଲା – ‘‘ମୁଁ, ମୁଁ ଆଜକୁ ଦଶବରଷ ହେଲା ଏହି ଘରେ ଅଛି । ମୋ ବାପଘର ବ୍ରାହ୍ମଣ ଶାସନରେ ଥିଲା । ମୋ ସ୍ୱାମୀର ନାମ ଟାଗନାଥ ତିହାଡ଼ୀ । ଶୁଣିଛି, ବିଭାବେଳେ ମୋର ସାତ ବରଷ ବୟସ ହୋଇଥିଲା, ସ୍ୱାମୀର ବୟସ ହୋଇଥିଲା ତିନିକୋଡ଼ି ଚାରି ବରଷ । ମୋ ସ୍ୱାମୀ ତାଙ୍କ ଜମି ବିକି ମୋ ବାପାଙ୍କୁ ଆଠ କୋଡ଼ି ଟଙ୍କା ଦେଇଥିଲେ । ବିଭାବେଳେ ମୋ ସ୍ୱାମୀର ଶ୍ୱାସ ବେମାରୀ ଥିଲା । ସେହି ବେମାରୀରେ ସେ ମଲେ । ମୋ ସ୍ୱାମୀଘରେ ଆଉ କେହି ନ ଥିଲେ । ନନା ଯାଇ ତାଙ୍କ ଜମି ବାଡ଼ି ବିକିଦେଇ ମୋତେ ଘରକୁ ଘେନି ଆସିଲେ । ନନାଙ୍କ ଘରେ ପାଞ୍ଚ ସାତ ବରଷ ରହିଥିଲି । ଗ୍ରାମରେ ଲଳିତା ଦାସ ବାବାଜି ଥିଲେ । ମୁଁ ତାଙ୍କ ପାଖକୁ ଚୈତନ୍ୟ ଚରିତାମୃତ ଶୁଣିବାକୁ ଯିବାରୁ ଭାଇମାନେ କଳି ଲଗାଇଲେ । ମୁଁ ବୃନ୍ଦାବନ ଯିବା ସକାଶେ ବାବାଜି ସାଙ୍ଗରେ ଦିନେ ରାତିରେ ପଳାଇ ଆସି କଟକ ତେଲଙ୍ଗା ବଜାରରେ ଥିଲି । ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ । ତାଙ୍କ ସାଙ୍ଗରେ ଆସି ଏହି ଘରେ ଅଛି ।’’

 

ଠ – ଏ ମୁଦି ସନ୍ତକ ମରୁଆର ସହି ।

 

୪ ନମ୍ବର ଗୁହା – ‘‘ମୋ ନାମ ବାଇଧର ମହାନ୍ତି, ବାପର ନାମ ଡମ୍ବରୁଧର ମହାନ୍ତି, ଜାତି–କରଣ, ବୟସ– ୫୬ ବରଷ, ସା–କନକପୁର, ପ୍ର–ଝଙ୍କଡ, ଜି–କଟକ । ଆଜକୁ କୋଡ଼ିଏ ବରଷ ହେଲା ମୁଁ ଏହି ଫତେପୁର ସରଷଣ୍ଢ ତାଲୁକାରେ ଗୁମାସ୍ତା ଅଛି । ପ୍ରଥମେ ମେଦିନୀପୁରର କେରାମତ ଅଲି ଜମିଦାର ଥିଲେ, ବର୍ତ୍ତମାନ ରାମଚନ୍ଦ୍ର ମଙ୍ଗରାଜେ କଣ୍ଟବନ୍ଧକ ସୂତ୍ରେ ଏହି ଜମିଦାରୀ ପାଇଅଛନ୍ତି ।

 

(ଦାରୋଗା ଗୁହାଙ୍କୁ ଢେର ସୁଆଲ କଲେ, ଗୁହା ମଧ୍ୟ ଢେର ଜବାବ ଦେଲେ । ସେ ସମସ୍ତ ଛାଡ଼ିଦେଇ ଆମ୍ଭେମାନେ ଗୁହା ଜବାବର ସାର ସାର କେତୋଟି କଥା ବାଛି ଲେଖୁଅଛୁଁ ।)

 

ଗୁହାର ଜବାବ– ‘ମଙ୍ଗରାଜେ ଘରୁ କିଛି ଟଙ୍କା ଦେଇ ଜମିଦାରୀ କିଣି ନାହାନ୍ତି, ଜମିଦାରୀ ଅସୁଲୀ ଟଙ୍କାରୁ କିଣିଛନ୍ତି । ମଙ୍ଗରାଜେ ପ୍ରଥମ ବରଷ ଖଜଣା ଟଙ୍କା ଅସୁଲ କରି ନେଇ ଜମିଦାର ଦିଲଦାର ମିଆଁକୁ ଦେଲେ । ଦୁସରା କିସ୍ତି ଟଙ୍କା ଅସୁଲ କରିନେଇ ମେଦିନୀପୁର ଗଲେ, ମୁଁ ସାଙ୍ଗରେ ଗଲି, ଜମିଦାରଙ୍କୁ କହିଲେ, ‘‘ପୁରୁଣା ଜମିଦାର ବାଘସିଂହ ବଂଶ ମେଳି ଲଗାଇବାରୁ ଖଜଣା ଅସୁଲ ହେଲାନାହିଁ, କଣ ହେବ ? କାଲି ନାଟବନ୍ଦି ।’’ ମଙ୍ଗରାଜେ ତମସୁକ ଲେଖାଇନେଇ ଖଜଣା ଟଙ୍କା କରଜ ଦେଲେ । ଏଣେ ଜମିଦାର କରଜ କରିଅଛନ୍ତି ବୋଲି ପ୍ରଜାମାନଙ୍କଠାରୁ କଳନ୍ତର ନିଅନ୍ତି । ପ୍ରତି କିସ୍ତିରେ ଏହିପରି ହୁଏ । ଶେଷଥର ମଙ୍ଗରାଜେ ମୁସାହେବମାନଙ୍କୁ ଅନେକ ଲାଞ୍ଚ ଦେଇ ଅସଲ ସୁଧ ତିରିଶ ହଜାର ଟଙ୍କାରେ ତମସୁକ ଲେଖାଇ ନେଲେ । ଦିଲୁମିଆଁ ନିଶାରେ ପଡ଼ିଥିବା ସମୟରେ ତମସୁକ ଦସ୍ତଖତ କରିଦେଲେ । ମଙ୍ଗରାଜେ ଆଉ ମେଦିନୀପୁର ନ ଯାଇ କଟକରେ ମାମଲା କରି ଜମିଦାରୀ ଦଖଲ କରିଗଲେ ।’’

 

ସୁଆଲରେ ଜବାବ ଦେଲା, ‘‘ହଁ ଭଗିଆ ତନ୍ତୀଠାରୁ ଛ ମାଣ ଆଠଗୁଣ୍ଠ ଜମି କଣ୍ଟ କବଲା କରି ନେଇଥିଲେ । କବଲାରେ ଦେଢ଼ଶ ଟଙ୍କା ଲେଖାଅଛି । ତମସୁକ ଲେଖାଇ, ମାମଲା ଖରଚ ଇତ୍ୟାଦି ସେଥିରେ କେତେଟଙ୍କା ଖରଚ ପଡ଼ିଅଛି, ପାଞ୍ଜି ଦେଖିଲେ କହିବି – (ଗୁହା ପାଞ୍ଜି ଦେଖି କହିଲା) ଗାଏ ଟ ୩୪.୪ ଅଣା, ୧୭.୮ ଅଣା ।’’

 

ଗୁହା କହିଲା – ‘ହଁ ସାଆନ୍ତେ ଭଗିଆ ନାମରେ କଟକ ଅଦାଲତରେ ନାଲିସ୍‍ କରିଥିଲେ । ମକଦ୍ଦମାର ଏତଲାନାମା, ଡିଗ୍ରୀଧାରୀ ପରୁଆନା, ନିଲାମି ଇସ୍ତାହାର, ସବୁ ମୋ ପାଖରେ ଅଛି, ଭଗିଆକୁ କିଛି ଦିଆଯାଇ ନାହିଁ । ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍‌ସିସ ନେଇ ମୋ ପାଖରୁ ରସିଦ ଲେଖାଇ ନେଇ ଚାଲିଯାଏ । ସାରିଆ କିପରି ମଲା, ମୁଁ ଜାଣେ ନାହିଁ । ଏହି ଗାଈଟା ଭଗିଆର ।’’

 

(ସ୍ୱାକ୍ଷର) ବାଇଧର ମହାନ୍ତି ।

 

୫ ନମ୍ବର ଗୁହା – ‘ମୋ ନାମ ଚମ୍ପା, ବାପର ନାମ ଜଣାନାହିଁ, ଜାତି ଏହି ଘର ମନୁଷ୍ୟ, ସା– ଗୋବିନ୍ଦପୁର, ଜି– କଟକ ।

 

‘‘ମୁଁ ସାରିଆକୁ ଚିହ୍ନେନାହିଁ, ତା ଘର ଏ ଗାଁରେ ନୁହେଁ, ସେ ଆମ ଦୁଆରେ ମରିନାହିଁ, ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା, ତାକୁ ଜର ହୋଇଥିଲା, ମରିଗଲା । ଆମ ସାଆନ୍ତ ତାକୁ କିଛି କହିନାହାନ୍ତି । ସାଆନ୍ତ ବଡ଼ ଭଲଲୋକ, ହଲିଲା ପାଣିରେ ଗୋଡ଼ ଦିଅନ୍ତି ନାହିଁ-। ସାଆନ୍ତାଣୀଙ୍କୁ ଜର ହୋଇଥିଲା, ସେ ମରିଗଲେ । ତାଙ୍କପାଇଁ ମୁଁ ଭାତ ଖାଉନାହିଁ । ଢେର କାନ୍ଦୁଛି । (ଗୁହା କାନ୍ଦି ବସିଲା, ଦାରୋଗା ଧମକ୍ ଦେବାରୁ ତୁନି ହେଲା) ଏଇ ଗାଈଟା ଆମର ଘର ବାଛୁରୀ, (ପୁନର୍ବାର କହିଲା) ସାରିଆକୁ ଟଙ୍କା ଦେଇ କିଣିଛୁ ।’’

 

ଠ । ଏ ମୁଦି ସନ୍ତକ ଚମ୍ପାର ସହି ।

 

ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା । ଦାରୋଗା, ମୁନ୍‌ସି, ଚୌକିଦାର, ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ । ଉପଯୁକ୍ତ ଗୁହା ଠିକଣା କରାଯାଉ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜମାନବନ୍ଦୀ ଆରମ୍ଭ ହେଲା ।

 

୬ ନମ୍ବର ସାକ୍ଷୀ – ‘‘ମୋ ନାମ ବନା ଜେନା, ବାପର ନାମ ଦନା ଜେନା, ଜାତି– ପାଣ, ବୟସ– ୧୮, ପେଷା ହଳିଆଗିରୀ । ସା– ମକ୍ରାମ ପୁର । ପ୍ର– ବାଲୁବିଶି, ଜି– କଟକ ।’’

 

‘‘ମୁଁ ସାରିଆକୁ ଚିହ୍ନେ, ତା ଦୁଆରକୁ ଢେର ଥର ଯାଇଛି । ତା ଘର ସଉତୁଣିଆ । ମୌଜା ବ୍ରାହ୍ମଣ ସାହିରେ, ନା ନା, ପାଣ ସାଇରେ (ପୁନର୍ବାର କହିଲା) ନା ନା, ଏହି ଗ୍ରାମରେ ରାମଚନ୍ଦ୍ର ମଙ୍ଗରାକ ଆଜକୁ ଆଠଦିନ ହେଲା ତାହାକୁ ଧରିଆଣି ବାଡ଼େଇଥିଲେ । ଏହି ବାଉଁଶ ବାଡ଼ିରେ ବାଡ଼ଉଥିଲେ । (ସାକ୍ଷୀ ବାଡ଼ି ଦେଖାଇଦେଲା) ଗଲା ଦ୍ୱାଦଶ ଦିନ ଅଧରାତିବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ, ଦେଖିଅଛି । ସାରିଆ ପିଠିରେ କୋଡ଼ିଏ ପାହାର ବାଡ଼େଇଲେ । ମୁଁ ସାଉଘର ଗୋରୁ ଖୋଜି ଆସିଥିଲି । ମୋ ଘର ଏଠାକୁ ଦୁଇ କୋଶ ବାଟ । ସାଆନ୍ତଙ୍କ ସାଙ୍ଗରେ ମୋର ତକରାର ନାହିଁ । ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ ।

 

ଏ ବାଡ଼ି ସନ୍ତକ ବନା ଜେନାର ସହି ।

 

୭ ନମ୍ବର ଗୁହା – ‘ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ ଜେନା, ଜାତି–ପାଣ, ବୟସ–ଜଣାନାହିଁ, ପେଷା– ହଳିଆଗିରୀ, ସା– ରାଇପୁର । ପ୍ର– ବାଲୁବିଶି, ଜି–କଟକ ।

 

‘‘ଗଲା ନବମୀ ଦିନ ଅଧରାତିବେଳେ ମୁଦଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ୋଉଥିଲେ, ମୁଁ ଦେଖିଅଛି । ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି । ରାତି ହୋଇଯିବାରୁ ଦୋକାନ ପିଣ୍ତାରେ ଶୋଇଥିଲି । ଗୁମ୍‌ଗୁମ୍ ଶବ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି, ଦିଶୁଥିଲା । ମୁଁ ଏହି ଗାଈକୁ ଚିହ୍ନେ, ନିଜେ ଢେର ଥର ଦୁହିଁଛି । ଏ ଗାଈର ନାମ ବଉଳା । ଏ ଗାଈ ଭଗିଆ ତନ୍ତୀର । ରାମଚନ୍ଦ୍ର ତା ଘରୁ ଚୋରି କରି ଆଣିଛନ୍ତି ।’’

 

ମୁଦାଲାର ସୁଆଲରେ ଜବାବ ଦେଲା – ‘‘ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ । ସେ ମୋତେ ଡାକିଆଣି ନାହିଁ । ମୁଁ ଗୁହାଇ ଦେବା ସକାଶେ ଆପଣା ଇଛାରେ ଆସିଅଛି । ସେ ମୋତେ ଖାଇବାକୁ ଦିଏନାହିଁ । ମୁଁ ଘରୁ ଚୂଡ଼ା ଚାଉଳ ବାନ୍ଧି ଆଣିଅଛି । ନବମୀ ଆଜକୁ କୋଡ଼ିଏ କି ବାଇଶ ଦିନ ହେଲା ଗଲାଣି । ଆଜି ତିଥି କଣ ମୋତେ ଜଣାନାହିଁ ।’’

 

। – ଏହି ବାଡ଼ି ସନ୍ତକ ଧକେଇ ଜେନାର ସହି

 

୮ ନମ୍ବର ଗୁହା– ‘‘ମୋ ନାମ ଖତି ଚନ୍ଦ, ବାପର ନାମ ନିତା ଚନ୍ଦ । ଜାତି– ତନ୍ତୀ, ବୟସ– ୨୮, ପେଷା– ଲୁଗାବୁଣା । ସା – ଗୋବିନ୍ଦପୁର । ଜି – କଟକ ।’’

 

‘‘ଏ ଗାଈ ଭଗିଆର ଜାଣେ । ଭଗିଆ ମୋ ପଡ଼ିଶା । ଯେଉଁଦିନ ସରକାରୀ ଜମାଦାର ଆସି ଭଗିଆର ଘର ଭଙ୍ଗାଇ ଦେଲେ, ସେଦିନ ମଙ୍ଗରାଜେ ଗାଈ ବାନ୍ଧିଆଣି ଉଆସରେ ରଖିଅଛନ୍ତି । କି ସକାଶେ ଗାଈ ବାନ୍ଧିଆଣିଲେ ମୋତେ ଜଣାନାହିଁ । ମଙ୍ଗରାଜଙ୍କର ହଳିଆମାନେ ଯାଇ ଘର ଭାଙ୍ଗି ପକାଇଲେ, ଘରର ସବୁ ଜିନିଷ ବୋହି ଆଣିଲେ । ଭଗିଆ, ସାରିଆ ଦୁଇଜଣ ଡକାପାଡ଼ି ଦାଣ୍ତରେ ଗଡୁଥାନ୍ତି । ସରକାରୀ ଜମାଦାର ଆସିଥିବାରୁ ଆମ୍ଭେମାନେ କବାଟ କିଳିଦେଇ ଘରେ ଲୁଚିଥିଲୁ । ମୁଁ କବାଯ କିଳିଦେଇ ଜଳାରେ ଅନାଇଥାଏ । ଚଉକିଆ ଗୋବରା ଜେନା ମୋତେ ଡାକୁଥାଏ । ମୁଁ ଜବାବ ଦେଲି ନାହିଁ । ମୋ ଭାରିଯା ଜବାବ ଦେଲା, ମୁଁ ଘରେ ନ ଥିବାର କହିଲା ।’’

 

( ) – ଏ ଡଙ୍ଗି ସନ୍ତକ ଖତୁ ଚନ୍ଦର ସହି ।

 

ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ – ପିତାର ନାମ ଧନୀ ନାୟକ, ଜାତି– ଖଣ୍ତାୟତ, ବୟସ– ୫୨, ପେଷା– ଜମିଦାରୀ । ସା– ଗୋବିନ୍ଦପୁର । ଜି– କଟକ ।

 

ଜବାବ ଦେଲା– ‘‘ମୁଁ ସାରିଆକୁ ମାରିନାହିଁ । ଭଗିଆ ମୋ ପାଖରୁ ଟଙ୍କା କରଜ ନେଇଥିଲା, ନାଲିସ୍‍ କରି ତା ‘ଛ ମାଣ ଆଠଗୁଣ୍ଠ’ ଜମି ଡିକ୍ରୀ କରି ନେଇଅଛି, ମୋକଦ୍ଦମା ଖର୍ଚ୍ଚାକୁ ତାହାର ଗାଈ ନେଇଅଛି ।’’

 

(ସ୍ୱାକ୍ଷର) ରାମଚନ୍ଦ୍ର ମଙ୍ଗରାଜ ।

 

ଠିକ୍ ଏହି ସମୟରେ ଗୋଟାଏ ବାୟା ସେଠାରେ ପହଞ୍ଚିଲା । ଅଣ୍ଟାରେ ଖଣ୍ତେ ଛିଣ୍ତାକନା ଗୁଡ଼ାଇଅଛି, ମୁଣ୍ତବାଳ ମୁକୁଳା, ଦେହଯାକ ଧୂଳି କାଦୁଅ, ହାତରେ ଗୋଟିଏ ବାଇଜି ହାଣ୍ତି ଧରିଅଛି, ଖୁବ୍ ନାଚିଲା, ସାରିଆ ସାରିଆ ବୋଲି ଗୀତ ଗାଇଲା । ତାକୁ ଦେଖି ଗାଁ ଲୋକମାନେ ହାହାକାର କରି କହିଲେ, ‘‘ଆରେ ଭଗିଆ ତୋ କପାଳରେ ଏହା ଥିଲା ।’’ ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ ବାୟା ତାକୁ କାମୁଡ଼ିବାକୁ ଧାଇଁଲା । ଚଉକିଆମାନେ ତାକୁ ଧରି ପକାଇଲେ, ସମ୍ଭାଳି ନ ପାରି ଦାରୋଗାଙ୍କ ଅନୁସାରେ ବାନ୍ଧି ପକାଇଲେ ।

ଦାରୋଗା ମାମଲା ତଦାରଖି ଖତମ କଲେ, ବତ୍ରିଶ ଜଣ ଗୁହାର ଜମାନବନ୍ଦୀ ହୋଇଥିଲା । ସେଥିମଧ୍ୟରୁ ଚାରିଜଣ ଗୁହାଙ୍କୁ ବାହାଲ ରଖି ଆଉ ଆଉ ଲୋକମାନଙ୍କୁ ରୋକ୍‍ସୋତ୍ ଦେଲେ ।

ଆସାମୀ ଚଲାଣି ।

ବେଳ ପ୍ରହରକ ସମୟରେ ମଙ୍ଗରାଜ ଚଲାଣ ହେଲେ । ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି, ମଧ୍ୟରେ ମଙ୍ଗରାଜେ ମୁଣ୍ତରେ ଖଣ୍ତେ ଗାମୁଛା ପକାଇ ମୁଣ୍ତପୋତି ଚାଲିଛନ୍ତି-। ଗ୍ରାମଲୋକମାନେ ଯାତ୍ରାକାଳୀ ପରି ଛିଡ଼ା ହୋଇ ଚାହିଁ ଅଛନ୍ତି । ଆଗରେ ଦାରୋଗା, ପଛରେ ମୁନ୍‍ସି । ମଙ୍ଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ । କେବଳ ଚମ୍ପା ‘‘ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନିଯାଉଚ, ମୋ ସାଆନ୍ତ’’ ଇତ୍ୟାଦି କରୁଣ ରାଗିଣୀରେ ଡକାପାଡ଼ି ଧାଇଁଥିବାବେଳେ ବାଟ ଉଛୁଳି ପଡ଼ୁଥାଏ । ସାଆନ୍ତେ ପଛକୁ ମୁହଁ ବୁଲାଇ ଦୁଇ ତିନି ଥର ଫେରିଯିବାକୁ କହିଲେ । ଦାରୋଗା ମୁନ୍‍ସି ଦିକ୍‌କାର ହେଲେଣି, ଶୁଣିବାକୁ ନାହିଁ, ମୁଣ୍ତରେ ଲୁଗା ନାହିଁ, କାନ୍ଦି ଅଥୟ ହୋଇ ଯାଉଛି । ‘‘ଗନ୍ତାଘର ଜିନିଷଗୁଡ଼ାକୁ ଉଇ ଧରିଯିବେ, ମୂଷା ଖାଇଯିବେ, କଣ ହେବ ?’’ ମଙ୍ଗରାଜେ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ ଦୁଇଟା ନଳୀକଞ୍ଚି ତା ହାତରେ ଦେଇ କହିଲେ, ‘ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ ।’ ଚମ୍ପା କଞ୍ଚି ଦୁଇଟା ଖୁବ୍ ସାବଧାନରେ ଅଣ୍ଟିରେ ଖୋସିଦେଇ କହିଲା, ‘ଆପଣ ଠା’ରେ ବସୁଥିବେ, ଓପାସ ରହିବେ ନାହିଁ ।’ ଗୋବିନ୍ଦ ଭଣ୍ତାରୀ ସାଙ୍ଗେ ସାଙ୍ଗେ ଥିଲା । ଦୁଇଜଣ ସାଙ୍ଗ ହୋଇ ଘରକୁ ବାହୁଡ଼ିଲେ । ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣିନାହିଁ ।

ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜମାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନ୍‍ସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ । ତାହା ବାଦ୍‍ ରିର୍ପୋଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲାଣ ଦେଲେ । ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକ ପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁ । ଆପଣଙ୍କର ଇଚ୍ଛା ହେଲେ ଶୁଣନ୍ତୁ ।

ଦାରୋଗା ରିପୋର୍ଟର ନକଲ

ଧର୍ମାବତାର,

ଚଳିତ ଅକ୍ଟୋବର ମାସ ତିନି ତାରିଖ ଭୋର ଆଠବଜେ ଅତ୍ରାଧୀନ ଆପଣା ଏଲାକା ମଧ୍ୟରେ ଆପଣା କଚିରି ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ – ମୁନ୍‌ସି ଚକ୍ରଧର ଦାସ ବନ୍ଦା ଡାହାଣ ପାଖରେ ବସି ରୋଜିନା ଡାଏରୀ କଲମବନ୍ଦ କରୁଥିବା ହାଲତ – ବରକନ୍ଦାଜ ଗୋଲାମ କାଦର ଓ ହରି ସିଂ ଆପଣା ପହରାରେ ମୁତୟନ ଥିବା ହାଲତ – ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଢ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର କଲା କି, ତାଲୁକା–ମଜକୁର, ମୌଜା– ମଜକୁର ରହିସ ସାରିଆ ନାମକ ତନ୍ତୀଆଣୀକୁ ଖୁଣ କରିଥିବା । ବନ୍ଦା ଏହି ରିପୋର୍ଟ ପାଇବାମାତ୍ର ଲେହମାକ ଗୁଦସ୍ତ ନ କରି ହଜୁରକୁ ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମସୁର ବଦମାଏସ ଏବଂ ଜାଲିମବାଜ ଥିବା ହାଲତ ଏବଂ ମାମଲା ଭାରି ସଙ୍ଗିନ ଥିବା ଲିହାଜ ବନ୍ଦା ତଡ଼େଦମ ଉକ୍ତ ସ୍ଥାନକୁ ରମାନା ହୋଇ ସରଜମିନରେ ପହୁଞ୍ଚି ଦସ୍ତୁର ମୁତାବକ ଆସାମୀ ଘର ମହାସଗ ଖାନତଲାସ ବହୁତ ହୁସିଆରିରେ ଆସାମୀକୁ ଗ୍ରେପ୍ତାର କଲା ବାଦ, ମହିଲୁକିଆ ସାରିଆର ଲାଶ୍ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶ ସଫେଦା ଗାଈ ଆସାମୀ ଜିମାରୁ ବରାମଦ କରିଅଛି । ଆସାମୀ ଯେଉଁ ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଅଛି, ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ – ଆସାମୀ ରାମଚନ୍ଦର ମଙ୍ଗରାଜ ଆପେ ଏକଗୋଟା ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଥିବା ଚାରିଜଣ ଗୁହାଙ୍କ ଜବାନ ବନ୍ଦୀରୁ ସାଫ ସାବିତ । ଏମାନେ ରୁଇତଗୁହା ଥିବା ସାଫ ସାବିତ । ଆସାମୀ ଯେ ଜଣେ ଜାଲିମବାଜ୍‍, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରୀ କରି ନେଇଅଛି, ତାହା ଚାରି ନମ୍ବର ଗୁହା ଜମାନବନ୍ଦିରୁ ସାଫ ସାବିତ । ଏହିସବୁ ହାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହଜୁରକୁ ଚାଲଣ ଦେଲି, ହଜୁର ଖୋଦାବନ୍ଦ ମା ବାପ, ଦୁନିଆର ବାଦସା, ରିପୋର୍ଟ କସୋର ମାଫ ହେବ, ନୌସନାରୀ ତଜ୍‌ବିଜ୍ ହେବ ।

୧୦ ତାରିଖ ଅକ୍ଟୋବର ସନ ୧୮୩୧

ଦାରୋଗା ଇନାଏତ ହୋସେନ

ଥାନେ କେନ୍ଦ୍ରାପଡ଼ା ।

 

ପ୍ରକାଶ ଥାଉକି, ଆଲାହିଦା ଫର୍ଦ ମୁତାବକ ଆସାମୀ ଘରୁ ବରାମଦ୍ ହୋଇଥିବା ଚୋରାମାଲ ହରି ସିଂ ବରକନ୍ଦାଜ ହେପାଜତରେ ଭେଜାଗଲା । ଏପରି ଆସାମୀ ସାରିଆକୁ ଖୁନ୍ କରିବାରୁ ତାହାର ମାଲିକ ଭଗିଆ ଚନ୍ଦ୍ର ଭାରି ବାୟାହୋଇ ଲୋକମାନଙ୍କ ଉପରେ ଜୁଲମ କରୁଥିବା, ତାହାର ହେପାଜତ୍ ସକାଶେ କେହି ଏଗାନା ଲୋକ ନ ଥିବା ହାଲତ ହଜୁରକୁ ଚାଲଣ ଦେଲି, ହଜୁର ମାଲିକ୍ ।

 

ତାରିଖ ସନ ପନ୍ଦର ।

•••

 

ବିଂଶ ପରିଚ୍ଛେଦ

ଓକିଲ ରାମରାମ ଲାଲ

 

କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡ଼କୁ ଆଉଜି ଆଖି ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା, ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥୀ, ଅର୍ଥର ଦାସ, ବେଳ ପଡ଼ିଲେ କେହି କାହାରି ନୁହେଁ । ତୁମେ ତ ଦେଖୁଛ, କାହା ଦୁଆରେ ଦୂବ ମରୁ ନାହିଁ, କାହାର ଦୁଆରେ ମଣିଷ ପେଲାପେଲି-। ଅବସ୍ଥା ସବୁ କରାଏ । ଜଣେ ବିଲାତୀ କବି କହିଛନ୍ତି, ‘ସୂର୍ଯ୍ୟହୀନ ଜଗତ ଆଉ ବନ୍ଧୁଶୂନ୍ୟ ଜୀବନ ସମାନ ।’ ଏଣୁ ମନୁଷ୍ୟକୁ ବନ୍ଧୁ ଛାଡ଼ିପାରେ ନାହିଁ । ‘‘ଦଣ୍ତବତ ମଙ୍ଗରାଜେ !’’ ଆସାମୀ ଚମକି ପଡ଼ି ଅନାଇଲେ । ପୂର୍ବେ ସେ ଢେର ଢେର ଦଣ୍ତବତ ଶବ୍ଦ ଶୁଣିଥିଲେ, ମାତ୍ର ଆଜି ଦଣ୍ତବତ ଶବ୍ଦଟା ପୁଣି ତାଙ୍କ ପିଣ୍ତରେ କିଛି ପ୍ରାଣ ପଶିଲା ପରି ଜଣାଗଲା । ବନ୍ଦୀ କିଛି କଥା କହି ନ ପାରି ଗୋଡ଼ଠାରୁ ମୁଣ୍ତ ଯାଏ ସେହି ମୂର୍ତ୍ତିକୁ ଦର୍ଶନ କରୁଛନ୍ତି । ବିଶାଳ ମୂର୍ତ୍ତି ଆଣ୍ଠୁଲମ୍ବିତ ବାହୁ, ଦେହରେ ଢିଲା ହାତ ଆଜାନୁଲମ୍ବିତ ଛ’କଲିଆ ବନ୍ଧଲଗା, ସ୍ଥାନେ ସ୍ଥାନେ କାଳି ଚିହ୍ନିତ ଚପକନ, ମୁଣ୍ତରେ ହାତେ ଚଉଡ଼ା ଚବିଶ ହାତ ଲମ୍ବ ଜରିମୁହାଁ ଢାଲିଆ ପାଗବନ୍ଧା, ପାଛୋଡ଼ି ଖଣ୍ତକ ପଛରୁ ଫେରିଆସି ବାଁ କାନି ଡାହାଣ କାନ୍ଧରେ ଡାହାଣ କାନି ବାଁ କାନ୍ଧରେ ଛାତିରେ ଛକ ପଡ଼ିଛି, ତିନି ଫୁଲିଆ ମାଣିକବନ୍ଦୀ ଖଦି ପିନ୍ଧା, ଗୋଡ଼ରେ ଫୁଲପକା ମରହଟୀ ଯୋତା, କାନରେ ପାହାଡ଼ୀ ଶର କଲମ, ଯାଉଁଳୀ ନିଶ, ଏକଗାଲିଆ ଗାଲେ ପାନ । ସେହି ମୂର୍ତ୍ତି ଦେଖି ଆଶା, ଭରସା, ବିସ୍ମୟ, ସନ୍ଦେହ ଆସାମୀ ମନକୁ ମନ୍ଥି ପକାଉଛି । କିଛିକଥା କହିପାରୁ ନାହିଁ । ଜଣା ଲୋକପରି, ସ୍ନେହୀ ଲୋକପରି ଦଣ୍ତବତ କଲେ, ଏ କିଏ ! ଆମ୍ଭେମାନେ ଅନୁମାନ କରୁଁ ଏ ଜଣେ ବନ୍ଧୁ ହେବେ । ଚାଣକ୍ୟ ଶାସ୍ତ୍ରରେ ଆମ୍ଭମାନଙ୍କର ବିଶେଷ ଜ୍ଞାନ ଥିବାରୁ ଏପରି ମୀମାଂସା କରିବାକୁ ସାହସ କରିଅଛୁଁ । ଶାସ୍ତ୍ରରେ ଅଛି, ‘‘ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ ।’’ ବୋଇଲେ ରାଜଦ୍ୱାରେ କି କଚେରିରେ, ଶ୍ମଶାନେ କି ମଶାଣି ପଦାରେ ତିଷ୍ଠତି କି ଥାନ୍ତି ଇତ୍ୟର୍ଥଃ । ସେ ବାନ୍ଧବ ଅର୍ଥାତ୍ ଓକିଲମାନେ କଚେରିରେ, ଆଉ ବିଲୁଆମାନେ ମଶାଣିରେ ଥାଆନ୍ତି, ଏମାନେ ବାନ୍ଧବ । କେବଳ ଜୀବିତ ପକ୍ଷେ ଆଉ ମୃତ ପକ୍ଷେ ପ୍ରଭେଦ । ଆସାମୀକୁ ବହୁତ ବେଳଯାଏ ଭକ ଭକ କରି ଚାହିଁ ରହିବାକୁ ହେଲାନାହିଁ । ପହରା ବରକନ୍ଦାଜ ଗୋପୀ ସିଂହ ଚିହ୍ନାଇ, ‘‘ଦେଖ, ଏହାଙ୍କର ନାମ ରାମରାମ ଲାଲା, କଚେରୀରେ ବଡ଼ ଓକିଲ, ଏହାଙ୍କୁ ଆଚ୍ଛା କରି ଧର, ସାହେବ ଏହାଙ୍କ କଥା ଖୁବ୍ ଶୁଣନ୍ତି ।’’ ଓକିଲବାବୁ ଖୁସିହୋଇ ଛାତି ଆଉ ଦୁଇ ବାହୁରେ ଦୁଇଥର ଆଖି ବୁଲାଇଲେ, ଦୁଇଥର ଗଳା ଖଙ୍କାରି ପୁରୁଣା ସ୍ନେହୀ ମଣିଷପରି କହିଲେ, ‘‘ମଙ୍ଗରାଜେ, ମାମଲାଟା ଏତେ ବଢ଼ିଗଲା, ଆଗରୁ ମୋତେ ଖବର ଦେଲନାହିଁ ? ସଂସାର ଯାକ ମାମଲା ମୋ ପାଖରେ, ଲୋକମାନେ ଥୁକ ପକାଇବାକୁ ସୁଦ୍ଧା ବେଳ ଦେଉ ନାହିଁନ୍ତି । ତେବେ ମଧ୍ୟ ଆପଣଙ୍କ ନାମ ଯେପରି କାନରେ ପଡ଼ିଲା ଧାଇଁଛି ।’’ ମଙ୍ଗରାଜେ ଫଁ କରି ନିଃଶ୍ୱାସଟାଏ ପକାଇ ଭୋ କରି କାନ୍ଦି ପକାଇଲେ, ହାତଯୋଡ଼ି ଭୂଇଁରେ ମୁଣ୍ତ ଲଗାଇ ଦେଲେ ।

ଓକିଲ – ‘‘ଉଠନ୍ତୁ, ଉଠନ୍ତୁ, ଏଣିକି ସବୁ ମୋତେ ଲାଗିଲା, ଆପଣ ନିଶ୍ଚିନ୍ତରେ ବସନ୍ତୁ, କିଛି ପରବାଏ ନାହିଁ । କାଲି ରାତିରେ ସାହେବଙ୍କ କୋଠିକି ଯାଇଥିଲି, ଢେର ଢେର ମାମଲା କଥା ପଡ଼ିଲା । ଆପଣଙ୍କ କଥା ମୋତେ ଜଣାଥିଲେ ଆଜି କଣ ବୋଲି କଣ କରି ପକାଇଥାନ୍ତି । ଆପଣଙ୍କ ମକଦ୍ଦମା ହାଲ ମୁଁ ସବୁ ବୁଝିଗଲିଣି, ସବୁ ମିଛ, ସବୁ ମିଛ । ସେହି ମୁହଁପୋଡ଼ା ଦାରୋଗା, ତାହାରି ଏତେ ଖେଳ । ସେହି ଦାରୋଗା ହାଲ କଣ କରିବି, ଦେଖିବେ । ଥରେ ସାହେବଙ୍କ ସଙ୍ଗରେ କଥାହେଉ ।’’

ମଙ୍ଗରାଜେ – (ହାତ ଯୋଡ଼ି) ‘‘ଓକିଲ ସାହେବ, ମୁଁ କଣ କରିବି, ମୋତେ ବଞ୍ଚାଉନ୍ତୁ, ମୋତେ ପ୍ରାଣ ଦିଅନ୍ତୁ, ଆପଣ ମୋର ଧର୍ମର ବାପ, ମୁଁ ପିଲାଲୋକ, ପିଲା ବୁଦ୍ଧି, ଆପଣଙ୍କୁ ସବୁ ଲାଗିଲା ।’’

ଓକିଲ – ‘‘ଆପଣଙ୍କୁ କିଛି କହିବାକୁ ହେବ ନାହିଁ, ମୁଁ ତ ସବୁ ଜାଣେ, ସବୁ କରିବି । ତେବେ ଗୋଟାଏ କଥା ଜାଣନ୍ତି, ମାମଲାଟା କିଛି ଟାଣ, ଭାରି ଟାଣ, ଫାଶିର ମାମଲା, ବେଳରୁ ନ ଜାଣିଲେ ଫାଶି ଠିକ୍ । ପୁଣି ସେହି ପୋଡ଼ାମୁହାଁ ଦାରୋଗାଟା ପିଛା ଧରି ଚାଲିଛି । ଆପଣ ତ ବୁଦ୍ଧିମନ୍ତ ଲୋକ, ଅଧିକ କଣ କହିବି, କଚେରୀ ମାମଲା କଥା ସବୁ ଆପଣଙ୍କୁ ଜଣା, କିଛି ଖରଚ ଲାଗିବ, ଖରଚକୁ ଡରିଲେ ହେବ ନାହିଁ, ହାତ ଫିଟାଇବାକୁ ହେବ । ଦାରୋଗା କଣ କହି ବୁଲୁଚି, ଶୁଣିଲେଣି ତ ? ଫାଶୀ ମକଦ୍ଦମା । ପ୍ରାଣ ଥିଲେ ସବୁ । ଟଙ୍କା ଆପଣ ଅର୍ଜିଛନ୍ତି, କି ଟଙ୍କା ଆପଣଙ୍କୁ ଅର୍ଜିଛି ? ଆପଣ ସେଥିର ଗୋଟାଏ ଠିକ୍ କରି ପକାଉନ୍ତୁ ।’’

ମଙ୍ଗରାଜେ – (କାନ୍ଦି କାନ୍ଦି) ‘‘ଆଜ୍ଞା, ଏଥିରେ କେତେ ଟଙ୍କା ଲାଗିବ? ମୋ ହାତରେ ତ ଗୋଟିଏ ପଇସା ନାହିଁ, ସାଙ୍ଗରେ କେହି ଲୋକ ନାହିଁ । ଯେ ଗୁମାସ୍ତା ଚାକର ଆସିଛନ୍ତି, ଦାରୋଗା ସେମାନଙ୍କୁ ମୋ ସାଙ୍ଗରେ କଥା କହି ଦେଉନାହିଁ । ମୋତେ ଖଲାସ କରିଦେଉନ୍ତୁ, ଘରକୁ ଗଲେ ହଜାରେ ଟଙ୍କା ଆପଣଙ୍କୁ ଦେବି ।’’

ଗୋପୀ ସିଂହ – ‘‘ଆହା ମଙ୍ଗରାଜେ, ତୁମେ କି ଏହି ବୁଦ୍ଧିରେ ଜମିଦାରୀ କରୁଥିଲ ? ଏଠାରେ କଣ କିଣାବିକା କଥା ଯେ ଧାରଉଧାର ଚଳିବ ? ‘ମକ୍‍କେଲ ବୋଲେ ରଖ ମଉସା, ଓକିଲ ବୋଲେ ଆଣ ପଇସା ।’ ‘ଟଙ୍କାଟି ଥୁଅ, କଥାଟି କୁହ ।’ ଟଙ୍କା କାଢ଼, ଟଙ୍କା କାଢ଼, ମାମଲା ଜିଣିବ ତ ଟଙ୍କା କାଢ଼ । ଓକିଲ ସାହେବ, ମୁଁ ଆଉ ଆସାମୀ ସାଙ୍ଗରେ କଥା କହିବାକୁ ଦେବି ନାହିଁ । ନାଜର ଦୁଇପଦ କଥା କହିବାକୁ ହୁକୁମ ଦେଇଥିଲେ । ମୁଁ କିଛି ଏକଲା ନାହିଁ , ଆମ୍ଭେମାନେ ଚାରିଜଣ ।’’

ଓକିଲ – ‘‘ଶୁଣୁଛ ତ ମଙ୍ଗରାଜେ ! ସହଜ କଥା ନୁହେଁ, ବରକନ୍ଦାଜଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ । ମାମଲା ଯେପରି ଟାଣ, ଆଉ କେହି ଓକିଲ ହୋଇଥିଲେ ନଗଦ ଦଶହଜାର ଧରି ମଧ୍ୟ ମୁହଁ ଦେଇପାରନ୍ତା ନାହିଁ, ମୁଁ ବୋଲି ଏଥିରେ ପଶୁଛି । ଆପଣ ଯେତେବେଳେ ଧର୍ମ ବାପ ବନାଇଲେଣି, ଆଉ କଣ ଭସାଇ ଦେବି ? ଆଚ୍ଛା, ଏହି ମାମଲାରେ ଯେତେ ଟଙ୍କା ଖରଚ ହେବ, ମୁଁ ଖରଚ କରୁଛି, ଏଥରେ ତ ଦଶହଜାରରୁ ପଇସାଏ ଊଣା ନୁହେଁ । ଆପଣଙ୍କ ଜମିଦାରୀ ମୋତେ କଟକବାଲା ଲେଖି ଦେଉନ୍ତୁ । ସବୁ ଟଙ୍କା ଯେ ଏବେ ଖରଚ ହୋଇଯିବ, ଏପରି ନୁହେଁ । ଆପଣ ଖଲାସ ହେଲେ ମୁଁ କଡ଼ା ଦାମ ହିସାବ ବୁଝାଇ ଦେବି-।’’

ମଙ୍ଗରାଜେ ଗାଲରେ ହାତ ଦେଇ ଦଣ୍ତେ ବସି କଣ ଭାବିଲେ । ସାପର ଗୋଡ଼ ସାପକୁ ଦିଶେ । କଟକବାଲା ଅର୍ଥ ମଙ୍ଗରାଜେ ଭଲ ଜାଣନ୍ତି । ତେବେ ମନୁଷ୍ୟ ଭାସି ଯାଉଥିବାବେଳେ ବାଘ ଲାଞ୍ଜଟା ମଧ୍ୟ ହାତରେ ପଡ଼ିଲେ ଛାଡ଼େ ନାହିଁ ।

ଓକିଲ ରାମରାମ ଲାଲା କାର୍ଯ୍ୟବେଳେ ଖୁବ୍ ଚଞ୍ଚଳ । ଦୁଇଘଣ୍ଟା ମଧ୍ୟରେ ସିଠାମ କିଣି କବଲା ଚିଠା, ସାଫି ଶେଷ କଚେରିରେ କାର୍ଜିଖାନାରେ କବଲା ରେଜେଷ୍ଟରୀ ସମାପ୍ତ । ଓକିଲ ସାହେବ ଶେଷରେ କହିଲେ, ‘‘ମଙ୍ଗରାଜେ ! ଆପଣ ବେପାରବାଏ ହାଜତଖାନାରେ ବସିଥାନ୍ତୁ, ମୁଁ ଅଛି, ଚିନ୍ତା ନାହିଁ ।’’

•••

 

Unknown

ଏକବିଂଶ ପରିଚ୍ଛେଦ

କଟକ ସେସନ୍ ଜଜକୋର୍ଟ

 

ଆଜି ଜଜକୋଟରେ ଭାରି ଭିଡ଼ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି ଯାଅନ୍ତି, ସେହିପରି ଜଣଜଣ କରି କଚେରୀ ପୂରି ଗଲେଣି । ଭାରି ଭିଡ଼, ଭାରି ଗୋଳମାଳ, ଦୁଇଜଣ ଚପରାଶି, ‘ଚୋଓପ୍‍, ଚୋ–ଓ–ପ୍‍’ କହି ଆହୁରି ଗୋଳମାଳ ବଢ଼ାଉଛନ୍ତି । ମଫସଲରେ ଜଣେ ମାନ୍ୟବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସଛି । ମେଜେଷ୍ଟର ସାହେବ ଦୋହରା ସମ୍ପ୍ରୋଦ କରିଥିଲେ, ପାଞ୍ଚଦିନ ହେଲା ମକଦ୍ଦମା ଚାଲିଛି, ଆଜି ଶେଷ ବିଚାର ଦିନ, ମାମଲା ଏପର୍ଯ୍ୟନ୍ତ ପଡ଼ିନାହିଁ । କାଲି ବୁଧବାର ବିଲାତୀ ମେଲ ଯିବ । ସାହେବ ‘ମାଇଁ ଡିଅର୍ ଲେଡି’ ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ତ ଲେଖି ପକାଉଛନ୍ତି । ଫୌଜଦାରୀ ମାମଲା ପଡ଼ିଲେ ହାକିମ ସାହେବ ବିଲାତୀ ଛାପା କାଗଜ ମେଲାଇ ବସନ୍ତି କିମ୍ବା ଚିଠିଲେଖା ଆରମ୍ଭ କରନ୍ତି, ପେସ୍କାର ଜିମା ସବୁ କାର୍ଯ୍ୟ । ସାହେବ ଜମାନବନ୍ଦୀ କାଗଜରେ ଗାରେଗାରେ ଦସ୍ତଖତ ଟାଣିଦେବା ଆଉ ରାୟ ଶୁବାଇବାରେ ମାଲିକ । ଆଜି ସାହେବଙ୍କୁ ସବୁ କାର୍ଯ୍ୟ ହାତରେ କରିବାକୁ ହେବ, କାରଣ ଆଜି ସାକ୍ଷୀ ଜଣକ ଇଂରାଜ, ମଧ୍ୟ ଇଂରାଜୀରେ ରାୟ ଲେଖିବାକୁ ହେବ । ଆଜିକାର କାରଖାନା ସବୁ ଇଂରେଜୀମୟ, ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି, ଛାପାଖାନାର ଅକ୍ଷରଗୁଡ଼ାକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି ସମସ୍ତ କଥା ଲେଖିବାକୁ ହେଉଛି । ସାହେବ ମେଞ୍ଚାଏ ଛେପରେ ଲଫାପା ବନ୍ଦ କରି ଚପରାସୀ ହାତରେ ଡାକଘରକୁ ପଠାଇ ଦେଇ କହିଲେ, ‘‘ଉଏଲ ବାବୁ ! ମକଦ୍ଦମା ପେଶ୍ କର ।’’ ସରକାର ତରଫ ଓକିଲ ଇଶାନ ଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସନ ମୁଦାଲା ଓରଫ ରାମରାମ ଲାଲା ହାଜର ।

 

ଆସାମୀ ରାମଚନ୍ଦ୍ର ମଙ୍ଗରାଜ, ଆସାମୀ କାଠଗଡ଼ା ଭିତରେ ହାତଯୋଡ଼ି ଠିଆ ହୋଇଛନ୍ତି । ଜଜ୍ ସାହେବଙ୍କ ଡାହାଣ ପାଖରେ ଚଉକିରେ ବସି ହୋଲି ବାଇବେଲ ଧରି ଡାକ୍ତର ସାହେବ ଜମାନବନ୍ଦୀ ଦେଲେ –

 

‘‘ମୋର ନାମ ଏ.ବି.ସି.ଡି. ଡଗ୍‌ଲାସ, ବାପର ନାମ ଇ.ଏଫ୍.ଜି.ଏଇଚ. ଡଗଲସ୍, ଜାତି– ଇଂରେଜ, ବୟସ– ୪୦, ହାଲ ସାକିନି– କଟକ । ଆମ୍ଭେ କଟକ ଜିଲ୍ଲାର ସିଭିଲ ସାର୍ଜନ । ଗତ ୮ ତାରିଖ ଭୋର ସାତଟା ତିରିଶ ମିନିଟ ସମୟରେ ସରକାରୀ ଲାସ ମାଇନା ଘରେ ଆମ୍ଭ ସାକ୍ଷାତରେ ସାରିଆର ଲାସ୍ ପୋଷ୍ଟମର୍ଟେମ ଏକ୍‌ଜାମିନ କରାଯାଇଛି । ଚୌକିଦାର ଗୋବରା ଜେନା ଚିହ୍ନିତ ଦେବା ଅନୁସାରେ ଆମ୍ଭେ କହୁଛୁ, ତାହା ସାରିଆର ଲାସ୍ ଥିଲା । ଆମ୍ଭେ ଯେତେଦୂର ପରୀକ୍ଷା କରିଅଛୁ, ସାହସ କରି କହିପାରୁଁ, କୌଣସି ପ୍ରାଣନାସକ ଅସ୍ତ୍ର ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ । ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗକରି ମରି ଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ ।

 

ଜଜ୍ ସାହେବ ସୁଆଲରେ ସାକ୍ଷୀ ଜବାବ ଦେଲେ, ଲାସ୍ ଦେହରେ କୌଣସି ପୀଡ଼ାର ଲକ୍ଷଣ ଥିଲା ନାହିଁ, ଅଥଚ ତାହା ଦେହର ରକ୍ତ ଶୁଖିଯାଇଥିଲା । ହୃଦୟରେ ପ୍ରାୟ ରକ୍ତ ଥିଲା ନାହିଁ-। ପାକସ୍ଥଳୀ ପ୍ରାୟ ଶୂନ୍ୟ ଥିଲା । ମୂତ୍ରଧାର, ମଳବାହିନୀ ନାଡ଼ିରେ କିଛି ପଦାର୍ଥ ନ ଥିଲା । ଏହି ସମସ୍ତ ଲକ୍ଷଣ ଦ୍ୱାରା ଜାଣୁଛୁଁ, ସେ ଉପବାସରେ ମରିଚି ।’’

 

ସରକାରୀ ଓକିଲଙ୍କ ସୁଆଲରେ ଜବାବ– ‘‘ହଁ, ଲାସ୍ ପିଠିରେ ତିନି ଜାଗାରେ ଚିହ୍ନଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷରୂପେ ଦେଖାଇଲା । ଆମ୍ଭେ ମଧ୍ୟ ଉତ୍ତମରୂପେ ପରୀକ୍ଷା କରି ଦେଇଅଛୁଁ, ତାହା ମାଡ଼ର ଦାଗ ନୁହେଁ, ପ୍ରାଣତ୍ୟାଗ ଉତ୍ତାରେ ଗରମ ଲୁହା କିମ୍ବା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଚିହ୍ନ ହୁଏ, ଏହା ସେହିପରି ଈଷତ୍ ପୋଡ଼ା ଚିହ୍ନ-।’’

ପୁନର୍ବାର ସରକାରୀ ଓକିଲଙ୍କ ସୁଆଲରେ – ‘‘ନା, ଆମ୍ଭେ ନିଜେ ଛୁରି ଧରି ଶବ କାଟି ନାହୁଁ, ନେଟିଭ ଡାକ୍ତର ଗୌରାଙ୍ଗ କର, ଆଉ କମ୍ପାଉଣ୍ତର ବାସୁଦେବ ପଟ୍ଟନାୟକ ଦୁଇଜଣ ଆମ୍ଭ ସାକ୍ଷତ୍‍ରେ ଶବଚ୍ଛେଦ କରିଛନ୍ତି ।

ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ‘‘ଆମ୍ଭେ ଆଜକୁ ସାଢ଼େ ଦଶ ବରଷ ହେଲା ସିଭିଲ ସର୍ଜନୀ କରି ଆସୁଛୁଁ, ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥିଲୁ, ଆମ୍ଭେ ଲଣ୍ତନ କଲେଜରେ ଡାକ୍ତରୀ ପଢ଼ି ପାଶ୍ କରିଛୁଁ ।’’

ପୁନର୍ବାର ସୁଆଲରେ ଜବାବ ଦେଲେ, ‘‘ପ୍ରଥମେ ଆମ୍ଭେ ହସ୍‌ପିଟାଲ ଆସିଷ୍ଟାଣ୍ତ ଥିଲୁ, ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି ।’’

ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ, ‘‘ତୁମାରା କୁଛ ସବାଲ ହେ ?’’

ଆସାମୀ ତରଫ ଓକିଲ ରାମରାମ ଲାଲାଙ୍କ ସୁଆଲ, ଡାକ୍ତର ସାହେବଙ୍କୁ ଅନାଇ କହିଲେ, ‘‘ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାସ୍ ପିଠିରେ ଅଛି କି ?’’

ଜଜ୍ ସାହେବ – ‘‘ନନ୍‌ସେନ୍‌ସ ! ଆଉର କ୍ୟା ପୁଚ୍ଛନେକା ହେ ପୁଚ୍ଛୋ ।’’

 

ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ – ‘‘ଆଚ୍ଛା, ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ସେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା ?’’

 

ଜଜ୍ ସାହେବ – ‘‘କୁଛ ବାତ୍ ନେହି, ଗୋ ଅନ୍ ଚଲୋ ଚଲୋ ।’’

ପୁନର୍ବାର କେରା – ‘‘ଆଚ୍ଛା,ସାରିଆ ଆସାମୀ ଦୁଆରେ ମରିଥିବା କିଛି ପ୍ରମାଣ ଅଛି ?’’

 

ଜଜ୍ ସାହେବ ଖପା ହୋଇ କହିଲେ – ‘‘ଦେଖୋ, ତୁମ୍ ଏସା ବେହୁଦା ସବାଲ କରୋଗେ ତ ତୁମାରା ଓକିଲାତି କେନ୍‌ସଲ କର ଦେଗା ।’’

 

ଓକିଲ – ‘‘ହଜୁର ଖୋଦନ୍ଦ୍ – ମା ବାପ ଦୁନିଆକା ବାସସା ।’’*

* (ଓକିଲ ପାଠକ ଅବଧାନ-ଆପର ଭୁଲିବେ ନାହିଁ, ଏ ମାମଲାଟା ଷାଠିଏ ବର୍ଷ ତଳର)

 

ଆସାମୀର ଜବାବ ନିଆଗଲା ଉତ୍ତାରେ ଦୁଇପକ୍ଷ ଓକିଲଙ୍କ ବକ୍ତୃତା ହେଲା, ଭାରି ଝଟାପଟା ଲାଗିଲା, ଊଣା ନୁହେଁ, ଅଢ଼େଇ ଘଣ୍ଟା କାଳ ବତ୍କୃତା । ଏହି ଅବକାଶରେ ସାହେବ ବେଁ ଲମ୍ବର ଖଣ୍ତେ ଛପା କାଗଜ ପଢ଼ି ପକାଇ ଟିଫିନ୍ ଖାଇ ଆସିଲେଣି ! ହାକିମ ବନ୍ଦ କରାଇ ନ ଥିଲେ ବତ୍କୃତା ବରାବର ଚାଲିଥାନ୍ତା ।

 

ହାକିମଙ୍କ ହୁକୁମ ଅନୁସାରେ ସେରସ୍ତାଦାର ରୋବକାରୀ ଲେଖି ପ୍ରକାଶ କଲେ । ସେହି ରୋବକାରୀଟା ବାରଫର୍ଦ୍ଧ କାଗଜରେ ଲେଖାଗଲା । ରୋବକାରୀ ଲେଖାଯାଇ ପ୍ରକାଶ ହେବାକୁ ତିନିଦିନ ଲାଗିଲା । ଆମ୍ଭେମାନେ ସେହି ରୋବକାରୀର ସହିମୋହର ନକଲ ହାସଲ କରିଛୁ, ମାତ୍ର ଆମ୍ଭେମାନେ ସମସ୍ତ କଥା ସଂକ୍ଷେପରେ ବୋଲି ଆସୁଥବାରୁ ସେହି ରୋବକାରୀର ଯେତିକି କଥା ପ୍ରକାଶ କଲେ ପାଠକ ମକଦ୍ଦମାର ସମସ୍ତ ହାଲ ବୁଝିପାରିବେ, ଆମ୍ଭେମାନେ ତେତିକି ସାରଅଂଶ ମାତ୍ର ପ୍ରକାଶ କରୁଛୁଁ ।

 

ରୋବକାରୀ କଚେରୀ ଅଦାଲତ ଓ ଫୌଜଦାରୀ ସେସନ୍ ଜର୍ଜ କୋର୍ଟ ଇଜଲାସ ଏଇଚ. ଆର୍. ଜେକ୍‍ସନ୍ ସ୍କୋୟାର ସେସନ୍ ଜଜ୍ ମିଲିକିୟତ ଶ୍ରୀଯୁକ୍ତ ଇଷ୍ଟଇଣ୍ତିଆ କମ୍ପାନୀ ବାହାଦୂର ଓଡ଼ିଶା ଖଣ୍ତ, ଜିଲେ କଟକ ।

 

ସରକାର ବାହାଦୂର ମୁଦେଇ ବନାମ ରାମଚନ୍ଦ୍ର ମଙ୍ଗରାଜ ସା– ଗୋବିନ୍ଦପୁର, ପ୍ର– ଅସୁରେଶ୍ୱର, ଜିଲେ– କଟକ । ମୁଦାଲା ସାରିଆ ନାମକ ଗୋଟିଏ ତନ୍ତୀଆଣି ସ୍ତ୍ରୀକୁ ହତ୍ୟା କରିଥିବା ଏବଂ ତାହା ଘରର ଆସବାବ ଲୁଠତରାଜ କରି ନେଇଥିବାର ମାମଲା ।

 

ନଥିର ସମସ୍ତ କଥା କାଗଜାତ୍‍ ଏବଂ ପକ୍ଷମାନଙ୍କର ଜବାବ ସୁଆଲ ଦୃଷ୍ଟି ଏବଂ ଶ୍ରବଣରେ ଆସିଲା ଉତ୍ତାରେ ଜଣାଗଲା କି ଏହି ମକଦ୍ଦମା ପୋଲିସ ଚାଲାଣୀ ଅଟେ । ଜିଲ୍ଲାର ମାଜିଷ୍ଟ୍ରେଟ ସାହେବ ଆସାମୀ ଉପରେ ନରହତ୍ୟା ଅଭିଯୋଗ କରି ଏହି ମକଦ୍ଦମା ସେସନ୍ ସମ୍ପ୍ରୋଦ କରିଛନ୍ତି । ଆସାମୀର ଦୋଷ ସାବ୍ୟସ୍ତ କରାଇବା ନିମନ୍ତେ ପୋଲିସ ଆଠଜଣ ସାକ୍ଷୀର ଜମାନବନ୍ଦୀ କରାଇଛି । ଆମ୍ଭେ ସାକ୍ଷୀମାନଙ୍କୁ ଅତି ସତର୍କତା ଏବଂ ମନଯୋଗ ସହିତ ପରୀକ୍ଷା କରିଛୁଁ ଏବଂ ଉଭୟ ପକ୍ଷ ଓକିଲମାନଙ୍କ ବତ୍କୃତା ଶ୍ରବଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛୁଁ କି, ଆସାମୀ ପୋଲିସ କଥିତମତେ ବାଉଁଶ ଠେଙ୍ଗାରେ ପ୍ରହାର କରି ସାରିଆକୁ ବଧ କରିନାହିଁ, ଦୀର୍ଘକାଳ ଉପବାସ ଏବଂ ମନକଷ୍ଟ ତାହାର ମୃତ୍ୟୁର କାରଣ ଅଟେ । ଆମ୍ଭର ଏପରି ବିଶ୍ୱାସ କରିବାର ହେତୁ ଏହି କି ପ୍ରଥମ ନରହତ୍ୟା ମକଦ୍ଦମାର ପ୍ରଧାନ ସାକ୍ଷୀ ସିଭିଲ ସର୍ଜନ ସୁସ୍ପଷ୍ଟରୂପେ ପ୍ରକାଶ କରିଅଛନ୍ତି କି, ଲାସ ଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନ ଥିଲା ।

 

ଆମ୍ଭେ ସାକ୍ଷୀମାନଙ୍କଦ୍ୱାରା ଯଥେଷ୍ଟ ପ୍ରମାଣ ପାଉଛୁ ଯେ, ଏହି ମକଦ୍ଦମାଟି ସଂପୂର୍ଣ୍ଣରୂପେ ଗଠିତ ଅଟେ । ଆମ୍ଭର ବିଶ୍ୱାସ, ପ୍ରଥମ ରିପୋର୍ଟକାରୀ ଗୋବରା ଜେନା ଚୌକିଦାର ସୂତ୍ରପାତକାରୀ ଅଟେ । ତାହାର ପ୍ରଥମ ରିପୋର୍ଟ ସହିତ ଶେଷ ଜମାମନନ୍ଦୀ ମିଳାଇ ଦେଖିଲେ ସ୍ପଷ୍ଟ ଜଣାଯାଏ, ସେ ମିଥ୍ୟାକୁ ସତ୍ୟରୂପେ ପ୍ରତିପନ୍ନ କରାଇବା ନିମନ୍ତେ ଯଥେଷ୍ଟ ଚେଷ୍ଟା କରି ଅଦାଲତରେ କୁଟ ପ୍ରଶ୍ନରେ ଆତ୍ମରକ୍ଷା କରିବାକୁ ଅସମର୍ଥ ହୋଇଛି । ମକଦ୍ଦମାର ଚାକ୍ଷୁସ ସାକ୍ଷୀ ବନା ଜେନା ଏବଂ ଧକେଇ ଜେନା କି ଯେଉଁମାନେ ଆସାମୀ ବାଉଁଶ ବାଡ଼ିରେ ସାରିଆକୁ ମାରି ପକାଇଥିବାର ବୟାନ କରନ୍ତି, ସେମାନେ ଚୌକିଦାରର ଆତ୍ମୀୟ, ସେମାନଙ୍କ ଘର ଆସାମୀ ଘରଠାରୁ ଦୁଇ କ୍ରୋଶ ଦୂର, ଅର୍ଦ୍ଧରାତ୍ର ସମୟରେ ଜାଗରିତ ହୋଇ ଆସାମୀର କାର୍ଯ୍ୟମାନ ଦେଖିବା ନିତାନ୍ତ ଅସମ୍ଭବ । ପୋଲିସ ମାମଲା ଉକ୍ତ ସ୍ଥାନର ଯେଉ ନକ୍‌ସା ଦାଖଲ କରିଅଛି, ସେଥିରୁ ସ୍ପଷ୍ଟ ଜଣାଯାଏ, ଆସାମୀ ଯେଉଁ ସ୍ଥାନରେ ଠିଆହୋଇ ସାରିଆକୁ ବଧ କରିବାର କଥିତ ହୁଏ, ଆଉ ସାକ୍ଷୀମାନେ ଯେଉଁ ସ୍ଥାନରେ ଠିଆ ହୋଇଥିବାର ପ୍ରକାଶ କରନ୍ତି, ତହିଁ ମଧ୍ୟରେ ତିନି ପରସ୍ତ ଘର ବ୍ୟବଧାନ, ସୁତରାଂ ଦୃଷ୍ଟିରେଖା ଭେଦ କରି ଚଳିବା ନିତାନ୍ତ ଅସମ୍ଭବ ଏବଂ ଅନ୍ୟାନ୍ୟ ପାର୍ଶ୍ୱ ଘଟନା ଏବଂ କୁଟ ପ୍ରଶ୍ନରେ ସାକ୍ଷୀମାନଙ୍କର ବିଶୃଙ୍ଖଳ ଜବାବଦ୍ୱାରା ଏମାନଙ୍କୁ ଅବିଶ୍ୱାସ କରିବାର ଯଥେଷ୍ଟ କାରଣ ବିଦ୍ୟମାନ ରହିଅଛି । ଏହି ହତଭାଗ୍ୟମାନେ ସରଳ ଗ୍ରାମ୍ୟଲୋକ ଥିବାଯୋଗୁଁ ଅନ୍ୟ ଲୋକର କୁମନ୍ତ୍ରଣାରେ ପ୍ରତାରିତ ହୋଇ କିପରି କାର୍ଯ୍ୟ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି, ସେଥିରେ ଭୀଷଣତ୍ୱ ହୃଦୟଙ୍ଗମ କରିବାକୁ ସେମାନେ ଅକ୍ଷମ ଏବଂ ଗୋବରା ଜେନା କୂଟ ପରୀକ୍ଷାରେ ବାରମ୍ବାର ମିଥ୍ୟାକଥା କହୁଥିବାର ପ୍ରକାଶ ପାଇଛି, ଅତଏବ ଆମ୍ଭେ ତାହାକୁ ଫୌଜଦାରୀ ସମ୍ପ୍ରୋଦ କଲୁଁ ।

 

ଆସାମୀର ପୂର୍ବ ଦୁଶ୍ଚରିତ୍ରତା ପ୍ରମାଣ କରାଇବା ସକାଶେ ପୋଲିସ କେତେଜଣ ସାକ୍ଷୀର ଜମାନବନ୍ଦୀ କରାଇଛି, କିନ୍ତୁ ତଦ୍ଦ୍ୱାରା ଆମ୍ଭେ ଏହି ପ୍ରମାଣ ପାଇଅଛୁଁ କି, ଆସାମୀ ଅନ୍ୟ ଲୋକର ସମ୍ପତ୍ତି ହରଣ କରିବା ସକାଶେ କୂଟିଳ ବୁଦ୍ଧି ପ୍ରୟୋଗ କରିବା ବିଷୟରେ ନିପୁଣ ଅଟେ, ମାତ୍ର କାହାରି ପ୍ରତି ଦୋଷ ଯୁକ୍ତ ବଳପ୍ରକାଶ କରିବାର ପ୍ରମାଣ ନାହିଁ । ସୁତରାଂ ଏପରି ଲୋକଦ୍ୱାରା ନରହତ୍ୟା ଘଟଣ ହେବା ଅସମ୍ଭବ ଅଟେ ଏବଂ ହତ୍ୟା କରିବାର କୌଣସି କାରଣ ମଧ୍ୟ ଦେଖୁନାହିଁ ।

 

ମୃତ ସାରିଆ ବା ଭଗିଚନ୍ଦର ପାନିଆ ଡୁଙ୍ଗୀ, ନରାଜ, ଚରଖି ତନ୍ତବୁଣାର ସରଞ୍ଜାମ ଏବଂ କଂସା ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ୟ ପୋଲିସ ଆସାମୀ ଘରୁ ବରାମଦ କରିଛି । ମାତ୍ର ଆସାମୀ ସିବିଲକୋର୍ଟରେ ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖିଥିଲା । ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜମିଲାକୁ ଆସାମୀ ନିଲାମସୂତ୍ରେ ସେ ସବୁ ଖରିଦ କରି ନେଇଅଛି । ଅବଶ୍ୟ ସ୍ୱୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ, ସେ କଟକବଲା ନାଲିସ୍‍ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ, ମାତ୍ର ଉପସ୍ଥିତ ମକଦ୍ଦମାରେ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ୱ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ପାଗଳ ହୋଇଯାଇଥିବା, ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା ଆମ୍ଭେ ବିଶ୍ୱାସ କରୁଁ, ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ କରାଯାଇ ନ ପାରେ ।

 

ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ୱୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ଆଦାୟ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କାରଣ ସିବିଲକୋର୍ଟ ଦସ୍ତଖତ୍‍ ମୋହର ଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ଆମ୍ଭ ସାକ୍ଷାତ୍‍ରେ ଉପସ୍ଥିତ କରାଯାଇଅଛି, ସେଥିର ନେତ ଗାଈର ଉଲ୍ଲେଖ ନାହିଁ । ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣାଦ୍ୱାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ୟ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନଦ୍ୱାରା ଅନେକ ଉପାର୍ଜ୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାରୁ ଏବଂ ଭଗିଚନ୍ଦରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ ଜ୍ଞାନ କରି ସ୍ୱାଭାବିକ ଲୋଭରିପୁଦ୍ୱାରା ଚାଳିତ ହୋଇ ଉଲ୍ଲିଖିତ ଗାଈକୁ ଆତ୍ମସାତ କରିଅଛି-। ଏହି ସମସ୍ତ କାରଣ ଦୃଷ୍ଟିରେ ।

 

ହୁକୁମ ହେଲା କି,

 

ଆସାମୀ ରାମଚନ୍ଦ୍ର ମଙ୍ଗରାଜକୁ ନରହତ୍ୟା ଅପରାଧରୁ ମୁକ୍ତି ଦିଆଯାଇ ନେତ ନାମକ ଗାଈକୁ ଆତ୍ମସାତ କରିଥିବା ଅପରାଧରେ କଠିନ ପରିଶ୍ରମ ସହିତ ଛ ମାସ କାରାଦଣ୍ତ ଏବଂ ପାଞ୍ଚଶତ ଟଙ୍କା ଜରିମାନା କରାଯାଉ । ଜରିମାନା ଅସୁଲ ନ ହେଲେ ଅତିରିକ୍ତ ୩ ମାନ କାରାରୁଦ୍ଧ ରଖାଯାଉ ।

 

। ଇତି ।

ମେ ମାସ ୧୭ ତାରିଖ ସନ ୧୯୩୨ ମସିହା ।

ଏଇଚ ଆରି, ଜେକ୍‍ସନ୍

ସେସନ୍ ଜଜ୍ ।

 

କଚେରୀ ଶେଷ ହେଲାଣି । ଜଜ୍ ସାହେବଙ୍କ ବଗି ଚାଲିଗଲାଣି । ଚାରି ଜଣ ବରକନ୍ଦାଜ ଜଣେ ଆସାମୀକୁ ହାତକଡ଼ି ଦେଇ ନାଜରଖାନାରୁ ଜେଲ ଓଆରଣ୍ଟ ଜାରି କରି ବାହାରିଲେ । ଓକିଲ ରାମରାମ ଲାଲା କଚେରୀ ଆଗ ବରଗଛ ମୂଳରେ ବସିଥିଲେ । ଆସାମୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଯିବାରୁ ସେ ଦୂରରୁ ଡାକିଦେଲେ, ‘‘ଦେଖନ୍ତୁ ମଙ୍ଗରାଜେ, ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି, ଦେଖିଲେ ତ ? ଫାଶିରୁ ଖଲାସ କରାଇ ଦେଲି । କିଛି ପରବାଏ କରିବେ ନାହିଁ, ବେଧଡ଼କ ଜେଲ୍‍ଖାନାକୁ ଚାଲିଯାଆନ୍ତୁ, ମାଠିଆଏ ତେଲ ପେଡ଼ିଥିବେ ନାହିଁ, ସୁପ୍ରିମକୋର୍ଟରେ ଅପିଲ କରି ଖଲାସ କରାଇ ଦେବି ।’’

 

ଆମ୍ଭେମାନେ ନିଶ୍ଚିତ ସମ୍ବାଦ ପାଇଅଛୁ, ଅପିଲ୍ ବିଷୟରେ କୌଣସି ଯତ୍ନ କରାଯାଇ ନାହିଁ ।

•••

 

ଦ୍ୱାବିଂଶ ପରିଚ୍ଛେଦ

ଗୋପୀସାହୁର ଦୋକାନ ଘରେ

 

ବିରୂପା ନଦୀକୂଳ–ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ତ, ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠ ଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢ଼ିରେ ଭାସି ଯାଇଅଛି । ଗ୍ରାମ ଗଲାଣି, ନାମ ଯାଇ ନାହିଁ । ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ । ଗଛମୂଳରେ ଗୋପୀ ସାହୁର ଦୋକାନ ଘର, ଘରଟି ସାତପାଞ୍ଚ । ସେଥି ମଧ୍ୟରୁ ଅଧକରେ ଗୋଟିଏ କୋଠରୀ, ଅଧେ ମେଲା । ଆଗରେ ଦୁଇହାତ ଲମ୍ବ ପିଣ୍ତା । ଦୈବ ଦୁର୍ବଳେ କେହି ବାଟୋଇ ରହିଗଲେ ମେଲାରେ ରୋଷେଇ କରନ୍ତି । ଗୋପୀ ବୁଢ଼ା ହୋଇଗଲାଣି, ବିଲବାଡ଼ିକି ଆଉ ପାରେ ନାହିଁ । ଗଲା ଅଙ୍କରେ ବୁଢ଼ୀ ଚାଲିଗଲା ଦିନରୁ ତା ଅଣ୍ଟା ବସିଗଲାଣି । ପୁଅମାନେ ମଧ୍ୟ ବୁଢ଼ାକୁ ଧନ୍ଦାରେ ପକାନ୍ତି ନାହିଁ । ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ, ବସିବାଠାରୁ କାଶିବା ଭଲ–ବରଷେ ହେଲା ଫନ୍ଦାଟାଏ ଫାନ୍ଦିଛି । ଦିନ ପ୍ରହରକବେଳେ ଚାରିଟା ମୁହଁରେ ଦେଇ ଦୋକାନକୁ ଆସେ, ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳୀ କୋଲପଟାଏ ପକା ଘରକୁ ଚାଲିଯାଏ । ଦୋକାନଠାରୁ ଅଧକୋଶ ଛଡ଼ା । ଦୋକାନରେ ଚାଉଳ, ଡାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖିଥାଏ । ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟୋକେଇରେ ଭରତି କରି ଘରୁକୁ ଘେନିଯାଏ । ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଚ୍ଚୀ ହୋଇ ପଡ଼ିଲାଣି । ସଞ୍ଜବେଳେ ସୋରିଷେ ସୋରିଷେ ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ । ଆପୁ ଖାଇସାରି ଚୂଡ଼ାଗୁଣ୍ତି ଦି’ଟା କିମ୍ବା ମୁଢ଼ିଗୁଣ୍ତ ଦି’ଟା ପାଟିରେ ନ ପକାଇଲେ ନୁହେଁ । ଧୂଆଁ ଅଭ୍ୟାସ ତ ଅଛି । ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ । ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ହେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥିରେ ଚଳିଯାଏ, ପାଣ୍ଠିରେ ହାତ ଲାଗେ ନାହିଁ ।

 

ଅଶିଣମାସିଆ ଦିନ, ଦିନଯାକ ମେଘଟା ଘୋଡ଼େଇଛି, ଦୁଇ ତିନି ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର ଚପର, ବାଟୋଇ କେହି ନାହାନ୍ତି । ବେଳ ଆହୁରି ଦଣ୍ତେ ଅଛି, ମାତ୍ର ମେଘ ଘୋଟିଥିବାରୁ ଅନ୍ଧାର ହୋଇ ଆସିଲା ପରି ଜଣା ଯାଉଅଛି । ଗୋପୀ ଦୋକାନକୁ ଅନାଇ କହିଲା, ‘‘ସକାଳୁ କାହା ମୁହଁ ଚାହିଁଥିଲି, ଅଧଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ ।’’ ଗୋପୀ ଦୋକାନକୁ ଗୋଟିଏ ଟୋକେଇରେ ପୁରାଇ ଗାମୁଛା ମୁଣ୍ତରେ ବାନ୍ଧି ପିଣ୍ତାରେ ବସିଲା, ଆକାଶକୁ ଅନାଇ ଆପେ ଆପେ କହିଲା – ‘‘ବେଳ ବୁଡ଼ି ନାହିଁ । ନଦୀଘାଟକୁ ଅନାଇ ଅଛି, କେହି ବାଟୋଇ ପାରିହୋଇ ଆସିବ ପରା ! ନଦୀତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି –’’

 

‘‘ଦିନ ଗଲାଟିରେ ସରି,

ବୃଥା କାଳ କାଟିଦେଲି ନ ଭଜି ଶ୍ରୀହରି । ଘୋଷା ।

ବହି ଯାଇଅଛି ଆୟୁ ନଦୀସ୍ରୋତ ପରି

ପଡ଼ିଲେ କାଳ ସାଗରେ ନ ଆସିବ ଫେରି ।

ବିଷୟରେ ମତ୍ତ ହୋଇ ଦିବସ ଶର୍ବରୀ,

ଆପଣାର ନିଜ ଧାମ ରହିଛି ପାସୋରି ।

ଦୀନ ଜନେ ଦୟା କର ଦୟାମୟ ହରି

ନିରନ୍ତର ତୁମ୍ଭ ନାମ ଥିବି ହୃଦେ ଧରି ।’’

 

‘‘ଏ ଦୋକାନୀ– ରହିବାକୁ ଜାଗା ମିଳିବ ?’’

 

ଗୋପୀ ଚମକିପଡ଼ି ଅନାଇଲା, ଦୋକାନ ଆଗରେ ଦୁଇଜଣ ବାଟୋଇ । ଜଥାଟି ପିନ୍ଧା, ମୁଣ୍ତରେ ଗାମୁଛାଗୁଡ଼ିଆ, ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ, ଜଣେ ପୁରୁଷ, ତା’ ପଛଆଡ଼େ ଗୋଟିଏ ସ୍ତ୍ରୀ, ପାଟଶାଢ଼ୀ ଖଣ୍ତିଏ ପିନ୍ଧା, କୁମ୍ଭକର୍ଣ୍ଣ ଧଡ଼ି, ସୂତାଶାଢ଼ୀ ଖଣ୍ତିଏ ଚଉତା ହୋଇ ଉପରାଣ ପଡ଼ିଛି, ସର୍ବାଙ୍ଗ ଢଙ୍କା, କେବଳ ନାକର ଫୁଲଗୁଣା ଆଉ ନାଟମୟୂର ଦିଶୁଛି । ଲୋକେ କହନ୍ତି, ‘‘ଭେକ ଥିଲେ ଭିକ ।’’ ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ । ଗୋପୀ ଚଞ୍ଚଳ ଦୋକାନ ପିଣ୍ତାରୁ ଓହ୍ଲାଇପଡ଼ି ଦୁଇଜଣଙ୍କୁ ଦୁଇଟା ଦଣ୍ତବତ ହୋଇ କହିଲା, ‘‘ଆଜ୍ଞା ଆସନ୍ତୁ, ଦୋକାନ ଉପରକୁ ଆସନ୍ତୁ, ରୋଷେଇ କରନ୍ତୁ ସବୁ ସରଞ୍ଜାମ ଅଛି, ଦେବି ।’’ ଗୋପୀ ଦୁହିଁଙ୍କ ଗୋଡ଼କୁ ଅନାଇ ଦୁଇ ଢାଳ ପାରି ଦେଲା, ଆଉ ମେଲା ଘରେ ଛିଣ୍ତା ପଟିଖଣ୍ତ ମେଲାଇ ଦେଲା । ସ୍ତ୍ରୀ ଲୋକଟି ଆଗେ ଗୋଡ଼ଧୋଇ ଓଦାଲୁଗା ପାଲଟି ପଟିରେ ଯାଇ ଚକାପାଡ଼ି ବସିଲେ । ଦେହର ଅଳଙ୍କାରମାନ ଦେଖି ଗୋପୀ ‘ଆଜ୍ଞା’ ‘ସାଆନ୍ତ’ ‘ସାଆନ୍ତାଣୀ’ ଇତ୍ୟାଦି ସମ୍ବୋଧନ କଥାମାନ ପ୍ରତି କଥା ଆଗରେ ବୋଲି ଯାଉଅଛି । ଏଣେ ସ୍ତ୍ରୀ ଲୋକ ଗୋପୀର ଭକ୍ତି ଦେଖି ଖୁସି ହୋଇ ଗଲେଣି, ପଣତକାନିରୁ ଚାରିଅଣିଟିଏ ଫିଟାଇ ଗୋପୀ ପାଖକୁ ଫୋପାଡ଼ି ଦେଇ କହିଲେ, ‘ଏ ବୁଢ଼ାପୁଅ ରୋଷେଇ ସରଞ୍ଜାମ ଦେ’ । ଗୋପୀ ଲଣ୍ତଭଣ୍ତ ହୋଇ ସୁଉକିଟିଏ ଉଠାଇନେଇ ଦୁଇ ହାତରେ ଲେଉଟା ଲେଉଟି କରି ଦୁଇ ତିନି ଥର ଦେଖିଲା, ତାହା ବାଦ୍ ଦୁଇଥର ଚୁମା ଖାଇ ଦୁଇଥର ମୁଣ୍ଡରେ ମାରି କୁଞ୍ଚ ତଳ କାନିରେ ବାନ୍ଧି ନାହି ପାଖରେ ଖୋସି ଦେଲା । ଗୋପୀ ମୁଖ ଦେଖି ଜଣାଯାଏ, ସେ ଆଉଥରେ ମନ ମଧ୍ୟରେ ବୋଲିଥିବ, ‘‘ଆଜି ସକାଳେ କାହା ମୁହଁ ଚାହିଥିଲି, ସଉଦା ନ ହେଉଣୁ ସୁଉକିଟାଏ ।’’ ଦୋକାନ ଆରମ୍ଭ ଦିନରୁ ଏଟା ନୂଆକଥା । ଗୋପୀ ରୋଷେଇ ସରଞ୍ଜାମ ସମସ୍ତ, ଅର୍ଥାତ୍ ଚାଉଳ, ଚୋପାଳିଆ ବିରିଜାଈ, ଲୁଣ ଆଣି ଥୋଇ ଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲୀ ଲଗାଇ ଦେଲା । ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ, ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ । ସ୍ତ୍ରୀ ଲୋକଟି କହିଲେ, ‘‘ଆରେ ବୁଢ଼ାପୁଅ, ଏଠି ଦୁଧ ଘିଅ ମିଳିବ ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ ।’’ ଗୋପୀ କହିଲା ‘‘ଆଜ୍ଞା ସତକଥା, ସତକଥା, ନ ମିଳିବାକୁ ସିନା, ଏସବୁ କଣ ଛାମୁଁ ଠା’ ବସିବା ଜିନିଷ ? ଜଳଖିଆ ପାଇଁ ଆଚ୍ଛା କାଣ୍ତିଆ ସରୁଚୂଡ଼ା ହୁଅନ୍ତା, ନିରୂତା ଗାଈଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣୀ ନୂଆଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆମାଛ, ବନ୍ତଳକଦଳୀ, ମୁଗଜାଈ, ଦୁଧଘିଅ ହୁଅନ୍ତା । କଣ କରିବି ? ଅଜ୍ଞା ଏଇଟା ତ କାଙ୍ଗାଳି ଦେଶ, ଆପଣଙ୍କର ପଦାରବିନ୍ଦ ଧୂଳିରଜ କିପରି ମୋ କପାଳକୁ ପଡ଼ିଗଲା । ଆଜ୍ଞା ଗୋଟାକେତେ ପଇସା ଦିଅନ୍ତୁ, ଗାଁ ବୁଲି ଦେଖେ ।’’ ସ୍ତ୍ରୀଲୋକଟି ପୁନର୍ବାର ଗୋଟାଏ ସୁଉକି ଫୋପାଡ଼ି ଦେଲେ । ଗୋପୀ ପୂର୍ବପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା । ରାତି ଅଧଘଡ଼ି ସମୟରେ ଗୋପୀର ସାନପୁଅ ବୃନ୍ଦାବନ ଖଣ୍ତେ କଦଳିପତ୍ର ଠୋଲାରେ ଦୁଇ ତିନି ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ ଦୋକାନ ପିଣ୍ତାରେ ଥୋଇ ଦେଇ କହିଲା, ‘‘ଆଜ୍ଞା, ବାପା ବଟେଇଦେଲା, ସେ ଅନ୍ଧାରକଣା, ଆସିପାରିଲା ନାହିଁ ।’’

 

ଦୋକାନରେ ତୃତୀୟ ଲୋକ ନାହିଁ, ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇ ଦେଉଛି, ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ।

 

ସ୍ତ୍ରୀ– ଶୁଣିଲୁରେ ଗୋବିନ୍ଦା ! ଶୁଣିଲୁ ତ, କାନ ଲଗେଇ ଶୁଣିଲୁ ତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବି ସମସ୍ତେ ସାଆନ୍ତାଣୀ କହିବେ, ତତେ ସାଆନ୍ତ କିଏ କହୁଥିଲା ? ଆରେ ଚାଲ, କଟକ ଚାଲ, ତତେ କଣ କରିଦେବି ଦେଖିବୁ, ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ।

 

ଗୋବିନ୍ଦ – ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା, ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା ।

ଚମ୍ପା – ଆରେ, ସତେ ଲୋକେ ଯାହା କହନ୍ତି,

‘ଅତି ନିଉଁଛଣା ଅନ୍ଧାର ରାତି,

ଅତି ନିଉଁଛଣା ଭଣ୍ତାରି ଜାତି ।’

ବିଲବାଡ଼ି କଣ ହବ ରେ ? ଆରେ ଯାହା ସାଙ୍ଗରେ ଆଣିଛି, ଶହେ ବରଷ, ଦି’ଶ ବରଷ ବସି ଖାଇଲେ ତ ସରିବ ନାହିଁ ।

ଗୋବିନ୍ଦା – ନା ସେ କଥା ହବ ନାହିଁ, ମୁଁ ଗାଁକୁ ଯିବି, ଘରୁ ଢେର ଦିନ ହେଲା ଖବର ପାଇ ନାହିଁ, ମୋ ମନ କେମିତି ଗୁଡ଼େଇ ପୁଡ଼େଇ ହେଉଛି, ନୋହିଲେ ମୋ ଭାଗ ଦିଅ, ମୁଁ ଯାଏଁ । ତୁମର ଯାହା ମନ କର ।

ଚମ୍ପା – ଭାଗ ? ଭାଗ କଣ ? ଭାଇ ଭାଗ ? ଆରେ ଯାହା କହନ୍ତି –

‘‘ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ,

ଘଷିଫଡ଼ାରେ ଗୁଡ଼ ଲଗାଇ ଭଡ଼ ଭଡ଼ ଚୋବାଇ ।’’

 

ଧନ ସେଠି ଥିଲା ମୋର – ଏଠି ବି ମୋର, ମୁଁ କଣ ଚୋରି କରି ଆଣିଛି? ସାତଦିନ ହେଲା ବରଷା ନାହିଁ, କାଦୁଅ ନାହିଁ, ଏ ଗାଁ, ସେ ଗାଁ, ୟା ଓଳି, ତା ଓଳି ବୁଲେଇ ବୁଲେଇ ମାରିଲାଣି । କହିଲୁ, ସାଆନ୍ତ ପହଡ଼ ଘର କଣରେ ତିନି ଜାଗାରେ ସୁନାଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ । ତୁ କଣ ଜାଣିଥିଲୁ ? ଏସବୁ ମୋର ନା ଆଉ କାହାର?

 

ଗୋବିନ୍ଦ – ଟଙ୍କା ତ ପୋତିଥିଲ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି ? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା ?

 

ଚମ୍ପା – ‘ଏହିଁକି ଏତେ– ନା – ମୁଦି ନାହିଁ ଗୋଡ଼ କଚାଡୁ କେତେ ?’ ବଡ଼ ବୁଦ୍ଧିଟାଏ କାଢ଼ିଲା ରେ ! ମତେ ଆଉ ବୁଦ୍ଧି ଆସନ୍ତା ନାହିଁ । ଦେଖିଛୁ, ସେଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ ଦୁଇକୋଶ ବାଟ ଧାଇଁ ଗୋଡ଼ରେ ଫୋଟକା ବାହାରି ପଡିଲା, କାନ୍ଦି କାନ୍ଦି ତୋଟି ବସିଗଲା, କହୁଛି କଣ ନା, ବୁଦ୍ଧି କହିଲି । ‘ବୁଦ୍ଧିରେ ବୁଦ୍ଧି–ନା – ବଳେଇପଡ଼ି ଯାଇଛି କୁଦି ?’ ଆଚ୍ଛା କହିଲୁ, ମୁଁ ସେ ରାଣ୍ତୀ ବ୍ରାହ୍ମଣୀ ସାଙ୍ଗରେ ସଙ୍ଗାତ ବସି ରାତିଏ ରହି ତା ଘର ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନି ଆସିଲି, ସେ ବୁଦ୍ଧି ତୁ କହି ଦେଇଥିଲୁ ?

 

ଗୋବିନ୍ଦ ଆଉ କିଛି ନ କହି ରୁଷି ଆସି ପିଣ୍ତାରେ ବସିଲା । ଚମ୍ପା ମଧ୍ୟ ତୁନି । ଏକ ଚାହାଳୀରେ ପାଠ, ଏକ ଅବଧାନର ଚାଟ, ଚତୁର ଚତୁରା କଥା, କେହି କାହାକୁ ଉଣା ନୁହେଁ, ସହଜରେ କିଏ ପଛଘୁଞ୍ଚା ଦେବ ? ଦୁଇଜଣଙ୍କୁ ଦୁଇଜଣ ଚିହ୍ନନ୍ତି । ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନାଗୁଡ଼ାକ ତା ହାତରୁ ଯାଇ ଭଣ୍ତାରୀ ଘରେ ପଶେ, ପୁନର୍ବାର ହାତପୈଠ ହେବା ସହଜ ନୁହେଁ ! ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା ମନରେ ପଡ଼ିଲା । ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ । ଅଇଣ୍ଠା ଖାଈ କୁକ୍‌କୁରୀ ଆଉ ଖଣ୍ତିଏ ଅଇଣ୍ଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳି ଦେଇଯାଏ । ବିପରୀତମୁଖ ଦୁଇ ବଳ ସମାନ ହେଲେ ଦୁହେଁ ସ୍ୱ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି ।

 

ରାତ୍ର ଅନ୍ଦାଜ ପାଞ୍ଚ ଘଡ଼ି କି ଛ ଘଡ଼ି, ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି, ଚମ୍ପା ଅଳ୍ପକାଳ ଛିଡ଼ା ହୋଇ କଣ ଭାବିଲା, ପାଖକୁ ଆସି ସାକୁଲେଇ କହିଲା, ‘‘ଦେଖ୍ ଗୋବିନ୍ଦା, ତୁ ତ କହୁଛୁ ନଈ ଆରପାରି ଚାରିକୋଶ ବାଟରେ ତୋ ଘର । ହଉ ଚାଲ, କଟକ ଚାଲ, ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଯିବୁ । ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣି କଉଡ଼ି ଧୋଇ ପାଣି ଟୋପାଏ, ! ଆ, ଆ ବଡ଼ ଭୋକ ଲାଗିଗଲାଣି, ଖାଇବା ଆ ।’ ଗୋବିନ୍ଦା ମଧ୍ୟ ଭୋକରେ କାଉଳି ହେଲା, ବୋଧହୁଏ ସେ ଏଥିରେ ଅଧା ରାଜି ହୋଇ ଉଠ ଉଠ ହେଉଥିଲା, ମାତ୍ର ଅନ୍ଧାରରେ ଚମ୍ପାକୁ ତ ଦିଶୁ ନାହିଁ, କିଛି ଜବାବ ନ ପାଇ ସେ ଭାରି ଖପା ହୋଇ କହିଲା, ‘‘ମଲା ଯା ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ତରେ ଚଢ଼ନ୍ତି । ଯା ମ ଯା, ଖାଇଲୁ, ଖାଇଲୁ, ନ ଖାଇଲୁ ନାହିଁ ।’’ ଗୋବିନ୍ଦା ଉଠୁଥିଲା, ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟିମରାଟି ଚାହିଁଲା । ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ, ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ । ଗୋବିନ୍ଦା ଆପଣାର କେଡ଼େ ସୌଭାଗ୍ୟ ସ୍ୱପ୍ନ ଦେଖୁଥିଲା, କେତେ ବିଲବାଡ଼ି, କେତେ ବଳଦ ହଳିଆ, କେତେ ଦୁହାଁଳଗାଈ ଘରେ ବନ୍ଧା, କେତେ ଖାତକ ଟଙ୍କାକରଜ ନେବାକୁ ଆସି ଦୁଆରେ ବସିଛନ୍ତି, ସବୁଥିରୁ ଏକାବେଳକେ ନିରାଶ । ଦିନ ଯାକ ପାଣି କାଦୁଅରେ ବୁଲିବୁଲି ଥକା, ତା ଉପରେ ଭୋକ-! ଗୋବିନ୍ଦା ଏତେବେଳେ ଯାଏ ମନର ଦୁଃଖରେ ବସି ଭାବୁଥିଲା । ବର୍ତ୍ତମାନ ଚମ୍ପା ‘ପୋଇଲା’ କହିବାରୁ ତାଳୁରେ ବିଛା କାମୁଡ଼ିଲାପରି ସର୍ବାଙ୍ଗ ଜଳୁଅଛି, କିଛି କହିପାରୁ ନାହିଁ । ସେ ଜାଣେ ତା ପରି ଦୁଇଜଣ ଲୋକ ବଳରେ ଚମ୍ପା ସାଙ୍ଗରେ ପାରିବେ ନାହିଁ । ସେ କେତେ ଥର ମଙ୍ଗରାଜ ଘର ଭେଣ୍ତିଆ ହଳିଆମାନଙ୍କୁ ବାଡ଼େଇଥିବାର ନିଜ ଆଖିରେ ଦେଖିଛି । ତୁଷ ମଧ୍ୟରେ ନିଆଁ ପରି ତା ମନ ଭିତରେ ପୋଡ଼ି ପକାଉଛି ।

 

ଚମ୍ପା ଦୁଇ ପତ୍ର ଭାତ ବାଢ଼ି ମଝିରେ ଗାଡ଼ କରିଦେଇ ଡାଲି ବାଢ଼ି ଦେଲା, ବୃନ୍ଦାବନ ଯେ ଦୁଧ ଠେକିଏ ଦେଉଥିଲା, ସେତକ ବାହାରକୁ ଥରେ ଅନାଇ ଦେଇ ଆପଣା ଭାତରେ ଢାଳି ଦେଲା । ଗୋବିନ୍ଦା ଅନ୍ଧାରେ ବସି ଦେଖୁଛି । ଦୁଧ ଢଳା ଦେଖି ତା ଦେହରେ ନିଆଁ ଢାଳି ହେଲାପରି ଜଣାଗଲା । ମନରେ କଲା, ଦୁଧ ଟିକିକରେ ତ ଏହା, ଟଙ୍କା ସୁନା କଥା ତ ଅଛି ।

 

ଚମ୍ପା ଡାକି ଦେଲା, ‘‘ହୋଇ ତୋ ଭାତ ରହିଲା, ଖା ବା ନ ଖା, ମୁଁ ଏତେ ଗୋଡ଼ ଧରିପାରେ ନାହିଁ ।’’ ଚମ୍ପା ଓଦା ହାତଟା ମୁହଁରେ ବୁଲାଇ ଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ତା ସୁଡ଼ ସୁଡ଼ ଶବ୍ଦରେ ଦଣ୍ତକ ମଧ୍ୟରେ ପତ୍ର ଖାଲି କରିଦେଲା । ଚୁଲିମୁହଁ ପାଖରେ ମୁହଁଟା ଧୋଇପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, ‘‘ଆରେ ଆ, ଭାତ ଖାଆ ।’’ ଉତ୍ତର ନାହିଁ, ଖପା ହୋଇ କହିଲା, ‘‘ଆରେ ୟାକୁ କହନ୍ତି, ସୁଖ ଭାତ ତୋଟି କୁଣ୍ତାଇ ହେବା ।’’ ଜଳନ୍ତା ନିଆଁରେ କୁଟା ପକାଇଲାପରି ଗୋବିନ୍ଦକୁ ଏ କଥା ଜଣାଗଲା । ତାହା ବାଦ୍ ଚମ୍ପା ପଟି ଖଣ୍ତିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ତିରାଟି ସାବଧାନରେ ବେକତଳେ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା । ଗୋବିନ୍ଦା ସେହି ପିଣ୍ତାରେ ବସି ଭାବୁଛି । ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣୀ ମୁଣ୍ତରୁ ମଣି ନେବା ସହଜ ନୁହେଁ । ଆମ୍ଭେମାନେ ଗୋବିନ୍ଦପୁରର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥିରୁ ଅନୁମାନ କରୁଅଛୁଁ, ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା ଥିଲା । ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି ଆନୁଗତ୍ୟ ପ୍ରତ୍ୟାଶା କରିବା ପୁରୁଷ ଜାତିର ସ୍ୱଭାବ । ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏଁ, ହେଲେ ତୁ ଯେଉଁ ଭଣ୍ତାରୀ, ସେହି ଭଣ୍ତାରୀ । ଗୋବିନ୍ଦା ଏହି ଅବସ୍ଥାରେ କେତେବେଳେ ଯାଏ ବସିଲାଣି, ସେ ଜାଣେ ନାହିଁ ।

 

ଘୋର ଅନ୍ଧକାର ରାତ୍ରି, ମଣିଷ ନିଜ ଦେହ ଦେଖିପାରିବ ନାହିଁ । ସାଁ ସାଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି । ଗୁଡ଼ାଏ ବାଦୁଡ଼ି ସାନ ସାନ ଅନ୍ଧକାର ଖଣ୍ତପରି ଚାରିଆଡ଼ୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲି ପଡ଼ିଛନ୍ତି, ପୁଣି କେତେ ଖଣ୍ତ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ି ଯାଉଛନ୍ତି, କିଚ୍ କିଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି, ଟପ୍ ଟପ୍ ବରଫଳ ତଳେ ପଡ଼ୁଛି, ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ, ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭୁଅଛି । ସେହି ଅନ୍ଧକାର ଗଦାତଳେ ଦୁଇଟା ପଶୁର ଖେଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକିପଡ଼ି ଅନାଇଲା । ଘର ମଧ୍ୟରେ ଜଳୁ ଥିବା ଦୀପର କେତୋଟି ମାତ୍ର ଲୋହିତ କିରଣରେଖା ନିସ୍ତେଜ ଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି । ଗୋବିନ୍ଦା ଭଲ କରି ଅନାଇ ଦେଖିଲା–ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳି ଲାଗିଲେ, ଗୋଟାଏ ବିଲୁଆ ଆରଟାକୁ ତଡ଼ିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା । ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କଣ ବୁଝିଲା, କଣ ମନରେ ପାଞ୍ଚିଲା, ଉଠିବସି ଚାରିଆଡ଼କୁ ସାବଧାନରେ ଅନାଇଲା, ଧୀରେ, ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ତ ଯାଏ ଅନାଇଲା, ଠଣାରେ ମୁଠି ରଖି ଦେଇଥିଲା, ଧୀରେ ଧୀରେ ଆଣି ସେଥିରୁ କଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ଼ରୂପେ ଧରିଲା, ଧୀରେ ଧୀରେ ଯାଇ ଚମ୍ପାକୁ ଏକ ଧ୍ୟାନରେ ଅନାଇଲା, ଭୂମି ଉପରେ ପଡ଼ି ନିଦ୍ରିତ ଶୂକରୀକୁ ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏ, ସେହିପରି ଏକ ଧ୍ୟାନରେ ଚାହିଁଅଛି, ତାହାର ଆଖି ଦୁଇଟା ଜଳୁଅଛି, ଡାହାଣ ହାତରେ ଦୃଢ଼ କରି କଣ ଧରିଅଛି, ଏତେ ସାବଧାନ, ଏତେ ଧୀର ଯେ, ନିଃଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ । ଡାହାଣ ଗୋଡ଼ଟି ଆଗକୁ ପକାଇବା ମାତ୍ରେ ଗୋଟିଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା ଉପର ଦେଇ କାନ୍ଥରେ ବୁଲିଗଲା, ଗୋବିନ୍ଦ ଚମକି ପଡ଼ି ଏକାବେଳକେ ପିଣ୍ତା ତଳକୁ ଓହ୍ଲାଇ ପଡ଼ିଲା । ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା, କାହିଁ କିଛି ନାହିଁ, କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ, ଗଛତଳ ଡାଳର କେତେ ଖଣ୍ତ ଅନ୍ଧାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ, ବିଲୁଆଟା ଚରୁଥିଲା, ପଳାଇଗଲା, ତାହା ହସ୍ତରେ ଥିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା । ଗୋବିନ୍ଦା ସମସ୍ତ ବୁଝିପାରିଲା । ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା । ଶୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା । ଠିକ୍ ସେ ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳିଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟରେ ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବଧ୍ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାର ଖଣ୍ତ ବୁଣିଗଲା ପରି ବାଦୁଡ଼ିଗୁଡ଼ାକ କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼ କରି ଦେହଲାଇ ଦେଲା । ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲାପରି ଜଣାଗଲା ।

•••

 

ତ୍ରୟୋବିଂଶ ପରିଚ୍ଛେଦ

କର୍ମଫଳ

 

ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ । ମାତ୍ର ଧାରଟା ତେତେ ଚୌଡ଼ା, ନୁହେଁ, ଗଣ୍ତଗୋଳିଆ ଜାଗା କମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବାଲି । ସେହିପରି ଟାଣୁଆ ବଢ଼ିହେଲେ ତୋଠ ଯାଏ ପାଣିଯାଏ । ଦଶ ବାର ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା, ଗଲା ପରଦିନ ଓପର ଓଳିଠାରୁ ଅଳ୍ପ ଅଲ୍ପ ପାଣି ପଡ଼ୁଅଛି, ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସି ଯାଉଅଛି । କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇ ଯାଉଅଛି । କାଠିକୁଟା କେତେ ଭାସିଯାଉଅଛି ଠିକଣା ନାହିଁ । ଗଣ୍ତଜାଗା ଥିବାରୁ ଏଠାରୁ ଗୋମୁଁହା କୁମ୍ଭୀରର ଉପଦ୍ରବ ଭାରି, ଦାଢ଼ିଆଣି, ଘଡ଼ିଆଳ ତ ପଣ ପଣ-। ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ କେହି ବେଶି ପାଣିକି ଯାଇପାରେ ନାହିଁ । ପୁଣି ନୂଆ ପାଣି ପଡ଼ିଲେ କୁମ୍ଭୀରଗୁଡ଼ିକ ଭାରି ମାତନ୍ତି । ‘‘ନୂଆ ବଢ଼ିକି ପରତେ ନାହିଁ, ଫେଣରୁ କୁମ୍ଭୀର ଖାଏ-।’’ ତୋଠରେ ଦିନରାତି ଖଣ୍ତିଏ ଡଙ୍ଗା ବନ୍ଧା ହୋଇଥାଏ, ଗାଉଁଲୀ ଲୋକେ, ହାଟୁଆ ଲୋକେ ପାରି ହୁଅନ୍ତି । ସରକାରୀ ଡାକ ପାରି କରିବା ସକାଶେ ନାଉରୀ ଦିନରାତି ପଲାମାରି ଜଗିଥାଏ, ସରକାରରୁ ମାସକୁ ଦୁଇଟଙ୍କା ଦରମା ପାଏ । ଗାଉଁଲୀ ଲୋକେ ନଗଦ କିଛି ଦିଅନ୍ତି ନାହିଁ, ପୁଷମାସ ଧାନକଟା ସମୟରେ ନାଉରୀ ବିଲ ବିଲ ବୁଲି ପ୍ରତି ଘରୁ ଗୋଟିଏ ଗୋଟିଏ ହଳା ଅସୁଲ କରେ । ହାଟପାଳି ଦିନ ବାଟୁଆମାନେ କେହି ପିତାଶୁଖୁଆ ପୁଞ୍ଜାଏ, କେହି ବାଇଗଣ ଯୋଡ଼ାଏ, କେହି ଲୁଣ ଚିମୁଟେ, କେହି ତେଲ ଦି ଟୋପା ଦେଇଯାଏ । କୌଣସି କୌଣସି ଦିନ ବଡ଼ ବଡ଼ ମହାଜନ ଅଚିହ୍ନା ବାଟୋଇ ପହଞ୍ଚିଗଲେ ପଇସାଏ ଅଧଲାଏ ଖଜାଖିଆ ଦେଇଯାନ୍ତି । ଦେଶ କାଳ ପାତ୍ର ଘେନି ଏହି ଲାଭ ଊଣା ଅଧିକ ହୁଏ, ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ଥାନା ଦାରୋଗା, ମୁନିସି, କାନଗୋଇ ପାର ହେବା ଦିନ କାନ ମୋଡ଼ାଟା, ଚାପୁଡ଼ାଟା, ଗାଳିଟି କେଭେ ଉଣା ହୁଏ ନାହିଁ । କେଉଟ ଚାନ୍ଦିଆ ବେହେରା କହେ, ‘‘ଏହି ଘାଟ ବାହି ତା ଦିହକ ପାହିଲାଣି, ତା ପରି ଜଣେ ଆଣ୍ଟୁଆ ନାଉରୀ ଏ ଖଣ୍ତମଣ୍ଡଳରେ ଦେଖାନାହିଁ ।’’

 

ରାତି ଶେଷ ହୋଇ ଆସିଲାଣି । ରାତିରେ ଭାରି ବର୍ଷା, ଭାରି ତୋଫାନ ଥିଲା, ବର୍ତ୍ତମାନ ପାଣି କିମ୍ବା ପବନ ନାହିଁ, ମେଘଟା ସେହିପରି ଘୋଡ଼ାଇଛି, ଅକାରଣ କେଉଁଠି କିପରି ଫାଙ୍କରେ ସାନ ସାନ ତରାଟିମାନ ଜୁଳୁ ଜୁଳୁ କରି ଅନାଇ ଲୁଚି ଯାଉଛନ୍ତି । ଠିକ୍ ଏହି ସମୟରେ ଜଣେ ବାଟୋଇ ସାନ ଗଣ୍ତିରାଟିଏ ପିଠିରେ ବୋକଚା କରି ତୋଠ ପାଖରେ ନଦୀ କୂଳେ କୂଳେ ବୁଲୁଅଛି, ନଦୀ କୂଳେ କୂଳେ ଚାରି ପାଞ୍ଚଶ ହାତ ଚାଲିଯାଇ ପୁନର୍ବାର ତୋଠ ଠାକୁ ଫେରି ଆସୁଅଛି । ଜଣାଯାଏ ପହଁରି ନଦୀପାର ହେବାର ଲୋକଟାର ଇଚ୍ଛା, ହେଲେ ବଳ ଖଟୁ ନାହିଁ । ତୋଠ ଠାରେ ଠିଆ ହୋଇ ଡାକିଲା, ‘‘ଏ ନାଉରୀ ଭାଇ, ଏ ନାଉରୀ ଭାଇ !’’ ଚାନ୍ଦିଆ ବେହେରା, ବାଲିରେ କାତଟା ପୋତି ଖଣ୍ତେ ଲମ୍ବା ଦଉଡ଼ିରେ ଡଙ୍ଗାଟା ଖଟାଇ ଦେଇ ତୁଠ ପାଖରେ ଭୂଇଁପଲାରେ ଶୋଇଅଛି । ବାଟୋଇ ପୁନର୍ବାର ଥରେ ଅତି ସାବଧାନରେ ଡାକିଲା, ‘‘ଏ ନାଉରୀ ଭାଇ, ଏ ନାଉରୀ ଭାଇ !’’ ବାଟୋଇ ଡାକିସାରି ଚମକି ପଡ଼ିଲାପରି ଥରେ ପଛକୁ ଅନାଇଲା । ନାଉରୀ କି ଶୋଇ ଯାଇଛି ? ଏତେ ଡାକର ଜବାବ ନାହିଁ କ୍ୟାଁ ? ମାତ୍ର ଆମ୍ଭେମାନେ ନିଶ୍ଚୟ ଜାଣୁ, ନାଉରୀ ରାତି ଘଡ଼ିଏ ଥାଉଁ ଉଠି ବସିଥାଏ । ଶାସ୍ତ୍ରକାରମାନେ ବୋଲି ଅଛନ୍ତି, ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବ । ଶାସ୍ତ୍ରବିଧି ପାଳିବା ସକାଶେ ଯେ ଚାନ୍ଦିଆ ଉଠିଥାଏ, ଏହା ନୁହେଁ । ଦିନେ ଦିନେ ରାତି ପିଛିଲା ପହରରେ ଡାକ ଆସି ପଡ଼ିଯାଏ, ସେଥିସକାଶେ ସେ ଜାଗ୍ରତ ଥାଏ । ଆଉ ଗୋଟିଏ କଥା, ସଞ୍ଜବେଳକୁ ଘାଟ ବନ୍ଦ ହୋଇଯାଏ, ସଅଳେ ସଅଳେ ଚାରିଟା ଖାଇଦେଇ ଶୋଇ ପଡ଼ିଥାଏ । ରାତିଟାଯାକ କେତେ ଶୋଇବ ? ଚାନ୍ଦିଆ ପଲା ମଧ୍ୟରେ ଦୁଇ ଆଣ୍ଠୁ ଉପରେ ମୁଣ୍ତଟି ଦେଇ ଠୁଙ୍ଗା ହୋଇ ବସିଛି, ଆଗରେ ନିଆଁ ଉହ୍ମେଇ, ଚଷୁ ନିଆଁକୁ ଦୁଇହାତ ବଢ଼ାଇ ଦେଇଅଛି । ବୋଧହୁଏ ସେ ମନ ମଧ୍ୟରେ ଭାଳୁଅଛି, ଅବେଳରେ ଏ ବାଟୋଇଟା କିଏ ? ସରକାରୀ ଲୋକ ତ ନିଶ୍ଚୟ ନୁହେଁ, ଏ ଲୋକଟା ‘ଭାଇ ଭାଇ’ ଡାକୁଛି, ସରକାରୀ ଲୋକ ହୋଇଥିଲେ ତା ଘରଆଡ଼ ଭାବ ଦେଖା କରି ଡାକନ୍ତା । ଯିଏ ହେଉ ଡାକୁଥାଉ, ରାତି ପାହୁ ଦେଖିବି । ପୁନର୍ବାର ଡାକ, ‘‘ଏ ନାଉରୀ ଭାଇ, ଆ ବାହାରି ଆ, ଖଜାଖିଆ ଦେବି ।’’ ଚାନ୍ଦିଆ ଆଉ ସମ୍ଭାଳି ପାରିଲା ନାହିଁ, ଖଜାଖିଆ ନାଁ ଶୁଣି ଦୁଇ ତିନିଥର କାଶିଲା । ଖଜାଖିଆ ଶବ୍ଦରେ କିପରି ଗୋଟାଏ ମନମୋହନ ଶକ୍ତି ଅଛି, ନାଉରୀ ତ ନାଉରୀ, ଖଜାଖିଆ ଶବ୍ଦ ଶୁଣିଲେ କେଡ଼େ କେଡ଼େ ଲୋକମାନେ କାଶି ପକାନ୍ତି । ଚାନ୍ଦିଆ ପଲା ମଧ୍ୟରୁ ଜବାବ ଦେଲା, ‘‘କିଏ ପାଟି କରୁଛ ହୋ, ରୁହ ରାତି ପାହୁ, ଲକ୍ଷେ ଟଙ୍କା ଦେଲେ ତ ମୁଁ ବାହାରକୁ ବାହାରକୁ ବାହାରିବି ନାହିଁ ।’’

 

ବାଟୋଇ – ଦେଖ, ଭାଇ ନାଉରୀ, ମୋର କଟକରେ ମାମଲା ଅଛି, ଚଞ୍ଚଳ ଯିବି, ନେ ପାଞ୍ଚ ଟଙ୍କା ନେ ।

 

ପାଞ୍ଚ ଟଙ୍କା ! ଏ କଣ ଏ ! ଗୋଟାଏ ପଝାରିକୁ ପାଞ୍ଚ ଟଙ୍କା ? ଚାନ୍ଦିଆ ଜୀବନରେ କେବେ ଏପରି ଘଟନା ଘଟି ନାହିଁ, ଏକାବେଳକେ ପାଞ୍ଚ ଟଙ୍କା ତା ହାତରେ ପଡ଼ିଛି କି ନାହିଁ, ସେ ବିଷୟ ଆମ୍ଭମାନଙ୍କର ଘୋର ସନ୍ଦେହ ଅଛି । ସେ ପୂର୍ବ ମୁହୂର୍ତ୍ତରେ ପ୍ରତିଜ୍ଞା କରିଥିଲା, ଲକ୍ଷେ ଟଙ୍କା ପାଇଲେ ମଧ୍ୟ ବାହାରନ୍ତା ନାହିଁ, ଲକ୍ଷକରୁ ପାଞ୍ଚ ଫେଡ଼ି ଦେଲେ ବାକି କେତେ ଊଣା ହେଲା, ଏ କଥା ଆଲୋଚନା କରିବା ବୋଧହୁଏ ଅନାବଶ୍ୟକ ବୋଧ କଲା । ଏଣେ ଡର, ବାଟୋଇ ଯେବେ ବାହୁଡ଼ି ଯାଏ, ଅବା ରାତି ପାହିଗଲେ ପଇସାଟିଏ ନୋହିଲେ ଯୋଡ଼ାଏ । ଚାନ୍ଦିଆ ପଲାଭିତରୁ ଡାକ ଦେଲା, ‘‘ରହ ତେବେ ରହ, ମୁଁ ଯାଏ ।’’ ନିଆଁ ଉପରେ ଫୁଙ୍କି ଫୁଙ୍କି କାହାଳି ଲଗାଇ ହାତରେ ଆଉଲାଟାଏ ଧରି ପଲାରୁ ବାହାରି ପଡ଼ିଲା, ପିନ୍ଧିଲା ଲୁଗାପଟା ଅଣ୍ଟାରେ ଭିଡ଼ି ଦେଇ ମୁଣ୍ତରେ ଗାମୁଛାଟା ଗୁଡ଼େଇ ଟୋପରଟା ଥୋଇଦେଲା । ବାଟୋଇକୁ କହିଲା, ‘‘ଆଣ ଆଣ କଣ ଦେଉଛ ଦିଅ । ତୁମେ ବୋଲି ମୁଁ ବସାରୁ ବାହାରିଲି, ଆଉ କେହି ହେଇଥିଲେ ମୁଁ କି ଉଠିଥାନ୍ତି ?’’ ବାଟୋଇ ପାଞ୍ଚଟି ଟଙ୍କା ବଢ଼ାଇ ଦେଲା । ନାଉରୀ ଦୁଇ ହାତରେ ଏକ, ଦୁଇ, ତିନି, ଚାରି, ପାଞ୍ଚ, ଏ ହାତ ସେ ହାତ କରି ତିନିଥର ଗଣିଲା । ‘ଟଙ୍କା ନେବ ଗଣି, ପାଣି ପିଇବା ଛାଣି ।’ କାହାଳିଟା ବଳରେ ଭିଡ଼ି ଦେଇ ଆଲୁଅରେ ଥରେ ଟଙ୍କାଗୁଡ଼ାକ ଦେଖି ନେଲା । କୁଞ୍ଚକାନିରେ ବାନ୍ଧି ଅଣ୍ଟାରେ ଭଲ କରି ଖୋଷିଦେଇ ଆକାଶକୁ ପୁଣି ଚାରିଆଡ଼କୁ ଅନାଇଲା, ଆଉ ରାତି ନାହିଁ । ବାଟୋଇ ନାଆ ଆଗ ମଙ୍ଗରେ ବସି ସାରିଲାଣି । ନାଉରୀ ଡାକିଦେଲା ‘‘ଭଲ କରି ସମ୍ଭାଳି ବସ ।’’ ଡଙ୍ଗାରେ ଡାହାଣ ହାତ ତିନି ଥର ଲଗାଇ ମୁଣ୍ତରେ ମାରି ଫିଟାଇ ଦେଲା, ‘ଜେ ଗଙ୍ଗା ମାତା’ କହି ନାଆରେ ଉଠି ବସିଲା । ଉପର ପାଣି ତୋଡ଼ ପଡ଼ିଛି, ସମ୍ଭାଳି ହେଉ ନାହିଁ, ଆଉଲା ବାହୁ ବାହୁ ଡଙ୍ଗାଟା ଢେର ତଳକୁ ଭାସିଗଲା । ସମ୍ଭାଳି ଟେକୁ ଟେକୁ ନଦୀ ଛ’ପଣି ଦଶପଣି ହୋଇଅଛି, ରାତି ପ୍ରାୟ ପାହି ଆସିଲାଣି । ଗୋପାଳପୁର ତୋଠପାଖରୁ ଗୋଟାଏ ଗୀତ ଶୁଭିଲା –

 

‘ଏ–ଏ–ଏ–ରାମ ଯେ ଲଇକ୍ଷଣ ହେ ଗଲେ ମୃଗ ମାରି

କୁଡ଼ିଆ ଦୁଆରେ ଆସି ଉଭା ବ୍ରହ୍ମଚାରୀ

ବୋଇଲେ ସୀତୟା ଗୋ ଭିକ୍ଷା ଦିଅ ଆମ୍ଭଙ୍କୁ,

ନୋହିଲେ ଅଭିଶାପ ଗୋ ଦେବୁ ରାମ ଲଇକ୍ଷଣକୁ ।’

 

ବାଟୋଇ ଡଙ୍ଗାରେ ବସି ବାରମ୍ବାର ଗୋପାଳପୁର ତୋଠଆଡ଼କୁ ଚାହିଁଛି । ଗୀତର ଶବ୍ଦ ଅବିରଳ ଅନ୍ଧକାରରାଶି ଭେଦ କରି କାନରେ ପଡ଼ିବାରୁ ବାଟୋଇ ଚଙ୍ଗ ଚଙ୍ଗ ହୋଇ ଠିଆ ହୋଇ ସେ ଦିଗକୁ ଅନାଇଲା । ନାଉରୀ କାନକୁ ଶବ୍ଦ ଯାଇ ନାହିଁ, ଏକମନରେ ଡଙ୍ଗା ବାହୁଥିଲା, ଡଙ୍ଗା ଟଳ ଟଳ ହେବାରୁ ଡାକି ଦେଲା, ‘ଆରେ ବସିପଡ଼, ବସିପଡ଼ ।’ ବାଟୋଇର ଭାବ ଦେଖି ନାଉରୀ ମଧ୍ୟ ତୋଠ ଆଡ଼କୁ ଚାହିଁ କହିଲା, ‘ଓହୋ, ଟପାଟା ହାବୁଡ଼ିଲା ଯେ ।’ ଏହା କହି ଡଙ୍ଗା ମଙ୍ଗ ଫେରାଇ ଦେଲା । ବାଟୋଇ ବ୍ୟାକୁଳ ହୋଇ କହିଲା, ‘‘ଏ ନାଉରୀ ଭାଇ, ଡଙ୍ଗା ଫେରା ନା, ଫେରା ନା, ମୋତେ ଆଗ ପାରି କରିଦେ ।’’ ନାଉରୀ କହିଲା, ‘‘ମଲା ଯା, ସରକାରୀ କଥା, ମୁଁ କଣ ଜେଲ ଯିବି ?’’ ରାତ୍ର ଶେଷ, ଅଳ୍ପ ଅଳ୍ପ ଆଲୁଅ ପଡ଼ିଲାଣି, ନାଉରୀ ଦେଖିଲା ବାଟୋଇର ସର୍ବାଙ୍ଗ ରକ୍ତମୟ, ଲୁଗାରେ ରକ୍ତ, ବୋକଚାରେ ରକ୍ତ । ଦୋଳରେ ଫଗୁ ଖେଳିଲା ପରି ଲାଲ ଟହ ଟହ ଦିଶୁଅଛି । ନାଉରୀ ଚମକି ପଡ଼ି କହିଲା, ‘‘କଣ ହେ ! ରକ୍ତ କାହୁଁ ଅଇଲା ? ତୁମେ କଣ କାହାକୁ ମାରିଛ ? ବାଟୋଇ ଚଞ୍ଚଳ ଗଣ୍ଠିରାଟି ଧରି ନାଉରୀ ହାଁ ହାଁ କହୁଁ କହୁଁ ନଦୀକୁ ଡେଇଁ ପଡ଼ିଲା । ପନ୍ଦର କୋଡ଼ିଏ ହାତ ପହଁରି ଯାଉଁ ଯାଉଁ କାହୁଁ ଗୋଟିଏ ଗୋମୁହାଁ କୁମ୍ଭୀର ଆସି ଟପ୍‌ କରି ଧରି ପକାଇଲା, ଗଣ୍ଠିରାଟି ଅଳ୍ପ ଦୂର ଭାସିଯାଇ ବୁଡ଼ିଗଲା । ଚାନ୍ଦିଆ ଚାହିଁଥାଏ । ଏ ଲୋକଟା କିଏ, କେଉଁଠାରୁ ଅଇଲା, କାହିଁ ଯାଉଁଥିଲା ? ବୁଝିବା ହେଲେ ପାଠକ ଅବଧାନ ! ଆମ୍ଭେମାନେ ହେଲୁ ଗ୍ରନ୍ଥକାର, ସୁତରାଂ ସର୍ବଜ୍ଞ । ଏହି ସେ କୁମ୍ଭୀର ଲୋକଟାକୁ ଘେନିଗଲା, କି ପାଇଁ ଘେନିଗଲା, କାହିଁ ଘେନି ଗଲା, ତାହା ସହିତ ସଦ୍‌ ବ୍ୟବହାର କଲାକି ଅସଦ୍‌ ବ୍ୟବହାର କଲା, ଏ ସମସ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଭଲ ଜଣା । ହେଲେ, ଚାନ୍ଦିଆ ବେହେରା କୌଣସି କାରଣରୁ ଏ କଥା ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇଥିବାରୁ ଆମ୍ଭେମାନେ ପ୍ରକାଶ କରିବାକୁ ନାରାଜ । ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହା ଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହି ବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ ପଝାରି ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ –

 

ଶ୍ରୀ ଶ୍ରୀ ମୁକୁନ୍ଦ ଦେବଙ୍କ ସାତ ଅଙ୍କ କୁମ୍ଭମାସ କୃଷ୍ଣପକ୍ଷ ଦ୍ୱିତୀୟା ଦିନ ବେଳ ଦୁଇ ଘଡ଼ି ସମୟରେ ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନଙ୍କ ସୁସାକ୍ଷାତ୍‍କୁ ଏହି ଗ୍ରାମର ରହିବା ଲୋକ ତେଲିପୁଅ ଶ୍ୟାମ ସାହୁର ଦେଲି ଗୁଜା, ଏନିମନ୍ତେ ଗୁଜା ଲେଖିଦେଲେ କି ମୋ ପୁଅ ଭୀମା ବିଭାଘରକୁ ଆପଣଙ୍କଠାରୁ ଦଶଟଙ୍କା କରଜ ନେଲି, ଆସନ୍ତା ଧନୁ ମାସରେ ମୋ ଖଳା ଉପରୁ ଆପଣଙ୍କ ଖମାର ଗଉଣୀରେ ଦାଣ୍ତ ଭାଉ ପ୍ରମାଣେ ଧାନ ମାପିନେଇ ତହିଁ କଳନ୍ତରକୁ ଅଧା କି ମୂଳ ନଉତିକେ ଆଠ ବିଶ୍ୱା ପରିମାଣରେ ମାପି ନେବେ । ଏ ପ୍ରମାଣ, ଏଥକୁ ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ଦଶ ଦିଗପାଳ ।

 

ଚାନ୍ଦିଆ ବେହେରା ଡଙ୍ଗା ବାହିନେଲାବେଳେ ଢେର୍ ଦିନ ପର୍ଯ୍ୟନ୍ତ ଠିକ୍ ସେହି ସ୍ଥାନରେ ଥରେ ଅନାଏ ।

•••

 

ଚତୁର୍ବିଂଶ ପରିଚ୍ଛେଦ

ଖୁଣି ତଦାରଖି

 

ବେଳ ଅନୁମାନରେ ପହରେ କି ଛ ଘଡ଼ି, ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଠୁଳି କଳାକନା ପରି ଗାମୁଛା ଖଣ୍ତିଏ ମୁଣ୍ତରେ ପକାଇ ଦୋକାନ ଟୋକେଇ କାନ୍ଧରେ, କଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା । ଦୋକାନ ଫିଟାଇ ମେଲା ଘରକୁ ଅନାଇ ଦେଲା । ଯାହା ଦେଖିଲା, ସେଥିରେ ତାକୁ ପ୍ରାୟ ଝାମ୍ ମାରି ଗଲାଣି, କାଠଟି ପରି ଛିଡ଼ା ହୋଇଛି, ପାଟିରେ କଥାନାହିଁ । କେବେ ଦେଖା ନାହିଁ, କେବେ ଶୁଣା ନାହିଁ, ଗୋଟିଏ ସ୍ତ୍ରୀ ଲୋକ ଚାଳକୁ ଚାହିଁ ମରି ପଡ଼ିଛି, ଘରସାରା ରକ୍ତମୟ, ଖଲିପତ୍ରରେ ରକ୍ତ, ଚୁଲୀ ମୁହଁରେ ରକ୍ତ, ଭାତ ହାଣ୍ତିରେ ରକ୍ତ, ପିଚକାରୀ ମାରି କାନ୍ଥ ବାଡ଼ରେ ଝୋଟି ଦେଲାପରି ହୋଇଯାଇଛି । ଗୋପୀ ଧାଇଁ ଯାଇଁ ଗାଁରେ କହିଲା । ଗାଁ ଲୋକ ଦେଖିବାକୁ ଧାଇଁଲେ । ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ତିକୁ ଏତଲା ଦେବାକୁ ଧାଇଁଲା । ମକ୍ରାମପୁରରେ ବାଲାଗସ୍ତି ଫାଣ୍ତି ଗୋପାଳପୁରଠାରୁ ଦେଢ଼କୋଶ ଦୂର । ବେଳ ତିନିପ୍ରହର ସମୟରେ ବାଲାଦସ୍ତି ଜମିଦାର ସେଖ୍ ତୋରାବଲ୍ଲି, ବରକନ୍ଦାଜ ଫତୁ ଖାଁ ଘଟନା ସ୍ଥାନରେ ଆସି ଉପସ୍ଥିତ ହେଲେ । ସେଖ୍‍ ତୋରାବଲ୍ଲି ଜଣେ ରବେୟା ହାକିମ । ଆଖପାଖ ଚାରିକୋଶରେ ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି, ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଜମିଦାର ସାହେବ ସରଜମିନରେ ଉପସ୍ଥିତ ହୋଇ ଦାଢ଼ି ଆଉ ନାକ ଘୋଡ଼ାଇ ଲାସ୍ ମାଇନା କରିବାକୁ ଗଲେ । ଲାସ୍ ଗୋଟିଏ ସ୍ତ୍ରୀ ଲୋକ, ପାଟ ଶାଢ଼ୀ ଖଣ୍ତେ ପିନ୍ଧିଛି, ହାତରେ ବେକରେ ରୁପା ଓ ସୁନାର କେତେଖଣ୍ତ ଅଳଙ୍କାର । ପଠାଣମାନେ କୁକୁଡ଼ା ଜଭେ କଲାପରି ତାହା ବେକ କଟା, ପାଖରେ ଖଣ୍ତେ ରକ୍ତବୋଳା ଖୁର ପଡ଼ିଛି, ଲାସ୍‌ଟା କିଛି ପଚି ଉଠିଲାଣି, ମହୁବସାରେ ମାଛି ବସିଲା ପରି କାହାଣ କାହାଣ ମାଛି କଟା ଜାଗାରେ ବସିଅଛନ୍ତି ଏବଂ ଘରସାରା ଭଣ ଭଣ ହୋଇ ଉଡ଼ୁଅଛନ୍ତି । ଲାସଟା ଚାରି ଆଙ୍ଗୁଳି ଜିଭ କାଢ଼ିପକାଇ କାମୁଡ଼ି ଦାନ୍ତ ନିସିଡ଼ି ଦେଇଅଛି, ଚାଳକୁ ତରାଟି ଚାହିଁଅଛି, ବାଳ ମୁକୁଳା, ରକ୍ତରେ ଲଟପଟ, ଦୁଇପାଖରେ ଚାରି ଆଙ୍ଗୁଳ ବହଳରେ ରକ୍ତ ପଚି କାଳିଆ ପଡ଼ିଗଲାଣି, ସେଥିରୁ ଗୋଟାଏ ଉତ୍କଟ ଦୁର୍ଗନ୍ଧ ବାହାରୁଅଛି । ଗାଲ ଦୁଇଟା ଓଆଉ ପରି ଓ ପେଟଟା ଗୋଟାଏ ଓଳିଆ ପରି ଫୁଲି ଗଲାଣି । ଦେଖାଗଲା, କୌଣସି ଲୋକ ତାହା ବାଳ ଗୋଟାଏ ହାତରେ ଧରି, ମୁହଁ ଗୋଟାଏ ଗୋଡରେ ମାଡ଼ିବସି ଖୁରରେ ତା ବେକ କାଟିଅଛି । କଟାବେଳେ ସ୍ତ୍ରୀ ଲୋକଟା ଗୋଡ଼େଇ ହେବାରୁ ଘର ଖୋଳି ହୋଇ ଯାଇଅଛି । ଦୁର୍ଗନ୍ଧ ଆଉ ଭୟଙ୍କର ମୂର୍ତ୍ତି ଯୋଗୁଁ ଜମାଦାର ବେଶି ବେଳ ଯାଇ ରହିପାରିଲେ ନାହିଁ । ବାହାରକୁ ବାହାରି ଆସି ଆପଣା ଜ୍ଞାନ ବଳରେ ଠିକ୍ କଲେ, ଏ ମକଦ୍ଦମା ଖୁଣୀ, ଲେକିନ୍ ଡକାୟତି ନୁହେଁ ଆଗେଜ । ଡକାୟତି ହୋଇଥିଲେ ଲାସ ଦେହରେ ଅଳଙ୍କାର ଥାନ୍ତା ନାହିଁ । ଜମାଦାରଙ୍କ ହୁକୁମରେ ଦୁଇ ଜଣ ହାଡ଼ି ଲାସ୍ ଗୋଡ଼ରେ ଦଉଡ଼ି ଲଗାଇ ଘୋଷାରି ଘୋଷାରି ଆଣି ନଈ ଅତଡ଼ାରେ ପକାଇଲେ । ଘୋଷାରି ଆଣିବାବେଳେ ତାହାର ପାଟଶାଢ଼ୀ ଖଣ୍ତ ଲଙ୍ଗଳାକରି କାଢ଼ି ନେବାରୁ ଲାସ୍‌ଟା ଆହୁରି ଭୟଙ୍କର ଦିଶିଲା । ସରକାରକୁ ଭେଜିବା ସକାଶେ ଲାସ ଦେହରୁ ଅଳଙ୍କାର ସବୁ ବାହାର କରାଇ ଜମାଦାର ଥଳିରେ ରଖିଲେ, କେବଳ ଗୋଡ଼ର କଂସା ପାହୁଡ଼ ନ ବାହାରିବାରୁ ମେହନ୍ତରମାନେ ଲାସ୍‌ର ଦୁଇଗୋଡ଼ ଗୋଛି କୁରାଢ଼ୀରେ ହାଣୀ ପାହୁଢ଼ ବାହାର କରି ଘେନିଗଲେ ।

 

ତହିଁ ଆରଦିନ ପ୍ରାତଃକାଳରୁ ମକଦ୍ଦମା ତଦାରଖ ଆରମ୍ଭ ହେଲା, ଆଖପାଖ ପାଞ୍ଚଖଣ୍ତ ଗ୍ରାମରୁ ବରକନ୍ଦାଜ ଏବଂ ଚୌକିଦାରମାନେ ଯାଇ ଆସାମୀ ଗ୍ରେପ୍ତାର କରି ଆଣିଲେ । ଜମାଦାର ସାହେବ ବରଗଛ ମୂଳରେ ବସି ମକଦ୍ଦମା ତଦାରଖ କରୁଅଛନ୍ତି, ତିନି ଚାରିଶ ଆସାମୀ ଧରା ହୋଇ ଆସିଲେଣି ମାତ୍ର ସମସ୍ତେ ଜମା ହୋଇ ନାହାନ୍ତି, ତଦାରଖ ଉତ୍ତାରେ ରୋକସତ୍ ହୋଇ ଯାଉଅଛନ୍ତି । ଆସାମୀ ଧରା ହୋଇଆସିଲେ ତାକୁ ଲାସ୍ ନିକଟରେ ବସାଇ ରଖାଯାଏ, ଲାସଟା ଫୁଲି ଚାରିଗୁଣ ମୋଟା ହୋଇ ଗଲାଣି, ଜିଭଟା ଗୋଟିଏ ସାନ କଦଳୀ ଭଣ୍ତାପରି ଦିଶୁଛି, ଦୁର୍ଗନ୍ଧ କଥା ଛାଡ଼ । ଉଲଙ୍ଗ ସ୍ତ୍ରୀ ମୂର୍ତ୍ତିତ ସତ, ଏହାର ଗୋଡ଼ ପାପୁଲି ନାହିଁ, ଚାଲୁଥିଲା କିପରି ? ଏଟା କି ରାକ୍ଷସୀ ? ଆସାମୀମାନଙ୍କୁ ବହୁତ ବେଳ ଯାଏ ଲାସ୍ ନିକଟରେ ବସିବାକୁ ହୁଏ, ଦୁର୍ଗନ୍ଧ ଏବଂ ତ୍ରାସରେ ଶୀଘ୍ର ଜମାଦାରଙ୍କ ନିକଟରେ ହାଜର ହୋଇ ଯିବାକୁ ହେଉଅଛି । ବରଗଛର ମୂଳରେ ଜମାଦାରଙ୍କ କଚେରୀ । ନଦୀ ବାଲିରେ ଦଶ ପନ୍ଦର ଗଣ୍ତା ଶାଗୁଣା ଏକାଧ୍ୟାନରେ ଅନାଇ ବସିଅଛନ୍ତି, କେତେଟା ଉଡ଼ି ଆସୁଅଛନ୍ତି, ଦଶପନ୍ଦର ଗୋଟା ବିଲୁଆ କୁକୁର ଜମା ହୋଇ ଗଲେଣି, ଚାରି ଛ’ଟା କୁକୁର ଗୋଟିଏ ଗୋଡ଼ର ପାପୁଲି ସକାଶେ କାମୁଡ଼ା କାମୁଡ଼ି ଲଗାଇ ଅଛନ୍ତି, କିଛି ଦୂରରେ ଆଉ ଗୋଟିଏ ଗୋଡ଼ ପାପୁଲିକୁ ସାତଟା ଶାଗୁଣା ଝିଙ୍କାଝିଙ୍କି କରୁଥିଲେ, ଗୋଟିଏ ବିଲୁଆ ଆସି ସେମାନଙ୍କ ନିକଟରୁ ଛଡ଼ାଇ ଘେନିଗଲା, ଶାଗୁଣାଗୁଡ଼ାକ ଅଳ୍ପ ଘୁଞ୍ଚିଯାଇ ଡେଣା ମେଲାଇ ବସିଅଛନ୍ତି । ଚାରିଜଣ ହାଡ଼ି ନାକରେ ଲୁଗା ବାନ୍ଧି ଠେଙ୍ଗା କାନ୍ଧରେ ପକାଇ କୁକୁର ଶାଗୁଣା ଘଉଡ଼ାଉ ଅଛନ୍ତି । ଜମାଦାର ଅନେକ ଲୋକଙ୍କ ଇଜାହାର କଲମ ବନ୍ଦ କରି ପକାଇଲେଣି ।

 

ଦୋକାନୀ ଗୋପୀସାହୁ ବୁଢ଼ା ଇଜାହାର ଦେଲା, ‘‘ଆଜ୍ଞା ମୋହର ତିନି କାଳ ଗଲାଣି, କାଳେ ଅଛି, ମୁଁ କି ଏ ବୟସରେ ମିଛ କହିବି ? ଆଜି ଏକାଦଶୀ, ଦାନ୍ତରେ ତିରଣ ଦେଇ ନାହିଁ, ଏହି ବିଷ୍ଣୁ ବୃକ୍ଷ ମୂଳରେ ସତ୍ୟ କହୁଛି, ମୁଁ ଏ ମାମଲା କଥା କିଛି ଜାଣେ ନାହିଁ, ଛ ମାସ ହେଲା ଘରେ ବାଧିକି ପଡ଼ିଛି, ଦୋକାନକୁ ଆସିନାହିଁ ।’’

 

ନାଉରୀ ଚାନ୍ଦିଆ ବେହେରା ଇଜାହାର ଦେଲା, ‘‘ବରଷା ଆଉ ତୋଫାନ ହେବାରୁ କେହି ନଈ ପାର ହେଉ ନାହାନ୍ତି, ସେ ଚାରିଦିନ ହେଲା ନଈ କୂଳକୁ ଆସିନାହିଁ ।’’ ଏହିପରି ଗ୍ରାମର ଅନେକ ଲୋକଙ୍କଠାରୁ ଇଜାହାର ନିଆଗଲା ।

 

ବେଳ ବୁଡ଼ିଆସିଲାଣି, ଗ୍ରାମରେ ଆଉ କେହି ଲୋକ ନାହାନ୍ତି, ସମସ୍ତଙ୍କଠାରୁ ତଦାରଖି ସରିଲାଣି, ମକଦ୍ଦମା କାଲି ପର୍ଯ୍ୟନ୍ତ ରଖାଯିବ କି ଆଜି ଖତମ କରାଯିବ, ଜମାଦାର ବରକାନ୍ଦାଜ ଦୁଇଜଣ ବସି ବିଚାର କରୁଅଛନ୍ତି, ଏହିସମୟରେ ଗଛଡାଳରୁ ଗୋଟାଏ ଶଙ୍ଖଚିଲ ପୋଖରୀପାଣି କରିଦେବାରୁ ଜମାଦାରଙ୍କ ଦାଢ଼ିର ଅଧାଅଧି ଧଳା ହୋଇଗଲା । ତୋବା ତୋବା କହି ଜମାଦାର ଉଠି ପଡ଼ିଲେ । ଚିଲମାନଙ୍କୁ ଅନାଇ କମବଖତ୍‍, ବେକୁବ୍, ହାରାମ୍‌ଜାଦା ବୋଲି କ୍ରୋଧରେ ଗାଳିଦେବାକୁ ଲାଗିଲେ । ଚୌକିଦାରମାନେ ମଧ୍ୟ ଗାଳିଦେଇ ଚିଲମାନଙ୍କୁ ଟେକାମାରିବାକୁ ଲାଗିଲେ । ଜମାଦାରଙ୍କ ଲମ୍ବାଦାଢ଼ି ପରିଷ୍କାର କରିବାକୁ ତିନି ବଦନା ପାଣି ଲାଗିଲା ।

 

ଜମାଦାର ମାମଲା ଖତମ୍ କରିବାକୁ ବସି ଲୋକମାନଙ୍କୁ କହିଲେ, ‘‘ଦେଖ ଏହି ଲୋକ କିଏ ଜଣା ନାହିଁ, ବୋଧ ହୁଏ ଯାତ୍ରୀ । ଏହାକୁ କେହି ଖୁଣ କରି ନାହିଁ, ଏ ସାପକାଟି ।’’ ଗୋପୀସାହୁ ଦୋକାନୀ ଆଗକୁ ଆସି ସାକ୍ଷ୍ୟ ଦେଲା, ‘‘ଧର୍ମାବତାର, ଏଠାରେ ସାପର ଭାରି ଉପଦ୍ରବ, ନଈବଢ଼ିରେ କାହୁଁ ଭାସିଆସି ହଜାର ହଜାର ସାପ ଏଠି ଅଛନ୍ତି, ସାପ ଭୟରେ ଗ୍ରାମ ଭାଙ୍ଗିଗଲା, ମୁଁ କାଲି ଦୋକାନକୁ ଆସିଥିଲି, ଗୋଟାଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା, ମୁଁ ଭୟରେ ପଳାଇଲି ।’’

 

ଛାଟିଆ ମୁଟରୁ ମଳିକ କହିଲା, ‘‘ଧର୍ମାବତାର ! ଏଠେଇଁ ଅନେକ ସାପ, ମୁଁ ସେଦିନ ହଜୁରକୁ ଏଇବାଟେ ଯାଇଥିଲି, ଏହି ଗଛମୂଳରେ ପନ୍ଦରଟା ନାଗସାପ ଶୋଇଥିଲେ, ମୁଁ ଦେଖି ପଳାଇଗଲି ।’’

 

ଗତ ପରଦିନ ରାତ୍ରୀରେ ସ୍ତ୍ରୀ ଲୋକଟା ଘର ମଧ୍ୟରେ ଶୋଇଥିବା ସମୟରେ ଦୁଆରେ ଗୋଟାଏ ତମ୍ପସାପ ବୁଲୁଥିବା ବିଷୟରେ ମୁଗପୁର ମୌଜାର ଛାଟିଆ ଧପଟ ସିଂ ସାକ୍ଷ୍ୟ ଦେଲା ।

 

ଜମାଦାର ସମସ୍ତଙ୍କର ସାକ୍ଷ୍ୟ କଲମବନ୍ଦ କରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମର ଭିକ୍ଷା କରି ଖାଉଥିବା ଓ ତାହାକୁ ଗତ ପରଦିନ ରାତ୍ରରେ ଗୋପାଳପୁର ମୌଜାରେ ସାପକାଟି ହୋଇଥିବା ଓ ଲାସ ଦେହରେ ସାପକାମୁଡ଼ା ଚିହ୍ନ ଜାହେର ଥିବା ଏବଂ ଏହାର ମୁତ୍ୟୁ ବିଷୟରେ ଅନ୍ୟ ପ୍ରକାର ସକ୍ କିମ୍ବା ଦାବୀ ଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ । ଦାରୋଗା ଏବଂ ମୁନ୍‌ସୀଙ୍କ ରୋସମ୍ ସହିତ ରିପୋର୍ଟ ପୁଲସ୍ ଥାନାକୁ ପଠାଗଲା । ଜମାଦାରଙ୍କ ହୁକୁମ ଅନୁସାରେ ଚାରିଜଣ ହାଡ଼ି ଲାସ୍ ବେକରେ ଦଉଡ଼ି ଲଗାଇ ଭିଡ଼ି ଭିଡ଼ି ନେଇ ନଦୀରେ ଭସାଇ ଦେଲେ । ନାଉରୀ ଚାନ୍ଦିଆ ବେହେରା ଦେଖିଲା ଲାସ୍‌ଟା ନଦୀରେ ଭାସି ଯାଉଁ ଯାଉଁ ଯେଉଁଠାରେ ବାଟୋଇକୁ କୁମ୍ଭୀର ଧରିଥିଲା, ଠିକ୍ ସେହି ସ୍ଥାନରେ ତାକୁ ଗୋଟାଏ କୁମ୍ଭୀର ଧରି ଘେନିଗଲା ।

 

ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜକୁ କହିଲା, ‘‘ଦେଖ, ଏଡ଼େ ମାମଲାଟାରେ ଦୁଇଶ ମଧ୍ୟ ପୂରା ହେଲା ନାହିଁ ।’’ ‘‘ବରକନ୍ଦାଜ କହିଲା, ‘‘ଖୋଦା ମାଲିକ, ଯୋ ହୁକୁମ ହୁଆ ।’’

 

ଗୋପୀ ସାହୁ ସେହିଦିନଠାରୁ ଆଉ ଦୋକାନକୁ ଯାଇନାହିଁ, କାର୍ତ୍ତିକ ତିନିଦିନିଆ ଲଗାଣରେ ଘର ପଡ଼ିଗଲା, ସେ ବାଟଟା ମଧ୍ୟ ପଡ଼ିଗଲା । ଚାନ୍ଦିଆ ବେହେରା ଅଧକୋଶେ ତଳକୁ ହରିପୁର ପାଖରେ ନାଆ ପକାଇଲାଣି । ରାତି ତ ରାତି, ଦିନରେ ମଧ୍ୟ ଭୟରେ ସେଠାକୁ କେହି ଯା’ନ୍ତି ନାହିଁ । ସେହି ବରଗଛରେ ଗୋଟାଏ ବଡ଼ ପେତୁଣୀ ବସି ଡାଳ ଦୋହଲାଏ, ମଧ୍ୟ ସେହି ପେତୁଣୀଟା ଖରାବେଳେ ନଦୀ ବାଲି ଉଡ଼ାଇ ଖେଳୁଥିବାର ଅନେକ ଲୋକ ଦେଖିଲେଣି । ଗୋପାଳପୁର ତୋଠର ଆଉ ନାମ ନାହିଁ, ଲୋକେ କହନ୍ତି ପେତୁଣୀପଦା ।

•••

 

ପଞ୍ଚବିଂଶ ପରିଚ୍ଛେଦ

ମଙ୍ଗରାଜ ଘରର ହାଲଚାଲ

 

ଛମାଣ ଆଠଗୁଣ୍ଠ କ’ଣ ? କଥିତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୂର ଯାହାଠାରେ ରହେ, ତାହାର ବଂଶ ନାଶ କରି ଦିଏ । ଆଲ୍ଲାଉଦ୍ଦୀନ୍‌ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ୱଲ୍ୟମାନ ପ୍ରମାଣ, ମାତ୍ର ସେହି ମଣି ଆମ୍ଭମାନଙ୍କ ପୂଜନୀୟ ମହାମାନ୍ୟା ପ୍ରତ୍ୟକ୍ଷ କମଳାସ୍ୱରୂପା ଶ୍ୱେତଦ୍ୱୀପବାସିନୀ ଭାରତେଶ୍ୱରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ତର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରି ବିଷ ଦେବାଧିଦେବ ଉମାପତିଙ୍କ କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ୱ ପ୍ରକାଶ କରୁଅଛି । ସାର କଥା ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡ଼େ ବଡ଼ କଥା ଛାଡ଼ି ଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ ‘ଛ ମାଣ ଆଠଗୁଣ୍ଠ’ କଥା ଦେଖ । ଲୋକମାନେ କହନ୍ତି, ‘‘ଗୋବିନ୍ଦପୁର ଗାଁ ତଳଚକ ଛ ମାଣ ଆଠଗୁଣ୍ଠ ଜମି ପରି କଳିନ୍ଦି ଆଉ ନାହିଁ, ମାତ୍ର ଜମିଟା ଘରବୁଡ଼ା । ବାଘସିଂହ ବଂଶଟା ଲଣ୍ତଭଣ୍ତ ହୋଇଗଲା, ସାରିଆ ତ ଧନ ପ୍ରାଣରେ ଗଲା, ମଙ୍ଗରାଜ ବଂଶ କଥା ତ ଦାଣ୍ତରେ ପଡ଼ିଛି । ଜମିଟା ନେବାର ଛ ମାସ ଛ ପକ୍ଷ ଯାଇ ନାହିଁ, ଦଶାଟା ଦେଖ ।’’

 

ମଙ୍ଗରାଜ କଟକ ଯିବାର ଚତୁର୍ଥ ଦିନ ସକାଳେ ଦେଖାଗଲା, ଗନ୍ତାଘର ଚାରିଜାଗା ଆଣ୍ଠିଏ ଖୋଳା । ସେହିଦିନ ସକାଳୁ ଗୋବିନ୍ଦା ଆଉ ଚମ୍ପା ଉଆସ ମଧ୍ୟରେ ଦିଶୁ ନାହାନ୍ତି, ସେ ଦୁଇ ଜଣ ଆଗଲି ପିଛିଲି ହୋଇ କଟକ ଦାଣ୍ତ ପଦ୍ମପୁର ଗହୀରରେ ଯାଉଥିବାର ଲୋକେ ଦେଖିଆସି ଗ୍ରାମରେ କହିଲେ । ପୁଅମାନେ ବାପ ଭୟରେ ଶଙ୍କି ରହିଥିଲେ, ଏତେବେଳେ ପୋବାର ପଡ଼ି ଯାଇଅଛି । ବଡ଼ପୁଅଙ୍କର ଆଗରୁ କିଛି ବାତୁଳ ଛିଟା ଥିଲା, ବର୍ତ୍ତମାନ ଦିନ ରାତି ଗଞ୍ଜେଇ ଭିଡ଼ି ଭିଡ଼ି ସଫା ବାୟା ହୋଇ ଗଲେଣି । ମଝିଆଁ ଆଉ ସାନ ପୁଅଙ୍କର ନାକ ପୋଛିବାକୁ ତର ନାହିଁ, ମକର ସଂକ୍ରାନ୍ତି ମୁଣ୍ତ ଉପରେ, ଗୋବରା ଚଢ଼ାଇ ଧରିବାରେ ଲାଗିଅଛନ୍ତି, ଦିନ ରାତି ଧାନ ବିକା ଲାଗିଛି ।

 

ଆଜି ଗାଁରେ ଚହଳ ପଡ଼ିଛି, ମଙ୍ଗରାଜ ଘରଦ୍ୱାର ନିଲାମ ହେବ । ବେଳ ଅନ୍ଦାଜ ଛ ଘଡ଼ି, ପୋଲିସ ଜମାଦାର, ବରକନ୍ଦାଜ ଛାଟିଆ ଏଇ ଆଠ ଦଶ ଜଣ ମଙ୍ଗରାଜଙ୍କ ଉଆସ ଦୁଆରେ ଉପସ୍ଥିତ ହେଲେ । ଜଜ ସାହେବ ମଙ୍ଗରାଜଙ୍କୁ ହଜାରେ ଟଙ୍କା ଜୋରିମାନା କରିଥିଲେ, ଚଳନ୍ତି ସମ୍ପତ୍ତି ନିଲାମ ହୋଇ ଟଙ୍କା ଅସୁଲ ହେବ । ଜମାଦାର ଘରେ ପଶି ମାଲମତାଗୁଡ଼ିକ ବହିଆଣି ଦାଣ୍ତରେ ଜମା କରୁଅଛନ୍ତି । ବଣିବସାରେ ଢେମଣା ପଶିଲାପରି ଭୁଆସୁଣୀଗୁଡ଼ାକ ଘରୁ ବାହାରି ଯାଇ ଉଆସ ପଛ ତୋଟାରେ କାଉଳି ହେଉଛନ୍ତି । ପୁଅ କେହି ଘରେ ନାହାନ୍ତି । ଛାମୁକରଣ କଣ କହିବାକୁ ଯାଉଥିଲା, ଜମାଦାର ଆଖି ଦେଖାଇବାରୁ ତୁନି ହୋଇ ଗାଲରେ ହାତ ଦେଇ ପିଣ୍ତାରେ ବସିପଡ଼ିଅଛି । ମୁକୁନ୍ଦା ସମସ୍ତଙ୍କ କଥାରେ ‘ହୋଇ ଆଜ୍ଞା, ହୋଇ ଆଜ୍ଞା’ କହି ଲଣ୍ତଭଣ୍ତ ହେଉଛି ।

 

ଦାଣ୍ତରେ ମାଲମତାଗୁଡ଼ାକ ନିଲାମ ହେଲା । ନିଲାମ ତ ନିଲାମ ଦି’ପାଣିଆ ବଳଦ ହଳକର ଦାମ୍ ସାଢ଼େ ଚାରି କି ପାଞ୍ଚ କେବେ କିଏ ଶୁଣିଥିଲା ? ଦୁହାଁଳ ଗାଈଗୁଡ଼ାକ ଟଙ୍କାଏ ଟଙ୍କାଏ, ଦି’ବରଷିଆ ଛଡ଼ା ସାଙ୍ଗେ ସାଙ୍ଗେ । ପ୍ରଥମେ ପ୍ରଥମେ ନିଜ ଗାଁ ଲୋକ ନିଲାମ ଡାକୁ ନ ଥିଲେ, ଦାମ୍ ଦେଖି ପଛନ୍ତେ ଗୋଟାକ ଉପରେ ଗୋଟାଏ ପଡ଼ିଲେ । ଜମାଦାର ତ ନିଲାମ କରି ଟଙ୍କା ଘେନିଗଲା, ବାକି ଯେ ଗାଈ –ବଳଦଗୁଡ଼ାକ ଥିଲେ ଏ ବିଲ ସେ ବିଲ, ଏ ଦାଣ୍ତ ସେ ଦାଣ୍ତ ଲଣ୍ତଭଣ୍ତ ହେଉଛନ୍ତି, ଆୟତିବାକୁ କେହି ନାହିଁ, ବଙ୍ଗଳା ଗୋଆଲା ଗୋଠରେ କେତେ ଗଲେଣି, କେତେ ବଣା ହୋଇ ଆଉ ଆଉ ଗ୍ରାମରେ ଉଠୁଅଛନ୍ତି । ହଳିଆମାନେ ଦୁଇ ଦୁଇ ବରଷର ବରତନ ପାଇ ନ ଥିଲେ, ଶୁଣାଯାଏ ତୋଟା, ନଡ଼ିଆ ବଗିଚା, ଗୋରୁଗାଈରୁ ସେମାନେ ଅସୁଲ କରି ନେଉଛନ୍ତି ।

 

ତୁଳ ଅଧାଅଧି ହେଲାଣି, ଆଶୁଧାନ ଶୁକ୍ରବାର ହୋଇନାହିଁ, ପାଣ ହଳିଆଗୁଡ଼ାକ ପଳାଇ ଗଲେଣି, ଖାଲି ପଳେଇବା ନୁହେଁ, ଗୋରୁ ଲାଙ୍ଗୁଡ଼ ଧରି ପାର ।

 

ଗାଁର ତିଳପରି କଥାଟା ହାଟରେ ତାଳପରି ଫୁଲିଯାଏ, ସେ କଥାଟା ଏକା ସତ । ଚାରିଆଡ଼େ କଥା ବାଜିଛି, ଜଜସାହେବ ମଙ୍ଗରାଜେଙ୍କ ହାତରୁ ତାଲୁକ ଛଡ଼ାଇ ନେଇ ଜଣେ ଓକିଲକୁ ଦେଲେ । ସେ ଓକିଲ ଆସନ୍ତା ମକର ସଂକ୍ରାନ୍ତି ଦିନ ଦୁଇଶ ପାଇକ ଘେନି ପାଞ୍ଚଟା ଘୋଡ଼ା, ଦୁଇଟା ସବାରିରେ ଚଢ଼ି ଗାଁ ଦଖଲ କରିବାକୁ ଆସିବ । ପ୍ରଜାମାନେ ଶୁଣି କହିଲେ, ‘‘ଘୋଡ଼ାରେ ତୋତେ ଚୋର ନେବ, ନା ସେଠି ଦାନାପାଣି ଏଠି ଦାନାପାଣି । ଯେ ରାଜା ହେବ, ତା’ର ପ୍ରଜା ହେବୁଁ, ଆପଣା ଗଣ୍ତାକ କିଏ ଛାଡ଼ିବ ?’’ ମାତ୍ର ଦୁଷମନପକ୍ଷିଆ ଲୋକମାନେ ଭାରିଖୁସି । ଆପଣା ଅସୁଲ ତ ଥାଉ, ଡରରେ ଲାଜରେ ମଙ୍ଗରାଜଙ୍କ ପାଇକ ଗାଁରେ ଛିଡ଼ା ହୋଇପାରୁ ନାହାନ୍ତି । ବେଗଡ଼ା ଲୋକେ ପାଇକମାନଙ୍କୁ ଦେଖିଲେ ଗଛ ପତ୍ରକୁ ଲଗାଇ ଦୁଇପଦ କଥା ଶୁଣାଇ ଦିଅନ୍ତି ।

•••

 

ଷଡ଼ବିଂଶ ପରିଚ୍ଛେଦ

ବାବାଜୀ ଲଳିତା ଦାସ

 

ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡ଼ିଛି । ହାଟ, ବାଟ, ଗାଧୁଆ ତୁଠ, ହାଣ୍ତିଶାଳ, ଢେଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନି ତୁନି କଥା ଚାଲିଛି, କେହି ପାଟି କରି କହୁଛି, କେହି ଜଣେ କୁହାଳିଆ ହାତ ହଲାଇ, ମୁଣ୍ତ ହଲାଇ କଥା ମେଲିଛି, ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି । କଥାଟା ତ ନାନାରୂପ ଧାରଣ କରି ଚାଲିଛି, ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ ।

 

ମଙ୍ଗରାଜେ କଟକ ଯିବା ସାତଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡ଼ା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲଥୁକୁଲ, ମୁଣ୍ତଟି ଲଣ୍ତା, ମଝିରେ ତରଭୁଜ ଡେମ୍ପ ପରି ଚୂରକି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି । ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ନାସା ଅର୍ଦ୍ଦରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍‍ଲେଟର ଅଫିସରୁ ବେରିଂ ଚିଠି ବାହୁଡ଼ିଲାପରି ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି । ପରିଧାନ କୌପୀନ, ତାହା ଉପରେ ବହିର୍ବାସ, ପିଠିରେ ନାମାବଳୀ, ହାତରେ ଝୁଲି । ବାବାଜୀ ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି, ସନ୍ଧ୍ୟା ସମୟରେ ଖଞ୍ଜଣୀ ବଜାଇ କୀର୍ତ୍ତନ ଗାନ୍ତି, ତହିଁ ଉତ୍ତାରେ ଚୈତନ୍ୟ ଭାଗବତ ପାଠ । ସନ୍ଧ୍ୟା ସମୟରେ ଭାଗବତ ଘରେ ଭାରି ବୈଠକ ହୁଏ, ଗ୍ରାମର ବୁଢ଼ାଭଳିଆ ଦଶ ବାର ଜଣ ତନ୍ତୀ ଭେକ ନେବାର କଥା ହେଲାଣି । ବାବାଜୀଟି ଭାରି ନିର୍ଲୋଭ, କହି କିଛି ଦେଲେ ‘‘ହରେ କେଷ୍ଟ, ହରେ କେଷ୍ଟ’’ କହନ୍ତି । ଏପରି ସାଧୁ କେବେ କାହିଁ ଦେଖା ନାହିଁ । ଆଜକୁ ଦୁଇଦିନ ହେଲା ବାବାଜୀ କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି, ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସରେ ମରୁଆକୁ ଖୋଜା ପଡ଼ିଛି । କେହି କେହି କହିନ୍ତି, ସେ ବାବାଜୀ ସାଙ୍ଗରେ ବୃନ୍ଦାବନ ଧାମକୁ ଚାଲିଗଲା । ବାସ୍ତବରେ ସେ ଯଦି ସାଧୁ ସହବାସରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରି ଯାଇଥାଏ, ତେବେ ଆମ୍ଭେମାନେ କାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବାଦ୍ୱାରା ସାଧୁ ଏବଂ ସାଧ୍ୱୀଙ୍କର ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ । କେବଳ ଗୋଟାଏ କଥା ଶୁଣିବାବେଳୁଁ ମନଟା କିପରି ଗୁଡ଼େଇ ପୁଡ଼େଇ ହେଉଛି । ମରୁଆ ସାନ ବୋହୂଙ୍କର ଭାରି ବିଶ୍ୱାସୀ ଥିଲା, ସବୁବେଳେ ତାଙ୍କରି ପାଖରେ ଥାଏ । ମରୁଆ ସହିତ ସାନବୋହୂଙ୍କ ବାକ୍‌ସରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟ ମିଳୁନାହିଁ, ବାପଘରୁ ଏବଂ ଶାଶୁଘରୁ ବିଭା ସମୟରେ ମୁହଁଚାହାଁଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବାକ୍‌ସରେ ଥିଲା । ବାକ୍‌ସ ମେଲା ହୋଇ ପଡ଼ିଛି – ପଦାର୍ଥ କିଛି ନାହିଁ । ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖି କଥା କହୁଛନ୍ତି । ସାନବୋହୂତ ସାଫ୍ ଡକା ପାଡ଼ୁଛନ୍ତି । ସମସ୍ତେ ଡକାପାଡ଼ି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି ?

 

ଯେଉଁ ଦୁଆରେ ଦିନ ନାହିଁ, ରାତି ନାହିଁ, ଲୋକେ ଯିବାଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡ଼ିଗଲାଣି ।

 

ସାରକଥା କେତୋଟା ମାସ ମଧ୍ୟରେ ସମ୍ପତ୍ତି, ଗୌରବ, ଆଧିପତ୍ୟ ସବୁ ଛାରଖାର ହୋଇଗଲାଣି ।

 

‘‘ନିର୍ଜଗାମ ଯଦା ଲକ୍ଷ୍ମୀ

ଗଜଭୁକ୍ତକପିତ୍‍ଥବତ୍ ।’’

•••

 

ସପ୍ତବିଂଶ ପରିଚ୍ଛେଦ

ଅପୂର୍ବ ମିଳନ

 

ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ । ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ, ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ । ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ, ଅତି ସାବଧାନରେ କିଛି କର୍ମକରି ମନେ କରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛ । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟ ନେତ୍ର ଅତିକ୍ରମ କରିବାର ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ ତାହାର ଫଳ ତୁମ୍ଭଙ୍କୁ କଦାଚିତ୍ ବଂଶପରମ୍ପରାକୁ ଭୋଗ କରିବାକୁ ହେବ । ହେ ବଳବାନ, ଧନବାନ, ଗର୍ବିତ ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାରିଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ । ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ ଫକୀର ପ୍ରତି ଅତ୍ୟାଚାର କରି ରକ୍ଷା ପାଇପାରି ନାହାନ୍ତି । ଶିଖଗୁରୁ ଗୋବିନ୍ଦ ଜଣେ ସାମାନ୍ୟ ମୁସଲମାନର ଉପକାର କରି ପ୍ରାଣସଙ୍କଟ ଘୋର ବିପଦରୁ ରକ୍ଷା ପାଇଥିଲେ । ସେ ଐତିହାସିକ ବଡ଼ ବଡ଼ କଥା ଛାଡ଼ିଦିଅ । ବାଘସିଂହ ଘରେ ଚୌକିଆ ଥିବା ହେତୁରୁ ରତନପୁରର ଯେଉଁ ଡମମାନଙ୍କୁ ଆମ୍ଭମାନଙ୍କ ମଙ୍ଗରାଜେ ଚକ୍ରାନ୍ତ କରି ଜେଲ ଦିଆଇଥିଲେ, ଘଟନାସୂତ୍ରରେ ଆଜି ସେହିମାନଙ୍କ ହାତରେ ଲାଞ୍ଛନା ଭୋଗ କରିବାକୁ ହେଲା ।

 

ରତନପୁର ମୌଜାର ଡମମାନେ ପ୍ରଥମ ଦିନ ମଙ୍ଗରାଜଙ୍କୁ ଜେଲଖାନାରେ ଦେଖି – ସଙ୍ଗାତ ତ ଅଇଲେ ଶଶୁର ଅଇଲେ – ସାଆନ୍ତେ ଅଇଲେ – କହି ହସି ହସି ଟାପରା କରି ତାଙ୍କୁ ଦଣ୍ତବତ କରିଥିଲେ । କେହି ଜଣେ ଧନବନ୍ତ ବଡ଼ ଲୋକ ଜେଲଗଲେ ପୁରୁଣା ସରଦାର କଏଦୀମାନେ କିଛି ପାଇବା ଆଶାରେ ତାହା ପ୍ରତି ଅତ୍ୟାଚାର କରିଥାନ୍ତି । ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ତାଙ୍କ ଉପରେ ଗୋଇଠାଏ, ଖୁନ୍ଦାଟାଏ ବାଜି ଯାଉଥାଏ ।

 

ଆମ୍ଭେମାନେ ଗୋଟିଏ କଥା କହିବାକୁ ଭୁଲି ଯାଇଛୁ । ମିଥ୍ୟା ସାକ୍ଷ୍ୟ ଦେବା ଅପରାଧରେ ଗୋବରା ଜେନାର କଠିନ ପରିଶ୍ରମ ସହିତ ଏକବର୍ଷ ମିଆଦ ହୋଇ ଯାଇଛି ।

 

ଦିନ କାହାରିକୁ ଅନାଇ ବସି ରହେ ନାହିଁ । ଚିରକାଳ ସମାନ ଭାବରେ ଦିନ ରାତି ସମାନ ଭାବରେ ବହିଯାଉଛି । ମଙ୍ଗରାଜେ ଘଣା ପେଲୁଛନ୍ତି ବୋଲି ଯେ ଦିନ ଅଟକି ରହିବ, ଏମନ୍ତ କିଛି ନୁହେଁ । ଲୋକେ କହନ୍ତି, ‘ସୁଖର ଦିନ ଘୋଡ଼ାରେ ଧାଏଁ, ଦୁଃଖର ଦିନ ହାତୀରେ ଚଢ଼ିଯାଏ ।’ ତୁମ୍ଭେ ଯାହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ । ତାହାର ଆଠ ପହରରୁ ନିମିଷେ ଆଡ଼ବାଙ୍କ ହେବାର ନାହିଁ । ଏକ – ଦୁଇ – ତିନି – ଚାରିଦିନ କରି ମଙ୍ଗରାଜଙ୍କ ଜେଲ ମିଆଦ ଦୁଇ ମାସ କଟି ଗଲାଣି ।

 

ସେ ଯେଉଁ ବଖରାରେ ଶୋଉଥିଲେ, ସେ ବଖରାଟା ମରାମତ କରାଯିବାର ପ୍ରୟୋଜନ ହେବାରୁ ତାଙ୍କୁ ଅନ୍ୟ ଗୋଟିଏ ବଖରାକୁ ନିଆଗଲା । ଜେଲଖାନାରେ ଗୋଟିଏ ଗୋଟିଏ ବଖରାରେ ଆଠଟି ଲେଖାଏଁ ମାଟିର ପିଣ୍ତି ବନ୍ଧାଥାଏ । ରାତିରେ କମ୍ବଳ ପାରି ସେଥିରେ ଆଠଜଣ କଏଦୀ ଶୁଅନ୍ତି । ଦୈବାତ୍ ରତନପୁର ମୌଜାର ଛ ଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜେ ଏହି ଆଠ ଜଣ ଗୋଟିଏ ବଖରାରେ ରହିଲେ ।

 

ଚାରିଦିନ ତଳେ ମଙ୍ଗରାଜଙ୍କ ଉପରେ ଭାରି ଗୋଟାଏ ବିପଦ ଘଟି ଯାଇଛି । ଆଜିକାଲି କଟକ ଦରଘାବଜାରରେ ଯେ ଗୋଟିଏ ପାଗଳଖାନା ଅଛି, ଏପରି ପୂର୍ବେ ନ ଥିଲା । ବାୟାମାନଙ୍କୁ ଜେଲ୍‍ଖାନାରେ ବନ୍ଦି କରି ରଖା ଯାଉଥିଲା । ମଙ୍ଗରାଜଙ୍କ ରହିବା କୋଠରୀର କିଛି ଦୂରରେ ପାଗଳା ଗାରଦ । ସେଠାରେ ଗୋଟିଏ ଭୟଙ୍କର ବାୟା ଥିଲା । ସେ ରାତିଯାକ ଶୁଏ ନାହିଁ, ମୋ ସାରିଆ, ମୋ ‘ଛ ମାଣ ଆଠଗୁଣ୍ଠ’ କହି ନାଚେ, ଚିଲା ମାରେ, ଡକାପାଡ଼େ, ହସେ । ମଙ୍ଗରାଜଙ୍କୁ ଦେଖିଲେ ସର୍ବଦା କାମୁଡ଼ିବାକୁ ଧାଏଁ । ବରକନ୍ଦାଜମାନେ ଧରାଧରି କରି ରଖନ୍ତି । ସେ ଦିନ ହଠାତ୍ ଧାଇଁଆସି ମଙ୍ଗରାଜଙ୍କ ନାକ କାମୁଡ଼ି ପକାଇ ଛିଣ୍ତାଇ ଦେଇଅଛି ।

 

ଆଜିକାଲି ଜେଲଖାନା ଦୁଆରେ ଭାରି ଗୋଳମାଳ, ଦୁଇଗୋଟି ରୋଗୀ ପଡ଼ିଛନ୍ତି । ଗୋଟିଏ ଶୁକ୍ ଶୁକ୍ ହେଉଥିଲା, ମରିଗଲା । ଆଉ ଗୋଟାକୁ ଧୁଆଧୋଇ କରି ନେଟିଭ ଡାକ୍ତର ଓ କମ୍ପାଉଣ୍ତର ପଟି ବାନ୍ଧି ଦେଉଛନ୍ତି ।

 

ବେଳ ୯ ଘଣ୍ଟା ସମୟରେ ଡାକ୍ତର ସାହେବ ଆସି ମାଇନା କଲେ, ରୋଗୀର ସର୍ବାଙ୍ଗ ପରୀକ୍ଷା କଲେ । ଜେଲ୍ ଦାରୋଗା ରେଜିଷ୍ଟରୀ ବହି ଦେଖି କହିଲେ –

 

ଲାସ୍ ୯୭୫ ନମ୍ବର କଏଦୀ ଗୋବରା ଜେନା ।

 

ରୋଗୀ – ୯୭୭ ନମ୍ବର କଏଦି ରାମଚନ୍ଦ୍ର ମଙ୍ଗରାଜ । ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଛି, ନାକଦଣ୍ତା ଫାଟିଯାଇ ରକ୍ତ ବହୁଛି, ସମୟ ସମୟରେ ରକ୍ତ ବାନ୍ତି ହେଉଛି । ଡାକ୍ତର ସାହେବ ରୋଗର କାରଣ ମାଡ଼ ବୋଲି ସ୍ଥିର କଲେ ।

 

ଖୁବ୍ ତଦାରଖ ହେଲା, ଧୂମଧାମ ହେଲା, କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ । ରୋଗୀର କଥା କହିବାର ଶକ୍ତି ନାହିଁ । କେବଳ ଗତ ରାତ୍ରିରେ ପହରା ବରକନ୍ଦାଜ ଅର୍ଦ୍ଧରାତ୍ର ସମୟରେ ଦୁମ୍‍ଦାମ୍‍ ଗୁମ୍‍ଗାମ୍‍ ଶବ୍ଦ ଶୁଣିଥିବାର ସାକ୍ଷ୍ୟ ଦେଲା । ଡମ ଛ ଜଣ ସାକ୍ଷ୍ୟ ଦେଲେ, କଏଦୀ ଦୁଇଜଣ ପରସ୍ପର ବାଡ଼ିଆ ବାଡ଼େଇ ହୋଇ ଅଛନ୍ତି ।

 

ମକଦ୍ଦମା ତଦାରଖ ଖତମ ହେଲା । ଡାକ୍ତର ସାହେବ ହୁକୁମ ଦେଲେ – ରୋଗୀର ବଞ୍ଚିବାର ସମ୍ଭାବନା ବିରଳ, ତାହାର ଜ୍ଞାତି ବନ୍ଧୁ ଇଚ୍ଛା କଲେ ଚିକିତ୍ସାସକାଶେ ଘରକୁ ଘେନିଯାଇ ପାରନ୍ତି । ଥାନାଦ୍ୱାରା ଗୋବିନ୍ଦପୁରରେ ସାହେବଙ୍କ ହୁକୁମ ପହଞ୍ଚିଲା ।

 

ପୁଅମାନେ ଧାନଅମାର ତଳିପୋଛ ପ୍ରାୟ କରି ଦେଲେଣି । ସେମାନେ ବାପକୁ ଚିହ୍ନନ୍ତି-। ଫେରି ଅଇଲେ କି ରକ୍ଷା ? କେଉଁ ବୁଦ୍ଧିମାନ ଲୋକ ଜାଣୁ ଜାଣୁ ଆପଣା ବିପଦକୁ ଡାକିଆଣେ ? ‘‘ଆତ୍ମନଂ ସତତଂ ରକ୍ଷେତ୍’’ ଏହି ନୀତିବାକ୍ୟଟା ସମସ୍ତଙ୍କୁ ଜଣା ।

 

ବୁଢ଼ା ହଳିଆ ମୁକୁନ୍ଦା ଲଣ୍ତଭଣ୍ତ ହୋଇ ଦୁଇଟା ଅଣ୍ତିରା, ଚାରି ଛ’ଟା ପହ୍ଲାଣସଜ ବିକି ଦେଇ ଖଣ୍ତେ ଡୋଲି ଧରି ତରଭର ହୋଇ କଟକ ଧାଇଁଲା ।

•••

 

ଉପସଂହାର

 

ତିନି ମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ, ଠିକ୍ ସେହିପରି ଉତ୍ତରକୁ ମୁଣ୍ତ କରି ପୁରୁଣା କତରାଖଣ୍ତକରେ ମଙ୍ଗରାଜେ ପଡ଼ିଛନ୍ତି । ହାତ ଗୋଡ଼ ନଡ଼ ବଡ଼ ହେବାକୁ ନାହିଁ, ଆଖିରେ ପଲକ ପଡ଼ୁ ନାହିଁ, ଏକ ଧ୍ୟାନରେ ଉପରକୁ ଚାହିଁ ରହିଛନ୍ତି । ଶିବା ଚମାର, କାର୍ତ୍ତିକ ନାୟକ ଦୁଇଜଣ ବୈଦ୍ୟ ଲାଗିଥିଲେ, କାଲି ରାତିରୁ ଜବାବ ଦେଇ ଅଲଗା ହୋଇ ଗଲେଣି, ଗୋପୀଆ ତନ୍ତୀ ହାତ ଲଗାଇଛି । ଗୋପୀଆ ତନ୍ତୀ ଓରଫ ଗୋପୀ କବିରାଜ ଜଣେ ଡାକଫୁକାର ଟାଣୁଆ ବୈଦ୍ୟ । ଚାରି ଖଣ୍ତ ଗ୍ରାମର ଲୋକେ ତାହାକୁ ଜାଣନ୍ତି, ଦିନରାତି ତାହାର ନାକ ପୋଛିବାର ତର ଥାଏ ନାହିଁ, ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ କାନ୍ଧରେ ନାଲିଆ ଗାମୁଛା ପକାଇ କାଖତଳେ ଔଷଧ ବଟୁଆ ଝୁଲାଇ, ବାଙ୍କ ମୂଳିଆ ବାଉଁଶ ବାଡ଼ି ହାତରେ ଧରି ରୋଗୀ ଖୋଜିବାକୁ ବାହାରେ । ବଟୁଆ ମଧ୍ୟରେ ବାସ୍ତରୀ ନିଦାନ ରୋଗର ଔଷଧ ବଟିକା ଅଲଗା ତସର ଲୁଗାରେ ସାଇତା ଅଛି । ଗୋପୀର ଦଦେଇ ଜଣେ ନାମଜାଦା ବୈଦ୍ୟ ଥିଲେ, ତାଙ୍କ ଔଷଧ ରୋଗୀ ଦେହରେ ଚକମକି ପଥର ପରି ଲାଗିଯାଏ । ତାଙ୍କ ହାତ ତିଆରି ବଟିକା ଗୋପୀ ଆଜିଯାଏ ସାଇତି ରଖିଅଛି ।

 

ଗୋପୀ ମଳୁବିଛଣା ଡାହାଣ ପାଖରେ ବସି ଢେର୍ ବେଳଯାଏ ନାଡ଼ି ଚିପିଲେ, ଉପରକୁ ଅନାଇ ଆଖିବୁଜି ଦାନ୍ତ ନିସିଡ଼ି ରୋଗ ଅନୁମାନ କଲେ । ମୁକୁନ୍ଦା ଭକ ଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ । ପଚାରିଲା, ‘‘କବିରାଜେ, କଣ ଦେଖିଲେ ? ‘‘କବିରାଜେ ଗମ୍ଭୀର ଭାବରେ ସ୍ଥିର ହୋଇ ବସି କହିଲେ, ‘‘ଏଁ, ବୋଇଲା, ‘କଣ୍ଠାଶ୍ଳେଷପ୍ରଣୟିନିଜନେ କିଂ ପୁନର୍ଦୁରସଂସ୍ଥେ’–ବୋଇଲା କଣ୍ଠରେ ତ ଶ୍ଳେଷା ଲାଗିଲେ ପ୍ରାଣ ଯାଏ, ସେ ପୁଣି ଦୂରକୁ ଚାଲିଗଲେ କଣ ହେବଟି ? ହେଲେ ମୁଁ କି ଏମାନଙ୍କ ପରି ଅପାଠୁଆ କବିରାଜ ହୋଇଛି ? ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି ।’’ କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ ।

 

ମୁକୁନ୍ଦା ପଚାରିଲା, ‘‘ମଳୁର ଗୋଟାଏ ଗୋଟାଏ ଜାଗା ଫୁଲିଛି କ୍ୟାଁ ?’’ କବିରାଜେ– ‘‘ଏଁ, ବୋଇଲା, ‘ସ୍ୱର୍ଣ୍ଣାଦଷ୍ଟଗୁଣଂ ଶୋଥଂ ।’ ବୋଇଲେ ଶ୍ଳେଷ୍ମା ଦୋଷ ଗୁଣରୁ ଶୋଥ ହୁଏ । ହେଉ, ଭାବନା ନାହିଁ, କସ୍ତୁରୀ ପେଟରେ ପଡ଼ିଲେ ସବୁ ଛାଡ଼ିଯିବ ।’’ ‘କସ୍ତୁରୀତିଳକଂ’ ପେଟକୁ ଦିଆଯିବ, ଆଉ ତିଳକ କରିଦେବାକୁ ହେବ । କବିରାଜ ମୁକୁନ୍ଦା ପାଖରୁ ନଗଦ ଚାରିଅଣା ପଇସା ନେଇ ଦେଢ଼ ମାଢ଼ କସ୍ତୁରୀ ବଟୁଆରୁ କାଢ଼ିଲେ । ଏହାକୁ ଅନୁପାନ ଦରକାର । କବିରାଜେ ବୋଇଲେ, ‘‘ପାଠ କହିଲା, ‘ମସ୍ତକଂ କଟୁକୀ ରାତ୍ରୀ ଶୁଣ୍ଠି ପିପ୍‌ପଳିମେବଚ ।’ ଏ ବୋଇଲା, ରାତ୍ରିରେ ଶୁଣ୍ଠି, ପିପ୍‌ପଳି ବଚ ମୁଥା ମାରି କୁଟିବ ।’’ ମୁକୁନ୍ଦା ପଚାରିଲା, ‘‘କେତେ ଲେଖାଏଁ ଏ ସମସ୍ତ ପଦାର୍ଥ ଆସିବ ?’’ କବିରାଜେ– ‘‘ଏଁ– ବୋଇଲା ଅନୁପାନ ବିଶେଷେଣ କରୋତି ବିବିଧାନ ଗୁଣାନ୍ । ବୋଇଲା ଅନୁପାନ ବିଶେଷ କରି ଅଧିକ କରିଦେଲେ ବିଧା ମାରିଲାପରି ଗୁଣ ହେବ ।’’

 

କବିରାଜେ ରୋଗର ବ୍ୟାଖ୍ୟା ଏବଂ ଔଷଧର ବ୍ୟବସ୍ଥା କରୁ କରୁ ରୋଗୀ ଅଥୟ ହୋଇ ପଡ଼ିଲେଣି, କ୍ରମଶଃ ନିଶ୍ୱାସ ବଳି ପଡ଼ୁଛି, ଦୁଇ ଆଖିକୋଣରୁ ଦୁଇଟୋପା ଜଳ ଗଡ଼ି ପଡ଼ିଲାଣି । ମଙ୍ଗରାଜେ ଚାରିଦିନ ହେଲା ପଡ଼ିଛନ୍ତି । ଏକଧ୍ୟାନରେ ଆକାଶକୁ ଚାହିଁ ପଡ଼ିଛନ୍ତି, କେତେବେଳେ ଟିକିଏ ଆଖି ଲାଗିଲେ ହାଉଳି ଖାଇଲା ପରି ଚମକିପଡ଼ି କହନ୍ତି ‘‘ଥ–ମା–ଆ–ଗୁଁ ।’’ ସ୍ୱର କ୍ଷୀଣ କ୍ରମଶଃ କ୍ଷୀଣତର କିଛି ବୁଝା ଯାଉନାହିଁ । ତାଙ୍କୁ ଟିକିଏ ଛାଇ ନିଦ ଲାଗିଲେ ଦେଖନ୍ତି, ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି, ବିଶାଳ ମୁଣ୍ତର ବାଳ ମୁକୁଳା, ମୂଳାପରି ବଡ଼ ବଡ଼ ଧଳା ଧଳା ଦାନ୍ତ, ଦୁଇ ତିନି ହାତ ଲମ୍ବ ଜିଭ ଲହ ଲହ କରି ତାକୁ ଖାଇବାକୁ ଧାଇଁଛି । ମଙ୍ଗରାଜଙ୍କ ମନରେ ହୁଏ ତନ୍ତୀ ସାଇରେ ଭଗିଆ ତନ୍ତୀ ପିଣ୍ତାରେ ଗୋଟିଏ ସ୍ତ୍ରୀ ନଟି ବୁଲାଉଥିବାର ହେଖିଥିଲେ । ସେହି ସ୍ତ୍ରୀମୂର୍ତ୍ତି ଭୟଙ୍କର ବିକଟାଳ ରୂପ ଧାରଣ କରି ଏହିପରି ବିକୃତ ଅବସ୍ଥାକୁ ପ୍ରାପ୍ତ ହୋଇଅଛି । ଏ ସେହି ମୂର୍ତ୍ତି, ଯେମନ୍ତ ବଜ୍ରସ୍ୱରରେ କହୁଛି, ‘‘ମୋ ଛ ମାଣ ଆଠଗୁଣ୍ଠ ଜମି ଦେ ।’’ ମଙ୍ଗରାଜ ହାଉଳି ଖାଇ କହନ୍ତି, ‘‘ଥ–ମା–ଆ–ଗୁଁ ।’’ ମଙ୍ଗରାଜଙ୍କର ଆଉ ଥରେ ଆଖି ଲାଗିଗଲା । ଦେଖିଲେ ଗୋଟାଏ ଭୟଙ୍କର ନରକଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖବ୍ୟାଦାନପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତ ଏକଧ୍ୟାନରେ ନୀରବରେ ଚାହିଁ ରହିଅଛି । ତାଙ୍କୁ ଭଲଭାବରେ ଜଣାଗଲା ଯାହାର ଜମି ଛଡ଼ାଇ ନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲେ, ଏଇଟି ସେହି ମୂର୍ତ୍ତି-। ଆଉ ଦେଖିଲେ, ଭଗିଆପରି ସହସ୍ର ସହସ୍ର ବାୟା ଆକାଶମାର୍ଗସ୍ଥ ଘୋର କଳାମେଘ ମଧ୍ୟରୁ ବାହାରୁଅଛନ୍ତି, ସମସ୍ତଙ୍କ ହସ୍ତରେ ଖଡ୍‌ଗ ଏବଂ ଲୁହାର ମୁଦ୍‌ଗର, ଏକାବେଳକେ ସମଗ୍ର ମୁଦ୍‌ଗର ତାଙ୍କ ମୁଣ୍ତରେ ପଡ଼ିଲାପରି ଜଣାଗଲା । ମଙ୍ଗରାଜେ ରଡ଼ି ଛାଡ଼ି ପଳାଇବାକୁ ବାହାରିଛନ୍ତି, ଦେହରେ ଶକ୍ତି ନାହିଁ, ପାଟି ଫିଟୁନାହିଁ । ମଙ୍ଗରାଜେ ଅନାୟତ୍ତ ହୋଇ ସେହି ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ । ସେ ଦେଖିଲେ–ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ତଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିମୟୀ ଶାନ୍ତିମୟୀ, ଆଶାପ୍ରଦାୟିନୀ ସ୍ତ୍ରୀମୂର୍ତ୍ତି ବିରାଜିତା, ପୂର୍ବ ପୂର୍ବ ପୀଡ଼ା ସମୟରେ ସେ ମୂର୍ତ୍ତି ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କ ଦେହରେ କୋମଳ ହସ୍ତ ବୁଲାଉଥିଲେ । ବିମାନବାସିନୀ ଲାବଣ୍ୟମୟୀ ମୂର୍ତ୍ତି ସେହି ମୂର୍ତ୍ତିର ପ୍ରତିଛାୟା ଅଟେ । ସେହି ମୂର୍ତ୍ତି ଅଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଶକୁ ଡାକୁଛନ୍ତି । ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟକରି ଧାବିତ ହେଲା । ମଙ୍ଗରାଜଙ୍କ ଉଆସରେ ଚହଳ ପଡ଼ିଗଲା । ହରିବୋଲ ହରିବୋଲ ହରିବୋଲ ।

Image